Unknown

 

 

 

 

 

 

 

 

 

ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା

ଡକ୍ଟର ବନମାଳୀ ରଥ

 

ଭୂମିକା

 

ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟର ଉପେନ୍ଦ୍ରୋତ୍ତର-ଯୁଗରେ ଜଣେ ଗୌଣ କବି ହେଲେ ହେଁ, ଓଡ଼ିଶାରେ ବୈଷ୍ଣବ ଧର୍ମର ଅଭିବ୍ୟକ୍ତିରେ ତାଙ୍କର ରଚନାବଳୀ ମହତ୍ତ୍ଵପୂର୍ଣ୍ଣ । ଓଡ଼ିଶାର ଆଧ୍ୟାତ୍ମିକ ପରମ୍ପରା ପ୍ରଧାନତଃ ଅଦ୍ଵୈତବାଦୀ । ତେଣୁ ପରକୀୟା-ଆଧାରିତ ଦ୍ଵୈତବାଦୀ ଶୁଦ୍ଧା ଭକ୍ତି, ଓଡ଼ିଆ ସାହିତ୍ୟ ତଥା ଆଧ୍ୟାତ୍ମିକ ଜୀବନରେ କୌଣସି ଦିନ ବିଶେଷ ପ୍ରଶ୍ରୟ ଲାଭ କରି ପାରି ନଥିଲା ତେଣୁ ସଦାନନ୍ଦଙ୍କ ପୂର୍ବରୁ ଓଡ଼ିଆ ମଧ୍ୟଯୁଗୀୟ କାବ୍ୟ ସାହିତ୍ୟରେ ରାଧା ଥିଲେ ବିରଳ । କିନ୍ତୁ ସଦାନନ୍ଦ କବିସୂର୍ଯ୍ୟ, ଦ୍ଵୈତବାଦୀ । ରାଧାକୃଷ୍ଣ ପ୍ରେମଳୀଳା ତାଙ୍କ କାବ୍ୟ କୃତିର ଥିଲା ଏକ ମୁଖ୍ୟ ଆଭିମୁଖ୍ୟ । ତେଣୁ ଉତ୍କଳୀୟ ବୈଷ୍ଣବ-ସଂପ୍ରଦାୟରେ ସେ ଯେପରି ଅପାଙକ୍ତେୟ ହୋଇ ରହିଥିଲେ, କବିଙ୍କ “ପ୍ରେମ-ତରଙ୍ଗିଣୀ” କାବ୍ୟରେ ତାହା ସୂଚିତ ହୋଇଅଛି ।

 

ସଦାନନ୍ଦ କବିସୂର୍ଯ୍ୟ, ବୃନ୍ଦାବନର ଷଡ଼-ଗୋସ୍ଵାମୀମାନଙ୍କର ଆଧ୍ୟାତ୍ମିକ ମାର୍ଗର ଅନୁସାରୀ ଥିବାରୁ, ଓଡ଼ିଆ ମଧ୍ୟଯୁଗୀୟ କାବ୍ୟ-ସାହିତ୍ୟରେ ସେ ସର୍ବପ୍ରଥମେ ରାଧାକୃଷ୍ଣ ପ୍ରେମଲୀଳା କଥାବସ୍ତୁ ଘେନି କାବ୍ୟରଚନା କରିଥିଲେ । ସଦାନନ୍ଦ “ନିଷ୍ଠା ନୀଳମଣି”ରେ ନିଜକୁ ‘ମହାକବି’ ରୂପେ ଘୋଷଣା କରିଥିଲେ ହେଁ, ଅଭିମନ୍ୟୁ ସାମନ୍ତସିଂହାର ତାଙ୍କୁ “ପ୍ରେମକଳା” କାବ୍ୟରେ ନିଜର କାବ୍ୟ-ଗୁରୁ ରୂପେ ସ୍ଵୀକୃତି ଦେଇ ନଥିଲେ–ସଦାନନ୍ଦ କବିସୂର୍ଯ୍ୟ ବୋଧହୁଏ ଅଶ୍ରୁତ ରହି ଯାଇଥାନ୍ତେ ।

 

ସଦାନନ୍ଦ କବିସୂର୍ଯ୍ୟଙ୍କ ଲେଖନୀ ଥିଲା, ଅଜସ୍ରସ୍ରାବୀ । ଡଃ ବନମାଳୀ ରଥଙ୍କ ଚରିତ “ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା” ପୁସ୍ତକଟି,ଓଡ଼ିଆ ପାଠକ ସମାଜରେ ଆଦୃତ ହେବ ବୋଲି ଆଶା ପୋଷଣ କରେ ।

 

ସୁରେନ୍ଦ୍ର ମହାନ୍ତି

ସଭାପତି

ଓଡ଼ିଆ ସାହିତ୍ୟ ଏକାଡେମୀ

Image

 

ଦୁଇପଦ

 

ଓଡ଼ିଆ ସାହିତ୍ୟ ଏକାଡେମୀ ପକ୍ଷରୁ ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମାଙ୍କ ସମ୍ଭନ୍ଧରେ କ୍ଷୁଦ୍ରପୁସ୍ତକ ପ୍ରକାଶ ପାଇଲା । ଏକାଡେମୀର କାର୍ଯ୍ୟକ୍ରମ ମଧ୍ୟରେ ଉତ୍କଳ ସାରସ୍ଵତ ଭଣ୍ତାରକୁ ଉଜ୍ଵଳ କରିଥିବା ପ୍ରାଚୀନ ଲେଖକମାନଙ୍କର ଜୀବନୀ ସଂବଳିତ କ୍ଷୁଦ୍ର ପୁସ୍ତକ ପ୍ରକାଶ ଯୋଜନା ମଧ୍ୟରେ ଏହା ଅନ୍ତର୍ଭୁକ୍ତ । ଏହି କ୍ରମରେ ଗୋଟିଏ ପୁସ୍ତକ ରଚନାର ପ୍ରଣୟନ ହତକୁ ନିଆଯାଇଛି ।

 

ବୈଷ୍ଣବ ସାହିତ୍ୟରେ ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା ଏକ ବିଶେଷ ସ୍ଥାନ ଅଧିକାର କରନ୍ତି । ତାଙ୍କର କାବ୍ୟକୃତି କାଳ୍ପନିକ କାବ୍ୟ, କୃଷ୍ଣ ବିଷୟକ କାବ୍ୟ, ସାଂପ୍ରଦାୟିକ ସାହିତ୍ୟ, ଜୀବନୀ ସାହିତ୍ୟ, ଅନୁବାଦ ସାହିତ୍ୟ, ଶାସ୍ତ୍ରୀୟରଚନା ଓ କ୍ଷୁଦ୍ର ଗିତିକାବଳୀ ପ୍ରଭୃତି ପର୍ଯ୍ୟାୟରେ ବିଭକ୍ତ କରାଯାଇ ପାରେ ।

 

ଏହି ପୁସ୍ତିକା ସର୍ବସାଧାରଣ, ସାହିତ୍ୟିକ ତଥା ଗବେଷକମାନଙ୍କ ମଧ୍ୟରେ ଆଦୃତ ହେବ ବୋଲି ଆଶା କରୁଛି ।

 

 

ରାଇଚରଣ ଦାସ

ଭୁବନେଶ୍ଵର

ସଂପାଦକ

୧୨-୧୧-୮୨

ଓଡ଼ିଆ ସାହିତ୍ୟ ଏକାଡେମୀ

Image

 

ଆଭାସ

 

ଓଡ଼ିଆ ବୈଷ୍ଣବ ସାହିତ୍ୟରେ ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମାଙ୍କ ନାମ ଅବିସ୍ମରଣୀୟ । ତାଙ୍କର ତ୍ରିଂଶାଧିକ ରଚନା ମଧ୍ୟରୁ କେବଳ ଛଅଗୋଟି କାବ୍ୟ ବିଭିନ୍ନ ସମୟରେ ମୁଦ୍ରିତ ଓ ପ୍ରକଶିତ ହୋଇଅଛି : କିନ୍ତୁ ସେ ସବୁ ମଧ୍ୟ ଆଜି ଦୁଷ୍ପ୍ରାପ୍ୟ । ବିଭିନ୍ନ ପୋଥି ସଂଗ୍ରହାଳୟରେ ତାଙ୍କର ଅଧିକାଂଶ ପାଣ୍ତୁଲିପି ସୁରକ୍ଷିତ ଅବସ୍ଥାରେ ଥିଲେ ମଧ୍ୟ ଅଦ୍ୟାବଧି ସେଗୁଡ଼ିକ ସମ୍ପାଦିତ ତଥା ପ୍ରକାଶିତ ହୋଇ ନାହିଁ । କବିଙ୍କ ବିଷୟରେ ପ୍ରକାଶିତ ଆଲୋଚନାର ପରିସର ମଧ୍ୟ ଅତ୍ୟନ୍ତ ସୀମିତ । କେବଳ ପଣ୍ତିତ ସୂର୍ଯ୍ୟନାରାୟଣ ଦାସ ତାଙ୍କର ଓଡ଼ିଆ ସାହିତ୍ୟର ଇତିହାସରେ ସଦାନନ୍ଦଙ୍କୁ ପାଠକ ମହଲରେ ପରିଚିତ କରାଇବା ପାଇଁ ଯତ୍ ସାମାନ୍ୟ ପ୍ରଶଂସନୀୟ ପ୍ରଚେଷ୍ଟା କରିଛନ୍ତି । ଧର୍ମ ଭିତ୍ତିକ ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟରେ ସଦାନନ୍ଦ ଯେ ଜଣେ ପ୍ରତିଭାଧର କବି ଥିଲେ, ଏ କଥାଟି ହୃଦୟଂଗମ କରିବା ପାଇଁ ସାଧାରଣ ପାଠକମାନଙ୍କ ସମ୍ମୁଖରେ କୌଣସି ଉପାଦାନ ନାହିଁ । ଏ ପରିପ୍ରେକ୍ଷୀରେ ଓଡ଼ିଆ ସାହିତ୍ୟ ଏକାଡ଼େମୀ କର୍ତ୍ତୃପକ୍ଷଙ୍କର ଉଦ୍ୟମ ଅବଶ୍ୟ ଅଭିନନ୍ଦନୀୟ ।

 

ଏ କ୍ଷୁଦ୍ର କଳେବର ବିଶିଷ୍ଟ ପୁସ୍ତକରେ କବି ପରିଚୟ, କାବ୍ୟକୃତି, କବିପ୍ରତିଭା ଓ କାବ୍ୟ ଚେତନା ବିଷୟରେ ସାମାନ୍ୟ ଆଲୋଚନା କରାଯାଇଛି । ପୁସ୍ତକର ସୀମିତ କଳେବର ପ୍ରତି ସତତ ସଚେତନ ଏ ଲେଖକକୁ ବହୁ କ୍ଷେତ୍ରେର ବିଶଦ ଆଲୋଚନାର ଲୋଭ ସମ୍ବରଣ କରିବାକୁ ପଡ଼ିଛି ।

 

ଓଡ଼ିଆ ସାହିତ୍ୟ ଏକାଡେମୀର ସଭାପତି ଶ୍ରୀ ସୁରେନ୍ଦ୍ର ମହାନ୍ତି ଓ ସମ୍ପାଦକ ଶ୍ରୀ ରାଇ ଚରଣ ଦାସ ଏ ପୁସ୍ତକ ପ୍ରଣୟନ ପାଇଁ ଏହି ଲେଖକକୁ ସୁଯୋଗ ଦେଇ ଥିବାରୁ ସେ ସେମାନଙ୍କ ନିକଟରେ କୃତଜ୍ଞ । ବନ୍ଧୁପତ୍ନୀ ଶ୍ରୀମତୀ ମନୋଜ ମଞ୍ଜରୀ ପଣ୍ତା ଏ ପୁସ୍ତକର ମୁଦ୍ରଣଯୋଗ୍ୟ ପାଣ୍ତୁଲିପିଟିଏ ତିଆରି କରିବାରେ ଅଶେଷ ଆଗ୍ରହ ଓ ଅକ୍ଲାନ୍ତ ପରିଶ୍ରମ କରିଛନ୍ତି । ସେ ମଧ୍ୟ ମୋର ଧନ୍ୟବାଦର୍ହ ।

 

କବି ସୂର୍ଯ୍ୟବ୍ରହ୍ମାଙ୍କ ସୃଷ୍ଟି ଓ ସାଧନା ବିଷୟରେ ଏ ଲେଖାଟି ସାହିତ୍ୟାନୁରାଗୀ ପାଠକମାନଙ୍କ ମନରେ ସାମାନ୍ୟତମ ଅନୁସନ୍ଧିତ୍ସା ଓ ଜିଜ୍ଞାସା ସୃଷ୍ଟି କରି ପାରିଲେ ଶ୍ରମ ସାର୍ଥକ ହେବ ।

 

ଭୁବନେଶ୍ଵର

ବନମାଳୀ ରଥ

ତା ୧୫।୦୫।୮୨

 

Image

 

ସୂଚୀପତ୍ର

 

ପ୍ରଥମ ପରିଚ୍ଛେଦ

:

କବି ପରିଚୟ

ଦ୍ଵିତୀୟ ପରିଚ୍ଛେଦ

:

କାବ୍ୟକୃତି

ତୃତୀୟ ପରିଚ୍ଛେଦ

:

କବି ପ୍ରତିଭା

 

 

କାବ୍ୟାଦର୍ଶ

 

 

ପ୍ରେମାଦର୍ଶ

 

 

ପ୍ରଣୟ ଚିତ୍ର

 

 

ବର୍ଣ୍ଣନା ବୈଚିତ୍ର୍ୟ

ଚତୁର୍ଥ ପରିଚ୍ଛେଦ

:

ଧର୍ମ ଚେତନା

 

 

ରାଧାକୃଷ୍ଣ ଲୀଳା ଓ ପ୍ରେମଭକ୍ତି

 

 

ଶ୍ରୀ କୃଷ୍ଣ

 

 

ଶ୍ରୀ ରାଧା : ସୃଷ୍ଟି, ସ୍ଥିତି ଓ ବ୍ୟାପ୍ତି

 

 

ମଧୁର ରସଚେତନା

ପଞ୍ଚମ ପରିଚ୍ଛେଦ

:

ଉପସଂହାର

Image

 

ପ୍ରଥମ ପରିଚ୍ଛେଦ

କବି ପରିଚୟ

 

ଓଡ଼ିଆ ସାହିତ୍ୟର ଇତିହାସରେ ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା ଜଣେ ସ୍ମରଣୀୟ କବି । ତାଙ୍କର ଅଧିକାଂଶ ସୃଷ୍ଟିସମ୍ଭାର ସାମ୍ପ୍ରଦାୟିକ ଧର୍ମ ଚେତନାରୁ ମୁକ୍ତ ନହେଲେ ମଧ୍ୟ ସେଥିରୁ କେତେକ କୃତିତ୍ଵ ପୂର୍ଣ୍ଣ ସାହିତ୍ୟିକ ଅବଦାନ ଭାବରେ ଅବଶ୍ୟ ସ୍ଵୀକାର୍ଯ୍ୟ । ସେ ତ୍ରିଂଶାଧିକ ଗ୍ରନ୍ଥ ଛାଡ଼ି ଯାଇଛନ୍ତି । ସେଥିରୁ ଅର୍ଦ୍ଧାଧିକ ଚୈତନ୍ୟପନ୍ଥୀ ବୈଷ୍ଣବ ସମ୍ପ୍ରଦାୟର ଜଟିଳ ସାମ୍ପ୍ରଦାୟିକ ଆଚାର ବିଚାରରେ ଆମୂଳ ଚୂଳ ଭାରାକ୍ରାନ୍ତ । ତଥାପି ସମୃଦ୍ଧ ସାହିତ୍ୟିକ କୃତି ରୂପେ ସୁପରିଚିତ କେତୋଟି କାବ୍ୟର ସୃଷ୍ଟି କୁଶଳତାରୁ କବି କର୍ମର ମହତ୍ତ୍ଵ ଉପଲବ୍‌ଧି କରିହୁଏ । କବିଙ୍କ ଜୀବନୀ, ଚିନ୍ତା ଓ ଚରିତ୍ରର ସାମାନ୍ୟ ସୂଚନା ଏହି ଗ୍ରନ୍ଥ ଗୁଡ଼ିକର ଛତ୍ରେ ଛତ୍ରେ ଦେଖିବାକୁ ମିଳେ । ସଦାନନ୍ଦଙ୍କ ଉତ୍ସର୍ଗୀକୃତ ଜୀବନର ସକଳ ତଥ୍ୟ ସଂଗ୍ରହ କରିବା ପାଇଁ ଉପାଦେୟ ବାହ୍ୟ ଉପାଦାନର ଏକାନ୍ତ ଅଭାବ ଥିବାରୁ କବି ରଚିତ କାବ୍ୟାବଳୀରୁ କବିଚରିତ ବିଷୟରେ ଯତ୍ ସାମାନ୍ୟ ସୂଚନା ଏଠାରେ ଦିଆ ଯାଉଛି ।

 

ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା ନୟାଗଡ଼ ସବ୍ଡ଼ିଭଜନ ଅନ୍ତର୍ଗତ ଶରଣକୂଳସ୍ଥ ଭିକାରୀପଡ଼ା ଶାସନରେ ସାମବେଦୀ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ଅଧ୍ୟୟନ ଓ ଅଧ୍ୟାପନା ଥିଲା ପରମ୍ପରା କ୍ରମେ ତାଙ୍କର କୌଳିକ ବୃତ୍ତି । ସେ ସ୍ଵକୀୟ ପ୍ରେମତରଙ୍ଗିଣୀରେ ଷଡ଼ବଂଶ ଛାନ୍ଦରେ ସବୁକଥା ସ୍ପଷ୍ଟଭାବେ ଉଲ୍ଲେଖ କରିଛନ୍ତି–‘‘ନୂଆଁଗଡ଼ ଶରଣକୂଳ ସ୍ଥଳରେ ଭିକାରୀପଡ଼ା ଶାସନ ସୁବାହୁଣ ସଙ୍ଗ ସାମବେଦ ଅଧ୍ୟାପକ କୁଳେ ମୋ ଜନ୍ମ ।

 

ତାହାଙ୍କ ପିତାଙ୍କ ନାମଥିଲା ପରମାନନ୍ଦ ହୋତା । ଡାକ ନାମ ପୁରୀ ଓତା କବି ସ୍ଵରଚିତ ପ୍ରେମ କଳ୍ପଲତାର ପଞ୍ଚଦଶ ଛାନ୍ଦରେ “ଭଣତି ଏ ପୁରୀ ଓତା ବାଳକର” ‘ପୁରୀ ଓତା ବାଳକ’ ଅର୍ଥାତ୍ ପରମାନନ୍ଦ ହୋତାଙ୍କ ପୁତ୍ର ଭାବରେ ନିଜକୁ ଚିହ୍ନିତ କରିଛନ୍ତି । କବିଙ୍କ ଗର୍ଭ ଧାରିଣୀ ମାତା ଥିଲେ ଭବାନୀ ଦେବୀ । ତାହାଙ୍କ ପିତାମହ ଓ ମାତାମହଙ୍କ ନାମଥିଲା ଯଥା କ୍ରମେ ପିତାମ୍ଵର ହୋତା ଓ ମୁକୁନ୍ଦ ବ୍ରହ୍ମଚାରୀ । କାଷ୍ୟପ ଗୋତ୍ରୀୟ ଏହି ଶୁଦ୍ଧ ପୁତ ସାମବେଦୀ ବ୍ରାହ୍ମଣ ପରିବାରର କୁଳଦେବତା ଥିଲେ ଶରଣକୁଳର ବାବା ଲଡ଼ୁକେଶ୍ଵର । ଇଷ୍ଟଦବତା ଲଡ଼ୁକେଶ୍ଵରଙ୍କୁ ଦୀର୍ଘ ଦିନ ପୂଜା ଆରାଧନା କରି ପରମାନନ୍ଦ ଓ ଭବାନୀ ଦେବୀ ଅଚଳାଭକ୍ତିର ଫଳଶ୍ରୁତି ସ୍ଵରୂପ ଯେଉଁ ପୁତ୍ର ସନ୍ତାନ ଲାଭକଲେ ତାହାର ନାମ ଦେଇଥିଲେ ‘ସଦାଶିବ’ । ପରେସେହି ବାଳକ ‘ସଦାଶିବ’ ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା ନାମରେ ସୁପରିଚିତ ହେଲେ । ଲଳିତ ଲୋଚନା କାବ୍ୟର ପ୍ରଥମ ଛାନ୍ଦରେ କବି ଲେଖିଛନ୍ତି–

 

ତହିଁରେ ଶରଣକୂଳ ବୋଲି ଯେ ନଗର,

ଯହିଁ ବିଜେ ଲଡ଼ୁକେଶ ନାମେ ମହେଶ୍ଵର ।।

ନବଲକ୍ଷ ରୁଦ୍ର ଗଣ ଖଟନ୍ତି ଯା ପାଦ,

ଯାହାଙ୍କ ପ୍ରସାଦେ ପାଇ ସକଳ ସମ୍ପଦ ।।

ତାହାଙ୍କ ଆଜ୍ଞାରେ ମୋର ଜନମ ମହୀରେ

ସଦାଶିବ ନାମ ଲଭି ମାତା ପିତାଙ୍କରେ ।।

 

ସ୍ଵକୀୟ ପାଟରତ୍ନାବଳୀ ଓ ଗୀତାନୁବାଦ ଗ୍ରନ୍ଥରେ ମଧ୍ୟ କବି ନିଜର ବଂଶ ପରମ୍ପରା ର ସାମାନ୍ୟ ସୂଚନା ଦେଇଛନ୍ତି–

 

କହୁଛି ଏମନ୍ତ ଜାଣିମ

ପୁରୀ ଓତାମୋ ପିତାନାମ

।।

ଭବାନୀ ମାତା ନାମ ହୋଇ

ଶ୍ରୀଜଗନ୍ନାଥ ପଦଧ୍ୟାୟୀ

।।

ଯେ ମୋର ମାତା ମହ ପୁଣ

ସକଳ ଗୁଣେ ଅପ୍ରମାଣ

।।

ନାମ ମୁକୁନ୍ଦ ବ୍ରହ୍ମଚାରୀ

ନିରତେ ଶିବ ସେବା କରି

।।

ମୋହର ଜାତ ହେବା ଅର୍ଥେ

ଏହାଟି ଜାଣନ୍ତି ସମସ୍ତେ

।।

–ପାଟ ରତ୍ନାବଳୀ ୪ର୍ଥ ଅଧ୍ୟାୟ

“କଶ୍ୟପ କୁଳରେ ମୋହର

ସ୍ଫୁରିଲା ଉଦୟ ସମ୍ଭର

।।

ଶ୍ରୀ ପୀତାମ୍ଵର ପିତାମହ

ମୋର ଅଟନ୍ତି ପିତାମହ

।।

ପରମାନନ୍ଦ ବ୍ରହ୍ମାଙ୍କର

ମୁହିଁଯେ ଅଟଇ କୁମର

।।

 

ଶ୍ରୀମଦ୍‌ଭଗବତ୍ ଗୀତାନୁବାଦ, ପାରମ୍ଭିକ ଆଖ୍ୟାନ ସ୍ଵକୀୟ ବିଭିନ୍ନ କାବ୍ୟକବିତାରେ କବି ନିଜ ଜୀବନର ସ୍ଥିତି ଓ ପ୍ରଗତି, ବିଶଦ ଭାବରେ ସୂଚିତ କରିବାପାଇଁ ଯୋଡ଼ିଏ ଶବ୍ଦ ବ୍ୟବହାର କରିଛନ୍ତି । ତାହା ହେଉଛି– ‘ପୂର୍ବାଶ୍ରମ’ ଓ ‘ବ୍ରହ୍ମଚର୍ଯ୍ୟାଶ୍ରମ । ପାରମ୍ପରିକ ରୀତିରେ ‘ଆଶ୍ରମ’ ବ୍ୟବସ୍ଥା ଦ୍ଵାରା ଯେପରି ଜୀବନର ନିର୍ଦ୍ଧିଷ୍ଟ ସମୟକୁ ବୁଝା ଯାଏ, ସେପରି ଭାବରେ ‘ଆଶ୍ରମ’ ଶବ୍ଦ ଏଠାରେ ପ୍ରପୁକ୍ତ ହୋଇନାହିଁ । ସଦାନନ୍ଦଙ୍କ ସମଗ୍ର ଜୀବନଟି ଦୁଇଭାଗରେ ବିଭକ୍ତ । ପ୍ରଥମେ ସେ ଜଣେ କୌଳିକ ସାମବେଦୀ ବ୍ରାହ୍ମଣ ଭାବରେ, ବୋଧହୁଏ ଗୃହସ୍ଥାଶ୍ରମରେ ରହି ବେଦାଧ୍ୟୟନ ଓ ଅଧ୍ୟାପନାରେ କାଳ ଯାପନ କରୁଥିଲେ । କିନ୍ତୁ ହଠାତ୍ ତାଙ୍କ ଜୀବନରେ ଗୋଟିଏ କିଛି ପରିବର୍ତ୍ତନ ସଂଘଟିତ ହେବା ଫଳରେ ସେ ଚୈତନ୍ୟପନ୍ଥୀ ବୈଷ୍ଣବ ଦୀକ୍ଷା ଗ୍ରହଣ କଲେ ଓ ସଂସାର ତ୍ୟାଗକରି ବୈଷ୍ଣବ ହୋଇ ଅବଶିଷ୍ଟ ଜୀବନ ବ୍ରଜଲୀଳାତ୍ମକ ମଧୁରୋପାସନାରେ ମସ୍ତ ରହି କଟାଇଦେଲେ ।

 

ଅକାଳ ପତ୍ନୀ ବିୟୋଗ ହିଁ ସଂସାର ତ୍ୟାଗକରି ସନ୍ୟାସ ଗ୍ରହଣ କରିବା ପାଇଁ ମୁଖ୍ୟ କାରଣ ଭାବରେ ଗ୍ରହଣ କରାଯାଇପାରେ । କବିଙ୍କ କାବ୍ୟମାନଙ୍କରେ ଦାମ୍ପତ୍ୟ ଜୀବନର ବହୁ ନିବିଡ଼ ଅନୁଭୂତିର ବର୍ଣ୍ଣାଢ଼୍ୟ ବୈଚିତ୍ର୍ୟ ଦେଖିବାକୁ ମିଳେ । ସେ ପ୍ରସଙ୍ଗକ୍ରମେ ଗୋଟିଏ ସ୍ଥଳରେ ଦୈବ ନିର୍ଦ୍ଦଷ୍ଟ ଭାଗ୍ୟର ବିଡ଼ମ୍ଵନାରୁ ବ୍ରହ୍ମଚର୍ଯ୍ୟାଶ୍ରମରେ ରହି କାଳଯାପନ କରୁଛନ୍ତି ବୋଲି ସ୍ପଷ୍ଟ ଭାବରେ ସୂଚନା ଦେଇ ଲେଖିଛନ୍ତି– “ବ୍ରହ୍ମଚର୍ଯ୍ୟାଶ୍ରମ ମୋହର ଦଇବେ”

 

(ଯୁ. ର. ଲ. ୫୬ ଛାନ୍ଦ)

 

ଏଣୁ ସେ ସନ୍ୟାସ ଗ୍ରହଣର ପୂର୍ବବର୍ତ୍ତୀ ସମୟକୁ ନିଜ ଜୀବନର ‘ପୂର୍ବାଶ୍ରମ’ ଭାବରେ ଗ୍ରହଣ କରି ଚିହ୍ନିତ କରିଛନ୍ତି । ସେ ଯେ, ମୂଳରୁ ବୈରାଗୀ ନଥିଲେ, ଏ କଥା ତାଙ୍କର ବିଭିନ୍ନ ଉକ୍ତି ସହିତ ‘ପୂର୍ବାଶ୍ରମ’ ଓ ‘ବ୍ରହ୍ମଚର୍ଯ୍ୟାଶ୍ରମ’ ଉଲ୍ଲେଖରୁ ସୂଚିତ ହେଉଅଛି । ଲଳିତ ଲୋଚନାରେ ନିଜ ଗାର୍ହସ୍ଥ୍ୟ ଜୀବନର ନିଖୁଣ ଅନୁଭୁତି ବ୍ୟକ୍ତ କରି ଲେଖିଛନ୍ତି”–

 

ଏଛାନ୍ଦ ହୋଇଲା ଶେଷ

ଅନୁଭବ ବିନା କେଜାଣି ରସ ଯେ,

ଯେ ହୋଇନାହିଁ ସୁନ୍ଦରୀ ଦାସ ସୁଜନେ ହେ ।

 

ଶୃଙ୍ଗାର ଲୀଳାର ବିବିଧ ବୈଚିତ୍ର୍ୟ ବର୍ଣ୍ଣନା କରି ଶେଷରେ କବି ସ୍ଵକୀୟ ଅତୀତ ଜୀବନର ସୂକ୍ଷ୍ମାତି ସୂକ୍ଷ୍ମ ଅନୁଭୁତି ଗୁଡ଼ିକୁ ମନେ ପକାଇ ଲେଖୁଥିବା କଥା ସ୍ପଷ୍ଟ ଭାବରେ ପ୍ରକାଶ କରିଛନ୍ତି–

 

‘‘କବିସୂର୍ଯ୍ୟ ବ୍ରହ୍ମା କହି

ପାଶୋରି ଦେଲିଣି ସେମାନେ ମୁହିଁ ଯେ

ଏବେ ଚିତୋଇ କହି, ପୂଜନେ ହେ ।

 

ଏହିପରି ଅନେକ ଜ୍ଵଳନ୍ତ ଦୃଷ୍ଟାନ୍ତ ଥିବା ସତ୍ତ୍ଵେ ସଦାନନ୍ଦ ମୂଳରୁ ବୈରାଗୀ ଥିଲେ ବୋଲି ପ୍ରଖ୍ୟାପନ କରିବା ଆଦୌ ସମୀଚିନ ନୁହେ ।

 

କବି କେତେବର୍ଷ ବୟସରେ ଗୃହସ୍ଥାଶ୍ରମ ଛାଡ଼ି ବୈରାଗୀ ହେଲେ ତାହା ନିର୍ଦ୍ଦିଷ୍ଟ ଭାବରେ କୁହା ଯାଇ ନପାରିଲେ ମଧ୍ୟ ତେୟାଳିଶ ବର୍ଷ ବେଳକୁ ଯେ ସେ ନିଶ୍ଚିତ ଭାବେ ସଂସାର ତ୍ୟାଗ କରି ସାରିଲେଣି ସେ କଥା ନିଜେ ସଦାନନ୍ଦ ଯୁଗଳ ରସାମୃତ ଲହରୀରେ ଉଲ୍ଲେଖ କରିଛନ୍ତି-

 

ମୁନି କହିଲେ ଯାହା କହିସେ ଅର୍ଥ

ହରି ଗୁଣାର୍ଣ୍ଣବ ସେ ମହାତୀର୍ଥ ।।

ତହିଁ ଅବଗାହେ ମୋ ବଡ଼ ହର୍ଷ

ବୟଃ ହେଲେଣି ତେୟାଳିଶି ବର୍ଷ ।।

ସେହି କାବ୍ୟରେ ଅନ୍ୟତ୍ର ସେ ଉଲ୍ଲେଖ କରିଛନ୍ତି–

“ଶ୍ରୀ ବୀର କେଶରୀ ଦେବ ପଞ୍ଚାବନାଙ୍କରେ

ଗ୍ରନ୍ଥ ଆମ୍ଭେ ବାହୁଡ଼ା ଗୁଣ୍ତିଚାରେ ।।”

 

ଶ୍ରୀ ବୀର କେଶରୀ ଦେବଙ୍କ ପଞ୍ଚାବନ ଅଙ୍କରେ ଅର୍ଥାତ୍ ରାଜତ୍ଵର ୪୫ ବର୍ଷରେ କବି ଯୁଗଳ ରସାମୃତ ଲହରୀ ଲେଖିବା ଆରମ୍ଭ କରିଥିଲେ । ବୀର କେଶରୀ ଦେବ ଖ୍ରୀଷ୍ଟାବ୍ଦ ୧୭୩୬ ରେ ସିଂହାସନାରୋହଣ କରିଥିଲେ । ତାହାଙ୍କର ରାଜତ୍ଵର ପଞ୍ଚାବନ ଅଙ୍କ ଅର୍ଥାତ୍ ୪୫ବର୍ଷ ହେଉଛି ଖ୍ରୀଷ୍ଟବ୍ଦ ୧୭୮୧ । ସେତେବେଳେକୁ କବିଙ୍କୁ ୪୩ ବର୍ଷ ହୋଇଥିଲା । ଏଣୁ ସେ ଖ୍ରୀଷ୍ଟବ୍ଦ ୧୭୩୮ରେ ଜନ୍ମ ଗ୍ରହଣ କରିଥିଲେ । ଏହା କବିଙ୍କ ଅନ୍ୟାନ୍ୟ ଉଲ୍ଲେଖରୁ ମଧ୍ୟ ପ୍ରମାଣିତ ହେଉଅଛି । କିନ୍ତୁ କେବେ କବିଙ୍କ ଦେହାନ୍ତ ହୋଇ ଥିଲା ଓ ସେ କେତେବର୍ଷ ବଞ୍ଚିଥିଲେ । ତାହାର କୌଣସି ସ୍ପଷ୍ଟ ସୂଚନା କୁତ୍ରାପି ଉପଲବ୍‌ଧି ହେଉନାହିଁ ।

 

ଲେଖକଙ୍କର ତ୍ରିଂଶାଧିକ କାବ୍ୟର ବହୁ ବିକ୍ଷିପ୍ତ ଉଶ୍ଚରୁ ଜଣାଯାଏ ଯେ ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା ବୋଧହୁଏ ଚାଳିଶି ବର୍ଷ ବୟସ ହେବା ପର୍ଯ୍ୟନ୍ତ ଗୃହସ୍ଥାଶ୍ରମରେ ରହି ଜୀବନ ଅତିବାହିତ କରିଥିଲେ । ଏହି ସମୟ ମଧ୍ୟରେ ତାଙ୍କର ସ୍ଵାଭାବିକ କବିତ୍ଵ ସ୍ଫୁର୍ତ୍ତି ଘଟିଥିଲା । ସେ ଅନ୍ୟାନ୍ୟ ଅନେକ କ୍ଷୁଦ୍ରକବିତା ଲେଖିବା ସଙ୍ଗେ ସଙ୍ଗେ କାଳ୍ପନିକ କାବ୍ୟ ଲଳିତ ଲୋଚନା ସମାପ୍ତ କରିଥିଲେ । ଏହି କାବ୍ୟର ବିଭିନ୍ନ ବର୍ଣ୍ଣନାରୁ ତାହାଙ୍କର ବୈରାଗ୍ୟ ଜୀବନର କୌଣସି ସୂଚନା ମିଳେନାହିଁ । ସମଗ୍ର କାବ୍ୟଟି ସ୍ଵାଭାବିକ ଭଞ୍ଜୀୟ କାବ୍ୟ ଶୈଳୀରେ ବିକଶିତ ଓ ସମୃଦ୍ଧ । ପ୍ରେମ ବ୍ୟାପାର ବର୍ଣ୍ଣନାରେ ସ୍ଵକୀୟ ପ୍ରତ୍ୟକ୍ଷ ଅନୁଭୂତିର ତୀବ୍ରତା ତଥା ଉଷ୍ମତା କାବ୍ୟଟିର ଛତ୍ରେ ଛତ୍ରେ ଅନୁଭବ କରିହୁଏ । ସଦାନନ୍ଦଙ୍କ କବିତ୍ଵ ପୂର୍ଣ୍ଣ ଦକ୍ଷତାର ଋଦ୍ଧିମନ୍ତ ସ୍ଵାକ୍ଷର ଏହି କବି କର୍ମରେ ସର୍ବତ୍ର ବିଳସିତ । ଏହି ସମୟରେ ହିଁ ସେ ଖୋରଧାର ରାଜା ବୀରକେଶରୀ ଦେବଙ୍କ ଠାରୁ କବିତ୍ଵ ପୂର୍ଣ୍ଣ ଅକ୍ଷର କୀର୍ତ୍ତିର ସ୍ଵୀକାର ସ୍ଵରୂପ ‘କବିସୂର୍ଯ୍ୟ ବ୍ରହ୍ମା’ ପଦବୀ ଓ ଅନ୍ୟଠାରୁ ‘ମହାକବି’ ପଦବୀ ମଧ୍ୟ ପାଇ ଥିଲେ । କବିସୂର୍ଯ୍ୟ ବ୍ରହ୍ମା ପଦବୀ ଦ୍ଵାରା ସେପାଠକ ମହଲରେ ସୁପରିଚିତ ଥିଲେ ଓ ସେଥିରେ ତାଙ୍କର ଯଥେଷ୍ଟ ଖ୍ୟାତି ଓ ପ୍ରସିଦ୍ଧି ହୋଇଯାଇଥିଲା । କବି ସନ୍ୟାସ ଗ୍ରହଣ କରିବା ପରେ ମଧ୍ୟ ଏହି ପଦବୀଟିକୁ ଆଦୌ ଛାଡ଼ି ପାରିନାହାନ୍ତି । ବୌଷ୍ଣବାଚାର ସିଦ୍ଧାନ୍ତ ଦୃଷ୍ଟିରୁ ନିଜର ଅଭିମାନ ଦ୍ୟୋତନ ଯେକୌଣସି ପଦ ପଦବୀର ବ୍ୟବହାର ନିଷିଦ୍ଧ ହୋଇଥିଲେ ମଧ୍ୟ କବି ଏହି ପଦବୀର ମୋହ ଛାଡ଼ି ପାରି ନାହାନ୍ତି ଏବଂ ଲଳିତ ଲୋଚନା ବ୍ୟତୀତ ଆଉ ପ୍ରାୟ ସବୁ ଗ୍ରନ୍ଥରେ ସେଥିପାଇଁ ବାରମ୍ଵାର କୈଫିୟତ ଦେବା ସଂଗେ ସଂଗେ ବିନମ୍ରତାର ସହିତ କ୍ଷମାଭିକ୍ଷା କରିଛନ୍ତି । ଏହି ନାମରେ ସେ ସୁପ୍ରସିଦ୍ଧ ହୋଇ ଯାଇଥିବାରୁ ଏ ସମସ୍ତ ଗ୍ରନ୍ଥର ସ୍ରଷ୍ଟାଭାବରେ ନିଜକୁ ପରିଚିତ କରାଇବାପାଇଁ ହିଁ କବିସୂର୍ଯ୍ୟ ଉପାଧି ବ୍ୟବହାର କରିଥିବା କଥା ସେ ଏକାଧିକ ବାରଉଲ୍ଲେଖ କରିଛନ୍ତି-

 

“ପୂର୍ବେ ଶ୍ରୀ ବୀର କେଶରୀ ଦତ୍ତ ପଦ ।

କବିସୂର୍ଯ୍ୟ ବ୍ରହ୍ମା ବୋଲି ଲୋକେବେଦ ।।

ସର୍ବେ ଜାଣିବା ପାଇଁ ଏ ନାମ ଭଣି ।

ସାଧୁ ଚରଣ ଦାସ ମୁଁ ଥିବ ଜାଣି ।।’’

–ପ୍ରେମତରଙ୍ଗିଣୀ ୨୯ଛାନ୍ଦ

 

ସନ୍ୟାସ ଗ୍ରହଣ କରିବା ପରେ ପ୍ରେମତରଙ୍ଗିଣୀ କାବ୍ୟ ଲେଖିଥିବାରୁ ଏଠାରେ ‘ପୂର୍ବେ’ ଶବ୍ଦ ଦ୍ଵାରା କବି ନିଜର ‘ପୂର୍ବାଶ୍ରମ’ ବା ଗୃହସ୍ଥାଶ୍ରମ ସମୟର କଥା ଉଲ୍ଲେଖ କରିଛନ୍ତି । ସଦାନନ୍ଦ ତାଙ୍କର ପୂର୍ବାଶ୍ରମରେ ଲଳିତଲୋଚନା କାବ୍ୟ ସମ୍ପୂର୍ଣ୍ଣ କରି ମୋହନଲତା କାବ୍ୟର ପରିସମାପ୍ତି ପୂର୍ବରୁ ଗୃହତ୍ୟାଗକରି ବୈରାଗୀ ହେବାରୁ ମୋହନଲତାପରି ଗୋଟିଏ ଶୃଙ୍ଗାରିକ କାଳ୍ପନିକ କାବ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ଆଉ ମନ ବଳାଇଲେ ନାହିଁ । ତାହା ସେପରି ଭାବରେ ଅସମାପ୍ତ ଅବସ୍ଥାରେ ପଡ଼ି ରହିଲା । ତାପରେ ବୈଷ୍ଣବୀୟ ତତ୍ତ୍ଵ ତଥ୍ୟପୂର୍ଣ୍ଣ ବାଇଶଟି ଗ୍ରନ୍ଥ ପ୍ରଣୟନ କରି ସାରିବା ପରେ ବହୁ ଶ୍ରମରେ ପୂର୍ବାଶ୍ରମ ଲିଖିତ କାଳ୍ପନିକ କାବ୍ୟ ‘ମୋହନ ଲତା’ କୁ ପୂର୍ଣ୍ଣାଙ୍ଗ ରୂପ ଦେବାର ଲୋଭ ସମ୍ଵରଣ କରି ନପାରି ଶେଷ ଜୀବନରେ କୌଣସିପ୍ରକାରେ ତାହା ସମ୍ପୂର୍ଣ୍ଣ କରିଛନ୍ତି । ଏ କଥାଟି କବି ନିଜେ ମୋହନଲତା କାବ୍ୟର ଶେଷରେ ଘୋଷଣା କରିଛନ୍ତି–

 

“ଏବେ ଏ କବିତ୍ଵ ବୋଲିବା ପାଇଁ ।

ମଳୁ ଯେସନେ ଔଷଧ ସେବଇ ।।

କେତେ ଶ୍ରମରେ କରିଥିଲି ଗୀତ ।

ବିଘ୍ନରୁ ନୋହିଥିଲା ସମାପତ ।।

ଏଣୁ କଲି ସିନା ପୂର୍ଣ୍ଣହେ

ବୋଲେ ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା

ମୋ ଶରଣ ଘନ ବର୍ଣ୍ଣ ହେ” ।।

–ମୋହନଲତା ୪୫ ଛାନ୍ଦର ଶେଷାଂଶ

 

ରାଧାକୃଷ୍ଣ ଲୀଳା ବିବର୍ଜିତ କୌଣସି କାଳ୍ପନିକ କାବ୍ୟ ଲେଖିବା କବିଙ୍କ ବୈଷ୍ଣବ ଜୀବନର ଧ୍ୟେୟ ହୋଇ ନଥିବାରୁ ଏହି ଅନିଚ୍ଛାଭାବ ପ୍ରକଟିତ ହୋଇଛି । ଏଣୁ ମୋହନଲତାରେ କବିଙ୍କ ଲିଖିତ ଦ୍ଵାବିଂଶ ଗ୍ରନ୍ଥର ଉଲ୍ଲେଖ ଥିବାରୁ, ଏହି କାଳ୍ପନିକ କାବ୍ୟଟି କବିଙ୍କ ତ୍ରୋୟବିଂଶତି ତମ କାବ୍ୟ ବୋଲି ଗ୍ରହଣ କରାଯାଇ ନ ପାରେ । ବାସ୍ତବରେ ଏହା ସଦାନନ୍ଦଙ୍କ ଦ୍ଵୀତୀୟ ରଚନା ଓ ‘ପୂର୍ବାଶ୍ରମ’ ର ଅବଦାନ । ପୁନଶ୍ଚ ମୋହନ ଲତା କାବ୍ୟରେ “ଅନୁଭବୀ ବିନୁ କେ ଜାଣେ ଏହା” ବୋଲି କହି ଲେଖକ ନିଜର ଦାମ୍ପତ୍ୟ ଜୀବନର ବହୁ ସୂକ୍ଷ୍ମାନୁଭୁତି ବର୍ଣ୍ଣନା କରିଛନ୍ତି । କାବ୍ୟନାୟିକାର ସୁରପୁର ବର୍ଣ୍ଣନା ନିବିଡ଼ ବୈୟକ୍ତିକ ଅନୁଭୂତିର ପ୍ରତ୍ୟକ୍ଷ ସ୍ଵାକ୍ଷର ବହନ କରିଛି–

ମାଂସଳ ନିର୍ଲୋମ ମୃଦୁ ବିସ୍ତାର

ମହା ମନୋହର ମଦନ ପୁର

ନୃପ କୁମାର ତହିଁ କର ଦେଲା

ଇଷି ମଲି ପ୍ରାଣ ରଖ ବୋଇଲା ସେ

ଚମକି ଚନ୍ଦ୍ରମା ମୁହିଁ ଯେ

ଗାଢେ ଭିଡ଼ି କାନ୍ତ ଅଧର ମଧୁକୁ ପାନକଲା ତା ନ ସହି ଯେ

–ମୋହନ ଲତା ୪୧/୦୨

ବାସ୍ତବରେ ଏହିପରି କବିତାର ଭାବ ଧର୍ମ ସହିତ ତାଳଦେଇ ଆଉ କିଛି କବିତା ଅନୁମାନରେ ରଚନା କରି କାବ୍ୟ ସମାପତ କରିବା “(ଅନୁମାନ କରି କହିଲି ଏବେ ମୁଁ ବୈରାଗୀ)” ସଦାନନ୍ଦଙ୍କ ପରି ନୈଷ୍ଠିକ ବୈଷ୍ଣବଙ୍କ ଅନ୍ତିମ କାଳରେ ‘ମଳୁର ଔଷଧ ଭକ୍ଷଣ’ ପରି ହୋଇଛି । ମଧୁପୁର ରାଜା ଘନଶ୍ୟାମ ନରେନ୍ଦ୍ରଙ୍କ ପୌତ୍ର ରାଜା ରାମଚନ୍ଦ୍ର ନରେନ୍ଦ୍ରଙ୍କ ନାମରେ କାବ୍ୟଟିର ଭଣିତା କରିଛନ୍ତି । ଖୋର୍ଦ୍ଧା ରାଜା ରାମଚନ୍ଦ୍ର ଦେବଙ୍କ ଅଷ୍ଟବିଂଶ ଅଙ୍କରେ କାବ୍ୟର ପରିସମାପ୍ତି ଘଟିଛି । ଅର୍ଥାତ୍ ଏ କାବ୍ୟର ଅଧିକାଂଶ ୧୭୮୦ ପୂର୍ବରୁ ଲେଖା ହୋଇଥିଲେ ମଧ୍ୟ ‘ଏବେ’ ଖ୍ରୀଷ୍ଟବ୍ଦ ୧୮୪୨ରେ ଏହା ସମ୍ପୂର୍ଣ୍ଣ ହେଲା–

 

“ମଧୁପୁର ଶ୍ରୀ ଭୁପଧୀର ବୀରବର ।

ଶ୍ରୀ ରାମଚନ୍ଦ୍ର ନରେନ୍ଦ୍ର ବାହାଦୁରଙ୍କର ।।

ମୋହନ କଳ୍ପଲତା ବୋଲିଣ ଯେ ଛାନ୍ଦ ନାମ ।

ଛୟାଳିଶି ଛାନ୍ଦଲେପି କଲି ଯେ ସମ୍ପୂର୍ଣ୍ଣ ।।

ଶ୍ରୀ ରାମଚନ୍ଦ୍ର ଦେବଙ୍କ ଅଷ୍ଟବିଂଶାଙ୍କରେ ।

ଗଡ଼ର ଉତ୍ତର ପାର୍ଶ୍ଵ ଭୋଟକା ଗ୍ରାମରେ।।’’

 

ଯୁଗଳ ରସାମୃତ ଲହରୀ କବିଙ୍କ ତୃତୀୟ ଅବଦାନ ଓ ପ୍ରଥମ ବୈଷ୍ଣବୀୟ କାବ୍ୟ । ସେତେବେଳେକୁ କବିଙ୍କୁ ତେୟାଳିଶି ବର୍ଷ ହୋଇଥିଲା । ଏଣୁ ସମ୍ଭବତ ସଦାନନ୍ଦ ଚାଳିଶି ବର୍ଷ ହେବା ପର୍ଯ୍ୟନ୍ତ ‘ପୂର୍ବାଶ୍ରମ’ରେ ଥିଲେ ଓ ତତ୍ ପରବର୍ତ୍ତୀ ଜୀବନ ବୈରାଗୀ ବୈଷ୍ଣବ ଭାବରେ କଟାଇଛନ୍ତି । ତାଙ୍କର ବିପୁଳ ବୈଷ୍ଣବିୟ ରଚନା ସବୁ ଏହି ସମୟରେ ଲିଖିତ ।

 

କବି ସଦାନନ୍ଦ କବି ସୂର୍ଯ୍ୟ ବ୍ରହ୍ମା ନାମରେ ସୁପରିଚିତ ହୋଇଥିଲେ ମଧ୍ୟ ତାହାଙ୍କର ଅନେକ ନାମ ପ୍ରଚଳିତ ଥିବାର ଦେଖାଯାଏ । ସେ ନିଜେ ଲେଖିଛନ୍ତି

 

“ସାଧୁ ଚରଣ ଦାଶ ବୋଲି ଆପଣ ଶ୍ରୀ ମୁଖେ ଆଜ୍ଞା ହୋଇଛି

ପିତୃ ମାତୃ ବୈଷ୍ଣବ ରାଜଦତ୍ତ ବହୁ ନାମ ମୋର ଅଛି ।”

(ପ୍ରେମ ତରଙ୍ଗିଣୀ ୩୬ଶ ଛାନ୍ଦ)

 

ଲଡ଼ୁ ବାବାଙ୍କ ପ୍ରସାଦରୁ କବି ଜନ୍ମ ଗ୍ରହଣ କରିଥିବାରୁ ପିତା ମାତା ସଦାଶିବ ନାମ ଦେଇଥିଲେ, ମାତା ସ୍ନେହରେ ସଦାନନ୍ଦ ବୋଲି ଡାକୁଥିଲେ ।

 

ସର୍ବାନନ୍ଦ ମଧ୍ୟ ତାଙ୍କର ଗୋଟିଏ ନାମ ଥିଲା । ଗ୍ରାମବାସୀମାନେ ତାହାଙ୍କୁ ଆଦରରେ ‘ଉଚ୍ଛବ’ ବୋଲି ଡାକୁଥିଲେ । ସେ ବୈଷ୍ଣବ ଦୀକ୍ଷ ଗ୍ରହଣ କରିବା ପରେ ଗୁରୁ ନାଁ ଦେଇଥିଲେ ସାଧୁଚରଣ ଦାଶ । ବୈଷ୍ଣବମାନେ ‘ବ୍ରଜମୋହନ’ ଦାସ ବୋଲି ସମ୍ଵୋଧନ କରୁଥିଲେ । ଖୋର୍ଦ୍ଧାରାଜା ଗଜପତି ବୀରକେଶରୀ ଦେବ ତାହାଙ୍କୁ ‘କବିସୂର୍ଯ୍ୟ ବ୍ରହ୍ମା’ ପଦବୀରେ ଭୂଷିତ କରିଥିଲେ । ଏ ସବୁ ନାମ ମଧ୍ୟରୁ କବି ସ୍ନେହମୟୀ ଜନନୀଙ୍କ ଆଦରର ନାଁଟି ‘ସଦାନନ୍ଦ’ ସହିତ ଗୌରବାବହ ରାଜ ଦତ୍ତ ଉପାଧି ଯୋଡ଼ି ବହୁଳ ଭାବରେ ବ୍ୟବହାର କରି ନିଜକୁ ପରିଚିତ କରାଇଛନ୍ତି । ଗୁରୁ ଦତ୍ତ ନାମ ସାଧୁ ଚରଣ ଦାସ ମଧ୍ୟ ବହୁ ସ୍ଥଳରେ ବ୍ୟବହୃତ ହୋଇ ଥିବାର ଦେଖାଯାଏ ।

 

“ଭବ ଗ୍ରୀଷ୍ମ ତାପ ହୋଏ ନାଶ ।

କହେ ଏ ସାଧୁ ଚରଣ ଦାସ ।।

ଗୁରୁଦତ୍ତ ନାମ ମୋର ଏହି ।

ମୋତେ ଚିହ୍ନାଇବା ପାଇଁ କହି ।।

ଗ୍ରାମଦତ୍ତ ନାମ ଯେ ଉତ୍ସବ ।

ମାତା ପିତା ବୋଲନ୍ତି ସଦାଶିବ ।।

ମାତା ସ୍ନେହେ ଡାକନ୍ତି ସଦାନନ୍ଦ ।

ତାଙ୍କ ଦାସ ଏଣୁ ସର୍ବାନନ୍ଦ ।।

ବଇଷ୍ଣବେ କରୁଣା ଚିତ୍ତରେ ।

ବ୍ରଜମୋହନ ଦାସ ବୋଇଲେ ।।

ବୀର କେଶରୀ ଦେବଙ୍କ ଦତ୍ତ ।

କବିସୂର୍ଯ୍ୟ ବ୍ରହ୍ମା ପଦଖ୍ୟାତ ।।

ବ୍ରଜଲୀଳାମୃତ ସମୁଦ୍ର (୧୫ଶ ଛାନ୍ଦ)

 

ରାଜଦତ୍ତ ଉପାଧି “କବିସୂର୍ଯ୍ୟ ବ୍ରହ୍ମା” ବ୍ୟତୀତ କବିଙ୍କର ଆଉ ଗୋଟିଏ ଉପାଧି ‘ମହା କବି’ ମଧ୍ୟ ଥିଲା, ଯେଉଁ ନାମରେ ସେ ବେଶ୍ ଖ୍ୟାତିଲାଭ କରିଥିଲେ । ସେ ନିଜେ ଲେଖିଛନ୍ତି–

 

“ମହାକବି’ ନାମ ଖ୍ୟାତି ପ୍ରତିଷ୍ଠାଦି ଯହିଁ

ତେବେ ହେଲେ ତହିଁରୁ ମୋ ପ୍ରୟୋଜନ ନାହିଁ ।”

(ନି.ନି ପ୍ରଥମ ଛାନ୍ଦ)

 

ଅବଶ୍ୟ ଏ ମହାକବି ଉପାଧି ସେ କାହାଠାରୁ ପାଇଥିଲେ ସେ କଥାର କୌଣସି ସୂଚନା ମିଳୁନାହିଁ ।

 

ସଦାନନ୍ଦ ନୟାଗଡ଼ ରାଜ୍ୟାନ୍ତର୍ଗତ ଶରଣ କୂଳର ଭିକାରୀ ପଡ଼ା ଶାସନରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ସେ ସେଠାରେ ନିଜ ‘ଜୀବନର ପୂର୍ବାଶ୍ରମ’ ଟି କଟାଇଥିଲେ । କବି ଭାବରେ ପତିଷ୍ଠା ପାଇବା ପରେ ସେ ବୈଷ୍ଣବ ଦିକ୍ଷା ଗ୍ରହଣ କରି ବୈରାଗୀ ହୋଇ ବ୍ରହ୍ମଚାର୍ଯ୍ୟାଶ୍ରମରେ ଜୀବନ ଅତିବାହିତ କରୁଥିବା ବେଳେ ସେ ଘରଦ୍ଵାର ଛାଡ଼ି ଚାଲି ଯାଇଥିଲେ । ବୈଷ୍ଣବ ଧର୍ମର ପ୍ରଚାର ଓ ପ୍ରସାର ନିଜ ଜୀବନର ଲକ୍ଷ୍ୟ ହୋଇଥିବାରୁ ସେ ବିଭିନ୍ନ ସ୍ଥାନରେ ମଠ ସ୍ଥାପନ କରି ଶିଷ୍ୟ ମଣ୍ତଳୀ ମଧ୍ୟରେ ଧର୍ମ ସାଧନାରେ ନିବିଷ୍ଟ ରହି ଜୀବନର ଅବଶିଷ୍ଟ ସମୟ ଅତିବାହିତ କରିଥିଲେ । ସେ ପ୍ରଥମେ ନୟାଗଡ଼ ରୁ ଯାଇ ବୋଧହୁଏ ଘୁମୁସର ଭଞ୍ଜ ରାଜାଙ୍କ ଦରବାର ଅଳଙ୍କୃତ କରିଥିଲେ । ସେଠାରେ କିଛିଦିନ ଗୌରବର ସହିତ ଅତିବାହିତ କରିବା ପରେ କବିଙ୍କ ପ୍ରିୟସଖା ଦଶପଲ୍ଲାର ଭଞ୍ଜରାଜାଙ୍କ ସଶ୍ରଦ୍ଧ ନିମନ୍ତ୍ରଣ କ୍ରମେ ଆସି ଦଶପଲ୍ଲା ରାଜଦରବାରରେ ସସମ୍ମାନେ କୋତୋଟି ବର୍ଷ ଅବସ୍ଥାନ କଲେ । ତାପରେ କଟକ ନିକଟସ୍ଥ ଦାମୋଦରପୁର ଶାସନରେ ଧ୍ରର୍ମ ପ୍ରଚାର ଉଦ୍ଦେଶ୍ୟରେ ଚାରିବର୍ଷ ରହିଲେ । ତାପରେ ଅସୁରେଶ୍ଵର ନିକଟସ୍ଥ ଦୀକ୍ଷିତପଡ଼ା ଗ୍ରାମରେ ସେ ଗୋଟିଏ ମଠ ପ୍ରତିଷ୍ଠା କଲେ । ମୂଳପୀଠ ସେଠାରେ ଥବାବେଳେ କବିଙ୍କ କବିତ୍ଵ କୀର୍ତ୍ତି ଓ ଧର୍ମ ନିଷ୍ଠାର ବିମୁଗ୍‌ଧ ହୋଇ ମଧୁପୁର ଜମିଦାର ଘନଶ୍ୟାମ ନରେନ୍ଦ୍ର କବିଙ୍କୁ ଡକାଇ ନେଲେ ।

 

ନୂଆଗଡ଼ ରାଜ୍ୟେ ପୂର୍ବାଶ୍ରମଯେ ମୋହର

କିଛିଦିନ ମାତ୍ରକେ ରହିଲି ଘୁମୁସର ।

ଦଶପଲ୍ଲା ଭଞ୍ଜରାଜା ସଖ୍ୟ ପ୍ରେମେ ମୋତେ

ବହୁ ସମ୍ଭାବନାରେ ରଖିଲେ ବର୍ଷକେତେ ।

କଟକ ନିକଟେ ଦାମୋଦର ପୁର ଗ୍ରାମେ

ଚାରିବର୍ଷ ରହିଲି ମାତ୍ରକେ ସେହି ସ୍ଥାନେ ।

ତଦୁତ୍ତାରେ ମଧୁପୁର ରାଜ୍ୟେ ଅଛି ଏବେ

ବ୍ରହ୍ମଚର୍ଯ୍ୟ ଆଶ୍ରମ ତ ମୋହର ଦଇବ ।

–ଯୁଗଳ ରସାମୃତ ଲହରୀ ୫୬ ଛାନ୍ଦ ।

 

ମଧୁପୁରରେ ଥିବାବେଳେ ସଦାନନ୍ଦ ମଧୁପୁର ରାଜାଙ୍କ ପୃଷ୍ଠପୋଷକତାରେ ତାଙ୍କର ଜମିଦାରୀ ଅନ୍ତର୍ଗତ ଖରିଲୋ ଗ୍ରାମରେ ଗୋଟିଏ ମଠ ସ୍ଥାପନ କରିଥିଲେ ଓ ସେଠାରେ ମହନ୍ତ ପଦରେ ଅଧିଷ୍ଠିତ ହୋଇଥିଲେ । ମଧୁପୁର ରାଜପରିବାର ପରମ୍ପରା କ୍ରମେ ସଦାନନ୍ଦଙ୍କ ପ୍ରତିଷ୍ଠିତ ପୀଠର ଶିଷ୍ୟତ୍ଵ ଗ୍ରହଣ କରିଥିଲେ । ମଧୁପୁର ରାଜ୍ୟରେ କବି ବୈଷ୍ଣବ ଜୀବନର ଅଧିକାଂଶ ସମୟ କଟାଇଛନ୍ତି । ରାଜା ଘନଶ୍ୟାମ ନରେନ୍ଦ୍ରଙ୍କ ଠାରୁ ଆରମ୍ଭ କରି ତାଙ୍କର ପୌତ୍ର ରାମଚନ୍ଦ୍ର ନରେନ୍ଦ୍ରଙ୍କ ପୃଷ୍ଠପୋଷକତାରେ ରହି ସଦାନନ୍ଦ ବିଂଶାଧିକ କାବ୍ୟ ରଚନା କରିଥିଲେ । କବିଙ୍କ ଦ୍ଵୀତୀୟ ରଚନା ଯୁଗଳରସାମୃତ ଲହରୀ ଘନଶ୍ୟାମ ନରେନ୍ଦ୍ରଙ୍କ ସମୟରେ ରଚିତ ହୋଇଥିଲା ଓ ତାଙ୍କର ତ୍ରୟୋବିଂଶତମ କାବ୍ୟ ମୋହନ ଲତାର ପରିସମାପ୍ତି ଘଟିଥିଲା ରାମଚନ୍ଦ୍ର ନରେନ୍ଦ୍ରଙ୍କ ସମୟରେ ।

 

ଜଣେ ସିଦ୍ଧ ସାଧକ ଭାବରେ ସଦାନନ୍ଦଙ୍କ ଖ୍ୟାତି ଚାରିଆଡ଼େ ବ୍ୟାପି ଯାଇଥିଲା । ଶୁଣାଯାଏ ଅପୁତ୍ରିକ ରାଜା ଇନ୍ଦ୍ରଜିତ ସାମନ୍ତସିଂହାର ସଦାନନ୍ଦଙ୍କୁ ବହୁ ସମ୍ଭାବନାରେ ବାଲିଆ ଡକାଇ ନେଇ ପୁତ୍ରେଷ୍ଟି ଯଜ୍ଞ ସମ୍ପାଦନ କରିବାକୁ ଅଭିମନ୍ୟୁଙ୍କ ଧରାବତରଣ ହୋଇଥିଲା ଓ ସେ ସଦାନନ୍ଦଙ୍କ ଠାରୁ ଦୀକ୍ଷା ଗ୍ରହଣକରି ଶିଷ୍ୟତ୍ଵ ସ୍ଵୀକାର କରିଥିଲେ । ପରବର୍ତ୍ତୀ ସମୟରେ ସେହି ଅଭିମନ୍ୟୁ ଗୁରୁଙ୍କ ପଦାଙ୍କ ଅନୁସରଣ କରି ରସିକ ଭକ୍ତ କବି ଅଭିମନ୍ୟୁ ସାମନ୍ତସିଂହାର ଭାବରେ ସୁପରିଚିତ ହୋଇଛନ୍ତି । ଶେଷ ଜୀବନରେ ସଦାନନ୍ଦ ଚାନ୍ଦୋଳ ନିକଟସ୍ଥ ପବିତ୍ର ପଡ଼ାରେ ଆଉ ଗୋଟିଏ ମଠ ସ୍ଥାପନକରି ସେଠାରେ ଶେଷ ଜୀବନ ଅତିବାହିତ କରିଥିଲେ । ବର୍ତ୍ତମାନ ଏହିଠାରେ କବିଙ୍କ ସମାଧି ପୀଠ ଅବସ୍ଥିତ ଓ ପ୍ରତି ବର୍ଷ ପୌଷମାସ ଅମାବାସ୍ୟାରେ ଏଠାରେ ତାଙ୍କର ଶ୍ରାଦ୍ଧ ବାର୍ଷିକୀ ପାଳିତ ହୁଏ ।

 

କବି ସଦାଦନ୍ଦ କାଶ୍ୟପ ଗୋତ୍ରୀୟ ସାମବେଦୀ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିବାରୁ ବାଲ୍ୟକାଳରେ ସେ ସୁଶିକ୍ଷା ଲାଭ କରିଥିଲେ । ପରମ୍ପରା କ୍ରମେ ତାହାଙ୍କ ପରିବାରର ପିତୃପିତାମହମାନେ ଅଧ୍ୟାପକ ବୃତ୍ତି କରି ଆସୁଥିଲେ । ବାଳକ ସଦାନନ୍ଦ ଅଧ୍ୟୟନ ଓ ଅଧ୍ୟାପନାର ପବିତ୍ର ପରିବେଶରେ ଲାଳିତ, ପାଳିତ ଓ ଶିକ୍ଷିତ ହୋଇଥିଲେ । ତାଙ୍କର ବିଭିନ୍ନ ଗ୍ରନ୍ଥରେ ପ୍ରସଙ୍ଗ କ୍ରମେ ଲିପିବଦ୍ଧ ବିଭିନ୍ନ ସୂଚନାରୁ ଜଣାଯାଏ ଯେ, କବି ମୂଳରୁ ଉତ୍ତମ କବିତ୍ଵ ପ୍ରତି ଆକୃଷ୍ଟ ହୋଇଥିଲେ ଓ ସୁକବିମାନଙ୍କର ବହୁ କାବ୍ୟ କବିତା ଅଧ୍ୟୟନ କରିଥିଲେ । ସଂସ୍କୃତ ସାହିତ୍ୟର ପ୍ରସିଦ୍ଧ କାବ୍ୟମାନଙ୍କ ସହିତ ସଂସ୍କୃତନିଷ୍ଠ ଓଡ଼ିଆ କାବ୍ୟମାନଙ୍କର ପଠନ, ମନନ ଓ ଅନୁଶୀଳନ ଦ୍ଵାରା ଅପେକ୍ଷାକୃତ ତରୁଣ ବୟସରୁହିଁ ସେ ଚମତ୍‌କାର କବିତା ରଚନାରେ ଅପୂର୍ବ ଦକ୍ଷତା ହାସଲ କରି ପାରିଥିଲେ । କବିଙ୍କ ପ୍ରଥମ ଅବଦାନ ଭାବରେ ସୁପରିଚିତ ଲଳିତ ଲୋଚନା କାବ୍ୟର ସୃଷ୍ଟି କୁଶଳତାରୁ ଏହା ବେଶ୍ ଭଲ ଉପଲବ୍‌ଧି କରିହୁଏ । ଓଡ଼ିଆ, ସଂସ୍କୃତ, ବଙ୍ଗଳା, ମରାଠୀ, ହିନ୍ଦୀ, ପାର୍ଶୀ ଭାଷାରେ ତାଙ୍କର ଗଭୀର ପ୍ରବେଶ ଥିଲା । ବେଦ, ପୁରାଣ, ଅଳଙ୍କାର, କାବ୍ୟ ଉପନିଷଦ, ନାଟକ ଓ ବୈଷ୍ଣବ ତତ୍ତ୍ଵ ସମ୍ଵଳିତ ବିଭିନ୍ନ ଶାସ୍ତ୍ର ଓ ଗ୍ରନ୍ଥ ଅଧ୍ୟୟନ ବହୁପ୍ରତ୍ୟକ୍ଷ ପ୍ରମାଣ ତାଙ୍କର ସ୍ଵରଚିତ ଗ୍ରନ୍ଥମାନଙ୍କର ଛତ୍ରେ ଛତ୍ରେ ବିଳସିତ । ସନ୍ୟାସ ଗ୍ରହଣ କରିବା ପରେ ସେ ତାଙ୍କର ସମସ୍ତ ବିଦ୍ୟାବୁଦ୍ଧି କେବଳ ଚୈତନ୍ୟପନ୍ଥୀ ଧର୍ମଧାରଣର ବିଶ୍ଲେଷଣ ଓ ରୂପାୟନରେ ବିନିଯୋଗ କରିଛନ୍ତି । ଜଣେ ନୈଷ୍ଠିକ, କୁଳାଚାର ନିଷ୍ଠ, ବିଜ୍ଞ, ସାମବେଦୀ, ସ୍ମାର୍ତ୍ତ, ଶାସନୀ ବ୍ରାହ୍ମଣ ଯେ, କିପରି ସର୍ବତ୍ୟାଗୀ ହୋଇ ଚୈତନ୍ୟପନ୍ଥୀ ବୈଷ୍ଣବ ପାଲଟିଲେ, ତାହା ଜାଣିବା ପାଇଁ କୌଣସି ଐତିହାସିକ ନିର୍ଦ୍ଦିଷ୍ଟ ଉପାଦାନ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନାହିଁ । କବି ନିଜର ଶିକ୍ଷାଦୀକ୍ଷା ପ୍ରସଙ୍ଗରେ ଜଣେ ଶିକ୍ଷା ଗୁରୁ, ଜଣେ ଦୀକ୍ଷାଗୁରୁ ଓ ଆଉ ଜଣେ ବୈଷ୍ଣବ ସଖାଙ୍କ କଥା ଉଲ୍ଲେଖ କରିଛନ୍ତି । ଦୀକ୍ଷାଗୁରୁ ଓ ବୈଷ୍ଣବ ସଖାଙ୍କ ନାମ ଉଚ୍ଚାରଣ କରିଥିଲେ ମଧ୍ୟ ଶିକ୍ଷାଗୁରୁଙ୍କ ନାମର କୁତ୍ରାପି କୌଣସି ସୂଚନା ମିଳୁନାହିଁ । ଲେଖକଙ୍କ ଗୋଟିଏ ଉଲ୍ଲେଖରୁ ଶ୍ରୀ କିଶୋର ଦାସହିଁ ତାଙ୍କର ଉଭୟ ଶିକ୍ଷା ଓ ଦୀକ୍ଷାଗୁରୁ ଥିଲେ ଏପରି ଅବଧାରଣା କରିହୁଏ–

 

“କି ଭାଗ୍ୟେ କି ତପସ୍ୟା ପୂର୍ବେ ମୁଁ କଲି

ଗୁରୁ ଶ୍ରୀ କିଶୋର ଦାସଙ୍କୁ ପାଇଲି

ଏକାବେଳକେ ଦୀକ୍ଷା ଶିକ୍ଷା ଦେଇଣ

ଆଶ୍ରୟ ଦେଲେ ସେ ଅଭୟ ଚରଣ

– ନିଷ୍ଠା ନିଳମଣି ୪।୨୬

 

ଅନ୍ୟତ୍ର ବି ସେ ଲେଖିଛନ୍ତି–

 

ନାମ ଶ୍ରୀ ଲଡ଼ୁକେଶ୍ଵର କୁଳ ଇଷ୍ଟ ମୋର

ଶିକ୍ଷାଗୁରୁ ଯେଣୁ କଲେ ଆଜ୍ଞା

ବଇଷ୍ଣବ ଦୀକ୍ଷା କରି ଭଜ ରାଧା ହରି

ସେ କଥା ନ କଲିତ ଅବଜ୍ଞା

–ମୋହନ କଳ୍ପଲତା ୩୧ଶ ଛାନ୍ଦ

 

ଏଥିରୁ ସ୍ପଷ୍ଟଭାବରେ ଜଣା ଯାଉଛି ଯେ, କବି ସଦାନନ୍ଦ ପାରମ୍ପାରିକ ରୀତିରେ ଶ୍ରୀ କିଶୋର ଦାସଙ୍କ ଠାରୁ ଶିକ୍ଷା ଗ୍ରହଣ କରୁଥିଲେ । ଶ୍ରୀ କିଶୋର ଦାସ ଜଣେ ଏକ ନିଷ୍ଠ ଚୈତନ୍ୟପନ୍ଥୀ ବୈଷ୍ଣବ ଥିବାରୁ ମେଧାବୀ ତରୁଣ ଛାତ୍ର ସଦାନନ୍ଦଙ୍କୁ ବୈଷ୍ଣବଦୀକ୍ଷା ଗ୍ରହଣ କରିବା ପାଇଁ ମୂଳରୁ ପ୍ରବର୍ତ୍ତାଇ ଥିଲେ । ଶେଷରେ ସେହି ଶିକ୍ଷାଗୁରୁ ଶ୍ରୀ କିଶୋର ଦାସ କବିଙ୍କୁ ବୈଷ୍ଣବ ଦୀକ୍ଷା ପ୍ରଦାନ କରି ‘ରାଧା ହରି’ ଭଜନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସଦାନନ୍ଦ ଶିକ୍ଷାଗୁରୁଙ୍କଠାରୁ ଆନୁଷ୍ଠାନିକ ଭାବେ ବୈଷ୍ଣବ ଦୀକ୍ଷା ଗ୍ରହଣ କରି ସମସ୍ତ ଆନ୍ତରିକତାର ସହିତ ନିଜ କର୍ତ୍ତବ୍ୟ ପାଳନ କରୁଥିଲେ । ବୈଷ୍ଣବ ହେବା ପରେ ମଧ୍ୟ ଲଡ଼ୁବାବା, ଜଗନ୍ନାଥ ଓ ଅନ୍ୟାନ୍ୟ ଦେବଦେବୀଙ୍କ ପ୍ରତି ସଂସ୍କାର ବଶତଃ ସଦାନନ୍ଦଙ୍କ ଆନୁଗତ୍ୟ ରହିଥିବାରୁ ତାଙ୍କର ଆଉ ଜଣେ ବୈଷ୍ଣବ ବନ୍ଧୁ ଶ୍ରୀ ରାଧାଚରଣ ଦାସ ଏ ବିଷୟରେ ସଦାନନ୍ଦଙ୍କୁ ପ୍ରଭାବିତ କରି, ରାଧାକୃଷ୍ଣ ଲୀଳା ବିଷୟକ ଚୈତନ୍ୟ ପନ୍ଥାର ତତ୍ତ୍ଵ ବୟାନ କରି କବିଙ୍କୁ ଅନ୍ୟ ଦେବଦେବୀଙ୍କ ଉପାସନାରୁ ବିରତ କରାଇଥିଲେ । ଏକଥା କବି ସ୍ଵରଚିତ ନିଷ୍ଠାନିଳମଣୀ କାବ୍ୟରେ ଉଲ୍ଲେଖ କରି ନିଜର ପ୍ରାଣବନ୍ଧୁଙ୍କ ଅବର୍ତ୍ତମାନତା ଜନିତ ଦୁଃଖରେ ସ୍ମୃତି ତର୍ପଣ କରିଛନ୍ତି–

 

ସେ ଯେ ରାଧାଚରଦାସ ନାମେ ପ୍ରାଣବନ୍ଧୁ

ମୋହର ସେ ଗଲେ ନାହିଁ

ଯାଙ୍କ ସଙ୍ଗୁ ନିଷ୍ଠାମୋର ଯେ ଦେବତାନ୍ତର

ଭକ୍ତି ଛଡ଼ାଇଲେ ତତ୍ତ୍ଵ କହି

(ନି. ନି. ୬ଷ୍ଠ ଛାନ୍ଦ)

 

ବୈଷ୍ଣବ ଦୀକ୍ଷା ଗ୍ରହଣ କରିବା ପରେ ମଧ୍ୟ କବି କେତେ ବର୍ଷ ‘ପୂର୍ବାଶ୍ରମ’ରେ ରହି କାଳଯାପନ କରିଥିଲେ । ସେତେବେଳେ ସେ ଲଳିତ ଲୋଚନା ରଚନା କରିଥିଲେ ଓ ମୋହନଲତା କାବ୍ୟର ଅଧିକାଂଶ ଛାନ୍ଦଲେଖି ସାରିଥିଲେ, କିନ୍ତୁ ସମୟକ୍ରମେ ଚୈତନ୍ୟପନ୍ଥୀ ବୈଷ୍ଣବ ଚେତନାରେ ତାଙ୍କର ନିଷ୍ଠା ବଳବତ୍ତର ହେବାରୁ ସେ ଗୃହତ୍ୟାଗୀ ହୋଇ ବୈରାଗୀ ହେଲେ । ବିଭିନ୍ନ ସ୍ଥାନରେ ମଠ ପ୍ରତିଷ୍ଠା କରି ବୈଷ୍ଣବ ଧର୍ମର ପ୍ରଚାର ଓ ପ୍ରସାରରେ ଆତ୍ମନିୟୋଗ କଲେ । ଗୁରୁ, କୃଷ୍ଣ ଓ ବୈଷ୍ଣବଙ୍କ ପ୍ରତି ଅଚଳା ଭକ୍ତି, ପ୍ରତ୍ୟେକ ବୈଷ୍ଣବର ପରମ କର୍ତ୍ତବ୍ୟ । ସଦାନନ୍ଦଙ୍କ ଗୁରୁ ଶ୍ରୀ କିଶୋର ଦାସ ଜାତିରେ ଅପେକ୍ଷାକୃତ ନୀଚକୁଳ ସଂଭୂତ ହୋଇଥିଲେ ମଧ୍ୟ କବି ତାହାଙ୍କୁ ‘ପ୍ରଭୁ’ ସ୍ଵାମୀ ଅନ୍ତର୍ଯ୍ୟାମୀ ବୋଲି ସମ୍ଵୋଧନ କରି ବିଶେଷ ସମ୍ମାନ ଦେଖାଇଛନ୍ତି । ବୈଷ୍ଣବମାନଙ୍କର ବର୍ଣ୍ଣାଶ୍ରମ ଭେଦରେ କୌଣସି ବିଚାର ନ ଥାଏ । ସେଥିପାଇଁ ସଦାନନ୍ଦ କହିଛନ୍ତି–

 

“ବର୍ଣ୍ଣାଶ୍ରମେ ଭେଦ ତହିଁ ମୋ ବିଚାର ନାହିଁ

ଏମନ୍ତ ଯେ ଅଟେ ପ୍ରଭୁ ମୋର” ।

– (ନି.ନି.୬ଷ୍ଠ ଛାନ୍ଦ)

ତାଙ୍କ ଅନୁଗତ ଶ୍ରୀ କିଶୋର ଦାସ, ନାମରେ ମୋହର ସ୍ଵାମୀ

ଶାଆନ୍ତ କୁଳେ ଜନ୍ମ ମୁଁ ଅତି ଅଧମ କୃପାକଲେ ଅନ୍ତର୍ଯ୍ୟାମୀ ।

– (ପ୍ରେମତରଙ୍ଗିଣୀ ୩୬ ଛାନ୍ଦ)

 

ନିଜଗୁରୁ କିଶୋର ଦାସଙ୍କ ପ୍ରତି କବି ବାରମ୍ଵାର ତାଙ୍କର ଅଚଳା ଭକ୍ତି ପ୍ରକାଶ କରଛନ୍ତି-। କବିଙ୍କ ମତରେ ଶ୍ରୀ କିଶୋର ଦାସଙ୍କର ଯଥେଷ୍ଟ କୃଷ୍ଣ ନିଷ୍ଠା ଥିଲା । ସିଦ୍ଧିର କୃତିତ୍ଵ ଓ କିଶୋର ଅଲୌକିକତା ଦେଖାଇ ପ୍ରତିଷ୍ଠା ଅର୍ଜନ କରିବାଠାରୁ ସବୁବେଳେ ସେ ଦୂରରେ ରହୁଥିଲେ-। ସେ ଅତ୍ୟନ୍ତ ସରଳ ଓ ଶକ୍ତିମାନ ଭକ୍ତ ଥିଲେ । ସଦାନନ୍ଦ ନିଜର ଗୁରୁ ପରମ୍ପରା କଥା ଉଲ୍ଲେଖ କରି ନିଜ ଗୁରୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

 

କୋଟି ପୁସ୍ତକେ କହିଲେ ନ ସରିବ, ଗୁଣ ଅଗାଧ ଅପାର

ଶ୍ରୀକୃଷ୍ଣ ଚୈତନ୍ୟ ପାଦପଦ୍ମ, ପ୍ରୀତି ପ୍ରିୟ ଗଦାଧର ।

ସେ ପଣ୍ତିତ ଗୋସ୍ଵାମୀର ଶିଷ୍ୟ, ଅନନ୍ତାଚାର୍ଯ୍ୟ ଯା ନାମ ବ୍ୟାସ

ଶ୍ରୀ ରଘୁ ଗୋପାଳ ଗୋସ୍ଵାମୀ, ସେ ଦାସ ଲକ୍ଷ୍ମୀପ୍ରିୟା ତାଙ୍କ ଶିଷ୍ୟ ।

ତାଙ୍କ କୃପାପାତ୍ର ଶ୍ରୀ ଗଙ୍ଗା ମାତାଜୀ, କ୍ଷେତ୍ରବରେ ପ୍ରତିଷ୍ଠିତ

ତାଙ୍କ ପାଦାଶ୍ରୟ ବନମାଳୀ ଦାସ, ଗୋସ୍ଵାମୀ ଲୋକେ ବିଦିତ ।

ତାଙ୍କ ଅନୁଗତ ଶ୍ରୀ କିଶୋର ଦାସ, ନାମରେ ମୋହର ସ୍ଵାମୀ ।

ଶାଆନ୍ତ କୁଳେ ଜନ୍ମ ମୁଁ ଅତି ଅଧମ, କୃପା କଲେ ଅନ୍ତର୍ଯ୍ୟାମୀ ।

– ପ୍ରେମତରଙ୍ଗିଣୀ ୩୬ଶ ଛାନ୍ଦ

ଶ୍ରୀ କୃଷ୍ଣ ଚୈତନ୍ୟ

ପଣ୍ତିତ ଗଦାଧର ଗୋସ୍ଵାମୀ

ଶ୍ରୀ ଅନନ୍ତଚାର୍ଯ୍ୟ ଗୋସ୍ଵାମୀ

ଶ୍ରୀ ରଘୁ ଗୋପାଳ ଗୋସ୍ଵାମୀ

ଶ୍ରୀ ଲକ୍ଷ୍ମୀପ୍ରିୟା ଦାସ

ଶ୍ରୀ ଗଙ୍ଗା ମାତାଜୀ

ଶ୍ରୀ ବନମାଳୀ ଦାସ ଗୋସ୍ଵାମୀ

ଶ୍ରୀ କିଶୋର ଦାସ

ଶ୍ରୀ ସାଧୁଚରଣ ଦାସ (ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା)

 

ବୈଷ୍ଣବା ଚାର ଅନୁସାରେ ଯେ କୌଣସି ବୈଷ୍ଣବ ପକ୍ଷରେ ଅତ୍ୟନ୍ତ ନମ୍ର ଭାବ ଅବଲମ୍ଵନୀୟ । ସେଥିପାଇଁ ସଦାନନ୍ଦ ସବୁବେଳେ ନିଜକୁ ଓ ନିଜର କରଣୀକୁ ଅତି ନମ୍ର ଭାବରେ ପ୍ରକାଶ କରଛନ୍ତି । ଯୁଗଳ ରସାମୃତ ଲହରୀରେ ସେ ନିଜକୁ ଅଜାଗଳସ୍ତନ ‘ପରି ନିକୃଚ୍ଛ’ ଓ ତୁଚ୍ଛ ମନେକରିଛନ୍ତି–

 

“ଏ ମୋର କୃତ୍ୟ ବୋଲି ନ ମଣ ଏ ସନାତନ ହେ

ଏ ସିନ୍ଧୁ ସ୍ଵଇଚ୍ଛାଏ ଉତପନ୍ନ ହେ, କର୍ତ୍ତା ଯେହ୍ନେ ଅଜାଗଳସ୍ତନ ହେ”

 

ସଂସ୍କୃତ ସାହିତ୍ୟରେ ତାଙ୍କର ଅଗାଧ ପାଣ୍ତିତ୍ୟ ଥିଲେ ମଧ୍ୟ ସେ ସଂସ୍କୃତ ଜାଣନ୍ତି ନାହିଁ, ତେଣୁ ଓଡ଼ିଆରେ ଲେଖୁଛନ୍ତି ବୋଲି ବାରମ୍ଵାର ଉଲ୍ଲେଖ କରିଛନ୍ତି : ସାମବେଦୀ ସାଆନ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ଅତ୍ୟନ୍ତ ନମ୍ରତାର ସହିତ ନିଜକୁ ମୂର୍ଖ ଓ ପତିତ ବୋଲି ଘୋଷଣା କରିଛନ୍ତି–

 

ସମସ୍ତ ଗୋସାଇଁ ମିଳିଲେ, ଦୈନ୍ୟ ଭଣ୍ତାର ଲୁଟିନେଲେ ।

ମୋହ ପାଇଁତ କିଛି ନାହିଁ, କିଅବା କହିବିଟି ମୁହିଁ ।

ଯେବେ ବୋଲିବି ମୁଁ ପତିତ, ସେ କଥା ଅଟଇଟି ସତ ।

ଯେବେ ବୋଲିବି ମୁଁ ମୂରୁଖ, ସେ ଜଣାଯାଉଛି ପ୍ରତ୍ୟକ୍ଷ ।

ସଂସ୍କୃତ ଜ୍ଞାନ ମୋର ନାହିଁ, ପରାକୃତ ଗୀତ ବୋଲଇ ।

(ବ୍ର. ଲୀ: ସ: ୩୮ଶ ଛାନ୍ଦ)

 

କିନ୍ତୁ ଏ ସବୁ ସତ୍ତ୍ଵେ ସ୍ଵଭାବ ବଶତଃ ନିଜର ଗର୍ବସୂଚକ ଓ ସମ୍ମାନସୂଚକ ପଦବୀ ଗୁଡ଼ିକୁ ଅବଲୀଳା କ୍ରମେ ସେ ବାରମ୍ଵାର ବ୍ୟବହାର କରଛନ୍ତି । ବର୍ଣ୍ଣା ଶ୍ରମେ ଭେଦ ତହିଁ ମୋ ବିଚାର ନାହିଁ କହୁଥିଲା ବେଳେ ସେ ଯେ ‘ବ୍ରାହ୍ମଣ’ ଏ କଥାଟି ଏକାଧିକ ବାର ‘ଭଣେ କବିସୂର୍ଯ୍ୟ ବ୍ରହ୍ମା ଭୁସୁର’ ଇତ୍ୟାଦି ଉଲ୍ଲେଖ ମାଧ୍ୟମରେ ପ୍ରଚାର କରିଛନ୍ତି । ପୁଣି ସଦାନନ୍ଦ ବୈଷ୍ଣବ ହେବା ପରେ କେବଳ ‘ସାଧୁଚରଣ ଦାସ’ ବୋଲି ନିଜକୁ ପରିଚିତ କରାଇବା କଥା, କିନ୍ତୁ ତାଙ୍କର ସବୁ ରଚନାରେ ସେ ନିଜକୁ ‘ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା’ ନାମରେ ହିଁ ପରିଚିତ କରାଇ ଅଛନ୍ତି । ଏଥିପାଇଁ ବୈଷ୍ଣବ ମହଲରେ ଆଲୋଡ଼ନ ସୃଷ୍ଟି ହୋଇଛି । ସେଥିପାଇଁ କବିଙ୍କୁ ବହୁ ଲାଞ୍ଛନା ସହ୍ୟ କରିବାକୁ ପଡ଼ିଛି ।

କବିସୂର୍ଯ୍ୟ ବ୍ରହ୍ମା ପଦ, ଏ ଆସି ମୋତେ ହେଲା ବିପଦ ହେ।

ବିବେକ ଜନେ, ବୈଷ୍ଣବ କଲେ ବାଦ ହେ ।

(ପୁ: ର: ଲ: ୬ଷ୍ଠ ଛାନ୍ଦ)

ଏ ସବୁ ସତ୍ତ୍ଵେ ସେ ଜାଣିଶୁଣି ଏ ପଦବୀଟି ବ୍ୟବହାର କରିଛନ୍ତି । ତାର କାରଣ ହେଉଛି–

“ମୋ କବିସୂର୍ଯ୍ୟ ବ୍ରହ୍ମାପଦ, ଶୁଭି ଯାଉଛି ଲୋକେ ଶବଦ ।

ମୁଁ ଯେ, ବୋଲଇ କେହି ନବଦ, ନିନ୍ଦେ ପିଶୁନ ହେ ।

(ଯୁ: ର: ଲ: ୪ର୍ଥ ଛାନ୍ଦ)

ସର୍ବେ ଜାଣିବା ପାଇଁ ଏ ନାମ ଭଣି

ସାଧୁ ଚରଣ ଦାସ ମୁଁ ଥିବ ଜାଣି ।

(ପ୍ରେମତରଙ୍ଗିଣୀ, ୨୯ଶ ଛାନ୍ଦ)

ବୈଷ୍ଣବ ହେବା ପୂର୍ବରୁ ସଦାନନ୍ଦ କବି ଥିଲେ ଓ ସେ କବିତ୍ଵକୁ ସମ୍ମାନିତ କରି ରାଜା ବୀରକେଶରୀ ଦେବ ଏହି ‘କବିସୂର୍ଯ୍ୟ ବ୍ରହ୍ମା’ ଉପାଧି ଦେଇଥିଲେ । ଏହି ନାମରେ ତାଙ୍କର କବିତା ସର୍ବତ୍ର ପଚାରିତ ହୋଇଥିଲା ଏବଂ ଏହି ନାମରେ ହିଁ ସେ ସମଗ୍ର ଓଡ଼ିଶାରେ ପରିଚିତ ଥିଲେ । ବୈଷ୍ଣବ ଦୀକ୍ଷା ଗ୍ରହଣ କରିବା ପରେ ଏ ନାମଟି ବଦଳାଇ ଦେଲେ, ତାଙ୍କର ତ୍ରିଂଶାଧିକ କାବ୍ୟ ପ୍ରତି ଲୋକେ କାଳେ ବୀତସ୍ଫୃହ ହୋଇ ପଡ଼ିବେ, ଏହି ଆଶଙ୍କାରେ କବି ‘କବିସୂର୍ଯ୍ୟ ବ୍ରହ୍ମା’ ପଦଟି ଛାଡ଼ି ପାରି ନାହାନ୍ତି, କବି ମାତ୍ରେ ସେ ବୈଷ୍ଣବ ହୁଅନ୍ତୁ ବା ଆଉ ଯାହା ହୁଅନ୍ତୁ ସ୍ଵଭାବତଃ ସ୍ପର୍ଶ କାତର । ତାଙ୍କ କବିତାର ଅନାଦର ଓ ଉପେକ୍ଷା ସହ୍ୟ କରିବା ଯେ କୌଣସି କବି ପକ୍ଷରେ ଅସମ୍ଭବ । ପାଠକ ମହଲରେ କବିସୂର୍ଯ୍ୟ ବ୍ରହ୍ମାଙ୍କ ଲେଖାର ଆଦର ଓ ସ୍ୱୀକୃତି ଏତେ ଥିଲା ଯେ, ସେ ମୋହନଲତା କାବ୍ୟରେ ନିଜ କୃତି ଗୁଡ଼ିକର ଗୋଟିଏ, ସୂଚୀ ଦେଇ କହିଛନ୍ତି–

ମୋ କବିତ୍ଵ ଗ୍ରାହକ ହୋଇବେ ଯେଉଁମାନେ ।

ନାମ ଜାଣିଲେ ସମ୍ପାଦି ରଖିବେ ଯତନେ ।।

ଏହି ଘେନି ସବୁ ଗ୍ରନ୍ଥ ଆଖ୍ୟା କହି ଏଥି ।

ଗ୍ରାହକମାନଙ୍କ ଠାରେ ଏତଦର୍ଥେ ଅର୍ଥୀ ।।

ଏ ସବୁ ଉଲ୍ଲେଖ କବିଙ୍କୁ ଭୁଲ୍‍ ନ ବୁଝିବା ପାଇଁ ଗୋଟିଏ ସାଧାରଣ ନିବେଦନ ହିଁ ସୂଚିତ ହୋଇଛି । କବି ନିଜର ହାବଭାବ ଚାଲିଚଳଣି, କତ୍ତୃତ୍ଵ, କୃତିତ୍ଵ, ସ୍ଵଭାବ, ବ୍ୟବହାର ଓ ଅବସ୍ଥାଦି ବିଷୟରେ ସମ୍ପୂର୍ଣ୍ଣ ସଚେତନ ଥାଇ ଜୀବନର ଲକ୍ଷ୍ୟ ପଥରେ ଅଗ୍ରସର ହୋଇଛନ୍ତି । ସେଥିରେ ଯେତେ ବାଧାବିଘ୍ନ ପଡ଼ିଲେ ମଧ୍ୟ ସେ ଅବିଚଳିତ ଭାବରେ ନିଜର ସାଧନା ଓ ଧର୍ମ ଧାରଣାରେ ଅଟଳ ରହିଛନ୍ତି । ତାଙ୍କ ବିଷୟରେ ଭୁଲ ଧାରଣା ସୃଷ୍ଟି ହେବାର ଯେଉଁଠି ସମ୍ଭାବନା ଅଛି, ସେଇଠି ସେ ତାର କୈଫିୟତ ମଧ୍ୟ ଦେଇଛନ୍ତି । କବି ନିଜେ ନିଜକୁ ବିଭିନ୍ନ ସ୍ଥାନରେ ‘କୋପୀ’, ‘ଗୁମାନୀ’, ‘ପେଟବିକଳି’, ‘ପୂର୍ବ ଜନ୍ମରେ ମୁଁ ପଠାଣ’ ଇତ୍ୟାଦି ଭାବରେ ବର୍ଣ୍ଣନା-କରଛନ୍ତି–

ମୁ କବିସୂର୍ଯ୍ୟ ବ୍ରହ୍ମା ଏହି ଗୁମାନ,

କୃଷ୍ଣ ନ ଭଜି ବୃଥା ନେଉଛି ଦିନ ।

(ନି: ନି: ୪ର୍ଥ ଛାନ୍ଦ)

 

ସଦାନନ୍ଦଙ୍କ କାବ୍ୟ କବିତା ଗୁଡ଼ିକ କୃଷ୍ଣଲୀଳାତ୍ମକ ହେଲେ ମଧ୍ୟ ସେଥିରେ କବିତ୍ଵ ପ୍ରଦର୍ଶନ କରିବାକୁ ଯାଇ ଅନେକ ସମୟରେ ଅନ୍ୟାନ୍ୟ ବହୁ କଥା ବର୍ଣ୍ଣନା କରିବାକୁ ସମୟ ଅତିବାହିତ ହେଉଥିବାରୁ ସେ ସେଥିରେ ଦୁଃଖିତ ହୋଇ ନିଜର କବିତ୍ଵ ଗୁମାନ ପତି କଟାକ୍ଷପାତ କରିଛନ୍ତି । ପୁଣି ବୈରାଗୀ ଜୀବନରେ ସମ୍ଭୋଗ ଶୃଙ୍ଗାରର ଯେଉଁ ଉଦ୍ଦାମ ବାସନା ପ୍ରବଣ ନଗ୍ନ କାମକଳାତ୍ମକ ସୂକ୍ଷ୍ମ ଚିତ୍ର ଗୁଡ଼ିକ ସେ ଆଙ୍କିଛନ୍ତି । ସେଥିରେ ମଧ୍ୟ ପ୍ରଚ୍ଛନ୍ନ ଭାବରେ ତାଙ୍କର କବିତ୍ଵ ଗୁମାନହିଁ ପ୍ରକଟିତ ହୋଇଛି । ସେ “କୃଷ୍ଣାନୁରାଗୀ ବଇରାଗୀ ସଦାନନ୍ଦ ବୋଲି ସଚେତନ ଥିଲେ ମଧ୍ୟ ତାଙ୍କର ‘କବିରବିତ୍ଵ’ ଏ ସବୁ ବର୍ଣ୍ଣନାରୁ ବିରତ ହେଉ ନାହିଁ । ବର୍ଣ୍ଣନାର ଲୋଭ ସମ୍ଵରଣ କରି ନ ପାରି ସେ କହିଛନ୍ତି-‘ଏହି ସକାଶୁ ମୁଁ ଡ଼ରିହେ’ ତଥାପି ବର୍ଣ୍ଣନା ପରିପାଟୀ ଘେନି, କହିବା କିଞ୍ଚିତ କରିହେ’ ଅନ୍ୟତ୍ର ଏହି ପ୍ରସଙ୍ଗରେ ସେ ପୁଣି ନିଜର କବିସ୍ଵଭାବର କରାମତି ପ୍ରତି ଇଙ୍ଗିତ କରି ଲେଖିଛନ୍ତି–

‘ସ୍ଵଭାବ କେବେହେଁ ଛାଡ଼ିତ ନଯାଇ

ବୈରାଗୀ ହୋଇ ମୁଁ ଏହା ବର୍ଣ୍ଣାଇ ଯେ ।’

(ମୋ, କ: ୪୪ଶ ଛାନ୍ଦ)

କବି ଥିଲେ ସମ୍ପୂର୍ଣ୍ଣ ସ୍ଵାଧୀନଚେତା, ତାଙ୍କର ବିଶ୍ଵାସ ଥିଲା ଅଟଳ । ନିଜ କର୍ମରେ ଦୃଢ଼ ରହି ସେ ନିନ୍ଦା ଅପମାନ ଓ ଲୋକ ବ୍ୟବହାର ପ୍ରତି ଭୃକ୍ଷେପ କରି ନାହାନ୍ତି । ସଦାନନ୍ଦ ଙ୍କ ସମୟରେ ପ୍ରେମ ଭକ୍ତି ବିଶେଷ ଆଦୃତ ହେଉ ନଥିଲା । ଚୈତନ୍ୟ ପନ୍ଥୀମାନଙ୍କର ପରକୀୟା ପ୍ରେମ ବର୍ଣ୍ଣନା ପ୍ରତି ବିଶେଷ କରି ସ୍ମାର୍ତ୍ତ ଓ ଅଭିଜାତ ଗୋଷ୍ଠୀ ବଡ଼ ଅସହନଶୀଳ ଥିଲେ କିନ୍ତୁ କବିଙ୍କର ସେଥିପ୍ରତି କୌଣସି ଖାତିର ନଥିଲା । ସେ ନିଜ ମତରେ ଦୃଢ଼ ରହି ପ୍ରେମ ଜଳରେ ନିମଜ୍ଜିତ ରହୁଥିଲେ ।

ଲୋକେ ବେଭାର ଭୟ ଛାଡ଼ି

ଆନନ୍ଦେ ପ୍ରେମ ଜଳେ ବୁଡ଼ି ।

(ପା. ର. ୩ୟ ଅଧ୍ୟାୟ)

ସେ ଦୃଢ଼ କଣ୍ଠରେ ଘୋଷଣା କରିଛନ୍ତି–

“ବୈଷ୍ଣବ ମତ ଆମ୍ଭର ଏ ଅଭିମାନେ ଯାଉ ଥାଉ ଦିନ

ମତାନ୍ତର ଲୋକ ସଙ୍ଗ ବିବାଦରୁ ଅଛି କେଉଁ ପ୍ରୟୋଜନ ।”

 

ଅନ୍ୟ ଧର୍ମାବଲମ୍ଵୀମାନଙ୍କ ପ୍ରତି ତାଙ୍କର ଅସହନଶୀଳତା ଥିଲା । ସ୍ଵୀୟ ଧର୍ମାଚାରର ଶ୍ରେଷ୍ଠତା ବିଷୟରେ ବହୁବାର ତାଙ୍କର ଦମ୍ଭୋକ୍ତି ପ୍ରକାଶିତ ହୋଇଅଛି । କୃଷ୍ଣଙ୍କ ଗୁଣକୀର୍ତ୍ତନ ବ୍ୟତିତ ଅନ୍ୟ ସମସ୍ତ ଧର୍ମାଚାର ବ୍ୟର୍ଥତାରେ ପର୍ଯ୍ୟବସିତ ହୁଏ । ଏଣୁ ଅନ୍ୟ ଦେବତା ଉପାସନା ନକରି କୃଷ୍ଣାପାସନାହିଁ ମାନବର ଶ୍ରେଷ୍ଠ କର୍ମ ବୋଲି ସେ ଦୃଢ଼ ବିଶ୍ଵାସର ସହିତ ବାରମ୍ଵାର ଘୋଷଣା କରିଛନ୍ତି–

 

ଶ୍ରୀକୃଷ୍ଣର ଗୁଣ ଯେ କୀର୍ତ୍ତନ ନ କରେ

ଆଉ ଯେତେ କରୁ ବ୍ୟର୍ଥ ହୁଏ ସେ ଶ୍ରମରେ ।

(ତ. ତ. ୪ର୍ଥ ତରଙ୍ଗ)

ଅନ୍ୟ ଦେବତା ଗୁଣ ଗାଇ ।

ଯେ କୃଷ୍ଣ ବୈଷ୍ଣବ ନିନ୍ଦଇ ।।

ତା ଶିରେ ଚଣ୍ତାଳ ଚରଣ ।

ତାଙ୍କୁ ନକରି ସମ୍ଭାଷଣ ।।

ଯେ କୃଷ୍ଣ ଚରଣେ ଆଶ୍ରିତ ।

ସେ ପାଦେ କୋଟୀ ଦଣ୍ତବତ ।।

 

ଏହି ଅସହନଶୀଳତା ଯୋଗୁଁ ଅନେକ ତାଙ୍କୁ ‘କୋପୀ’ ‘ଗର୍ବୀ’ ‘ଗୁମାନୀ’ ବୋଲି କହୁଥିଲେ । ସେକଥା ଗୁଡ଼ିକୁ ବିନମ୍ରତାର ସହିତ ନିଜେ ଉଲ୍ଲେଖ କରି ସ୍ଵୀୟ ମତରେ ନିଜର ଦୃଢ଼ତା ଓ ଅଟଳ ବିଶ୍ଵାସ ସେ ବ୍ୟକ୍ତି କରିଛନ୍ତି–

 

କୁ ଗୀର୍ବାଣ କୁଳ କଞ୍ଜ ଆଦିତ୍ୟ

କୋପୀ କବିସୂର୍ଯ୍ୟ ବ୍ରହ୍ମା କଥିତ ।

 

ଏଥିପାଇଁ ତାହାଙ୍କୁ ବହୁ ନିର୍ଯ୍ୟାତନା ଭୋଗ କରିବାକୁ ପଡ଼ୁଥିଲେ ମଧ୍ୟ ନିଜର ଧର୍ମ ମତ ଓ ବିଶ୍ଵାସକୁ ବଳି ନଦେଇ ବରଂ ଭିକ୍ଷାବୃତ୍ତି ଅବଲମ୍ଵନ କରିବା ଶ୍ରେୟସ୍କର ବୋଲି ସେ ମନେ କରିଛନ୍ତି–

 

କନ୍ଧେ ଅବା ଝୋଲିଧରି ଭିକ୍ଷାଟନ କରି

ମୁଖେ ସ୍ଫୁରୁ ରାଧା ପ୍ରାଣେଶ୍ଵର

ସ୍ଵତନ୍ତ୍ରତା ଥିବ ତହିଁ ପରବଶ ନୋହି

କେ ଦେଉ ନ ଦେଉ କି ବିଚାର (ନି. ନି. ୬/୨)

 

ଏହି ଚିନ୍ତା ସ୍ଵାତନ୍ତ୍ର୍ୟ ଯୋଗୁଁ ଅନେକ ସମୟରେ ସେ ସ୍ଵଳ୍ପାହାର ଓ ନିରାହାର ଜୀବନ ଯାପନ କରିଛନ୍ତି । ସେ ଯୁଗଳ ରସାମୃତ ଲହରୀରେ କହିଛନ୍ତି–କବିସୂର୍ଯ୍ୟ ମୁଁ ପେଟ ବିକଳି ହେ । କବିସୂର୍ଯ୍ୟ ବ୍ରହ୍ମାଙ୍କ ପରି ଜଣେ ପ୍ରତିଷ୍ଠିତ କବିଙ୍କୁ ଯେ ଅଣ୍ଟାକୁ କନା ଓ ପେଟକୁ ଦାନା ମିଳିବା ଅତ୍ୟନ୍ତ କଷ୍ଟକର ବ୍ୟାପାର ଥିଲା, ତାହାନୁହେଁ, କିନ୍ତୁ ମତ ସ୍ଵାତନ୍ତ୍ର୍ୟହିଁ ତାହାର କାରଣ । ଏଥିରୁ ସ୍ଵୀୟ ଧର୍ମାଚାରରେ ତାଙ୍କର ଅନନ୍ୟ ଦୃଢତାହିଁ ପ୍ରମାଣିତ ହେଉଛି । ଏ ସମସ୍ତ ପାରିପାର୍ଶ୍ୱିକ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଥିଲେ ମଧ୍ୟ ସେ ପ୍ରଶାନ୍ତ ତଥା ଗମ୍ଭୀର ଭାବରେ ନିତ୍ୟ ଗତାଗତ କରୁଥିବା ଜଗଦେକ ଚକ୍ଷୁ ସୂର୍ଯ୍ୟରୂପୀ ବିଭୁଙ୍କୁ ସାକ୍ଷୀ ରଖି ସ୍ଵୀୟ କର୍ମର ମହନୀୟତା ବିଷୟରେ ଭକ୍ତମାନଙ୍କୁ ଶୁଣାଇଛନ୍ତି–

 

ସେ ଦୂରେ ରହନ୍ତୁ, ଶୁଣ ରସିକ ଭକତ

ଜାଣ ବିଭୋ ବର୍ତ୍ତମାନ ଯେ ଗତ ଆଗତ ।

(ପ୍ରେ. କ. ୧ମଛାନ୍ଦ)

 

ସଦାନନ୍ଦ ତାଙ୍କର ସମସ୍ତ ଗ୍ରନ୍ଥରେ (କାଳ୍ପନିକ କାବ୍ୟ ଦୁଇଟିକୁ ଛାଡ଼ି) ଏ ରସିକ ଭକ୍ତ ମାନଙ୍କୁ ସମ୍ଵୋଧନ କରି ଧର୍ମକୁ ସାକ୍ଷୀ ରଖି ଯେଉଁ ମର୍ମ ବାଣୀ ଶୁଣାଇଛନ୍ତି ତାହା ହେଉଛି ସ୍ଵୀୟ ଧର୍ମମତର ସ୍ଵରୂପ ଓ ଶ୍ରେଷ୍ଠତା, ଜୀବନ ଦର୍ଶନ ଓ ଧର୍ମାଚାର ନିଷ୍ଠା । ଏଥିପାଇଁ ସେ ବ୍ରଜବାସୀ ଭକ୍ତ କବି ରୂପ ଗୋସ୍ଵାମୀ ଚରଣ ତଳେ ଶରଣ ପଶିଛନ୍ତି । ରୂପ ଗୋସ୍ଵାମୀ ଓ ଜୀବଗୋସ୍ଵାମୀଙ୍କ ଅସଂଖ୍ୟ ସଂସ୍କୃତ ରଚନାର ସାରକଥା ଓଡ଼ିଆ ଭାଷାରେ କବିତ୍ଵପୂର୍ଣ୍ଣ ଛନ୍ଦୋବଦ୍ଧ ପଦ୍ୟରେ ପ୍ରକାଶ କରିବା ତାଙ୍କ ଜୀବନର ଏକମାତ୍ର ଲକ୍ଷ୍ୟ । ସେ ନିଜେ ଲେଖିଛନ୍ତି-

 

ଶ୍ରୀରୂପ ଗୋସ୍ଵାମୀ ପାଦପଦ୍ମରେଣୁଗଣ ।

ଶିରେ ଧରି ଗାଇ ଛାନ୍ଦେ କୃଷ୍ଣ ଲୀଳାଗୁଣ ।।

ଅନନ୍ତ ସହସ୍ର ମୁଖେ ଗାଏ ନିରବଧି ।

ତଥାପି ସେ ଲୀଳା ଗୁଣ ନ ପାଏ ଅବଧି ।।

ମୁଁ ଛାର କି କହି ମୋହର ବୁଦ୍ଧି କିସ ।

ହୋଉ ନୋହୁ ବୋଧକରି ଆପଣା ମାନସ ।।

(ବୃଜଲୀଳାମୃତ ସମୁଦ୍ର ୪୧ଶ ଛାନ୍ଦ)

 

ଏହି କୃଷ୍ଣଲୀଳା ଗାନ କରିବାରେ ସେ କୃଷ୍ଣଙ୍କ ଐଶ୍ଵର୍ଯ୍ୟ ଲୀଳା ଛାଡ଼ି ମଧୁର ରସର ଆଶ୍ରୟନେଇ କେବଳ ମାଧୁର୍ଯ୍ୟ ଲୀଳାହିଁ କୀର୍ତ୍ତନ କରିଛନ୍ତି–

 

ଗଉରଚନ୍ଦ୍ର ଶ୍ରୀ ଚରଣ

ଆମ୍ଭର ତହିଁରେ ଶରଣ ।

ମଧୁର ରସର ଆଶ୍ରୟ

ଐଶ୍ଵର୍ଯ୍ୟ ଦେଖି ପାଇ ଭୟ ।

(ପା. ର. ୩ୟ ଅଧ୍ୟାୟ)

 

କୃଷ୍ଣଙ୍କର ମାଧୁର୍ଯ୍ୟଲୀଳା ବର୍ଣ୍ଣନା କରିବା କବିଙ୍କର ଜୀବନର ଏକମାତ୍ର ଲକ୍ଷ୍ୟ ହୋଇଥିବାରୁ ସେ ରାସେଶ୍ଵରୀ ରାଧା ଓ ରସିକାରାଜ କୃଷ୍ଣଙ୍କର ବିଗ୍ରହ ସ୍ଥାପନ କରି ତାଙ୍କର ଉପାସନାରେ କାଳଯାପନ କରିଛନ୍ତି ।

 

ରାସେଶ୍ଵରୀ ରସକରା ଶରଣ ମୋହର ।

କବି ସ୍ଵଭାବରୁ କହି ସମସ୍ତ ପ୍ରକାର ।।

କବି ସୂର୍ଯ୍ୟବ୍ରହ୍ମା ବିକି ହୋଇଅଛି ଦାସ ।

ରାଧାକୃଷ୍ଣ ମିଳନ ମୋ ପ୍ରକୃଷ୍ଟ ଲାଳସ ।।

(ମୋ. କ, ୩୮/୬୫)

 

ସବୁଧର୍ମ ଓ ସଂପ୍ରଦାୟରେ ଭକ୍ତମାନଙ୍କ ଚରମ ଲକ୍ଷ୍ୟ ହେଉଛି ମୋକ୍ଷ ପାପ୍ତି, କିନ୍ତୁ ଚୈତନ୍ୟପନ୍ଥୀ ବୈଷ୍ଣବାଚାର ଅନୁସାରେ ସଦାନନ୍ଦଙ୍କର ଭୁକ୍ତି ଇଚ୍ଛା କିମ୍ବା ମୁକ୍ତି ଇଚ୍ଛା ନାହିଁ । ଅଛି କେବଳ ଲୀଳା ଆସ୍ୱାଦନର ଇଚ୍ଛା । ସେ ଚିନି ହେବାକୁ ଚାହାନ୍ତି ନାହିଁ; ଚିନିର ସ୍ଵାଦ ସବୁବେଳେ ଆସ୍ଵାଦନ କରିବାକୁ ଚାହାନ୍ତି । ଏଣୁ ସେ ଶେଷରେ ରସିକ ଭକ୍ତମାନଙ୍କୁ ଶୁଣାଇ କହିଛନ୍ତି–

 

ଜନ୍ମ ମରଣ ଅଛି ଯେତେ କାଳ

ସୁଖ ଦୁଃଖ ଦୁଇ ଏହାର ମୂଳ ।

କୃଷ୍ଣ ପ୍ରାପ୍ତି ହେଲେ ଏ ସିନା ଯିବ

ପରମାନନ୍ଦେ ପୂର୍ଣ୍ଣ ହୋଇଥିବ ।

ସେହି ଚିର ଅଟେ

ସୁଖସାର ଯହିଁ ଚରଣେ ଖଟେ ।

(ନି. ନି.୭/୩)

Image

 

Unknown

ଦ୍ଵିତୀୟ ପରିଚ୍ଛେଦ

 

କାବ୍ୟକୃତି

 

ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା ତରୁଣ ବୟସରୁହିଁ ଜଣେ ପ୍ରତିଭାବାନ କବି ଭାବରେ ବେଶ୍ ଖ୍ୟାତି ଲାଭ କରିଥିଲେ । ସେ ‘ପୂର୍ବାଶ୍ରମ’ରେ ଥିଲାବେଳେ ‘ଲଳିତଲୋଚନା’ ଓ ‘ମୋହନ କଳ୍ପଲତା’ ନାମକ ଦୁଇଖଣ୍ତ ଉଚ୍ଚକୋଟୀର କାଳ୍ପନିକ କାବ୍ୟ ସହିତ ଅନେକ କବିତ୍ଵପୂର୍ଣ୍ଣ କ୍ଷୁଦ୍ର କବିତା ରଚନା କରିଥିଲେ । ସେହି କେତୋଟି କବିତାର ମାଧୁର୍ଯ୍ୟରେ ତଦାନୀନ୍ତନ ସାହିତ୍ୟ ରସିକ ଓ ସାଧାରଣ ପାଠକ ଏପରି ମୁଗ୍‌ଧ ହୋଇଥିଲେ ଯେ, ତାହାର ସ୍ଵୀକୃତି ସ୍ଵରୂପ, ଖୋର୍ଦ୍ଧାର ମହାମହିମ ରାଜା ବୀର କେଶରୀ ଦେବଙ୍କ ଠାରୁ ସର୍ବଶ୍ରେଷ୍ଠ ସମ୍ମାନାସ୍ପଦ ‘କବିସୂର୍ଯ୍ୟ’ ଉପାଧି ତାହାଙ୍କ ପକ୍ଷରେ ଅନାୟାସ ଲବ୍‌ଧ ହୋଇଥିଲା । ପରେ ପରେ କୌଣସି ଦୈବ ଦୁର୍ଘଟଣା ଜନିତ କାରଣରୁ ସେ ସଂସାରତ୍ୟାଗ କରି ବ୍ରହ୍ମଚର୍ଯ୍ୟାଶ୍ରମରେ ରହି ଶ୍ରୀକୃଷ୍ଣଙ୍କ ବ୍ରଜଲୀଳା ଗାନ, ଶ୍ରବଣ, କୀର୍ତ୍ତନ ଓ ମନନରେ ଜୀବନ ଅତିବାହିତ କରିଥିଲେ । ଏହି ସମୟରେ ସେ ଯାହାକିଛି ଲେଖିଛନ୍ତି ସେ ସବୁ ଶ୍ରୀକୃଷ୍ଣ ଚୈତନ୍ୟଙ୍କ ଦ୍ଵାରା ପରିକଳ୍ପିତ ଓ ବୃନ୍ଦାବନର ଗୋସ୍ଵାମୀମାନଙ୍କ ଦ୍ଵାରା ପ୍ରଚାରିତ ବ୍ରଜଲୀଳାତ୍ମକ ଅଚିନ୍ତ୍ୟ ଭେଦାଭେଦ ବାଦର ବିଚାର ବିଶ୍ଲେଷଣରେ ମୁଖରିତ । କବି ତାହାଙ୍କ ଜୀବଦ୍ଦଶାରେ ତ୍ରିଂଶାଧିକ କାବ୍ୟକବିତା ଲେଖି ଯାଇଛନ୍ତି । ସେ ସମସ୍ତ ଉନ୍ନତ ସାହିତ୍ୟକ କୃତିଭାବରେ ଗୃହୀତ ନ ହେଲେ ମଧ୍ୟ ସେଥିରୁ କୋତୋଟି ଯେ, କବିକର୍ମର ଉଜ୍ଜ୍ଵଳ ସ୍ଵାକ୍ଷର ବହନକରି ଚିର ଦେବୀପ୍ୟମାନ ରହିଛି, ଏଥିରେ ଦ୍ଵିମତର କୌଣସି ଅବକାଶ ନାହିଁ । କବିଙ୍କ ସମଗ୍ର ରଚନାବଳୀକୁ ନିମ୍ନଲିଖିତ କେତୋଟି ସ୍ଥୂଳ ବିଭାଗରେ ବିଭକ୍ତ କରାଯାଇ ପାରେ ।

 

୧.

କାଳ୍ପନିକ ଆଦିରସାଶ୍ରିତ କାବ୍ୟ

୨.

କୃଷ୍ଣ ବିଷୟକ ପ୍ରେମାଖ୍ୟାନ କାବ୍ୟ

୩.

ସାଂପ୍ରଦାୟିକ ସାହିତ୍ୟ

୪.

ଅନୁବାଦ ସାହିତ୍ୟ

୫.

ଶାସ୍ତ୍ରୀୟ ରଚନା

୬.

କ୍ଷୁଦ୍ର ଗୀତିକାବଳୀ

୭.

ଜୀବନୀ ସାହିତ୍ୟ

 

ମୋହନଲତା କାବ୍ୟର ଶେଷରେ କବି ସ୍ଵକୃତ ଗ୍ରନ୍ଥ ରାଜିର ଉଲ୍ଲେଖ କରଛନ୍ତି ।

 

ଆହେ ଶ୍ରୋତାମାନେ ଏବେ ଶୁଣ ଦେଇ କର୍ଣ୍ଣ

ଗୁମାନ ନୁହଇ କହି ଗୋଚର ବିଧାନ ।୧।

ଉତ୍କଳ ବଙ୍ଗଳା ଖୁରୁଠାଦି ଭାଷାମାନ

ଏ ପ୍ରକାରେ କିଛି କିଛି କରିଛି ବର୍ଣ୍ଣନ ।୨।

ଚଉପଦୀ ଚଉତିଶା ବୋଲି ଅଛି ଯେତେ

କଉଁ ଦେଶେ କଉଁଠାରେ ପ୍ରକାଶ ଜଗତେ ।୩।

ଲଳିତ ଲୋଚନା ଗ୍ରନ୍ଥ ବାଉନ ଛାନ୍ଦରେ

ସଂପୂର୍ଣ୍ଣ ହୋଇଛି ଜାଣ କଳ୍ପନା ବେଭାରେ ।୪।

ଶ୍ରୀ ଯୁଗଳ ରସାମୃତ ଲହରୀ ପ୍ରବଦ୍ଧ

ଶ୍ରୀ ରାଧାକୃଷ୍ଣ ପୂର୍ବରାଗ ଅଠାବନ ଛାନ୍ଦ ।୫।

ତାହା ସଙ୍ଗମାନ ରସେ ଭଉଁରୀ କଠିନ

ଅଷ୍ଟଚାଳିଶ ଛାନ୍ଦରେ ହୋଇଛି ସଂପୂର୍ଣ୍ଣ ।୬।

ଶ୍ରୀ ପ୍ରେମ ତରଙ୍ଗିଣୀ ଯେ ଚମତ୍କାର ରସ

ଛତିଶ ଛାନ୍ଦରେ ସେହୁ ହୋଇଅଛି ଶେଷ ।୭।

ଶ୍ରୀଳ ପ୍ରେମକଳ୍ପଲତା ମଥୁରା ଗମନେ

ବର୍ଣ୍ଣିତ ହୋଇଛି ଷଟଦଶ ଛାନ୍ଦେ ତେହ୍ନେ ।୮।

ଶ୍ରୀଚିଟାଉ ଚନ୍ଦ୍ରୋଦୟ ଷଟଦଶ ଛାନ୍ଦ

ଦିନକ ଚରିତ ସର୍ବ ଚିଟାଉ ନିର୍ବନ୍ଧ ।୯।

ଶ୍ରୀ ଶ୍ରୀ ନାମ ଚିନ୍ତାମଣି ଅଟେ ଛାନ୍ଦ ବାର

ଶ୍ରୀ ଶ୍ରୀ ନିଷ୍ଠାନୀଳମଣି ତେମନ୍ତ ପ୍ରକାର ।୧୦।

ଉଦାହରଣ ଏଥିରେ ବହୁତ ଶାସ୍ତ୍ରରୁ

ତତ୍ତ୍ଵ ସିଦ୍ଧାନ୍ତ ବିଚାର ନିଷ୍ଠା କରିବାରୁ ।୧୧।

ଶ୍ରୀ ଶ୍ରୀ ତତ୍ତ୍ଵତରଙ୍ଗିଣୀ ସିଦ୍ଧାନ୍ତର ସାର

ଉଦାହରଣ ସର୍ବ ପୁରାଣମାନଙ୍କର ।୧୨।

ଏଣୁ ଦୀର୍ଘ ହୋଇ ହେଲା ସେ ଦ୍ଵାବିଂଶ ଛାନ୍ଦ

ଶ୍ରୀ ଶ୍ରୀ ପାଟ ରତ୍ନାବଳୀ ଯେ ଦ୍ଵାଦଶେ ସିଦ୍ଧ ।୧୩।

ଅଷ୍ଟ ନାୟିକା ଲକ୍ଷଣ ଅଷ୍ଟ ଛାନ୍ଦ ହୋଇ

ଶ୍ରୀ କୁଞ୍ଜ ବିହାର ନାମ ତାହାର ଅଟଇ ।୧୪।

ଗୋବିନ୍ଦ ଗୁଣ କୀର୍ତ୍ତନ ମାଳା ନାମେ ଗୀତ

ସତାଇଶ ଛାନ୍ଦରେ ହୋଇଛି ସମାପତ ।୧୫।

ଶ୍ରୀ ଶ୍ରୀ ବିଦଗ୍‌ଧ ମାଧବ ନାଟକ ସଂସ୍କୃତ

ଶ୍ରୀ ଶ୍ରୀ ରୂପଗୋସ୍ଵାମୀଙ୍କ କୃତ ସେ ବିଦିତ ।୧୬।

ପୟାରେ ତାହା ମୁଁ ଛାନ୍ଦ ବନ୍ଧରେ କହିଲି

ଶ୍ରୀ ବ୍ରଜଲୀଳା ମୃତ ସମୁଦ୍ର ନାମ ଦେଲି ।୧୭।

ଛପନ ଛାନ୍ଦେ କହିଲି ମୁଁ ସେ କବି ନୋହି

ମାତ୍ରକ ଉଜ୍ଜ୍ୱଳ ଲୋକେ ବୁଝିବାର ପାଇଁ ।୧୮।

ଶ୍ରୀ ଉଜ୍ଜ୍ୱଳନୀଳମଣୀ ଶ୍ରୀ ଗୋସାଇଁ ଗ୍ରନ୍ଥ

ବଙ୍ଗଳା ଭାଷା ପୟାରେ କରିଛି ତା ଗୀତ ।୧୯।

ପ୍ରେମ ଚିନ୍ତାମଣି ନାମେ ବଂଗ ଦେଶୀଭାଷେ

ବିନ୍ଦୁ କିରଣ କଣିବା ଆଦି ଅର୍ଥ ଯେ ସେ ।୨୦।

ବ୍ରତ ସୂର୍ଯ୍ୟୋଦୟ ନାମ ପଞ୍ଚ ଅଧ୍ୟାସାର

ଅଷ୍ଟମଦା ଦ୍ଵାଦଶୀ ପର ବିଧି ନିର୍ଦ୍ଧାର ।୨୧।

ଶ୍ରୀ ପ୍ରବୋଧାନନ୍ଦ ସରସ୍ଵତୀ ନାମେ ନ୍ୟାସୀ

ହରି ଭକ୍ତି କଳ୍ପଲତା ଗ୍ରନ୍ଥ ସେ ପ୍ରକାଶି ।୨୨।

ଶ୍ରୀ ଭାଗବତ ରାଗରେ ଉତ୍କଳ ଭାଷାରେ

ତାହା ବର୍ଣ୍ଣନ ହୋଇଛି ଦଶ ଅଧ୍ୟାୟରେ ।୨୩।

ଶ୍ରୀ ଶ୍ରୀ କୃଷ୍ଣଦାସ କବିରାଜ ଗୋସ୍ଵାମୀର

ଶ୍ରୀକୃଷ୍ଣ ଚଇତନ୍ୟ ଚରିତାମୃତ ସାର ।୨୪।

ନବାକ୍ଷର ରାଗେ ତାହା ଉତ୍କଳ ଭାଷାରେ

ଆଦ୍ୟ ମଧ୍ୟ ଅନ୍ତ ତିନି ଲୀଳା ସେ ପ୍ରକାରେ ।୨୫।

ଭାଷା ପାଲଟ ଏ ଗ୍ରନ୍ଥେ ମୁଁ ଯେ କବି ନୋହି

ଶ୍ରୀ ଗୋସାଇଁ କୃପାରୁ ତହିଁରେ ଅବଗାହି ।୨୬।

ଏଥିରେ କେହି କେହି ସଂସ୍କୃତ ସମ୍ମିଳିତ

ଛନ୍ଦ ଶ୍ଳେଷ ବିରୋଧା ଭାସ ଆଶ୍ରୟ ସ୍ଥିତ ।୨୭।

ଶ୍ରୀ ବ୍ରହ୍ମାଣ୍ତ ମଙ୍ଗଳ କେବଳ ପରାକୃତେ

ଶ୍ରୀ କୃଷ୍ଣ ଚଇତନ୍ୟ ବାଲ୍ୟଲୀଳା ବିଧି ମତେ ।୨୮।

ରାମାୟଣ ରାଗେ ସେ ରୂପେ ଏକ ଖଣ୍ତ

ଇତ୍ୟାଦି ଗ୍ରନ୍ଥର ନାମ କଲୁ ଏଥି ରୁଣ୍ତ ।୨୯।

ଶ୍ରୀ ବିଶ୍ଵମ୍ଭର ବିହାର ‘ବ’ କାର ନିୟମ

ପ୍ରୀତି ଚିନ୍ତାମଣି ବହୁ ମିଳନ ଜାଣିମ ।୩୦।

ଏ ଦୁଇ ଗ୍ରନ୍ଥ ସମ୍ପୂର୍ଣ୍ଣ ହୋଇତ ନାହାନ୍ତି

ବିଘ୍ନ ନାଶ ବିଘ୍ନରାଜ ହୋଉ ଏ ସମାପ୍ତି ।୩୧।

ବହୁତ ଗ୍ରନ୍ଥରୁ ଆଣି ତୋଳା କରି ଧୀରେ

ସଙ୍ଗୀତ ସଦାନନ୍ଦ କହିଲି ଯେ ଛାନ୍ଦରେ ।୩୨।

ଗୀତ ବାଦ୍ୟ ତାଳ ନୃତ୍ୟ ଇତ୍ୟାଦି ଲକ୍ଷଣ

ଦଶ ଛାନ୍ଦରେ ବର୍ଣ୍ଣନ ପୁରାଣ ପ୍ରମାଣ ।୩୩।

ମୋହନ ଲତା ନାମରେ ଏ ଗୀତ ପ୍ରକାଶ

ସମ୍ପୂର୍ଣ୍ଣ କଲି ହୋଇଲା ଛାନ୍ଦ ଛାୟାଳିଶ ।୩୪।

କବି ବିନା ଏ ଶ୍ରମ କେ କରିବ ଗୋଚର

ରସିକ ବିନା କେ ବୁଡ଼େ ଏ ରସ ସାଗର ।୩୫।

ପଶୁ ପ୍ରାୟେ ସମ୍ଭୋଗ ମାତ୍ରକ ମୂଳ ଯାର

ସ୍ନେହ ନ ଜାଣଇଁ ଏଥି କି କାର୍ଯ୍ୟ ତାହାର ।୩୬।

ରସ ଚର୍ବ୍ୟମାଣ, ନୋହେ ଅମୃତ ଯା ତୁଳ

ସକଳ ସାହିତ୍ୟେ ଏହି କଥା ଅଟେ ମୂଳ ।୩୭।

ମୋ କବିତ୍ଵ ଗ୍ରାହକ ହୋଇବେ ଯେଉଁମାନେ

ନାମ ଜାଣିଲେ ସମ୍ପାଦି ରଖିବେ ଯତନେ ।୩୮।

ଏହି ଘେନି ସବୁ ଗ୍ରନ୍ଥ ଆଖ୍ୟା କହି ଏଥି

ଗ୍ରାହକମାନଙ୍କ ଠାରେ ଏତଦର୍ଥେ ଅର୍ଥୀ ।୩୯।

ମୋହନ ଲତା ବା ମୋହନ କଳ୍ପଲତା କାବ୍ୟ ରଚିତ ହୋଇ ସାରିବା ପରେ କବି ଆଉ କେତୋଟି କାବ୍ୟ ରଚନା କରିଛନ୍ତି । ସେଗୁଡ଼ିକ ମୋହନ ଲତାରେ ପ୍ରଦତ୍ତ କାବ୍ୟ ସୂଚୀରେ ସ୍ଥାନ ପାଇ ପାରି ନାହିଁ । କୀର୍ତ୍ତନ ଉଜ୍ଜ୍ଵଳ, କାଳ ବୋଧିନୀ, ସ୍ମର ଦୀପିକା ବା ସ୍ମରଶାସ୍ତ୍ର, ଚୌର ଚିନ୍ତାମଣି, ଶ୍ରୀମଦ୍ ଭଗବତ୍ ଗୀତାନୁବାଦ ବ୍ୟତୀତ ଚଉତିଶା, ଚଉପଦୀ, ଓ ଜଣାଣ ଇତ୍ୟାଦି ବହୁ କ୍ଷୁଦ୍ର କବିତା କବିରଚନା କରିଥିବା ଜଣାଯାଏ । ଆଲୋଚନାର ସୌକର୍ଯ୍ୟ ଦୃଷ୍ଟିରୁ ସେଗୁଡ଼ିକୁ ନିମ୍ନ ଲିଖିତ ପ୍ରକାରେ ସଜାଇ ଦିଆଯାଇ ପାରେ ।

(କ)

କାଳ୍ପନିକ କାବ୍ୟ

 

 

୧.

ଲଳିତଲୋଚନା

 

୨.

ମୋହନ କଳ୍ପଲତା

(ଖ)

କୃଷ୍ଣ ବିଷୟକ ପ୍ରେମାଖ୍ୟାନ କାବ୍ୟ

 

୩.

ଯୁଗଳ ରସାମୃତ ଲହରୀ

 

୪.

ଯୁଗଳ ରସାମୃତ ଭଉଁରୀ

 

୫.

ପ୍ରେମ ତରଙ୍ଗିଣୀ

 

୬.

ଚିଟାଉ ଚନ୍ଦ୍ରୋଦୟ

 

୭.

ପ୍ରୀତି ଚିନ୍ତାମଣି

(ଗ)

ସାମ୍ପ୍ରଦାୟିକ ସାହିତ୍ୟ

 

୮.

ନାମ ଚିନ୍ତାମଣି

 

୯.

ନିଷ୍ଠା ନୀଳମଣି

 

୧୦.

ତତ୍ତ୍ଵ ତରଙ୍ଗିଣୀ

 

୧୧.

ପାଟ ରନ୍ନାବଳୀ

 

୧୨.

କୁଞ୍ଜ ବିହାର (ଅନୁପଲବ୍‌ଧ)

 

୧୩.

ଗୋବିନ୍ଦ ଗୁଣ କୀର୍ତ୍ତନମାଳା (ଅନୁପଲବ୍‌ଧ)

 

୧୪.

ଦ୍ରୁତ ସୂର୍ଯ୍ୟୋଦୟ (ଅନୁପଲବ୍‌ଧ)

 

୧୫.

ବ୍ରହ୍ମାଣ୍ତ ମଙ୍ଗଳ (ଅନୁପଲବ୍‌ଧ)

 

୧୬.

କୀର୍ତ୍ତନ ଉଜ୍ଜ୍ଵଳ

(ଘ)

ଜୀବନୀ ସାହିତ୍ୟ

 

୧୭.

ବିଶ୍ଵମ୍ଭର ବିହାର

 

୧୮.

ଚୌର ଚିନ୍ତାମଣି

(ଙ)

ଅନୁବାଦ ସାହିତ୍ୟ

 

୧୯.

ପ୍ରେମ କଳ୍ପଲତା

 

୨୦.

ବ୍ରଜଲୀଳାମୃତ ସମୁଦ୍ର

 

୨୧.

ଉଜ୍ଜ୍ଵଳ ନୀଳମଣି (ଅନୁପଲବ୍‌ଧ)

 

୨୨.

ପ୍ରେମ ଚିନ୍ତାମଣି (ବଙ୍ଗାନୁବାଦ ଅନୁପଲବ୍‌ଧ)

 

୨୩.

ହରିଭକ୍ତି କଳ୍ପଲତା (ଅନୁପଲବ୍‌ଧ)

 

୨୪.

ଶ୍ରୀ କୃଷ୍ଣ ଚୈତନ୍ୟ ଚରିତାମୃତସାର (ଅନୁପଲବ୍‌ଧ)

 

୨୫.

ଭଗବତ୍ ଗୀତାନୁବାଦ

(ଚ)

ଶାସ୍ତ୍ରୀୟ ରଚନା

 

୨୬.

ସଙ୍ଗୀତ ସଦାନନ୍ଦ

 

୨୭.

ବାଳ ବୋଧିନୀ

 

୨୮.

ସ୍ମର ଦୀପିକା ବା ସ୍ମର ଶାସ୍ତ୍ର

(ଛ)

କ୍ଷୁଦ୍ର ଗୀତିକାବଳୀ

 

୨୯.

ଦୂତୀ ଚଉତିଶା

 

୩୦.

କୋଇଲି ଚଉତିଶା

 

୩୧.

ଶ୍ରୀ ନୀଳାଦ୍ରିନାଥ ମଣିମା ଜଣାଣ

 

୩୨.

ଶ୍ରୀ ଚୈତନ୍ୟ ଜଣାଣ

 

୩୩.

ନୂଆଗଡ଼ ଲଡ଼ୁ କେଶ୍ଵରଙ୍କ ଜଣାଣ

 

୩୪.

ମନଃ ଶିକ୍ଷା

 

୩୫.

ଚଉପଦୀ ସମାହାର

 

ଉପର୍ଯ୍ୟୁକ୍ତ କାବ୍ୟ କବିତାମାନଙ୍କ ମଧ୍ୟରେ କୁଞ୍ଜବିହାର, ଗୋବିନ୍ଦ ଗୁଣ କୀର୍ତ୍ତନ ମାଳା, ବ୍ରତସୂର୍ଯ୍ୟୋଦୟ, ବ୍ରହ୍ମାଣ୍ତ, ମଙ୍ଗଳ ଉଜ୍ଜ୍ଵଳ ନୀଳମଣି, ହରିଭକ୍ତି କଳ୍ପଲତା ଓ ଶ୍ରୀକୃଷ୍ଣ ଚୈତନ୍ୟ ଚରିତାମୃତ ସାର କେଉଁଠି ହେଲେ ଦେଖିବାକୁ ମିଳୁନାହିଁ । ବର୍ତ୍ତମାନ ଏଗୁଡ଼ିକ ସମ୍ପୂର୍ଣ୍ଣ ଅନୁପଲବ୍‌ଧ-। ଅବଶିଷ୍ଟ ଗ୍ରନ୍ଥ ଗୁଡ଼ିକର ପୋଥି ବାଣୀବିହାରସ୍ଥ ‘ପୋଥି ସଂରକ୍ଷଣ ଗ୍ରନ୍ଥାଗାର’ ଓ ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ପୋଥିବିଭାଗରେ ଏକାଧିକ ନକଲ ସଂରକ୍ଷିତ ହୋଇଅଛି । ଏହି ଉପଲବ୍‌ଧ ପୋଥିମାନଙ୍କ ମଧ୍ୟରୁ ଯୁଗଳ ରସାମୃତ ଲହରୀ, ପ୍ରେମତରଙ୍ଗିଣୀ, ପ୍ରେମ କଳ୍ପଲତା, ନାମଚିନ୍ତାମଣି, ନିଷ୍ଠାନୀଳମଣି ଓ ଚୌର ଚିନ୍ତାମଣି ବିଭିନ୍ନ ସମୟରେ ମୂଦ୍ରିତ ପୁସ୍ତକାକାରରେ ପ୍ରକାଶିତ ହୋଇଥିଲେ ମଧ୍ୟ ବର୍ତ୍ତମାନ ତାହା ଏକାନ୍ତ ଦୁଷ୍ପ୍ରାପ୍ୟ । ଏଣୁ ସାଧାରଣ ପାଠକମାନଙ୍କ ଜିଜ୍ଞାସା ଚରିତାର୍ଥ କରିବାପାଇଁ କବିଙ୍କ ଉପଲବ୍‌ଧ ସୃଷ୍ଟି ସମ୍ଭାର ବିଷୟରେ ଏଠାରେ ସାମାନ୍ୟ ସୂଚନା ଦିଆଯାଇଛି ।

ଲଳିତ ଲୋଚନ

 

ଲଳିତ ଲୋଚନ ଗୋଟିଏ କାଳ୍ପନିକ ରୀତିକାବ୍ୟ ଓ ସଦାନନ୍ଦଙ୍କ ପ୍ରଥମ ସାହିତ୍ୟିକ ଅବଦାନ । ବାବନଟି ଛାନ୍ଦରେ ଏ କାବ୍ୟଟି ସମ୍ପୂର୍ଣ୍ଣ ହୋଇଛି । କାବ୍ୟର ଗଠନକୌଶଳ, ସୌନ୍ଦର୍ଯ୍ୟ ସମାବେଶ ଓ ବର୍ଣ୍ଣନ ପରିପାଟିରେ ମହାକାବ୍ୟ ସୁଲଭ ସମସ୍ତ ଧର୍ମ ସଂରକ୍ଷିତ । “ଆଦୌ ନମସ୍କ୍ରିୟା” ଦି ଲକ୍ଷଣ ଅନୁସାରେ ସଦାନନ୍ଦ ପ୍ରଥମେ ‘ରାଧାକାନ୍ତ’ଙ୍କୁ ବନ୍ଦନା କରି ଗ୍ରନ୍ଥ ଆରମ୍ଭ କରିଛନ୍ତି । ଏଥିରୁ ମନେହୁଏ ‘ଲଳିତଲୋଚନ’ ଲେଖାହେବା ବେଳକୁ କବିବୈଷ୍ଣବ ଚେତନାରେ ଉଦ୍‍ବୁଦ୍ଧ ହୋଇସାରିଥିଲେ; କିନ୍ତୁ ସଂସାର ତ୍ୟାଗୀ ହୋଇ ସନ୍ୟାସ ଗ୍ରହଣ କରି ନଥିଲେ । ବାବା ଲଡ଼ୁକେଶ୍ଵର ତାଙ୍କ ଇଷ୍ଟଦେବତା ହୋଇଥିଲେ ମଧ୍ୟ ସେ ଗ୍ରନ୍ଥାରମ୍ଭରେ ‘ରାଧାକାନ୍ତ’ ଙ୍କୁ ଆରାଧ୍ୟ ଦେବତାଭାବେ ବନ୍ଦନା କରିଥିବାରୁ ତାଙ୍କର ବୈଷ୍ଣବତ୍ଵ ସୂଚିତ ହେଉଛି । ଅନ୍ୟପକ୍ଷରେ ତାଙ୍କର ବ୍ରହ୍ମଚର୍ଯ୍ୟାଶ୍ରମ’ କାଳୀନ ସମସ୍ତ ରଚନାରେ କେବଳ ରାଧାକୃଷ୍ଣ ବ୍ୟତିତ ଆଉ କୌଣସି ଦେବଦେବୀଙ୍କ ପ୍ରତି ଆନୁଗତ୍ୟ ପ୍ରକାଶ କରିନାହାନ୍ତି; କିନ୍ତୁ ଲଳିତଲୋଚନାରେ ଶ୍ରୀ ଜଗନ୍ନାଥ ଙ୍କୁ ସ୍ମରଣ କରିଥିବାରୁ (୬/୭) ଏହା ତାଙ୍କର ‘ପୂର୍ବାଶ୍ରମ’ ର ରଚନା ବୋଲି ସହଜରେ କଳନା କରିହୁଏ । ନମସ୍କ୍ରିୟା ପରେ ଚିରାଚରିତ ରୀତିରେ ସାଧୁପ୍ରଶଂସା ଓ ଖଳନିନ୍ଦା କରାଯାଇଛି । କାବ୍ୟର ଆଭିମୁଖ୍ୟ ଘୋଷଣା କରି କବି କହିଛନ୍ତି ଯେ, ଏ କାବ୍ୟଟି ନାଗରୀ ନାରୀ ପରି କଳାପ୍ରବଣା ହେବ । ଅଳଙ୍କାର ବିମଣ୍ଡିତା ଓ ବକ୍ତୋକ୍ତି ନିପୁଣା ହୋଇ ରସିକ ମନୋହାରିଣୀ ହେବ, ପୁଣି ରସ,ରୀତି ଓ ଧ୍ଵନିର ସୁଚାରୁ ଅଭିବ୍ୟଞ୍ଜନାରେ ପାଠକ ମାନଙ୍କୁ ବିମୁଗ୍‌ଧ କରିଦେବ । କାବ୍ୟ ପରିକଳ୍ପନାରେ କବିଙ୍କ ଇପ୍‌ସିତ କାମନା ଚରିତାର୍ଥ ହୋଇଛି । ଶୃଙ୍ଗାର ରସାଶ୍ରିତ ଲଳିତଲୋଚନାର ଆଙ୍ଗିକ ସୁଷମା ଯେପରି ଚିତ୍ତାକର୍ଷକ, ଆତ୍ମିକ ରୂପବିଭବ ମଧ୍ୟ ସେପରି ଚମତ୍କାରକାରୀ ହୋଇ ପାରିଛି । ମନେହୁଏ ଏ କାବ୍ୟର ଅଙ୍ଗ ସୌଷ୍ଠବ ସମ୍ପାଦନରେ ସଦାନନ୍ଦ ଉପେନ୍ଦ୍ର ଭଞ୍ଜଙ୍କ ଲାବଣ୍ୟବତୀ କାବ୍ୟର ସୃଷ୍ଟି ଶିଳ୍ପ ଦ୍ଵାରା ବିଶେଷ ଭାବରେ ଅନୁପ୍ରାଣିତ । ଉଦାହରଣ ସ୍ଵରୂପ ଲାବଣ୍ୟବତୀ ଓ ଚନ୍ଦ୍ରଭାନୁର ପୂର୍ବଜନ୍ମ ବୃତ୍ତାନ୍ତ ପରି ଏହାର ପରିକଳ୍ପନାରେ ମଧ୍ୟ ନାୟକ ଓ ନାୟିକାର ପୂର୍ବଜନ୍ମ କଥା ବର୍ଣ୍ଣନା କରାଯାଇଛି ।
 

ଥରେ ଲକ୍ଷ୍ମୀ ଓ ନାରାୟଣ ଏକାନ୍ତ ଆଳାପରେ ମଜ୍ଜିଥିବା ବେଳେ, ନାରାୟଣ କାମପୀଡ଼ା ଅନୁଭବ କଲେ । ଲକ୍ଷ୍ମୀ ଏହା ଜାଣିପାରି ନାରାୟଣଙ୍କୁ ଅପଦସ୍ଥ କରିବାପାଇଁ ମନସ୍ଥ କରି ନିଜ ମନରୁ ଗୋଟିଏ ଅନିନ୍ଦ୍ୟା ସୁନ୍ଦରୀ କନ୍ୟା ଜାତ କଲେ । ତାହାକୁ ସେ ନିର୍ଦ୍ଦେଶ ଦେଇ କହିଲେ ଯେ, ସେ ନାରାୟଣଙ୍କ ନିକଟକୁ ଯାଇ ଏପରି କର୍ମରେ ପ୍ରବୃତ୍ତ ରହିବ, ଯାହାଦ୍ଵାରା ନାରାୟଣ କାମାତୁର ହୋଇ ବିରହ ଯନ୍ତ୍ରଣାରେ ମୁହ୍ୟମାନ ହେବେ । କିନ୍ତୁ ଏହା ସହିତ ଆହୁରି ଗୁରୁତର ଆଦେଶ ମଧ୍ୟ ଥିଲା ଯେ, ସେ ସବୁ କରି ପାରେ କିନ୍ତୁ ଭୁଲରେ ସୁଦ୍ଧା କୈଣସି ପୁରୁଷର ଅଂଗକୁ ସ୍ପର୍ଶ କରିବ ନାହିଁ । ଯଦିକରେ ତେବେ ତାହାର ମରଣ ସୁନିଶ୍ଚିତ । ଏହିପରି ଗୋଟିଏ ଅନିନ୍ଦ୍ୟ ସୁନ୍ଦରୀ କନ୍ୟାକୁ ଆସୁଥିବାର ଦେଖି ଅନ୍ତର୍ଯ୍ୟାମୀ ନାରାୟଣ ଲକ୍ଷ୍ମୀଙ୍କ ମୂଳ ଉଦ୍ଦେଶ୍ୟ ବୁଝିପାରି ସ୍ଵନିଃଶ୍ଵାସରୁ ଏକ ଅନିନ୍ଦ୍ୟ ସୁନ୍ଦର ପୁରୁଷ ଜାତ କଲେ । ଲକ୍ଷ୍ମୀଙ୍କ ମନରୁ ଜାତ ହୋଇଥିବାରୁ କନ୍ୟାର ନାମ ମନୋଜା ଓ ବିଷ୍ଣୁଙ୍କ ନିଃଶ୍ଵାସରୁ ଜାତ ହୋଇଥିବାରୁ ପୁରୁଷର ନାମ ଶ୍ଵାସୋଦ୍‌ଭବ ହେଲା । ଦୁହେଁ ଦୁହିଁଙ୍କୁ ଏକାନ୍ତରେ ପାଇ ଦୁର୍ବାର କାମତୃଷ୍ଣାରେ ପରସ୍ପର ପ୍ରତି ଆକୃଷ୍ଟ ହେଲେ । ଉଦ୍ଦାମ ଯୌବନର ଅତିଶୟ ଉନ୍ନାଦନାରେ ମନୋଜା ଲକ୍ଷ୍ମୀଙ୍କ ବାରଣ ଭୁଲି ଗଲେ । ଦୁଇବାହୁ ପ୍ରସାରିତ କରି ମନର ମଣିଷଟିକୁ ଆଲିଙ୍ଗନ କରିବା ପାଇଁ ଅଗ୍ରସର ହୋଇ ପୁରୁଷତନୁ ସ୍ପର୍ଶ କରିବା ମାତ୍ରେ ମନୋଜାର ପ୍ରାଣବାୟୁ ଉଡ଼ିଗଲା । ପ୍ରାଣପ୍ରିୟା ମନୋଜାର ଅକାଳ ମୃତ୍ୟୁରେ ନାୟକ ଶ୍ଵାସୋଦ୍‌ଭବ ଦୁଃଖରେ ବିଳାପ କରନ୍ତେ, ଲକ୍ଷ୍ମୀନାରାୟଣ ତାହାକୁ ଆଶ୍ଵାସନା ଦେଇ କହିଲେ ଯେ ପରଜନ୍ମରେ ସେ ମନୋଜାକୁ ପାଇପାରିବେ । ଫଳରେ ସୂର୍ଯ୍ୟବଂଶୀ ମହାନଗ୍ରାଧିପତି ପରମ ବୈଷ୍ଣବ ରାଜା ବୃଷବନ୍ତଙ୍କ ପୁତ୍ର ରୂପେ ଶ୍ଵାସୋଦ୍‌ଭବ ଓ ତୈଲଙ୍ଗ ଦେଶର ରାଜା ଶାନ୍ତିଶୀଳଙ୍କ କନ୍ୟା ରୂପେ ମନୋଜା ଜନ୍ମଗ୍ରହଣ କଲେ ।

 

ଶ୍ଵାସୋଦ୍‌ଭବ ନିପୁଣ ତିଳକଭାବରେ ବୃଷବନ୍ତଙ୍କ ରାଣୀ ସୁଲକ୍ଷଣାଙ୍କ ଗର୍ଭରୁ ଜନ୍ମଲାଭ କଲେ । କ୍ରମେ ରୂପ ଓ ଗୁଣରେ ତାହାଙ୍କର ଅସାମାନ୍ୟ ତେଜ ଫୁଟି ଉଠିଲା । ସଖା ପରିବେଷ୍ଟିତ ରାଜକୁମାରଙ୍କ ଅପୂର୍ବ ସୌନ୍ଦର୍ଯ୍ୟରେ ମୁଗ୍‌ଧ ହୋଇ ଜଣେ ଶିବ ଭକ୍ତ ଜଙ୍ଗମ, ନିପୁଣ ତିଳକଙ୍କ ଚିତ୍ର ଚିତ୍ରପଟରେ ଲେଖି ଦେଶ ବିଦେଶରେ ପ୍ରଦର୍ଶନ କରି ବୁଲିଲେ । ବିଶ୍ଵସାରା ନଗରାଧିପତି ତୈଲଙ୍ଗ ଦେଶର ରାଜା ଶାନ୍ତିଶୀଳଙ୍କ ରାଣୀ ଗୁଣବନ୍ତୀ ଗୋଟିଏ ଅନୁପମ ସୁଷମା ସମନ୍ଵିତା କନ୍ୟା ଲାଭକଲେ । ତାହାର ନେତ୍ର ଲାଳିତ୍ୟରେ ମୁଗ୍‌ଧ ହୋଇ ତାହାକୁ ‘ଲଳିତ ଲୋଚନା’ ନାମ ଦେଲେ-। ଜ୍ୟୋତିଷ କନ୍ୟା ଲଳିତଲୋଚନାଙ୍କ ଶିକ୍ଷାଦାତ୍ରୀ ଭାବେ ନିଯୁକ୍ତ ହୋଇ ସାହିତ୍ୟ, ସଙ୍ଗୀତ ଓ ରତିଶାସ୍ତ୍ରାଦି ଶିକ୍ଷା ଦେଲେ । ରାଜକୁମାରୀ କ୍ରମେ ବାଲ୍ୟ,ପୌଗଣ, ଅବସ୍ଥା ଅତିକ୍ରମ କରି କିଶୋରୀ ହେଲେ । ଅଙ୍ଗପ୍ରତ୍ୟଙ୍ଗରେ ଲାବଣ୍ୟର ବନ୍ୟା ପ୍ରବାହିତ ହେଲା । ମନରେ ପ୍ରଜାପତିର ଡେଣା ଲାଗିଗଲା ।

 

ଦିନେ ନବବସନ୍ତର ଆଗମନରେ ଉନ୍ମନା ଲଳିତଲୋଚନା ସଖୀମାନଙ୍କସହ ବନ ଭ୍ରମଣରେ ବାହାରିଲେ । ପ୍ରାକୃତିକଶୋଭା ସମ୍ପନ୍ନ ବନରେ ସଖୀମାନଙ୍କ ସହିତ ହାସପରିହାସରେ କିଛି ସମୟ ଅତିବାହିତ କରିବା ପରେ ଗୋଟିଏ ପଦ୍ମ ବନରେ ନାନା କୌତୁକରେ ଜଳକ୍ରୀଡ଼ା ସାରି ରାଜବନରକୁ ପ୍ରତ୍ୟାବର୍ତ୍ତନ କଲେ । ସେଦିନ ରାତିରେ ରାଜଜେମା ସ୍ଵପ୍ନ ଦେଖିଲେ ଯେ, ସ୍ଵୟଂ ଶିବ ଉଭା ହୋଇ ଲଳିତଲୋଚନାଙ୍କୁ କହୁଛନ୍ତି-“ତୋର ସଂସାର ସାରବର ଲାଭ ହେବ । ସେ ବିଷୟରେ ନିକଟରେ କିଛି ସଙ୍କେତ ମିଳିବ । ସ୍ଵକୀୟା ମାୟାବତୀ ମାଳିନୀ ଗୋଟିଏ ସାକ୍ଷାତ୍ ଯୋଗିନୀ । ତାହାକୁ ‘ଦୂତୀ’ ଭାବରେ ନିଯୁକ୍ତି କଲେ ସେ ତନ୍ତ୍ରମନ୍ତ୍ର ବଳରେ ଅଚିରେ କାର୍ଯ୍ୟ ସମ୍ପାଦନ କରିପାରିବ ।”

 

ଦିନେ ରାଜା ଶାନ୍ତିଶୀଳ ସମ୍ମୁଖରେ ଉପସ୍ଥିତ ହୋଇ ଜଣେ ଚିତ୍ରକଳା ନିପୁଣ ଜଙ୍ଗମ ନିଜର ଅଦ୍ଵିତୀୟ ଚିତ୍ରପଟଗୁଡ଼ିକୁ ପ୍ରଦର୍ଶନ କରୁଥିଲା । ସମସ୍ତେ ମନ୍ତ୍ରମୁଗ୍‌ଧ ହୋଇ ଚିତ୍ରପଟଗୁଡ଼ିକୁ ଦେଖୁଥିଲେ । ତାରି ମଧ୍ୟରେ ଥିବା ନିପୁଣ ତିଳକଙ୍କ ଅପୂର୍ବ ଶୋଭାସମ୍ପନ୍ନ ଚିତ୍ରପଟଟି ଦେଖି ରାଜଜେମାଙ୍କ ମନର ପ୍ରୀତିକୋରକଟି ମୁକୁଳିତ ହୋଇ ଉଠିଲା । ସେ ମନେ ମନେ ନିପୁଣ ତିଳକଙ୍କ ସହିତ ପ୍ରେମବନ୍ଧନରେ ବାନ୍ଧିହେଲେ ।

 

ଦିନେ ଅବଲୀଳାକ୍ରମେ ନିପୁଣତିଳକ ସୈନ୍ୟସାମନ୍ତ ଓ ସଖାମାନଙ୍କ ସହିତ ମୃଗୟା ଉଦ୍ଦେଶ୍ୟରେ ଘୋର ବନରେ ପ୍ରବେଶ କଲେ । ଶିକାର ଖୋଜୁ ଖୋଜୁ ମନ୍ତ୍ରୀସୁତ ସହିତ ରାଜପୁତ୍ର ବାଟବଣା ହୋଇ ଗୋଟିଏ ଦିବ୍ୟକାନନସ୍ଥ ନଦୀତଟରେ ଉପସ୍ଥିତ ହେଲେ । ସେଠାରେ ଗୋଟିଏ ଦିବ୍ୟ ସୁନ୍ଦରୀର ଅପୂର୍ବ ରୂପ ଦେଖି ରାଜପୁତ୍ର ବିମୋହିତ ହେଲେ । ଦୁହେଁ ପରସ୍ପର ପ୍ରତି ଆକୃଷ୍ଟ ହେଲେ । ଏକାକିନୀ ସେ ସୁନ୍ଦରୀ କାହିଁକି ଏ ନିର୍ଜନ ବନରେ ବିଚରଣ କରୁଛନ୍ତି ବୋଲି ପ୍ରଶ୍ନ ହେବାରୁ ସେ ସାୟାବିନୀ ମୋହିନୀ କହିଲେ-“ମୁଁ ଜଣେ ରାଜକୁମାରୀ । ପିତାଙ୍କ ଦ୍ଵାରା ଆୟୋଜିତ ବର ପାତ୍ରଟି ମୋର ପସନ୍ଦ ନ ହେବାରୁ ମୁଁ ରାଜପ୍ରାସାଦ ଛାଡ଼ି ଏଠାରେ ବୁଲୁଛି । ମୁଁ ବ୍ରହ୍ମାନନ୍ଦ ଅବଧୂତଙ୍କ ଶିଷ୍ୟା । ବେତାଳ ବିଦ୍ୟା ମୋତେ ଜଣା । ଗୁରୁ କୃପାରୁ ମୋର କାହାରିକି ଭୟନାହିଁ । କେହି ମୋର କିଛି କରି ପାରିବେ ନାହିଁ । ପରେ ପରେ ରାଜକୁମାରଙ୍କ ପରିଚୟ ପାଇ ସେମାନେ ପରସ୍ପର ପରିଣୟ ଫାଶରେ ଆବଦ୍ଧ ହେବା ପାଇଁ ସ୍ଥିର କଲେ । ନିପୁଣତିଳକ ମାୟାବିନୀ ରାଜକୁମାରୀଙ୍କୁ ପାଲିଙ୍କିରେ ବସାଇ ସ୍ଵରାଜଧାନୀ ଅଭିମୁଖେ ପ୍ରସ୍ଥାନ କଲେ । ବାଟରେ ନେପାଳ ରାଜାଙ୍କୁ ଯୁଦ୍ଧରେ ପରାସ୍ତ କରି ପାଲିଙ୍କିଶୂନ୍ୟ ଥିବା ଦେଖିଲେ । ଏହି ସମୟରେ ଜଣେ ଅବଧୁତଙ୍କ ସହିତ ଦେଖାହେଲା ଓ ସେ ସେହି ମାୟାବିନୀ ସୁନ୍ଦରୀ ଓ ଯୁଦ୍ଧର ବୃତ୍ତାନ୍ତ ବର୍ଣ୍ଣନା କରି ସବୁ ମାୟା ପ୍ରଣୋଦିତ ବୋଲି ସୂଚନା ଦେଲେ ।

 

ଏହାପରେ ଚିତ୍ରକାର ଜଙ୍ଘମ ନିପୁଣତିଳକଙ୍କୁ ଲଳିତଲୋଚନାର ଚିତ୍ରପଟ ଦେଖାଇଲେ-। କୁମାର ରୂପଦର୍ଶନରେ ମୁଗ୍‌ଧ ହୋଇ ଲଳିତଲୋଚନା ପ୍ରେମରେ ପଡ଼ିଗଲେ । ଏଣେ ଲଳିତଲୋଚନା ନିପୁଣତିଳକଙ୍କୁ ଚିତ୍ରପଟ ଦେଖିବା ଦିନୁ ବିରହରେ କାତର ହୋଇ ଅସନ ବସନ ତ୍ୟାଗ କରିବାରୁ ସଖିମାନେ ସ୍ଵପାବିଷ୍ଟ ଯୋଗିନୀ ମାଳିନୀକୁ ଚିତ୍ରପଟଗତ ପୁରୁଷକୁ ଖୋଜି ବାହାର କରିବା ପାଇଁ ନିର୍ଦ୍ଦେଶ ଦେଲେ । ମାଳିନୀ ସ୍ଵମାୟା ବଳରେ ରାଜପ୍ରାସାଦରେ ପ୍ରବେଶ କରି କୁମାର ସମ୍ମୁଖରେ ଜେମାମଣିର ରୂପଗୁଣ ବର୍ଣ୍ଣନା କଲା । ମାଳିନୀ ସ୍ଵମନ୍ତ୍ର ବଳରେ ଦିବ୍ୟାଞ୍ଜନ ଆଖିରେ ଲଗାଇ ଦେବାରୁ କୁମାର ରାଜକୁମାରୀଙ୍କୁ ଦେଖିପାରିଲେ । ସେ କୁମାରୀ ପ୍ରାପ୍ତି ଲୋଭରେ ଅତ୍ୟନ୍ତ ଆକୁଳିତ ହେବାରୁ ମାଳିନୀର ପରାମର୍ଶ କ୍ରମେ କୁମାରୀ ନିକଟକୁ ଗୋଟିଏ ପତ୍ର ଲେଖିଲେ ।

 

ମାଳିନୀ କୁମାରୀଙ୍କୁ ଚିଟାଉଟି ଦେଇ ସେହି ରାଜ୍ୟ, ନଗର, ଶାସନ, ରାଜା ଓ ରାଜକୁମାରୀଙ୍କ ପ୍ରତିଷ୍ଠା ଓ ସୌନ୍ଦର୍ଯ୍ୟ ବର୍ଣ୍ଣନା କଲା । ପତ୍ର ପାଠକରି ଜେମାମଣି ରାଜକୁମାରଙ୍କ ପ୍ରଗାଢ଼ ପ୍ରେମର ପରିଚୟ ପାଇ ଦିନୁଦିନ ବିରହଦଶାର ତୀବ୍ରତାରେ ପଡ଼ି ଆହାର ବିହାର ତ୍ୟାଗ କଲେ । ତନୁ କ୍ଷୀଣ ହେବାକୁ ଲାଗିଲା । ଚିନ୍ତିତ ରାଜାରାଣୀ, ଦାସୀ ଓ ପରିଚାରିକାଙ୍କ ପରାମର୍ଶକ୍ରମେ ଜେମାଙ୍କ ବିବାହ ପାଇଁ ସ୍ଵୟମ୍ଵର ଆୟୋଜନ କଲେ । ଚାରମାନେ ଦେଶ ଦେଶ ବୁଲି ରାଜପୁତ୍ରମାନଙ୍କୁ ନିମନ୍ତ୍ରଣ କଲେ । ଏହି ସମୟରେ ଲଳିତଲୋଚନାଙ୍କ ଠାରୁ ପତ୍ରନେଇ ମାଳିନୀ ନିପୁଣତିଳକଙ୍କ ହସ୍ତରେ ପ୍ରଦାନ କଲା । ପତ୍ରରେ କୁମାରୀର କୁମାର ପ୍ରତି ଯେଉଁ ପ୍ରେମ ନିବେଦନ ନିହିତ ଥିଲା, ତାହା ପଢ଼ି କୁମାର ସ୍ଵୟମ୍ଵରକୁ ଯିବାପାଇଁ ଅତ୍ୟନ୍ତ ଉଦ୍‌ବିଗ୍ନ ହେଲେ । ପିତାଙ୍କଠାରୁ ଅନୁମତି ନେଇ ସୈନ୍ୟସାମନ୍ତ ସଖାମାନଙ୍କ ସହିତ ତୈଲଙ୍ଗ ଦେଶ ଉଦ୍ଦେଶ୍ୟରେ ପ୍ରସ୍ଥାନ କଲେ । ନାୟିକା ପ୍ରାପ୍ତି ଲୋଭରେ ଅତ୍ୟନ୍ତ ପୁଲକିତ ରାଜକୁମାର ନିରତିଶୟ ଉତ୍ସାହ ଓ ଉତ୍ତେଜନାରେ ନବଦାମ୍ପତ୍ୟ ଜୀବନର ଶତ ବର୍ଣ୍ଣାଢ଼୍ୟ କଳ୍ପନାରେ ନିମଗ୍ନ ହେଲେ।

 

ବିଭିନ୍ନ ଦେଶରୁ ରାଜପୁତ୍ରମାନେ ସ୍ଵୟମ୍ଵର ଉଦ୍ଦେଶ୍ୟରେ ଆସିବାକୁ ଲାଗିଲେ । ଲଳିତଲୋଚନା ବଡ଼ଭ ଉପରେ ବସି ସେମାନଙ୍କର ଔତ୍ସୂକ୍ୟପୂର୍ଣ୍ଣ ଆଗମନ ଓ ପଟୁଆର ଲକ୍ଷ୍ୟ କରୁଥିଲେ । ନିପୁଣତିଳକଙ୍କ ଆଗମନ ଲକ୍ଷ୍ୟ କରି ସେ ମହା ଉତ୍ସାହରେ ଅଧୀର ହୋଇ ପଡ଼ିଲେ-। କୁମାରୀ ଓ କୁମାରଙ୍କର ଚାରିଚକ୍ଷୁ ମିଳନ ହେଲା । ତୋଟାନବରରେ ରାଜକୁମାରଙ୍କ ରହିବା ବ୍ୟବସ୍ଥା କରାଯାଇଥିଲା । ମାଳିନୀ ସେଠାରେ ପହଞ୍ଚି ସମସ୍ତ କୁଶଳ ଜିଜ୍ଞାସା କରି କୁମାରଙ୍କ ଠାରୁ ଗୋଟିଏ ପତ୍ର ଆଣି ରାଜକୁମାରୀଙ୍କ ହସ୍ତରେ ସମର୍ପଣ କଲା । ସେ ପତ୍ର ପାଠ କରି ରାଜଜେମା କୁମାରଙ୍କ ପ୍ରତି କୃତଜ୍ଞତାରେ କୃତ କୃତ୍ୟ ହେଲେ । ଆନନ୍ଦର ଆତିଶଯ୍ୟରେ ଉଚ୍ଚାଟିତ ହୋଇ ବାରମ୍ଵାର ସେହି ପ୍ରେମପୂର୍ଣ୍ଣ ପତ୍ରଟି ପଢ଼ିବାକୁ ଲାଗିଲେ । ମନରେ ଶତ ଇନ୍ଦ୍ରଧନୁର ବର୍ଣ୍ଣିଳ ଛବି ଫୁଟି ଉଠିଲା ।

 

ସୁରମ୍ୟ ସ୍ଵୟମ୍ଵର ମଣ୍ତପରେ ରାଜକୁମାରମାନେ ଉପବେଶନକଲେ । ବାଦ୍ୟ ଓ ବାଣରେ ଗଗନ ମଣ୍ତଳ କମ୍ପି ଉଠିଲା, । ମାଳିନୀ ରାଜଜେମାଙ୍କୁ ଜଣେ ଜଣେ କରି ସମସ୍ତ ରାଜପୁତ୍ରଙ୍କ ପରିଚୟ ଦେଲା । ଶେଷରେ ଲଳିତଲୋଚନା ନିପୁଣତିଳକଙ୍କ ଗଳାରେ ବରଣମାଳାଦେଇ ପତିରୂପେ ନିର୍ବାଚନ କଲେ । ବରକନ୍ୟାଙ୍କ ବିବାହ ମହା ଆଡ଼ମ୍ଵରରେ ସମ୍ପର୍ଣ୍ଣ ହେଲା । ପରଦିନ ମଧୂଶଯ୍ୟା ପାଇଁ କେଳିମନ୍ଦିରକୁ ମଣ୍ତଣି କରାଗଲା । ନାୟକ ନାୟିକାଙ୍କ ଦାମ୍ପତ୍ୟ ପ୍ରେମଲୀଳାର ବିବିଧ ବୈଚିତ୍ର୍ୟରେ ପତିପତ୍ନି ନିମଜ୍ଜିତ ହେଲେ । ପ୍ରତ୍ୟୁଷରୁ କେଳି ପୁରରୁ ବାହୁଡ଼ିବାପରେ ଜେମାଙ୍କୁ ସଖୀମାନଙ୍କର ପରିହାସ ଓ ନାୟକକୁ ପ୍ରୌଢ଼ା ପରିଚାରିକାମାନଙ୍କର ପରିହାସରେ ରାଜଅନ୍ତପୁରର ମୁଖର ହୋଇ ଉଠିଲା । କନ୍ୟାପିତା ଶାନ୍ତିଶୀଳ ବିବିଧ ଉପଢ଼ୌକନ ଓ ଉପାୟନ ଦେଇ ବରକନ୍ୟାଙ୍କୁ ବିଦାୟ ଦେଲେ । ବହୁ ଆକାଙ୍‌କ୍ଷିତ ନବଦମ୍ପତି ପରସ୍ପରକୁ ଅତି ନିକଟରେ ପାଇ ମହାଉତ୍ସାହ ଓ ଆନନ୍ଦରେ ପ୍ରତ୍ୟେକ ମୁହୂର୍ତ୍ତଟି ସରସ ପରିବେଶ ମଧ୍ୟରେ ଅତିବାହିତ କଲେ । ହିମ ଓ ଶିଶିର ଋତୁର ବର୍ଣ୍ଣାଢ଼୍ୟ ବୈଚିତ୍ର୍ୟ ମଧ୍ୟରେ ପ୍ରେମୋନ୍ମତ୍ତ ଦାମ୍ପତ୍ତ୍ୟ ଜୀବନର ନିବିଡ଼ତା ନୂତନ ଉନ୍ମାଦନାର ଶତ ଦିଗନ୍ତ ଉନ୍ମୋଚିତ କରିଦେଲା ।

 

ଋତୁରାଜ ବସନ୍ତର ଆଗମନରେ ସମଗ୍ର ସୃଷ୍ଟି ଉଲ୍ଲସିତ ହେଲା, ଜୀବମାତ୍ରେ କାମ କାମନାରେ ଅସ୍ଥିର ହେଲେ । ନାୟକ ନାୟିକା ଉପବନ ମଣ୍ତପରେ ପ୍ରେମାଳାପରେ ମଜ୍ଜିଥିବା ବେଳେ ହଠାତ୍ ଗୋଟିଏ ସିଂହର ଗର୍ଜନ ଶୁଣି ଓ ଦୌରାତ୍ମ୍ୟର ବାର୍ତ୍ତାପାଇ ନିପୁଣତିଳକ ସିଂହ ସହିତ ଯୁଦ୍ଧ କରିବା ପାଇଁ ଚାଲି ଗଲେ । ଆୟାସରେ ସିଂହକୁ ହତ୍ୟା କରନ୍ତେ ପଡ଼ୋଶୀ ରାଜ୍ୟର ଯୁବରାଜ ଶୋଭାକର କୁମାରଙ୍କୁ ନିଜ ରାଜ୍ୟକୁ ସସମ୍ମାନେ ପାଛୋଟି ନେଲେ ଏବଂ ଅନୁରୋଧ କଲେ ଯେ ସେ ସେଠାରେ ଶରତ ଋତୁ ପର୍ଯ୍ୟନ୍ତ ରହି ଯୁଦ୍ଧବିଦ୍ୟା ଶିକ୍ଷା ଦେବେ । ଏ ପ୍ରସ୍ତାବରେ ସମ୍ମତି ପ୍ରକାଶ କରି ନିପୁଣ ତିଳକ ସେଠାରେ ଅବସ୍ଥାନ କଲେ ।

 

ପରେ ପରେ ଗ୍ରୀଷ୍ମଋତୁ ଓ ବର୍ଷା ଋତୁର ଆଗମନରେ ନାୟକ ଓ ନାୟିକା ବିରହାନୁଚିନ୍ତାରେ ବିମଥିତ ହେଲେ । ଶରତ ଋତୁର ଆଗମନରେ ନିପୁଣତିଳକ ସ୍ଵଦେଶ ପ୍ରତ୍ୟାବର୍ତ୍ତନ କରି ଲଳିତଲୋଚନା ସହିତ ମିଳିତ ହେଲେ । ଦୁଃଖର ରଜନୀ ଶେଷ ହେଲା । ବିରହ ପୀଡ଼ିତା ନାୟିକାର ମାନ, ଚାଟୁ ବଚନ ବିନ୍ୟାସର ପର୍ବ ଶେଷରେ ପ୍ରଣୟୀ ଓ ପ୍ରଣୟିନୀଙ୍କ ଦାମ୍ପତ୍ୟ ପ୍ରେମର ବନ୍ୟା ଛୁଟିଲା । ଉପଯୁକ୍ତ ସମୟ ଉପସ୍ଥିତ ହୁଅନ୍ତେ ରାଜା ଦୃଷବନ୍ତ ରାସଲୀଳା ଉତ୍ସବ ପାଳନ କଲେ । ଉତ୍ସବ ପରେ ରାଜା ସମସ୍ତ ପାତ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଯୁବରାଜଙ୍କୁ ପାଖକୁ ଡାକି କହିଲେ ସଂସାର ଅଳୀକ, ଜୀବନ ନଶ୍ଵର, ବାସୁଦେବ ଉପାସନା ହିଁ ସଂସାରେ ସାର । ରାଜା ଜୀବନର ଉଦ୍ଦେଶ୍ୟ ବ୍ୟାଖ୍ୟା କରି ବୈଷ୍ଣବଦୀକ୍ଷା ନେଇ ସସ୍ତ୍ରୀକ ବୃନ୍ଦାବନ ଗମନ କଲେ । ଯୁବରାଜ ରାଜ ସିଂହାସନରେ ଅଧିଷ୍ଠିତ ହୋଇ ରାଜ୍ୟ ଶାସନ କଲେ ।

 

ଲଳିତଲୋଚନା କାବ୍ୟଟି କବିଙ୍କର ପ୍ରଥମ ଅବଦାନ ହେଲେ ମଧ୍ୟ ଏଥିରେ ରୀତିଯୁଗୀୟ ଆଦର୍ଶ-କବିତ୍ଵର ସମସ୍ତ ସଂଭ୍ରମ ସ୍ଵାକ୍ଷର ଲିପିବଦ୍ଧ ହୋଇଛି । ଚିରାଚରିତ ରୀତିରେ କାବ୍ୟ କଥାର ପରିକଳ୍ପନା କରାଯାଇ ଥିଲେ ମଧ୍ୟ ବର୍ଣ୍ଣନାରେ ସ୍ଵାଗତଯୋଗ୍ୟ ସରଳତା ଓ ନୂତନତା ସର୍ବତ୍ର ପରିଲକ୍ଷିତ ହୁଏ । ବିଶେଷ କରି ଏହାର ସଂଭୋଗ କଳ୍ପନା ଓ ବିରହ ବର୍ଣ୍ଣନାରେ ରୀତି ଯୁଗୀୟ ପ୍ରଯତ୍ନ ପ୍ରପୀଡ଼ିତ ଅତିଚାର ଓ ଅଯଥାର୍ଥତା ନାହିଁ; ଅଛି ଉଲଙ୍ଗ ପ୍ରାଣର ସ୍ୱଚ୍ଛନ୍ଦ ଆବେଗ, ସ୍ୱାଭାବିକ ଓ ସହଜ ସ୍ୱଭାବର ବ୍ୟାପ୍ତି, ସରଳ ଓ ତରଳ ପ୍ରାଣର ଅଭିବ୍ୟକ୍ତି, ଯାହା ସାଧନାମୟ ପ୍ରେମସର୍ବସ୍ଵ ଋରଂସୁ ତରୁଣ ତରୁଣୀଙ୍କ କାମନାମୟ ମୁହୂର୍ତ୍ତ ଗୁଡ଼ିକୁ ମହୋତ୍ସବମୟ କରିଦିଏ ।

 

ମୋହନ କଳ୍ପଲତା

 

ମୋହନ କଳ୍ପଲତା ସଦାନନ୍ଦଙ୍କର ଦ୍ଵିତୀୟ କାଳ୍ପନିକ ରୀତି କାବ୍ୟ । ଛୟାଳିଶିଟି ଦୀର୍ଘ ଛାନ୍ଦରେ ଏହା ସମାପ୍ତ ହୋଇଛି । ଲେଖକ ତାଙ୍କର ‘ପୂର୍ବାଶ୍ରମ’ରେ ଏ କାବ୍ୟର ଶୁଭାରମ୍ଭ କରି ଅର୍ଦ୍ଧାଧିକ ଅଂଶ ଲେଖିଥିଲେ ମଧ୍ୟ, ବହୁ ବର୍ଷ ପରେ ସେ ତାଙ୍କର ପଶ୍ଚିମ ଜୀବନରେ ଅବଶିଷ୍ଟ ଅଂଶ ଲେଖି ଏହାକୁ ସମ୍ପୂର୍ଣ୍ଣ କରଛନ୍ତି ।

 

ଲଳିତ ଲୋଚନା ପରି ଏ କାଳ୍ପନିକ କାବ୍ୟର ଗତିପ୍ରକୃତି କୁ ମଧ୍ୟ ରୀତିଯୁଗୀୟ କାବ୍ୟାଦର୍ଶ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିଛି । ଚିରାଚରିତ ରୀତିରେ ପ୍ରଥମ ଛାନ୍ଦରେ ମଙ୍ଗଳାଚରଣ କରି କବି ଦ୍ଵିତୀୟ ଛାନ୍ଦରୁ କଥା ବସ୍ତୁର ସୂତ୍ରପାତ କରିଛନ୍ତି । ମଙ୍ଗଳାଚରଣ ପରେ କାଳ୍ପନିକ ରୀତି କାବ୍ୟରେ ନାୟକ ନାୟିକାଙ୍କ ପୂର୍ବଜନ୍ମ ବୃତ୍ତାନ୍ତ ବର୍ଣ୍ଣନା ଗୋଟିଏ ସାଧାରଣ କଥା ତାହାହିଁ ଏଠାରେ ମଧ୍ୟ ନିର୍ବାହ କରାଯାଇଛି । ଶ୍ରୀକୃଷ୍ଣ ଦ୍ଵାରକା ଯିବା ପରେ ଗୋପରେ ଗୋପୀମାନେ ଓ ଶ୍ରୀରାଧା କୃଷ୍ଣ ବିରହରେ ଅତ୍ୟନ୍ତ ଦୀନହୀନ ଅବସ୍ଥାରେ କାଳଯାପନ କରୁଥିଲେ । ଦିନେ ଯମୁନା କୂଳରେ ଉପସ୍ଥିତ ହୋଇ ଗୋପୀମାନେ କୃଷ୍ଣକଥା ସ୍ମରଣ କରି ବାହୁନି ବାହୁନି କାନ୍ଦିବାକୁ ଲାଗିଲେ । ରାଧାଙ୍କ ନୟନ ଯୁଗଳରୁ ବିନିର୍ଗତ ଲୋତକ ଧାରା ଗୋଟିଏ ଗର୍ଭରେ ପୁଞ୍ଜୀଭୂତ ହୋଇ ରହିଲା । ବୃନ୍ଦା ସେହି ଗର୍ଭରୁ ମୂର୍ତ୍ତିକା ଆଣି ଅବଲୀଳା କ୍ରମେ ଗୋଟିଏ ଲାବଣ୍ୟ ପ୍ରତିମା ତିଆରି କଲେ । ଶ୍ରୀରାଧା ଏକାକ୍ଷର ମନ୍ତ୍ରରେ ତାହାକୁ ଜୀବନ୍ୟାସ କରି ଗୋଟିଏ ଜୀବନ୍ତ ଦୀବ୍ୟ ନାରୀରେ ପରିଣତ କଲେ । ଗୋପୀମାନେ ଦ୍ଵାରକାସ୍ଥିତ କୃଷ୍ଣଙ୍କୁ ଗୋପୀମାନଙ୍କର ଦୁର୍ଦ୍ଦଶା ଜଣାଇବା ପାଇଁ ଏହି ସୁନ୍ଦରୀ ନାରୀକୁ ଦୂତୀ ରୂପରେ ଦ୍ଵାରକା ପଠାଇଲେ । ସେ ଦ୍ଵାରକା ଯାଇ କୃଷ୍ଣଙ୍କୁ ଶ୍ରୀରାଧାଙ୍କ ବିରହଦଶା ଜନିତ ଅବସ୍ଥାର କରୁଣ ସଂବାଦ ପରିବେଷଣ କଲା । ଶ୍ରୀକୃଷ୍ଣ ନିଜ ପାଦର କନିଷ୍ଠାଙ୍ଗୁଳିରୁ ଗୋଟିଏ ଦିବ୍ୟ ରୂପବାନ୍ ପୁରୁଷ ଉତ୍ପନ୍ନ କରି, ସେ ଦୁହିଁଙ୍କୁ ସ୍ଵାମୀ ସ୍ତ୍ରୀ ରୂପରେ ଲୀଳାଖେଳା କରିବାକୁ ନିର୍ଦ୍ଦେଶ ଦେଲେ; ଏବଂ କହିଲେ ମର୍ତ୍ତ୍ୟରେ ଜନ୍ମ ନହେଲେ ‘ସୁଖ’ କି ଜାତୀୟ ପଦାର୍ଥ ତାହା ଅନୁଭବ କରି ହୁଏ ନାହିଁ । ଏଣୁ ସେ ଦୁହେଁ ପୁନର୍ବାର ଏ ମର୍ତ୍ତ୍ୟରେ ଜନ୍ମ ହେବେ ଓ ଲୀଳାଖେଳା ସାରି ଶେଷରେ ପୁଣି ଶ୍ରୀକୃଷ୍ଣଙ୍କ ଅଙ୍ଗରେ ଲୀନ ହୋଇଯିବେ । ଏହି ଭବିଷ୍ୟତ ବାଣୀ ଅନୁସାରେ ଶ୍ରୀକୃଷ୍ଣଙ୍କ ଅଙ୍ଗରୁ ଜାତ ପୁରୁଷ କର୍ଣ୍ଣାଟ ଦେଶର ରାଜା ବୀରବାହୁଙ୍କ ପୁତ୍ର ବିଶ୍ଵବନ୍ଦନ ରୂପେରେ ଏବଂ ସେହି ଯୁବତୀ ରତ୍ନାକର କଟକର ଧର୍ମଶୀଳଙ୍କ ଦୁହିତା ମୋହନ କଳ୍ପଲତା ନାମରେ ଜନ୍ମଗ୍ରହଣ କଲେ । ପୂର୍ବଜନ୍ମ ବୃତ୍ତାନ୍ତ ପରେ ନାୟକ ନାୟିକାଙ୍କ ଜନ୍ମ ପୂର୍ବରୁ ସେମାନଙ୍କର ପିତାମାତା, ରାଜ୍ୟ, ନଗର, କୁଳଶୀଳ,ଯଶକୀର୍ତ୍ତି ଇତ୍ୟାଦିର ଯଥାରୀତି ବର୍ଣ୍ଣନା କରାଯାଇଛି । ତାପରେ ନାୟକର ଜନ୍ମ, ପୁରବର୍ଣ୍ଣନା ଓ ନାୟକର ଗୁଣ ବର୍ଣ୍ଣନା କରିବାରେ କବି ଯଥାସମ୍ଭବ କବିତ୍ଵ ସାମର୍ଥ୍ୟ ପ୍ରଦର୍ଶନ କରିଛନ୍ତି । କଥାବସ୍ତୁର ସ୍ଵାଭାବିକ ଗତି ସହିତ ତାଳଦେଇ କାବ୍ୟ ନାୟିକା ମୋହନ ଲତାର ଜନ୍ମ, ବାଲ୍ୟଲୀଳା, ପୁଷ୍ପଭେଦ ଓ ଯୌବନ ପ୍ରାପ୍ତିର ସଂକ୍ଷିପ୍ତ ବର୍ଣ୍ଣନା କରାଯାଇଛି । କାବ୍ୟ ନାୟକଙ୍କ ବୀରତ୍ଵ, ପାଣ୍ତିତ୍ୟ ଶକ୍ତିମତ୍ତା, ସୌନ୍ଦର୍ଯ୍ୟ, ସାହସିକତା ଆଦି ଦୁର୍ଲ୍ଲଭ ବ୍ୟକ୍ତିତ୍ଵର ସମସ୍ତ ଐଶ୍ଵର୍ଯ୍ୟ ବର୍ଣ୍ଣନା ସହିତ ନାୟିକାର ବାଲ୍ୟକୈଶୋର ଲୀଳା ଓ ପୁଷ୍ପଦର୍ଶନ ଯଥା ସମ୍ଭବ କବି ପ୍ରସିଦ୍ଧି ଅନୁସାରେ ନିର୍ବାହ କରାଯାଇଛି । ନବ ଯଉବନୀ ନାୟିକାର ଅଙ୍ଗ ସୌଷ୍ଠବ ପ୍ରଦର୍ଶନ କରିବାକୁ ଯାଇ କବି ରୀତି ଯୁଗୀୟ କୋଠ ସମ୍ପତ୍ତି ରମ୍ଭା, କରିକର, ମଦନତମ୍ଵୁ, ଶ୍ରୀଫଳ, ମଙ୍ଗଳକଳସ, ସ୍ଵର୍ଣ୍ଣ କୁମ୍ଭ, ମେରୁ ପର୍ବତ, ପଦ୍ମ, ଭ୍ରମର ଶ୍ରେଣୀ, ନବନୀଦେ, ଚନ୍ଦ୍ର ଇତ୍ୟାଦିର ଚିରାଚରିତ ପ୍ରୟୋଗ ମଧ୍ୟ କରିଛନ୍ତି । ମୋହନଲତାର ବେଶ ରଚନା ପରେ କବି ପୂର୍ବ ରାଗର ସୂତ୍ରପାତ କରିବାକୁ ଯାଇ ଚିତ୍ରପଟ ଦର୍ଶନର ଆୟୋଜନ କରିଛନ୍ତି । ନାୟକର ଶିକାର, ବନ ଭ୍ରମଣ, ଅଷ୍ଟବକ୍ର ମଣି, ନେତ୍ରସୁଖୋଦୟ ମୋହନଲତା ପଟ୍ଟଦର୍ଶନ, ମୋହନଲତାର ଶାରୀ ଆଗମନ, ନାୟକ ନାୟିକାଙ୍କ କାଳିକା ପୂଜା ଇତ୍ୟାଦି ପରେ ରୀତି କାବ୍ୟର ଏକ ବଳିଷ୍ଠ ପରମ୍ପରା ସ୍ଵପ୍ନଦର୍ଶନ ଓ ଇନ୍ଦ୍ରଜାଲ ବିଲୋକନ ମାଧ୍ୟମରେ ନାୟକ ନାୟିକା ମଧ୍ୟରେ ପୂର୍ବରାଗର ପରିବେଶ ସୃଷ୍ଟି କରାଯାଇଛି । ପରେ ପରେ ଶୃଙ୍ଗାର ରସର ଉଦ୍ଦୀପନ ବିଭାବ ବର୍ଷାକାଳ ବର୍ଣ୍ଣନା ଆସିଛି । ତାହାର ଦିନ ବାର ପରିଣତିରେ ନାୟକ ଲେଖିଚି ଚିଠି । ଶରତ ଋତୁ ନାୟିକାକୁ କରିଛି ଅସ୍ଥିର । ନାୟିକାର ଯୁଗସଞ୍ଚିତ ଅସରନ୍ତି କାମନା ଝରି ପଡ଼ିଛି ଗୋଟିଏ ପରେ ଗୋଟିଏ ଚିଠିରେ । ପ୍ରତ୍ୟୁତ୍ତର ବି ମିଳିଚି ନାୟକଠାରୁ ତା ପରେ ହୋଇଛି ଜେମାର ସ୍ଵୟମ୍ଵର ଆୟୋଜନ । ନାୟିକାର ଚିଟାଉ ନାୟକ ଦ୍ଵାରା ପ୍ରାପ୍ତି, ହିମଋତୁ ବର୍ଣ୍ଣନା, ଦ୍ଵତୀ ପ୍ରଦେଶ ଓ ଭେଟ, ସୈନ୍ୟସଜ୍ଜା, ପ୍ରବାସକ, ନାୟକ ଅନୁକୂଳ, ନାୟକର ଅଧୈର୍ଯ୍ୟ, ସ୍ଵୟଂବର, ନାୟକ ବିରହାବେଶ, ସାକ୍ଷାତ୍ ଦର୍ଶନ, ବରଣ, ବିବାହ, ବେଶ,ଅଭିସାର, ଉପମାନିନ୍ଦା, ଚାଟୁ, ବାହ୍ୟସୁରତ, ନାୟିକା ସଂଭୋଗ, ଗତିବାହୁଡ଼ା, ଅଷ୍ଟମଙ୍ଗୁଳା ବିଚ୍ଛେଦ, ନାୟକର ସ୍ତ୍ରୀ ସହ ସ୍ଵଦେଶ ପ୍ରତ୍ୟାଗମନ, କବିଙ୍କ ଆତ୍ମପରିଚୟ ଓ ଗ୍ରନ୍ଥ ପରିଚୟ, ପରିସମାପ୍ତି ।

 

ଲଳିତ ଲୋଚନା ପରି ମୋହନଲତା ମଧ୍ୟ ଗୋଟିଏ କାଳ୍ପନିକ ରୀତିକାବ୍ୟ ହୋଇଥିବାରୁ ଏହାର କଥାବସ୍ତୁରେ କୌଣସି ନୂତନତା ନାହିଁ । କବି ଅର୍ଜ୍ଜୁନ ଦାସଙ୍କ କଳ୍ପଲତା ଠାରୁ ଆରମ୍ଭ କରି ସଦାନନ୍ଦଙ୍କ ମୋହନ କଳ୍ପଲତା ପର୍ଯ୍ୟନ୍ତ ସମସ୍ତ କାଳ୍ପନିକ ରୀତିକାବ୍ୟର କଥାବସ୍ତୁ ଗୋଟିଏ । ତାହା ଏତେ ଗତାନୁଗତିକ ଯେ, ଗୋଟିଏ କାବ୍ୟର ନାୟକ ଓ ନାୟିକାଙ୍କ ନାମ ଧାମ ଜାଣିଲେ ଯେ କୌଣସି ପାଠକ ସମଗ୍ର କଥାବସ୍ତୁର ଗୋଟିଏ କ୍ରମିକ ସ୍ଥୂଳଚିତ୍ର ଅନାୟାସରେ ଆଙ୍କିଦେଇ ପାରିବେ । ଏଣୁ ସାଧାରଣତଃ ରୀତିକାବ୍ୟରେ କଥାର କ୍ରମବିକାଶ ଓ ପରିଣତିରେ ପରିକଳ୍ପନାଗତ ସୃଷ୍ଟିଧର୍ମୀ ମାଦକତା କେଉଁଠି ହେଲେ ମିଳେ ନାହିଁ କି ଏଠାରେ ମଧ୍ୟ ମିଳେ ନାହିଁ । ତେବେ ସମସ୍ତ ରୀତିକାବ୍ୟ ଯେଉଁ କଳ୍ପନା ବିଳାସ, ବର୍ଣ୍ଣନା ନୈପୁଣ୍ୟ ଓ ଶୃଙ୍ଗାର ପ୍ରବଣତା ପାଇଁ ପ୍ରସିଦ୍ଧ, ସେ ସବୁର ପରିକଳ୍ପନାରେ ସଦାନନ୍ଦଙ୍କ ଯଥେଷ୍ଟ ସିଦ୍ଧହସ୍ତତାର ପରିଚୟ ମିଳେ । ଅନୁପ୍ରାସ, ଯମକ ଓ ଶ୍ଳେଷର ବିବିଧ ଶବ୍ଦ ବୈଚିତ୍ର୍ୟ ସହିତ ଅର୍ଥାଳଙ୍କାର ଗୁଡ଼ିକର ସୁନିପୁଣ ଯୋଜନା ଓ ପ୍ରୟୋଗ, ସଦାନନ୍ଦ ଙ୍କ ସୃଷ୍ଟିଧର୍ମୀ କାବ୍ୟ ସମ୍ଭାରରେ ସର୍ବତ୍ର ଦୃଷ୍ଟିଗୋଚର ହୁଏ ।

 

ଯୁଗଳ ରସାମୃତ ଲହରୀ

 

କବି ଗ୍ରନ୍ଥର ଆରମ୍ଭରେ ମଙ୍ଗଳାଚରଣ କରିଛନ୍ତି । ଅବନା ଅକ୍ଷରରେ ରଚିତ ପ୍ରଥମ ଛାନ୍ଦରେ କେବଳ କୃ ଙ୍କୁ ବନ୍ଦନା କରାଯାଇଛି । ଦ୍ଵିତୀୟ ଛାନ୍ଦରେ କାବ୍ୟରେ ଆଭିମୁଖ୍ୟ ବର୍ଣ୍ଣନା କରି କବି ଘୋଷଣା କରିଛନ୍ତି ଯେ, କାବ୍ୟଟି କାମିନୀ ପ୍ରାୟ ହୋଇ ପାଠକମାନଙ୍କୁ କାମ ଜଳଧିକି ଉଛୁଳାଇବ । କୃଷ୍ଣ ସ୍ଵୟଂ ଅବତାରି ହେଲେ ମଧ୍ୟ ନିଜେ ଧରା ବକ୍ଷରେ ଅବତୀର୍ଣ୍ଣ ହୋଇ ପୃଥିବୀର ଭାରାହରଣ କରିବାପାଇଁ ରାଧା ଓ ଗୋପୀବର୍ଗଙ୍କ ସହିତ ଲୀଳା ରଚନା କରିଛନ୍ତି । କୃଷ୍ଣଙ୍କ ଜନ୍ମ ବୃତ୍ତାନ୍ତ ଓ ବାଲ୍ୟଲୀଳାକୁ ଉପେକ୍ଷା କରି ତାଙ୍କର ପୌଗଣ୍ତ ଓ କୈଶୋର ଲୀଳାହିଁ କାବ୍ୟର ବର୍ଣ୍ଣିତ ବିଷୟ ବୋଲି ସୂଚନା ଦେଇ କବି ତୃତୀୟ ଛାନ୍ଦଠାରୁ ହିଁ କୃଷ୍ଣଲୀଳାର ବିବିଧ ବୈଚିତ୍ର୍ୟ ବର୍ଣ୍ଣନା କରିଛନ୍ତି । ଦିନେ ଶ୍ରୀକୃଷ୍ଣ ଗାଈ ଚରାଇବା ପାଇଁ ବନକୁ ଯିବାକୁ ଯଶୋଦାଙ୍କ ଠାରୁ ଅନୁମତି ପ୍ରାର୍ଥନା କଲେ । ଯଶୋଦା ସେଥିପାଇଁ ଅନୁମତି ନ ଦେବାରୁ କୃଷ୍ଣ ପୌର୍ଣ୍ଣମାସୀ ଙ୍କୁ ଆଖିଠାରି ଦେଲେ । ପୌର୍ଣ୍ଣମାସୀ ଯଶୋଦାଙ୍କୁ ବୁଝାଇ କହିଲେ, ଯେ କୃଷ୍ଣ ପ୍ରଥମେ ଗୋଶାସ୍ତ୍ରବିତ୍ ଗୋବର୍ଦ୍ଧନ ମଲ୍ଲଙ୍କ ଘରକୁ ଯାଇ ଗୋଶାସ୍ତ୍ର ଶିକ୍ଷା କରିବା ଉଚିତ୍ । ସେଥିରେ ଯଶୋଦା ସମ୍ମତି ପ୍ରକାଶ କରିବାରୁ କୃଷ୍ଣ ଗୋବର୍ଦ୍ଧନ ମଲ୍ଲଙ୍କ ପୁରକୁ ଗଲେ । ଗୋବର୍ଦ୍ଧନ କୃଷ୍ଣଙ୍କୁ ଭାଇ ବୋଲି ସମ୍ବୋଧନ କରି ନିଜର ପତ୍ନୀ ଚନ୍ଦ୍ରାବଳୀଙ୍କୁ ନିର୍ଦ୍ଦେଶ ଦେଲେ ଯେ, ସେ ଯଥାଯୋଗ୍ୟ ବନ୍ଦାପନା କରି ଶ୍ରୀକୃଷ୍ଣଙ୍କୁ ରାଜକୀୟ ସମ୍ଵର୍ଦ୍ଧନା ଜ୍ଞାପନ କରନ୍ତୁ । ଅର୍ଘ୍ୟ ଥାଳିରେ ବନ୍ଦାପନା ସମୟରେ ଚନ୍ଦ୍ରାବଳୀ ଓ କୃଷ୍ଣଙ୍କ ଚାରିଚକ୍ଷୁର ମିଳନ ହେଲା । ଦୁହେଁ ପରସ୍ପର ପ୍ରତି ଆକୃଷ୍ଟ ହୋଇ କାମବାଣରେ ଜର୍ଜରିତ ହେଲେ । ଗୋଶାସ୍ତ୍ର ଶିକ୍ଷାକରି କୃଷ୍ଣ ସ୍ଵଗୃହ ପ୍ରତ୍ୟାବର୍ତ୍ତନ କଲେ । ଏହି ଦିନଠାରୁ କୃଷ୍ଣ-ଚନ୍ଦ୍ରାବଳୀ ପ୍ରେମଲୀଳାର ଅୟମାରମ୍ଭ ହେଲା । ଯଶୋଦା ସ୍ଥିର କଲେ ଯେ, ଗୋପାଷ୍ଟମୀ ଦିନ କୃଷ୍ଣ ଗାଈମାନଙ୍କ ସହିତ ବନଗମନର ଶୁଭାରମ୍ଭ କରିବେ, ଗୋପଷ୍ଟମୀ ଉତ୍ସବ ଓ ଗାଈମାନଙ୍କ ସହିତ କୃଷ୍ଣଙ୍କ ବନଗମନ ଦୃଶ୍ୟ ବେଶ୍ ଚିତାକର୍ଷକ ହୋଇଛି ।

 

ପ୍ରତିଦିନ ଧେନୁମାନଙ୍କ ସାଙ୍ଗରେ କୃଷ୍ଣ ବୃନ୍ଦାବନ କୁ ଯାଆନ୍ତି । କୃଷ୍ଣଙ୍କ ଅନୁପସ୍ଥିତିରେ ମାତା ଯଶୋଦାଙ୍କ ମନ ଅମଙ୍ଗଳ ଆଶଙ୍କାରେ ଅସ୍ଥିର ହୁଏ । ସ୍ନେହମୟୀ ଜନନୀଙ୍କ ମନୋବେଦନାର ପରିପ୍ରକାଶ ଅତ୍ୟନ୍ତ ମର୍ମସ୍ପର୍ଶୀ ହୋଇଛି । ଧୀରେ ଧୀରେ ଚନ୍ଦ୍ରାବଳୀଙ୍କ ସହ କୃଷ୍ଣଙ୍କ ମିଳନାକାଙ୍‌କ୍ଷା ତୀବ୍ରରୁ ତୀବ୍ରତର ହୋଇଛି । ସଖୀ ପଦ୍ମା ଆଗରେ ଚନ୍ଦ୍ରାବଳୀ କୃଷ୍ଣଙ୍କ ଅପୂର୍ବ ଶୋଭା ମାଧୁରୀ ବର୍ଣ୍ଣନା କରି ନିଜେ କିପରି ତାଙ୍କ ପ୍ରତି ଆକୃଷ୍ଟ ହୋଇ ପଡ଼ିଛନ୍ତି ତାହା ପ୍ରକାଶ କରିଛନ୍ତି । ଦିନେ ଯମୁନା ତଟରେ ସେ କୃଷ୍ଣଙ୍କ ସହିତ ଗୋପନରେ ମିଳିତ ହୋଇ କିପରି ପ୍ରୀତିଲୀଳାରେ ମଜ୍ଜି ଯାଇଥିଲେ ସେ କଥା ବର୍ଣ୍ଣନା କରିଛନ୍ତି । ଚନ୍ଦ୍ରାବଳୀଙ୍କ ବିରହ ବେଦନା ସୀମା ଅତିକ୍ରମ କରିଛି । ପୁଣି କିପରି କୃଷ୍ଣଙ୍କ ସହିତ ମିଳନ ହେବ, ସେହି ଚିନ୍ତାରେ ବ୍ୟସ୍ତ ବିବଶା ଚନ୍ଦ୍ରାବଳୀ ନିଜ ସଖୀ ସହିତ ପରିମର୍ଶ କରିଛନ୍ତି । ଚନ୍ଦ୍ରାବଳୀଙ୍କ ସହ କୃଷ୍ଣଙ୍କ ଗୁପ୍ତ ପ୍ରଣୟ କ୍ରମେ ରାଷ୍ଟ୍ର ହୋଇ ଯିବରୁ ଗୋବର୍ଦ୍ଧନ ମଲ୍ଲ ନିଜ ମାତାଙ୍କୁ ଏହାର ସୂଚନା ଦେଇ ବୋହୂ ଉପରେ କଡ଼ା ନଜର ରଖିବା ପାଇଁ ପରାମର୍ଶ ଦେଇଛନ୍ତି ।କୃଷ୍ଣଙ୍କ କୈଶୋର ଲୀଳାର ବିବିଧ ରୂପ ଚିତ୍ରିତ ହୋଇଛି । ଅଷ୍ଟମ ଛାନ୍ଦରେ କୃଷ୍ଣ କିପରି ଯମୁନା କୂଳରେ ଲତା କୁଞ୍ଜରେ ବାଟଘାଟରେ ହାଟକ ବରନୀ ଗୋପୀକାମାନଙ୍କୁ ହଟହଟା କରନ୍ତି, ତାହାର ବହୁ ବୈଚିତ୍ର୍ୟ ପୂର୍ଣ୍ଣ ଚିତ୍ର ଉପସ୍ଥାପିତ କରାଯାଇଛି । କୃଷ୍ଣ ନାନା ଉପାୟ ଅବଲମ୍ଵନ କରୁଥିଲେ ମଧ୍ୟ ନନ୍ଦ ଯଉବନୀ ଗୋପୀକାମାନେ ପୁରତି ଦାନ ପାଇଁ ସମ୍ମତ ନ ହେବାରୁ ପୌର୍ଣ୍ଣମାସୀ କୃଷ୍ଣଙ୍କୁ ବଶୀକରଣ ମନ୍ତ୍ର ଦେଇଛନ୍ତି ଓ କହିଛନ୍ତି ଇପ୍‌ସିତ ଗୋପୀକାର ନଃମାଂଶ ଉଚ୍ଚାରଣ କରିବା ମାତ୍ରେ ସେ ଆସି କିଙ୍କରୀ ପରି ପାଦସେବା କରିବ । ଏଣେ ଚନ୍ଦ୍ରାବଳୀ କୃଷ୍ଣ ବିରହ ବେଦନାରେ ମ୍ରିୟମାଣା । ମିଲନର ଆଶା କ୍ଷୀଣ ହେଉଥିବାରୁ ତାଙ୍କର ପ୍ରାଣବାୟୁ ଉଡ଼ିଗଲା ପରି ମନେ ହେଉଛି । ଚନ୍ଦ୍ରାବଳୀଙ୍କର ଏପରି ଦୁର୍ଦ୍ଦଶା ଦେଖି ପୌର୍ଣ୍ଣମାସୀ ତାଙ୍କୁ ‘କୃଷ୍ଣ ଭୁଜଙ୍ଗ’ ମନ୍ତ୍ର ଦାନ କରିଛନ୍ତି ଓ ଏହି ବଶୀକରଣ ମନ୍ତ୍ରଦ୍ଵାରା କୃଷ୍ଣ ନିଶ୍ଚୟ ବଶ୍ୟତା ସ୍ଵୀକାର କରିବେ ବୋଲି ଆଶ୍ଵାସନା ଦେଇ କୃଷ୍ଣଙ୍କ ନିକଟକୁ ଚିଠି ଲେଖିବା ପାଇଁ ପରାମର୍ଶ ଦେଇଛନ୍ତି । ଚନ୍ଦ୍ରବଳୀଙ୍କ ପତ୍ର ଧରି ଶିଳ୍ପକାରିଣୀ କୃଷ୍ଣଙ୍କ ନିକଟରେ ପହଞ୍ଚିଛି । କାଲି ଚନ୍ଦ୍ରାବଳୀ କାଳୀ ଠାକୁରାଣୀଙ୍କୁ ପୂଜା କରିବା ପାଇଁ ଗଉରୀ ତୀର୍ଥକୁ ଯିବେ ବୋଲି କହି ପତ୍ରଟି ଦେଇଛି । ଏ ଗୁପ୍ତ ରହସ୍ୟ ସଖାମାନେ ଜାଣିଯିବାରୁ କୃଷ୍ଣ ସେତେବେଳେ ଏହା ନ ପଢ଼ି ବନଗମନ ପରେ ନିଭୃତରେ ପତ୍ର ପାଠ କରିଛନ୍ତି । କୃଷ୍ଣ ପରଂବ୍ରହ୍ମ ଓ ବେଦର ତତ୍ତ୍ଵମସି ବୋଲି ବର୍ଣ୍ଣନା କରି ଚନ୍ଦ୍ରାବଳୀ ପତ୍ରରେ ମିଳନ ପାଇଁ ଆକୁଳ ନିବେଦନ କରଛନ୍ତି । ସଖା ବିଳାସ ହାତରେ କୃଷ୍ଣ ପତ୍ରର ଉତ୍ତର ଦେଇଛନ୍ତି । ଚନ୍ଦ୍ରାବଳୀଙ୍କ କାଳୀ ପୂଜାର ଆୟୋଜନ ହୋଇଛି । ଶାଶୁ ସଖୀମାନଙ୍କୁ ସାବଧାନ ହେବା ପାଇଁ ସତର୍କ କରାଇ ବୋହୂଙ୍କୁ ଗଉରୀ ତୀର୍ଥକୁ ପଠାଇଛନ୍ତି । ଚନ୍ଦ୍ରାବଳୀ ସ୍ଵଚ୍ଛନ୍ଦରେ କୃଷ୍ଣଙ୍କ ସହିତ ଅଭିସାର ରଚନା କରଛନ୍ତି । କାଳୀ ପୂଜିବାକୁ ଆସି କାଳିଆଠାରେ ଲାଖି ଯାଇଛନ୍ତି । ଏହିପରି ବହୁବାର ଶ୍ରୀକୃଷ୍ଣ ଚନ୍ଦ୍ରାବଳୀ ବିହର ସମ୍ପାଦିତ ହୋଇଛି-। ଏହି ଲୀଳାର ବିବିଧ ବୈଚିତ୍ର୍ୟ ଷୋଡ଼ଶ ଛାନ୍ଦ ପର୍ଯ୍ୟନ୍ତ ବିସ୍ତୃତ ଲାଭ କରିଛି ।

 

ସମୟ କ୍ରମେ କୃଷ୍ଣଙ୍କ ସହିତ ଚନ୍ଦ୍ରାବଳୀଙ୍କ ଗୁପ୍ତ ପ୍ରଣୟ କଥା ସର୍ବତ୍ର ଲୋକେ କୁହାକୁହି ହେଲେ । ତାହା ହାଟରେ ପଡ଼ି ବାଟରେ ଗଡ଼ିଲା । କୃଷ୍ଣଙ୍କ ଅସାମାଜିକତା ଓ ଅନାଚାର କ୍ରମେ ଅସହ୍ୟ ହୋଇ ଉଠିଲା! ଏହାର ପ୍ରତିରୋଧ ପାଇଁ ଗୋଟିଏ ସାମାଜିକ ସଭା ବସିଲା । ସଭାରେ କୃଷ୍ଣଙ୍କ ବହୁ ଦୁର୍ଗୁଣ କଥା ଆଲୋଚିତ ହେଲା, କିନ୍ତୁ କୃଷ୍ଣଙ୍କୁ ସେଥିରୁ ନିବୃତ୍ତ କରିବା ପାଇଁ କୌଣସି ଉପାୟ ବାହାରିଲା ନାହିଁ । ଅଭିମନ୍ୟୁ ସେନ କହିଲେ ମୋ ସ୍ତ୍ରୀ ରାଧା ଅତି ସୁନ୍ଦରୀ । ମୁଁ ତାର ଯୋଗ୍ୟ ନୁହେ । ଯଦି ଥରେ କୃଷ୍ଣ ତାକୁ ଦେଖେ, ସେ ନିଶ୍ଚୟ କ’ଣ ନାଇଁ କ’ଣ କରି ବସିବ । ଅପବାଦ ନାଗରା ଚାରିଆଡ଼େ ବାଜିବ । ଏହିପରି ନାନା ବିଚାର ଆଲୋଚନା ପରେ ସ୍ଥିର ହେଲା ଯେ, ଯେଝା ଘରେ ବୋହୂ ମାନଙ୍କୁ ଆକଟ କରି ରଖିବା ଏକମାତ୍ର ଉପାୟ । ସଭା ଭଙ୍ଗ ହେଲା । ଅଭିମନ୍ୟୁ ନିଜ ଜନନୀଙ୍କୁ ସବୁକଥା ବୁଝାଇ କହିଲେ । ରାଧାଙ୍କୁ ଦୁଆରବନ୍ଧ ଡେଇଁବାକୁ ନଦେବା ପାଇଁ ପରାମର୍ଶ ଦେଇ କଡ଼ା ନଜରରେ ରଖିବାକୁ ସାବଧାନୀ ବାଣୀ ଶୁଣାଇଲେ, ଫଳରେ ରାଧା ଗୃହବନ୍ଦିନୀ ଅସ୍ଵର୍ଯ୍ୟଂପଶ୍ୟା ହୋଇ ରହିଲେ । ଦିନେ ରାଧା ସକାଳୁ ଉଠି ଆଖି ଖୋଲି ଗବାକ୍ଷ ବାଟେ ବାହାରକୁ ଦୃଷ୍ଟି ନିକ୍ଷେପ କରିବା ସଙ୍ଗେ ସଙ୍ଗେ ଶ୍ରୀକୃଷ୍ଣଙ୍କ ଅପୂର୍ବ ରୂପ ମାଧୁରୀ ତାଙ୍କର ଦୃଷ୍ଟି ଗୋଚର ହେଲା । କୃଷ୍ଣ ମଧ୍ୟ ରାଧାଙ୍କ ରୂପ ଲାବଣ୍ୟ ଦେଖି ଚମତ୍‍ କୃତ ହେଲେ । ରୂପର ଆକର୍ଷଣ ପ୍ରଥମ ଦର୍ଶନରେ ପରସ୍ପରକୁ ବିମୁଗ୍‌ଧ ଚକିତ କରିଦେଲା । ପରସ୍ପର ପ୍ରତି ଦୁର୍ବାର ଆକର୍ଷଣରେ ଦୁହେଁ ମୁଦ୍ୟମାନ ହେଲେ । ଶାଶୁ ଜଟିଳା ଓ ନଣନ୍ଦ କୁଟିଳାର ତୀବ୍ର ସଂଦିଗ୍‌ଧ ଦୃଷ୍ଟି ରାଧାଙ୍କୁ ଗୃହବନ୍ଦିନୀ କରି ରଖିଲା । ସଖୀମାନେ ସମବେଦନା ପ୍ରକାଶ କଲେ । କୃଷ୍ଣଙ୍କ ବିରହବେଦନା ପ୍ରଶମିତ କରିବା ପାଇଁ ସଖୀ ବିଶାଖା ରାଧାଙ୍କ ଚିତ୍ରପଟ ଦେଖାଇବାକୁ ସ୍ଥିର କଲେ-। କୃଷ୍ଣ ଦକ୍ଷିଣ ନାୟକ । ଚନ୍ଦ୍ରାବଳୀଙ୍କ ପ୍ରଣୟ ଚିନ୍ତା କରୁକରୁ ରାଧାଙ୍କ ପ୍ରେମ ପାଶରେ ଆବଦ୍ଧ ହେଲେ ।

 

ଦିନେ ସଖୀଜନ ପରିବେଷ୍ଟିତା ରାଧା ଫୁଲ ତୋଳିବାକୁ ଉପବନକୁ ଯାଇଥିଲେ । କୃଷ୍ଣ ଗୋଟିଏ ଲତାକୁଞ୍ଜରେ ଲୁଚି ରହି ବିଶାଖାଙ୍କୁ ଦେଖି କହିଲେ, ହେ ନାଗରୀ ବର ! ଆସ ମୁଁ ତୁମ ଅଧର ପାନ ଆଶାରେ ଏଠାରେ ବସିଛି । ମୁଁ ତୁମର ଦାସ, ଅଧର ପୀୟୁଷ ଦାନ କରି ମୋତେ ସନ୍ତୋଷ ପ୍ରଦାନ କର’ ଏହା କହି କୃଷ୍ଣ ବିଶାଖାଙ୍କୁ କୋଳକରି ଚୁମ୍ଵ ଦେବାରୁ ସେ କହିଲେ, “ଆମ୍ଭଙ୍କୁ ଦେଖିତ ହେଉଛ ଏମନ୍ତ, ମୁଁ ଅବା କେଉଁ ସୁନ୍ଦରୀ ସାର, ରାଧିକା ଆନନ ଲୋକନେ କି ଜ୍ଞାନ ରହିବ, ହେବ ବାତୁଳ ବର”। ରାଧାଙ୍କ ନାମ ଶୁଣି କୃଷ୍ଣ ପରିଚୟ ଜିଜ୍ଞାସା କଲେ । ବିଶାଖା ରାଧାଙ୍କ ସମ୍ୟକ୍ ପରିଚୟ ଦେଇ ତାହାଙ୍କ ଅପୂର୍ବ ଅଙ୍ଗସୌନ୍ଦର୍ଯ୍ୟ ବର୍ଣ୍ଣନା କଲେ ।

 

ରାଧା ମଧ୍ୟ ସଖୀ ଠାରୁ କୃଷ୍ଣଙ୍କ ଅଙ୍ଗପ୍ରତ୍ୟଙ୍ଗର ଅପୂର୍ବ ଶୋଭା କଥା ଶୁଣିଲେ । ବିଶାଖା ରାଧାଙ୍କ ଚିତ୍ରପଟଟି ଧରି କୃଷ୍ଣସଖା ମଧୂମଙ୍ଗଳକୁ ଦେଲେ ଓ କୃଷ୍ଣଙ୍କ ଚିତ୍ରପଟ ଆଣି ରାଧାଙ୍କୁ ଦେଖାଇଲେ । ପରସ୍ପର ଅଙ୍ଗସୌଷ୍ଠବ ଓ ଲାବଣ୍ୟ ଦର୍ଶନରେ ବିମୁଗ୍‌ଧ କିଶୋର କିଶୋରୀ ମିଳନ ପାଇଁ ଉତ୍‌କଣ୍ଠିତ ହୋଇ ଉଠିଲେ । ଔସୂକ୍ୟର ଅତିଶଯ୍ୟରେ ମିଳନାଙ୍‌କ୍ଷିଣୀ ରାଧାଙ୍କର ଚେତା ହଜିଗଲା । ସଖୀମାନେ ସଚେତ କରାଇ ଧୈର୍ଯ୍ୟର ସହିତ କାର୍ଯ୍ୟ କରିବାକୁ ପରାମର୍ଶ ଦେଲେ । କିନ୍ତୁ ରାଧାଙ୍କ ହୃଦୟ ଅନଙ୍ଗର ଅଜ୍ଞାତ ଇଙ୍ଗିତରେ କରତି ହେବାକୁ ଲାଗିଲା ।

 

ଦିନେ କୃଷ୍ଣ ଗୋଟିଏ ସ୍ଵପ୍ନ ଦେଖିଲେ । ପୌର୍ଣ୍ଣମାସୀ ତାଙ୍କୁ ନେଇ ରାଧାଙ୍କ ଶୟନ କକ୍ଷରେ ଛାଡ଼ିଦେଇ ଅନ୍ତର୍ହିତ ହେଲେ । ରାଧାଙ୍କ ଶୟନକାଳୀନ ସଂପୂର୍ଣ୍ଣ ରୂପଶୋଭା ଦେଖି କୃଷ୍ଣ ବିମୁଗ୍‌ଧ ହେଲେ । ବାଳାକୁ ସ୍ପର୍ଶକରି ତାର ମୁଖରେ ଚୁମ୍ଵନ ଦେବାମାତ୍ରେ କୃଷ୍ଣଙ୍କର ନିଦ୍ରାଭଙ୍ଗ ହେଲା । ସ୍ଵପ୍ନକଥା ଚିନ୍ତା କରି କୃଷ୍ଣ ବିଳାପ କରିବାକୁ ଲାଗିଲେ । ଅପର ପକ୍ଷରେ ରାଧା ମଧ୍ୟ ଅନୁରୂପ ସ୍ଵପ୍ନ ଦେଖିଲେ । କୃଷ୍ଣ ଆଲିଙ୍ଗନ କରି ତାଙ୍କୁ ଚୁମ୍ଵନ ଦେବାବେଳେ ନିଦ ଭାଙ୍ଗିଲା । ଏ କଥା ସଖୀମାନଙ୍କ ଆଗରେ ବର୍ଣ୍ଣନା କରି କହିବାରୁ ସଖୀମାନେ ପରିହାସ କଲେ । ରାଧା ଆଉ ଦିନେ ସ୍ଵପ୍ନ ଦେଖିଲେ ଯେ, କୃଷ୍ଣ ବଂଶୀ ବଜାଇ କେବଳ ରାଧା ରାଧା ବୋଲି ଡାକୁଛନ୍ତି । ନିଦଭାଙ୍ଗିଲା, ସ୍ଵପ୍ନ କଥା ଆଲୋଚନା କରି ସେ ଜାଣି ପାରିଲେ ଯେ, ଚିତ୍ରପଟର ପୁରୁଷ, ସ୍ଵପ୍ନପୁରୁଷ ଓ ବଂଶୀବାଦକ, ଏ ତିନିହେଁ ସେହି ଏକା କୃଷ୍ଣ, ରାଧା ଓ କୃଷ୍ଣ ପରସ୍ପର ମିଳିତ ହେବା ପାଇଁ ଅତ୍ୟନ୍ତ ଆକାଙ୍‌କ୍ଷିତ ହୋଇଥିଲେ ମଧ୍ୟ ମିଳନ ହୋଇ ପାରୁ ନ ଥିବାରୁ ପୌର୍ଣ୍ଣମାସୀ ଦୂର୍ବାସା ମୁନିଙ୍କୁ ଅଭିମନ୍ୟୁ ପୁରକୁ ପଠାଇ ଗ୍ରହଶାନ୍ତି ପାଇଁ ରାଧା ପ୍ରତିଦିନ ମଧ୍ୟାହ୍ନରେ ବୃନ୍ଦାବନରେ ସୂର୍ଯ୍ୟପୂଜା କରିବା ପାଇଁ ପରାମର୍ଶ ଦେଲେ ଓ କହିଲେ ଯେ ଅଭିମନ୍ୟୁ ଚନ୍ଦ୍ରଙ୍କ ମିତ୍ର ହେଉ ଓ ଆଜିଠାରୁ ତାହାର ନାମ ‘ଚନ୍ଦ୍ରସେଣ’ ହେଉ । ଏଥିରେ ଶାଶୁ ଜଟିଳା ସମ୍ମତି ପ୍ରକାଶ କଲେ । ଅଭିମନ୍ୟୁ ଗୋପରେ ସୁପୁରୁଷ ଭାବରେ ଜନପ୍ରିୟ ହୋଇ ଥିଲେ ମଧ୍ୟ ସେ ଥିଲେ ନପୁଂସକ । ସେ ଓ କୃଷ୍ଣ ଥିଲେ ଅଭିନ୍ନ । କିନ୍ତୁ ଲୀଳା ସମ୍ପାଦନ ପାଇଁ ସେ ଦୁଇଜଣ ଦୁଇପୁରୁଷ ଭାବରେ ଅବତୀର୍ଣ୍ଣ ହୋଇଛନ୍ତି । ପୂର୍ବେ ରାଜା କନ୍ୟାଦାନ କରିବା ପାଇଁ ନାରଦ ଓ ପର୍ବତ ଦୁଇ ଋଷିଙ୍କୁ ଆମନ୍ତ୍ରଣ କରି ଆଣିଥିଲେ । କିନ୍ତୁ କନ୍ୟା ଭଗବାନଙ୍କୁ ଧ୍ୟାନରେ ବରଣ କରିବାରୁ ଭଗବାନ ଗରୁଡ଼ ପିଠିରେ ବସି ରାଜନବରରୁ କନ୍ୟାକୁ ହରଣ କରି ନେଇଗଲେ । ଋଷି କ୍ରୋଧରେ ବିଷ୍ଣୁଙ୍କୁ ଅଭିଶାପ ଦେଲେ– “ହୁଅ ନପୁଂସକ, ପ୍ରଭୁ ହୋଇ ଦେଲ ଆମ୍ଭଙ୍କୁ କାମ ସନ୍ତାପ” ପ୍ରଭୁ “ପରକୀୟା ଇଚ୍ଚ୍ଥାଧରି, ଭକ୍ତଶାପ ଅଙ୍ଗୀକାରୀ” ହେଲେ । ଏଣୁ ଅଭିମନ୍ୟୁ ଓ କୃଷ୍ଣ ଏକ ପୁରୁଷ ଓ ଅଭିମନ୍ୟୁ ନପୁଂସକ ।

 

ଶରତକାଳର ପ୍ରବେଶ । ବୃନ୍ଦାବନ ଅତ୍ୟନ୍ତ କାମୋଦ୍ଦୀପକ ହୋଇ ଉଠିଲା । କୃଷ୍ଣ ରାଧା ଚିନ୍ତାରେ କ୍ଷୀଣ ହେବାକୁ ଲାଗିଲେ । ଦିନେ ଉପବନରେ ରାଧାଙ୍କ ସଖିମାନଙ୍କ ସହ କୃଷ୍ଣଙ୍କ ଦେଖା ହେଲା । ନାନା ହାସ ପରିହାସ ମଧ୍ୟରେ କିଛି ସମୟ କଟିଲେ ମଧ୍ୟ ରାଧାଙ୍କ ସହିତ ମିଳନ ହେଲା ନାହିଁ । କୃଷ୍ଣ ବିରସ ମନରେ ଥିବାବେଳେ ବୃନ୍ଦାବନରେ ନିତ୍ୟଲୀଳା ସ୍ଥାନ ଦର୍ଶନ କଲେ । ସ୍ଵନିତ୍ୟ ଲୀଳା ସ୍ଥାନର ବିଚିତ୍ର ଦୃଶ୍ୟ ଦେଖି ମାୟାବଶତଃ କୃଷ୍ଣ ଆଶ୍ଚର୍ଯ୍ୟ ଚକିତ ହୋଇ ଗଲେ । ହିଂସାବର୍ଜିତ ଏହି ନିତ୍ୟସ୍ଥଳର ଚତୁଃ ପାର୍ଶ୍ଵରେ ଅଷ୍ଟକୁଞ୍ଜ । ଅନନ୍ତ ବୈକୁଣ୍ଠ ଏଠାରେ ଧୂଳିକଣା ପରି-। ଷୋଡ଼ଶ ସ୍ତମ୍ଭ ବିଶିଷ୍ଟ ରତ୍ନ ମଣ୍ଡପରେ ରତ୍ନ ସିଂହାସନ । ତଦୁପର ସହସ୍ର ଦଳ ବିଶିଷ୍ଟ ନୀଳନଳୀନ ଉପରେ ଅଷ୍ଟଦଳ ପଦ୍ମ ଓ ବଞ୍ଜୁଳ କେଶର ଚିରାଜିତ । ଏହି ଅଷ୍ଟଦଳ ପଦ୍ମର କେଶର ମଧ୍ୟରେ ରାଧା ସହିତ ନିଜେ ଶ୍ରୀକୃଷ୍ଣ ନିତ୍ୟ ଲୀଳାରେ ନିମଗ୍ନ ଥିବାପରି ସେ ଦେଖିଲେ । ସେ ଏ ଦୃଶ୍ୟ ଦେଖି ନିଜ ଉପରେ ଦୃଷ୍ଟି ନିକ୍ଷେପ କରି ପୁଣି ନିତ୍ୟ ଲୀଳାସ୍ଥଳ ଦେଖି ବିହ୍ୱଳ ହେଲେ । କିଛି ସମୟରେ ପରେ ରାଧା ସୂର୍ଯ୍ୟପୂଜା ପାଇଁ ଆସିବାରୁ ଲୁକ୍‌କାୟିତ ଭାବରେ ତାଙ୍କୁ ଦେଖି ସେ ରୂପମାଧୁରୀ ଆସ୍ଵାଦନ କରୁ କରୁ ତାଙ୍କର ଚେତା ବୁଡ଼ିଗଲା ।

 

ଏହି ଦୃଶ୍ୟ ଦର୍ଶନ ପରେ କୃଷ୍ଣ ନବୀନ ଅନୁରାଗରେ ବଶବର୍ତ୍ତୀ ହେଲେ । ସବୁବେଳେ ମୁଖରେ ରାଧା, ରାଧା ଉଚ୍ଚାରଣ କରିବାକୁ ଲାଗିଲେ । ସ୍ତମ୍ଭ, ସ୍ଵେଦ, ରୋମାଞ୍ଚକର ପର୍ବ ଆରମ୍ଭ ହେଲା । କାମସେନୀକୁ ଦୂତୀ ଭାବରେ ରାଧାଙ୍କ ନିକଟକୁ ପ୍ରେରଣ କଲେ । କାମସେନୀ ରାଧାଙ୍କ ପୁରରେ ପ୍ରବେଶ କରି ଦେଖିଲା ଯେ, କୃଷ୍ଣଙ୍କ ରୂପ ଚର୍ଚ୍ଚା ଚାଲିଛି । ଯମୁନା କୂଳରେ କୃଷ୍ଣଙ୍କୁ ଦେଖି ରାଧା କିପରି ମୁଗ୍‌ଧ ହୋଇ ଯାଇଥିଲେ । ପୁଣି କୃଷ୍ଣଙ୍କ ସେ ମନଲୋଭା ତ୍ରିଭଙ୍ଗୀ ଠାଣୀ, ଧୌର୍ଯ୍ୟ ହରା, ସେ ମୁରଲୀ ବାଦନ, ପତିବ୍ରତା ସତୀ ନାରୀ କି ମଧ୍ୟ କିପରି ଟାଣିନିଏ ଇତ୍ୟାଦି । ରାଧା ପ୍ରତିଜ୍ଞା କଲେ, ଦିନେ ହେଲେ ସେ ଆଉ ଭୁଲରେ ଯମୁନା କୂଳକୁ ଯିବେନାହିଁ । ଗଲେ ସତୀତ୍ଵ ଅଭିମାନ ରକ୍ଷା କରିବା ଯୁବତୀ ନାରୀ ପକ୍ଷରେ ଏକାନ୍ତ ଅସମ୍ଭବ ।ଏହିପରି ନାନା ଚର୍ଚ୍ଚା କରି ରାଧା ଏକାକୀ ଜଗତି ଉପରେ ବସିଛନ୍ତି, କାମସେନୀ ଗୁପ୍ତରେ ସେଠାରେ ପହଞ୍ଚି କୃଷ୍ଣଙ୍କ ସନ୍ଦେଶ ଦେଲେ । ରାଧା କୃଷ୍ଣଙ୍କ ଅସଙ୍ଗତ ପ୍ରସ୍ତାବ ଶୁଣି କ୍ରୋଧରେ ଉତ୍‌କ୍ଷିପ୍ତ ହୋଇ କହିଲେ, “ମୁଁ ଲେଖାରେ ତାଙ୍କର ମାଇଁ ହେବି । ମୋ ପାତିବ୍ରତ୍ୟ ଭାଙ୍ଗିବାକୁ କହୁଛୁ, ତୁ ମଲୁନି” ଏହିପରି ବାକ୍ୟ ବାଣରେ ଜର୍ଜରିତ ହୋଇ କାମସେନୀ ଆସି କୃଷ୍ଣଙ୍କୁ ଜଣାଇଲେ, ଦୂତୀଦ୍ଵାରା ସେ ଲଭ୍ୟ ନୁହେଁ ଆପଣା ଉପାୟ ନିଜେ ଚିନ୍ତାକର । ଏକଥା ଶୁଣି କୃଷ୍ଣଙ୍କ ମୁଣ୍ତରେ ପଥର ପଡ଼ିଲା ପରି ଅନୁଭୂତ ହେଲା । କିନ୍ତୁ କୃଷ୍ଣ ଛାଡ଼ିବା ଲୋକ ନୁହନ୍ତି । ସେ ବେଳକାଳ ଉଣ୍ତି ଯମୁନା କୂଳରେ ରାଧାଙ୍କ ପ୍ରତିକ୍ଷାରେ ବସି ରହିଲେ । ରାଧା ଏକାକୀ ଆସୁଥିବାର ଦେଖି ବାଟ ଓଗାଳି ଘାଟ ମାଗିଲେ । ଦୁହିଁଙ୍କ ମଧ୍ୟରେ ଉକ୍ତି ପ୍ରତିଉକ୍ତି ଚାଲିଲା । ଶେଷରେ ରାଧା ନିଆଁପରି ତାତିଯିବାରୁ କୃଷ୍ଣ ଡରରେ ସେ ସ୍ଥାନ ଛାଡ଼ି ପଳାଇଲେ । କିନ୍ତୁ ଅହର୍ନିଶି ରାଧାଙ୍କ ଚିନ୍ତାରେ ସେ ନିମଗ୍ନ ରହିଲେ । ଶିଶିର ଋତୁ ପ୍ରବେଶ ହେଲା । କୃଷ୍ଣଙ୍କ କାମବେଦନା ବଢ଼ିଲା ।

 

ଦିନେ ଗୋଟିଏ ଜାଙ୍ଗଳିକ ନନ୍ଦଙ୍କ ସଭାରେ ଉପସ୍ଥିତ ହୋଇ ସାପଖେଳ ଦେଖାଇଲା । କୃଷ୍ଣ ତାହାଠାରୁ ଗାରୁଡ଼ିମନ୍ତ୍ର ଓ ସ୍ତମ୍ଭନ ମୋହନ ଉଚ୍ଚାଟନ ମନ୍ତ୍ର ଶିଖିଲେ । ଏହି ମନ୍ତ୍ର ବଳରେ ଦିନେ ସେ ଦୁଇ ଆଖିରେ ଚୌର୍ଯ୍ୟ ଅଞ୍ଚଳ ଲଗାଇ ଅଦୃଶ୍ୟ ହୋଇଗଲେ । ଚନ୍ଦ୍ରସେଣ ପୁରରେ ପ୍ରବେଶ କରି ମନ୍ତ୍ରବଳରେ ସମସ୍ତଙ୍କୁ ଅଚେତନ କରିଦେଲେ । ତାପରେ ଗୋପାନରେ ରାଧାଙ୍କ ଶୟନ କକ୍ଷରେ ପ୍ରବେଶ କରି ଶୟନାବସ୍ଥାରେ ରାଧାଙ୍କୁ ଦେଖିଲେ । ଅତ୍ୟନ୍ତ ଆତୁରତା ବଶତଃ ଲୋଭ ସମ୍ଭାଳି ନ ପାରି ରାଧାଙ୍କୁ କୋଳ କରିବାରୁ ତାଙ୍କର ନିଦ ଭାଙ୍ଗିଗଲା । ସେ କୃଷ୍ଣଙ୍କୁ ହାତରେ ଠେଲି ଦେବାରୁ କୃଷ୍ଣ ଭୟରେ ରାଧାଙ୍କ ଗୋଡ଼ ଧରିପକାଇ କାକୁତି ମିନତି କଲେ । ରାଧା କିନ୍ତୁ ସେଥିରେ ତରଳିଲେ ନାହିଁ । ବରଂ ପାଦରେ ପ୍ରହାର କରି ଚୋର ଚୋର ବୋଲି ପାଟି କଲେ । କୃଷ୍ଣ ଭୟରେ ଏକମୁହାଁ ହୋଇ ଧାଇଁ ପଳାଇଲେ । ତାଙ୍କୁ ଆଉ କିଛି ଭଲ ଲାଗିଲା ନାହିଁ । ସେ ଗୋଗୋଷ୍ଠ ଧରି ବନକୁ ଗଲେ । ଅବସାଦ ଗ୍ରସ୍ତ ଚିତ୍ତରେ ବିଷର୍ଣ୍ଣ ମନରେ ଏକାକୀ ବସି ଚିନ୍ତା କରିବାକୁ ଲାଗିଲେ । ଉନ୍ନାଦ ଭାବ ପ୍ରକାଶିତ ହେଲା । ଏତିକିବେଳେ ବ୍ରହ୍ମା ଆବିର୍ଭୁତ ହୋଇ ତାଙ୍କୁ ମୋହନ ମୂରଲୀ ପ୍ରଦାନ କରି ଅନ୍ତର୍ଦ୍ଧାନ ହେଲେ । ତାପରେ କାମସେନୀ ସେଠାରେ ପହଂଚି ସ୍ଵାଗତଯୋଗ୍ୟ ସମ୍ଵାଦ ଦେଇ କହିଲା ଯେ, ‘ରାଧାଙ୍କ ସେହି ଟାଣ ପଣ ଆଉ ନାହିଁ, ଗର୍ବ ଖର୍ବ ହୋଇଛି । ସେ ଗୋଟିଏ ଯାକ ଏବେ ତୁମର’ । କୃଷ୍ଣଙ୍କ ମୁଖମଣ୍ତଳରୁ ଆଶ୍ଵସ୍ତିର ସ୍ମିତହାସ୍ୟ ଝରି ପଡ଼ିଲା । ସୁସସ୍ଵାଦରେ ଆଶାୟୀ ଶ୍ରୀକୃଷ୍ଣ କାର୍ଯ୍ୟସିଦ୍ଧି ପାଇଁ ଗୋପେଶ୍ଵରଙ୍କୁ ଶତମୁଦ୍ରାର ପୂଜା ଦେବାକୁ ମନାସିଲେ ।

 

ଦିନେ ରାଧା ଯମୁନା କୂଳକୁ ଯାଇଥିଲେ । କଦମ୍ଵ ବୃକ୍ଷ ମୂଳ ନବରଙ୍ଗିଆ କୃଷ୍ଣଙ୍କ ଅପୂର୍ବ ମୂର୍ତ୍ତି ଦେଖି ତାଙ୍କର ଆଖି ଖୋସି ହୋଇଗଲା । ସେ କେବେ ଏହିପରି ମୋହନମୂରତି ଦେଖି ନଥିଲେ । ସଖୀଠାରୁ ଏହାଙ୍କ ପରିଚୟ ଜିଜ୍ଞାସା କରିବାରୁ “ଆଳି କହେ କରତାଳି ମାରି, ବାତୁଳ ହେଲେକି କୃଶୋବରୀ ଏ ନନ୍ଦ ନନ୍ଦନ ଜଗତ ବନ୍ଦନ, ଯେ ମନଚୋରାନ୍ତି ଆଖି ଠାରି, ଗୋ, ସେହି ଏହି, ତୁମ୍ଭ ସ୍ନେହ ପସରା ଗ୍ରାହକ ଯେହି” । ଏଥର ରାଧାଙ୍କ ମତିଗତିରେ ଶୁଭଂକର ପରିବର୍ତ୍ତନ ଲକ୍ଷ୍ୟ କରି କୃଷ୍ଣ ଉତ୍ସାହିତ ହୋଇ ସଖା ମଧୁମଙ୍ଗଳ ହାତରେ ଚିଟାଉ ପ୍ରେରଣ କଲେ । ରାଧା ଚିଟାଉ ପଢ଼ି ଆନନ୍ଦିତ ହେଲେ ଓ ସଖୀମାନଙ୍କୁ ପଢ଼ିବାକୁ ଦେଲେ । ଚାରିଆଡ଼େ ଆନନ୍ଦର ଲହରୀ ଖେଳିଗଲା । କୃଷ୍ଣ ମୋହନ ମୂରଲୀ ବଜାଇଲେ । ସେଥିରେ ଚତୁର୍ଦ୍ଦଶ ପୁର ଉଚ୍ଛନ୍ନ ହେଲା । କୃଷ୍ଣ ମାୟାରେ ସମସ୍ତେ ସ୍ତବ୍‌ଧ ହୋଇଗଲେ । ରାଧା, ମୋହନ ମୂରଲୀର ରାଧା ରାଧା ଧ୍ୱନି ଶୁଣି ଅଚେତ ହୋଇଗଲେ । ଚେତା ପାଇବା ପରେ ସଖୀ ଲେଖିଲା ପରି ଶ୍ରୀକୃଷ୍ଣଙ୍କ ଚିଠର ଉତ୍ତର ନିଜେ ଲେଖି ଦ୍ଵତୀ ବୃନ୍ଦାବତୀଙ୍କ ହାତରେ କୃଷ୍ଣଙ୍କ ନିକଟକୁ ପଠାଇଲେ । ବୃନ୍ଦା ଯମୁନା କୂଳରେ କୃଷ୍ଣଙ୍କୁ ଭେଟି ପତ୍ର ପ୍ରଦାନ କଲେ । ରାଧାଙ୍କ ଦୁର୍ବହ ବିରହ ବ୍ୟଥା ବର୍ଣ୍ଣନା କରି ଆଉ ମୂରଲୀ ବାଦନ ନ କରିବାକୁ ଅନୁରୋଧ କଲେ । ନିକଟରେ ଥିବା ନିଭୃତ ନିକୁଞ୍ଜକୁ ଶ୍ରୀକୃଷ୍ଣଙ୍କ ସମ୍ମତି କ୍ରମେ ମିଳନର ସଂକେତ ସ୍ଥଳ ଭାବରେ ନିଶ୍ଚିତ କରି ବୃନ୍ଦାବତୀ ରାଧାଙ୍କ ନିକଟକୁ ଫେରି ଆସିଲେ-। ବାଟରେ ଏକଥା ପୌର୍ଣ୍ଣମାସୀଙ୍କୁ ଜଣାଇଲେ । ମିଳନ ପର୍ବ ପାଇଁ ସୁପରିକଳ୍ପିତ ଯୋଜନା ଚୂଡ଼ାନ୍ତ ରୂପ ନେଲା । ରାଧା ନିର୍ଦ୍ଦିଷ୍ଟ ଦିନ ଓ ନିର୍ଦ୍ଦିଷ୍ଟ ସମୟରେ ଅଭିସାରିକା ସାଜି ସଖୀମାନଙ୍କ ଗହଣରେ ଯାଇ କୁଞ୍ଜରେ ଉପସ୍ଥିତ ହେଲେ । ସଖୀମାନେ ରାଧା ଓ କୃଷ୍ଣଙ୍କୁ ବଳାତ୍କାରରେ ଟାଣିନେଇ ଦୁହିଙ୍କର ମିଳନ ପର୍ବ ସମ୍ପାଦନ କଲେ । ରାଧା ଶ୍ରୀକୃଷ୍ଣଙ୍କ ଗଳାରେ ପଦ୍ମମାଳ ଓ ଶ୍ରୀକୃଷ୍ଣ ରାଧାଙ୍କ ଗଳାରେ ରତ୍ନମାଳୀ ଲମ୍ଵାଇ ଦେଇ ଗାନ୍ଧର୍ବ ମତରେ ବିବାହ କର୍ମ ସମ୍ପନ୍ନ କଲେ । ବ୍ରଜବାଳୀମାନେ ହୁଳହୁଳି ଦେଲେ । ବୃକ୍ଷରେ ପକ୍ଷୀମାନେ ଧ୍ଵନି ଛଳରେ ବେଦମନ୍ତ୍ର ପାଠକଲେ । ସ୍ଵର୍ଗରେ ଦୁନ୍ଦୁଭି ବାଜିଲା । ଅପସରୀମାନେ ନୃତ୍ୟକଲେ । ରାଧାକୃଷ୍ଣଙ୍କ କୁଞ୍ଜଲୀଳା ଓ ନିଶାନ୍ତ କାଳ ଲୀଳା ପରେ ପ୍ରତ୍ୟୁଷ ପୂର୍ବରୁ ଯେ ଯାହା ଗୃହକୁ ପ୍ରତ୍ୟାବର୍ତ୍ତନ କଲେ । ପ୍ରଭାତ ହେଲା-। ପ୍ରେମମୟୀ ରାଧାଙ୍କ ଗୁଣ କୀର୍ତ୍ତନରେ କୃଷ୍ଣ ମୁଖର ହେଲେ । ଶ୍ରୀରୂପମଞ୍ଜରୀ ସହିତ ଶ୍ରୀକୃଷ୍ଣଙ୍କ ମିଳନ ପରେ ଗ୍ରନ୍ଥାନୁକ୍ରମଣି ଦେଇ କବି କାବ୍ୟ ସମାପ୍ତ କରିଛନ୍ତି ।

 

କବିଙ୍କ ଲେଖନୀରୁ ଦୁଇଟି କାଳ୍ପନିକ କାବ୍ୟର ଆବିର୍ଭାବ ପରେ ବୈଷ୍ଣବୀୟ ଚେତନା ସମୃଦ୍ଧ ଏହି କାବ୍ୟଟି ଆତ୍ମପ୍ରକାଶ କରିଛି । ଏଥିରେ ରୀତିଯୁଗୀୟ ଶବ୍ଦ ପାଣ୍ତିତ୍ୟ ପ୍ରଦର୍ଶନର ପ୍ରଚେଷ୍ଟା ନାହିଁ, ଭାଷାର ସୁଲଳିତ କୋମଳ ଧାରା ସ୍ଵଚ୍ଛନ୍ଦ ଗତିରେ ପ୍ରବାହିତ ହୋଇ କାବ୍ୟର ଭାବ ବିଭବ ବ୍ୟକ୍ତ କରିବାରେ ଏକାନ୍ତ ସମର୍ଥ ହୋଇ ପାରିଛି । ଏଥିରେ ରାଧାକୃଷ୍ଣଙ୍କ ପୂର୍ବଜନ୍ମ ବୃତ୍ତାନ୍ତ ନାହିଁ । କିମ୍ଵା ସେମାନଙ୍କର ବାଲ୍ୟଲୀଳା ବର୍ଣ୍ଣିତ ହୋଇନାହିଁ । ଅଷ୍ଟ ଯୁଥପତିମାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠା ଚନ୍ଦ୍ରାବଳୀ ଓ ରାଧାଙ୍କ ସହିତ କୃଷ୍ଣଙ୍କର ପ୍ରମଲୀଳା ବର୍ଣ୍ଣନା ଏହାର ମୁଖ୍ୟଉପଜୀବ୍ୟ ବସ୍ତୁ । ସମଗ୍ର କାବ୍ୟରେ ଏହି ପ୍ରେମ ବ୍ୟପାର ର ବିବିଧ ବିସ୍ତାର ଓ ବିକଚ ବିକାଶ ସାଧନ କରା ଯାଇଛି । ଅବଶ୍ୟ ଧେନୁମାନଙ୍କ ସହିତ ବନରୁ କୃଷ୍ଣଙ୍କ ଗୃହ ପ୍ରତ୍ୟାବର୍ତ୍ତନ ସମୟରେ ପ୍ରକାଶିତ ଯଶୋଦାଙ୍କ ମାତୃଲାଳସା ସମଗ୍ର ଛାନ୍ଦମାନଙ୍କ ମଧ୍ୟରେ ଗୋଟିଏ ପ୍ରମୂଲ୍ୟ ରତ୍ନପରି ଦିପ୍ତିବନ୍ତ, ଏହାର ଯୋଜନା ଯେପରି ଅସାଧାରଣ ଚିନ୍ତା ସାପେକ୍ଷ, ଏହାର କଳ୍ପନା ସେପରି ପ୍ରଚଣ୍ତ ପ୍ରତିଭାଦୀପ୍ତ । ସ୍ନେହମୟୀ ଜନନୀର ହୃଦ୍‌ଗତ ବାତ୍ସଲ୍ୟ ମମତା ପ୍ରକାଶନରେ ଚିରନ୍ତନ ଆବେଦନର ସ୍ପର୍ଶ ପାଠକ ମାତ୍ରେ ସମସ୍ତଙ୍କୁ ମୁଗ୍‌ଧ ଚକିତ କରିଦିଏ । ଚନ୍ଦ୍ରାବଳୀ କୃଷ୍ଣ ଓ ରାଧାକୃଷ୍ଣଙ୍କ ଯୁଗଳଲୀଳା କୀର୍ତ୍ତନ ବୃନ୍ଦାବନ ଗୋସ୍ଵାମୀମାନଙ୍କଠାରୁ ଧାରକରା ବିଷୟ ହେଲେ ମଧ୍ୟ କବିଙ୍କ ସ୍ଵକୀୟ କଳ୍ପନା ବିଳାସ ଓ କବିତ୍ଵପୂର୍ଣ୍ଣ ଦକ୍ଷତାର ସ୍ପର୍ଶରେ ତାହା ନିତ୍ୟ ନୂତନ ରୂପ ଗ୍ରହଣ କରିଛି । ଏତଦ୍ ବ୍ୟତୀତ ଭାବାନୁସାରୀ ଭାଷାପ୍ରୟୋଗ, ଅଯତ୍ନ ବିନ୍ୟସ୍ତ ବିବିଧ ଅଳଙ୍କାର, ସୁଲଳିତ ଛାନ୍ଦ ଓ ରାଗରାଗିଣୀର ଝଙ୍କାର, ଶୃଙ୍ଗାର, ରସର ଚମତ୍‌କାର ଅଭିବ୍ୟଞ୍ଜନ, ଲାଳିତ୍ୟପୂର୍ଣ୍ଣ ଶବ୍ଦ ପ୍ରୟୋଗ, ରୀତି, ବୃତ୍ତି ଓ ବର୍ଣ୍ଣବିନ୍ୟାସଗତ କୌଶଳରେ ସମଗ୍ର କାବ୍ୟଟି ସୁପାଠ୍ୟ ଓ ଉପଭୋଗ୍ୟ ହୋଇପାରିଛି ।

ଯୁଗଳ ରସାମୃତ ଭଉଁରୀ

କବି ମଧୁପୁର ରାଜ୍ୟରେ ଥିବାବେଳେ ଏ ଗ୍ରନ୍ଥ ଚରନା କରିଥିଲେ । ସଦାନନ୍ଦ ଯୁଗଳ ରସାମୃତ ଲହରୀ କାବ୍ୟର ଶେଷରେ ଘୋଷଣା କରିଛନ୍ତି ଯେ ଯଦ୍ୟପି ସେ ଏ କାବ୍ୟରେ ଶ୍ରୀକୃଷ୍ଣଙ୍କର ମାଧୁର୍ଯ୍ୟ ଲୀଳା ବର୍ଣ୍ଣନା କରିଛନ୍ତି; ତଥାପି ଏଥିରେ ମାନରସ ଲୀଳା ବର୍ଣ୍ଣିତ ହୋଇନାହିଁ । ତାହା ସେ ଗୋଟିଏ ସ୍ଵତନ୍ତ୍ର କାବ୍ୟ ଯୁଗଳ ରସାମୃତ ଭଉଁରୀରେ ବର୍ଣ୍ଣନା କରିବେ । କବିଙ୍କ ବ୍ରଜଲୀଳା ବର୍ଣ୍ଣନାର ଯୋଜତା ଅନୁସାରେ ଏଠାରେ ରାଧାକୃଷ୍ଣଙ୍କ ମାନସ ଲୀଳା ବର୍ଣ୍ଣିତ । ଏହା ମାଧୁର୍ଯ୍ୟ ଲୀଳାର ଗୋଟିଏ ସମୃଦ୍ଧ ଦିଗ, ଲହରୀ ପାଠକରି ସାରିବା ପରେ ପାଠକ ଭଉଁରୀରେ ବିଶେଷ କିଛି କବିତ୍ଵପୂର୍ଣ୍ଣ ବୈଶିଷ୍ଟ୍ୟର ନୂତନ ଦିଗନ୍ତ ଖୋଜି ପାଏ ନାହିଁ । କବି କର୍ମ ଓ କୌଶଳରେ ଗତାନୁଗତିକତାର ସ୍ଵାକ୍ଷର ସ୍ପଷ୍ଟ । ଅଠଚାଳିଶି ଛାନ୍ଦରେ ରଚିତ ଏ କାବ୍ୟରେ ସେହି କୃଷ୍ଣଲୀଳା ବର୍ଣ୍ଣିତ । ଶବ୍ଦାଳଙ୍କାରର ବାହୁଲ୍ୟ ଓ ଅର୍ଥାଳଙ୍କାରର ସୁନିପୁଣ ଯୋଜନାରେ କାବ୍ୟଟି ସମୃଦ୍ଧ । ସାମ୍ପ୍ରଦାୟିକ ବୈଷ୍ଣବ ଚେତନା ପ୍ରତି କବିଙ୍କ ପକ୍ଷପାତିତା ଏଥିରେ ସର୍ବତ୍ର ଅନୁଭୂତହୁଏ । ସଦାନନ୍ଦଙ୍କ ମତରେ ଯେଉଁମାନେ ରାଧାକୃଷ୍ଣଯୁଗଳ ଉପାସନାର ଉପାସକା ନୁହ ସେମାନଙ୍କର ମାନବ ଜୀବନ ବ୍ୟର୍ଥତାରେ ପର୍ଯ୍ୟବେଶିତ ହୁଏ । ଆଉ ଯେଉଁମାନେ କବି ହୋଇ ଯୁଗଳ ଲୀଳା କୀର୍ତ୍ତନ କରି ନାହାନ୍ତି ସେମାନଙ୍କର କବିତ୍ଵ ମଧ୍ୟ ବୃଥା ଆସ୍ଫାଳନର ଅଳୀକ ଚେଷ୍ଟାରେ ପରିଣତ ହୋଇଛି । ଏଣୁ ସେ ଉପେନ୍ଦ୍ର ଭଞ୍ଜ ଓ ଲୋକନାଥ ବିଦ୍ୟାଧର ପ୍ରଭୃତି ପ୍ରତିଷ୍ଠିତ କବିଙ୍କୁ କବିସମାଜରେ ସମୁଚିତ ସ୍ଥାନ ଦେବାପାଇଁ କୁଣ୍ଠିତ । ଦୀନକୃଷ୍ଣ ଓ ଭୂପତି ପଣ୍ତିତ ଇତ୍ୟାଦି କୃଷ୍ଣଲୀଳା ଗାନ କରିଥିଲେ ମଧ୍ୟ ଚୈତନ୍ୟପନ୍ଥୀ ହୋଇନଥିବାରୁ ସେମାନଙ୍କ ପ୍ରତି ଯଥାଯୋଗ୍ୟ ଗୁରୁତ୍ଵ ଆରୋପିତ ହୋଇନାହଁ । କବି ସ୍ଵପ୍ନଭାବରେ ଉଲ୍ଲେଖ କରିଛନ୍ତି ଯେ, ଚୈତନ୍ୟ ପନ୍ଥୀ ବୈଷ୍ଣବ ଚେତନା ପ୍ରତି ଅନୁରାଗ ନଥିଲେ ଏ ଗ୍ରନ୍ଥରେ ଯେ କୌଣସି ପାଠକର ଅଭିନିବେଶ ଆଶା କରାଯାଇ ନପାରେ । ଏ ସବୁ ସତ୍ତ୍ଵେ କବିଙ୍କର ଧର୍ମନିଷ୍ଠା ଓ ତତ୍ଵଚିନ୍ତାର ପୁଷ୍ପଳତା ଗ୍ରନ୍ଥଟିର ଛତ୍ରେ ଛତ୍ରେ ସବିତ୍ର ବିଳସିତ । ସ୍ଵାଭାବିକ ସରଳ ତରଳ ଭାବବ୍ୟଞ୍ଜନା ର ସହଜ ସୁନିପୁଣ ଅଭିବ୍ୟକ୍ତି, କବିଙ୍କର ଅକ୍ଷର କୀର୍ତ୍ତିର ସମୁଜ୍ଜ୍ୱଳ ନିଦର୍ଶନ ରୂପେ ଏଠାରେ ଚିର ଭାସ୍ଵର ।

ପ୍ରେମ ତରଙ୍ଗିଣୀ

ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମାଙ୍କ ଏହା ଗୋଟିଏ ଉତ୍କୃଷ୍ଟ ବୈଷ୍ଣବ କାବ୍ୟ । ଆଦ୍ୟୋପ୍ରାନ୍ତ କାବ୍ୟଟିରେ ପ୍ରେମର ତରଙ୍ଗ ସୃଷ୍ଟି ହୋଇଛି । ଏ କାବ୍ୟଟି ଅପେକ୍ଷାକୃତ କ୍ଷୁଦ୍ର ପରିସର ବିଶିଷ୍ଟ ଛତିଶିଟି ଛାନ୍ଦରେ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ଛାନ୍ଦ ଗୁଡ଼ିକ ଅତ୍ୟନ୍ତ ରସାଳ ଓ ପ୍ରେମାତ୍ମକ ସୂକ୍ଷ୍ମ ଅନୂଭୁତିର ବର୍ଣ୍ଣାଢ଼୍ୟ ବିଭାରେ ରୁଦ୍ଧିମନ୍ତ, ରସ ଅନୁଭବୀ ମାନଙ୍କୁ ପରକୀୟା ପ୍ରୀତିର ମାଧୁର୍ଯ୍ୟ ଆସ୍ଵାଦନ କରାଇବା ଲକ୍ଷ୍ୟରେ ଗ୍ରନ୍ଥର ପରିକଳ୍ପନା କରାଯାଇଛି ।

 

ପରବଧୂ ପରପୁତ୍ର ରାଧାକୃଷ୍ଣ ପ୍ରୀତି

ଅନ୍ୟାନ୍ୟରେ ପ୍ରାପ୍ତି ଲୋଭେ ଝୁରା ଝୁରି ନିତି ।

 

ଏହିପରି ଝୁରା ଝୁରିର ପରିଣତି ସ୍ଵରୂପ ଭାଗ୍ୟ ବଶତଃ ଦିନେ ଦିନେ କୌଣସି ସ୍ଥଳରେ ମିଳନ ସଂଘଟିତ ହେଲେ ପରମାନନ୍ଦ ପରିବର୍ଦ୍ଧିତ ହୁଏ । କବି ରାଧାକୃଷ୍ଣ ମିଳନର ଏକ ଏକ ଦିନର ଘଟନାକୁ କାବ୍ୟର ବିଷୟ କରି ବର୍ଣ୍ଣନା କରଛନ୍ତି । “ଏଣୁ ମୁଁ ଏକ ରଜନୀ ମିଳନ କହିବି, ଆସ୍ଵାଦାନ କରନ୍ତୁ ସେ ରସ ଅନୁଭବୀ” । କବି ଗୀତଗୋବିନ୍ଦ କାର ଜୟଦେବଙ୍କପରି କାବ୍ୟର ଆଭିମୁଖ୍ୟ ବର୍ଣ୍ଣନା କରି ଲେଖିଛନ୍ତି- ରାଧାକୃଷ୍ଣ ପ୍ରେମଲୀଳା ରସରୂପକ ପ୍ରେମତରଙ୍ଗିଣୀ- ସରରେ ବୈଷ୍ଣବ ମାନସ ହଂସ ବିହାର କରୁ ଅଥବା ସଙ୍ଗୀତ ସାହିତ୍ୟ ଓ କାବ୍ୟରୀତିର ତଟସ୍ଥ “ଭାବୁକ ଗ୍ରାହାକ ଏଥି ପଡ଼ି ବୁଡ଼ିଯାଉ” । ଧାର୍ମିକ ଓ ସାହିତ୍ୟ ରସିକ ପାଇଁ ବହୁ ନିର୍ମଳ ଅନୁଭବ ପୂର୍ଣ୍ଣ କବିତ୍ଵର ସ୍ଵଚ୍ଛନ୍ଦ ଧାରା ଏଠି ପ୍ରବାହିତ ହୋଇଛି । ପ୍ରଥମ ଛାନ୍ଦରେ କବି ମଙ୍ଗଳାଚରଣ କରି କୃଷ୍ଣ ଓ ରାଧାଙ୍କୁ ‘ସର୍ବେଶ୍ଵର ଓ ସର୍ବେଶ୍ଵରୀ’ ‘ରସିକ ରସିକା ଶିରୋମଣି’ ବୋଲି ବର୍ଣ୍ଣନା କରିଛନ୍ତି । ମହାପ୍ରେମ ମଦରେ ଅହର୍ନିଶି ଉନ୍ମତ୍ତ ରାଧାକୃଷ୍ଣ ଅନାଗତ ବିରହ ଆଶଙ୍କାରେ ଆତଙ୍କିତ ହୋଇ ଉଠୁଛନ୍ତି । ରାଧା ‘ମହାଭାବ ରୂପା’ ଓ କୃଷ୍ଣ ‘ରସରାଜ’ ରସାଳସରେ ଦୁହିଁଙ୍କ ନୟନ ଘୂର୍ଣ୍ଣାୟମାନ । ‘ଅପ୍ରାକୃତ ଅନଙ୍ଗରେ ପୀଡ଼ିତ ହୃଦୟ’ ରାଧାକୃଷ୍ଣ ପରକୀୟା ପ୍ରୀତିରସ ଆକଣ୍ଠ ଆସ୍ଵାଦନ କରି ପରସ୍ପର ପ୍ରାପ୍ତି ଲୋଭରେ ଅତ୍ୟନ୍ତ ଆସକ୍ତ । ଏହି ମହାଭାବ ଚିରନ୍ତନ ହେଲେ ମଧ୍ୟ ଧରଣୀରେ ପୁନଃ ପ୍ରତିଷ୍ଠା ପାଇଁ ଶ୍ରୀକୃଷ୍ଣ ଗୌରାଙ୍ଗ ରୂପରେ ନବଦ୍ଵୀପରେ ଜନ୍ମ ଗ୍ରହଣ କଲେ । ତାଙ୍କର ଆବିର୍ଭାବ ହିଁ ସର୍ବଜନ ହୃଦୟରେ ବ୍ରଜଭାବ ସଞ୍ଚାର କଲା । କବିଖେଦ ପ୍ରକାଶ କରି କହିଛନ୍ତି ଗୌରାଙ୍ଗ ରାଧାକୃଷ୍ଣ ଯୁଗଳମୂର୍ତ୍ତିର ପ୍ରେମମୟ ଅବତାର ହେଲେ ମଧ୍ୟ ଆଜି କେହି ତାହାକୁ ଯଥାର୍ଥ ଭାବରେ ଅନୁଭବ କରିପାରୁ ନାହାନ୍ତି । ସତେ ଯେପରି ଧର୍ମର ଅବକ୍ଷୟ କାଳ ଉପସ୍ଥିତ । ପ୍ରେମ ଭକ୍ତି ଚେତନାରେ ଜ୍ଞନର ସ୍ଥାନ ତୁଚ୍ଛ । କିନ୍ତୁ “ଏବେ ଜ୍ଞାନୀଙ୍କ କର୍ମରେ ଭୁବନ ଭରିଲା । ଗୌରାଙ୍ଗ କି ତତ୍ତ୍ଵ ତାହା କେହି ନ ପଚାରିଲା” । ଭଗବାନଙ୍କ ମାଧୁର୍ଯ୍ୟଲାଳା ତୁଳନାରେ ଐଶ୍ଵର୍ଯ୍ୟ ଲୀଳା ହିଚ୍ଛାତିତୁଚ୍ଛ । ଏଣୁ ମାଧୁର୍ଯ୍ୟ ପୂର୍ଣ୍ଣ ରାଧାକୃଷ୍ଣ ପରକୀୟା ପ୍ରୀତିଲୀଳା ଭକ୍ତମାନଙ୍କର ପରମ ଆରାଧ୍ୟ ବସ୍ତୁ ।

 

କବି ‘ଅଳପ ରୁଚିରେ ଭଲ’ ବୋଲି ମତାମତ ବ୍ୟକ୍ତ କରି ଯଥା ସମ୍ଭବ କ୍ଷୁଦ୍ର ଛାନ୍ଦମାନଙ୍କରେ ଏହି ମାଧୁର୍ଯ୍ୟ ଲୀଳାର ଦିନଦିନକର ମଧୁର ମିଳନ ଘଟଣାକୁ ଚିତ୍ରିତ କରିଛନ୍ତି । ପ୍ରେମତରଙ୍ଗିଣୀର ଷଟ୍‌ତ୍ରିଂଶ ଛାନ୍ଦଟି ଗୁରୁତ୍ଵପୂର୍ଣ୍ଣ । ଏଥିରେ କବି ରାଧାକୃଷ୍ଣଙ୍କର ପରକୀୟା ପ୍ରୀତିରସର ବିବିଧ ବୈଚିତ୍ର୍ୟକୁ ଦଶଗୋଟି ପ୍ରବହାରେ ବର୍ଣ୍ଣନା କରି, ମାଧୁର୍ଯ୍ୟଲୀଳାର ଚରମୋତ୍କର୍ଷ ପ୍ରତିପାଦନ କରିଛନ୍ତି । ପ୍ରସଙ୍ଗକ୍ରମେ କବି ଚୈତନ୍ୟଙ୍କଠାରୁ ଆରମ୍ଭ କରି ସ୍ଵ-ଗୁରୁ ପରମ୍ପରାର ସୂଚନା ମଧ୍ୟ ଦେଇଛନ୍ତି । ରାଧାକୃଷ୍ଣ ଓ ଚନ୍ଦ୍ରାବଳୀ କୃଷ୍ଣ ସମ୍ଭୋଗ ଲୀଳାର ବହୁବିଭାଗ ଏଥିରେ ବିକାଶଲାଭ କରିଛି ।

 

ନାୟକ କୃଷ୍ଣଙ୍କର ନାୟିକା ସହିତ ପ୍ରୀତିର ପୂର୍ବରାଗ, ବିରହ, ମିଳନ ଓ ସମ୍ଭୋଗ ବର୍ଣ୍ଣନାରେ କବିଙ୍କ ଅନ୍ୟାନ୍ୟ କାବ୍ୟମାନଙ୍କ ଅପେକ୍ଷା ବିଶେଷ କିଛି ସ୍ଵାତନ୍ତ୍ର୍ୟ ପରଲକ୍ଷିତ ହୁଏ ନାହିଁ-। ଅବଶ୍ୟ ସ୍ଥଳବିଶେଷରେ ପଦେଅଧେ ମର୍ମସ୍ପର୍ଶୀ ବର୍ଣ୍ଣନା ଦେଖିବାକୁ ମିଳେ । ନାୟକ ନାୟିକାର ପ୍ରୀତି ଦିନାନୁଦିନ ଗାଢ଼ତର ହେବାପାଇଁ ଲୋଡ଼ା–

“ସମାନବୟଃ ସମାନ ସୁନ୍ଦର, ସମାନଗୁଣ ସମାନ ବେଭାର

ସମାନ ସ୍ନେହ ଅଧୀନତାମନ, ଏ ଦୁହିଁଙ୍କ ମଧ୍ୟେ ପ୍ରୀତିରାଜନ

ସେ ଯାହା କରାଏ, କାଠ କଣ୍ଢେଇ ନାଟୁଆ ପରାଏ ।।”

ଅଭିମନ୍ୟୁ ସାମନ୍ତସିଂହାରଙ୍କ ବିଦଗ୍‌ଧ ଚିନ୍ତାମଣିରେ ଏହାର ପ୍ରତିଧ୍ଵନି ଲକ୍ଷ୍ୟ କରିବାର କଥା । କବି ପ୍ରସଙ୍ଗକ୍ରମେ ବିଭିନ୍ନ ଋତୁ ଚିତ୍ର ଆଂକିଛନ୍ତି ଓ ସେହି ବର୍ଣ୍ଣନାଗୁଡ଼ିକକୁ ପ୍ରେମ ବିକାଶର ଉଦ୍ଦୀପନ ବିଭାବ ଭାବେ ଅଂକିତ କରିଛନ୍ତି ।

ଏଠାରେ ଗୋଟିଏ ଲକ୍ଷଣୀୟ ବିଷୟ ହେଉଛି ଯେ, କବି ପରକୀୟା ପ୍ରୀତି ମୂର୍ଚ୍ଛିତ ରାଧାକୃଷ୍ଣ ଯୁଗଳ ପ୍ରେମଲୀଳାର ଉପାସକ । ‘କିନ୍ତୁ ପ୍ରାୟ ସବୁ କାବ୍ୟରେ ପୁରାଣ କଥା ଓ କିମ୍ଵଦନ୍ତୀର ଆଶ୍ରୟ ନେଇ କବି ପରକୀୟା ପ୍ରେମକୁ ସ୍ଵକୀୟା ପ୍ରେମ ଭାବରେ ସିଦ୍ଧ କରିବା ପାଇଁ ଚେଷ୍ଟା କରିଛନ୍ତି । ଏ ଚେଷ୍ଟାର ବିଭିନ୍ନ ଧାରା ତାଙ୍କର ପ୍ରାୟ କାବ୍ୟରେ ବିଚ୍ଛୁରିତ । ଏହି ପ୍ରେମତରଙ୍ଗିଣୀରେ ପରବଧୂ ରାଧା କିପରି ପରପୁରୁଷ କୃଷ୍ଣଙ୍କ ପ୍ରତି ନିଜର ଆସକ୍ତି ଜନିତ ଗର୍ହିତ କାର୍ଯ୍ୟ କଳାପକୁ ଯୁକ୍ତିସିଦ୍ଧ କରୁଛନ୍ତି ତାହା ଦେଖିବାର କଥା ।

“ପ୍ରାଣ ନାଥଙ୍କୁ ବୋଲୁ ପରପୁରୁଷ,

ଯେଉଁ ବନ୍ଧୁ ଆମ୍ଭର ଧନ ସର୍ବସ୍ଵଲୋ ।

କର ଗ୍ରହଣ ମାତ୍ର ଅଭିମନ୍ୟୁର,

କୃଷ୍ଣ କେବଳ ମୋର ପ୍ରାଣ ଈଶ୍ଵରଲୋ ।

ପତି ପୁରୁଷ ହେଲେ ଲାଗନ୍ତା ଦୋଷ,

କର୍ମ ନିଷେଧ ନପୁଂସକେ ପ୍ରକାଶଲୋ ।

କୃଷ୍ଣ ବୋଲନ୍ତି ଚନ୍ଦ୍ର ସେନ ମୁଁ ଏକ,

ଦେହ ପ୍ରାଣ ପରାଏ ମନରେ ତର୍କ ଲୋ ।

ରସ ଆସ୍ଵାଦନକୁ ଦୁଇ ପ୍ରକାର,

ଏ ସତ୍ୟ ଯେବେ ପାପ-ଶିରେ ପୟର ଲୋ ।

ତଥାପି ତୁନିତାନି ଶୁଣିଛି କର୍ଣ୍ଣ,

କୃଷ୍ଣ ଅବ୍ୟୟ ସର୍ବ କଳା ସମ୍ପର୍ଣ୍ଣଲୋ ।

ପୁରୁଷ ସେହି ଏକା ସମସ୍ତେ ଶକ୍ତି,

ତେବେ ଉଚିତ ହେଲା ତାରେ ଆଶକ୍ତିଲୋ ।

ସାମ୍ପ୍ରଦାୟିକ ଧର୍ମଚେତନା ଦୃଷ୍ଟିରୁ ପରକୀୟା ପ୍ରେମଲୀଳାର ମହତ୍ୱ ପ୍ରତି ସାଧାରଣ ଦୃଷ୍ଟିରେ ଅବଜ୍ଞା ପ୍ରଦର୍ଶନ କରି ଦେଖିଲେ ମଧ୍ୟ ଚିରନ୍ତନ ପ୍ରଣୟୀ ଓ ପ୍ରଣୟିନୀଙ୍କ ଆକୁଳ ଆତ୍ମନିବେଦନର ଯେଉଁ ଅମର ଭାବସମ୍ଭାର ଏଥିରେ ଅଭିବ୍ୟଞ୍ଜିତ ହୋଇଛି ତାହାର ମହତ୍ଵ ମଣିଷ ହୃଦୟରେ ପ୍ରେମ ବିଳାସର ଆତ୍ମିକ ଅନୁଭୂତି ଥିବା ପର୍ଯ୍ୟନ୍ତ ଚିର ଦେବୀପ୍ୟମାନ ହୋଇ ରହିବ ।

ଚିଟାଉଚନ୍ଦ୍ରୋଦୟ

ମୋହନଲତା କାବ୍ୟର ବିବରଣୀ ଅନୁସାରେ ଏହି କାବ୍ୟଟି କବିଙ୍କ ଷଷ୍ଠ ରଚନା । ଏହା ଶୋହଳଟି ଛାନ୍ଦରେ ସମାପ୍ତ ହୋଇଛି । ଏଥିରେ ରାଧା ଓ କୃଷ୍ଣଙ୍କ ଉତ୍ତର ପ୍ରତ୍ୟୁତ୍ତର ସମ୍ଵଳିତ ପନ୍ଦରଟି ଚିଠି ଲିପିବଦ୍ଧ ହୋଇଅଛି । ଚିଟାଉ ଗୁଡ଼ିକ ମାଧ୍ୟମରେ ପ୍ରଣୟୀ ଓ ପ୍ରଣୟିନୀଙ୍କ ନିବିଡ଼ ପ୍ରେମାନୁଭୂତି ଅଭିବ୍ୟକ୍ତି ଲାଭ କରି ଥିବାରୁ ଏହା ଅତ୍ୟନ୍ତ ହୃଦ୍ୟ ଓ ଅନୁଭୂତି ବ୍ୟଞ୍ଜକ ହୋଇ ପାରିଛି । ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟରେ ଚିଟାଉ ଲେଖାର ଶୈଳୀ ଓ ପରଂପରାରେ ଚିଟାଉ ଚନ୍ଦ୍ରୋଦୟ କାବ୍ୟଟି ଗୋଟିଏ ଉଜ୍ଜ୍ଵଳ ନିଦର୍ଶନ । ପ୍ରଥମେ ମୁଗ୍‌ଧା ନାୟିକା ରାଧା, କୃଷ୍ଣଙ୍କ କଥା ଚିନ୍ତା କରି ବିଦଶା ହୋଇ ପଡ଼ିଛନ୍ତି । ମନରେ ପ୍ରଜାପତିର ରଙ୍ଗ । ସେ ଭାବିପାରୁ ନାହାନ୍ତି ଯେ, ସେ ବିବାହିତା ଓ ପ୍ରତିବ୍ରତା ହୋଇଥିଲେ ମଧ୍ୟ କିପରି ଓ କାହିଁକି ତାଙ୍କର ମନ କୁଳାଚାର ଲଘଂନ କରି ପରପୁରୁଷ ପାଇଁ ଏତେ ଉଚ୍ଛନ୍ନ । ଏଥିରୁ ରକ୍ଷା ପାଇବାର ଉପାୟ ଜିଜ୍ଞାସା କରି କୃଷ୍ଣଙ୍କ ନିକଟକୁ ସେ ପତ୍ର ଲେଖିଛନ୍ତି । କୃଷ୍ଣ ଏ ଚିଠିଟି ପାଇ ମନେ ମନେ ଅତ୍ୟନ୍ତ ଆନନ୍ଦିତ ହୋଇଛନ୍ତି କିନ୍ତୁ କିଛି ନଜାଣିଲା ପରି ଉତ୍ତରରେ ଲେଖିଛନ୍ତି–

 

ତୁମ୍ଭେ ଲେଖିଲେ ଯେଉଁ କଥା, ବୁଝି ନ ପାରିଲି ସର୍ବଥା ।।

ଦଇବେ କୁଳବତୀ ହୋଇ, କୁଳ ଛାଡ଼ିବ କାହିଁ ପାଇଁ ।।

 

ମୁଁ ତ ଏସବୁ ବିଷୟରେ ଅତ୍ୟନ୍ତ ଅପାରଗ । ବଡ଼ ଧର୍ମଭୀରୁ । ମୁହଁ ଟେକି କୌଣସି ବ୍ରଜବାଳାକୁ ଚାହିଁ ପାରେନି । ଏସବୁ କଥାକୁ ମୋର ବଡ଼ ଡର ।

 

ଛାଇ ପଡ଼ିଲେ କାରି ସ୍ନାନ

ନ ଚାହିଁ ନାରୀଙ୍କ ବଦନ

।।

ପରସ୍ତ୍ରୀ ହରଣ ଯେ କାର୍ଯ୍ୟ

ପାତକମାନଙ୍କର ରାଜ୍ୟ

।।

 

ରାଧା କୃଷ୍ଣଙ୍କ ଠାରୁ ଏପରି ଗୋଟିଏ ଉତ୍ତର ଆଶା କରି ନଥିଲେ । ପ୍ରଥମେ ସେ ବଡ଼ କଠିନ ହେବାକୁ ସ୍ଥିର କଲେ । କିନ୍ତୁ ପର ମୁହୂର୍ତ୍ତରେ ସେ ଆଉ ଧୈର୍ଯ୍ୟ ଧରି ରହି ପାରିଲେ ନାହିଁ । ଏ ବିପତ୍ତିରୁ ରକ୍ଷା ପାଇବାର ଉପାୟ ଚିନ୍ତା କରିବା ପାଇଁ ପ୍ରିୟସଖୀ ଲଳିତା ଓ ବିଶାଖା ସହିତ ପରାମର୍ଶ କରି କହିଲେ– କୃଷ୍ଣଙ୍କୁ “ଭଜିଲେ ଅପବାଦ ତେଜିଲେ ଦୁଃଖ” । କ’ଣ ସେ କରିବେ ବୁଦ୍ଧି ଦିଶୁନାହିଁ । ସଖୀ ଦ୍ଵୟ ନାନା କୌତୁକ କରି ପୁଣି ପତ୍ର ଲେଖାଇଲେ । ଏପରି ନାନା ରହସ୍ୟ ପୂର୍ଣ୍ଣ ପନ୍ଦରଟି ପତ୍ରର ଆଦାନ ପ୍ରଦାନ ପରେ କୃଷ୍ଣଙ୍କ ସହିତ ରାଧାଙ୍କ ମିଳନ ସମ୍ପାଦିତ ହୋଇଛି । ମହୋଲ୍ଲାସମୟ ମିଳନ ପର୍ବ ବର୍ଣ୍ଣନା କରି କବି ଗ୍ରନ୍ଥ ସମାପ୍ତି କରିଛନ୍ତି ।

 

ଉତ୍କଳ ବିଶ୍ଵବିଦ୍ୟାଳୟର ପୋଥି ବିଭାଗରେ ଏହାର ଗୋଟିଏ ପାଣ୍ତୁଲିପି ସୁରକ୍ଷିତ ହୋଇଛି । କାବ୍ୟଟି ଅତ୍ୟନ୍ତ ସରଳ ତରଳ ଭାଷାରେ ଲିଖିତ । ପ୍ରେମ ଗର୍ଭିତ ଭକ୍ତି ପ୍ରତ୍ୟୁକ୍ତି ଓ ଆଳାପ ଆଲୋଚନା ଗୁଡ଼ିକ ଅତ୍ୟନ୍ତ ଚମତ୍କାର ଓ ଭାବବ୍ୟଞ୍ଜକ । ପ୍ରଣୟୀ ଓ ପ୍ରଣୟିନୀଙ୍କ ମାନସିକ ଗ୍ଲାନି, ଆଶଙ୍କା, ଚିନ୍ତା, ମୋହ, ମଧୁର ସ୍ମୃତି, ହର୍ଷ, ଆବେଗ ପୁଲକ ଇତ୍ୟାଦିର ବିଶ୍ଳେଷଣ ଓ ଆଲେଖ୍ୟ ବେଶ୍ ଚମକପ୍ରଦ ହୋଇ ପାରିଛି । କୌଣସି ଗୂଢ଼ାର୍ଥ ବିଶିଷ୍ଟ ପଦ ରଚନା କରି ଭାବଧାରାର ସ୍ଵଚ୍ଛନ୍ଦ ଗତିରେ ଆଦୌ ବାଧା ସୃଷ୍ଟି କରାଯାଇ ନାହିଁ । ସେ ଯଥାର୍ଥରେ କାବ୍ୟର ଆଭିମୁଖ୍ୟ ଘୋଷଣା କରି ଲେଖିଛନ୍ତି–

 

“ସର୍ବ ଆହ୍ଲାଦକ ହେବ ନିଦାନ

ଗୂଢ଼ାର୍ଥରେ ନାହିଁ ମୋ ପ୍ରୟୋଜନ”

 

ବାସ୍ତବରେ ଚିଟାଉ ଚନ୍ଦ୍ରୋଦୟ କାବ୍ୟଟି ଭକ୍ତ ଅଭକ୍ତ ପଣ୍ତିତ ଓ ସାଧାରଣ ପାଠକ ନିର୍ବିଶେଷରେ ସମସ୍ତଙ୍କର ଆଦରର ବସ୍ତୁ ହୋଇ ପାରିଛି ।

 

ଶ୍ରୀ ନାମ ଚିଂତାମଣି

 

ଗ୍ରନ୍ଥରେ ନାମ କୀର୍ତ୍ତନର ମାହାତ୍ମ୍ୟ ପ୍ରତିପାଦିତ ହୋଇଛି । କବି ପ୍ରଦତ୍ତ ସୂଚୀ ଅନୁସାରେ ଏହା କବିଙ୍କ ସପ୍ତମ ରଚନା ଓ ଦ୍ଵାଦଶ ଛାନ୍ଦରେ ସମାପ୍ତ । ନାମ ଜପ କରିବାରେ ଆଦର୍ଶ ଭକ୍ତ ଭାବରେ ଅଜାମିଳ, ଜଗାଇ ମାଧାଇ, ପିଙ୍ଗଳା,ଦ୍ରୌପଦୀ, ମୀରାବାଇ ଓ ହରିଦାସ ପ୍ରଭୃତି ବିଶିଷ୍ଟ ଭକ୍ତମାନଙ୍କ କଥା ଉଲ୍ଲେଖ କରାଯାଇଛି । ଏଥିରେ କବି ଶ୍ରୀ ଚୈତନ୍ୟ ଓ ରାଧା କୃଷ୍ଣଙ୍କ ଅଷ୍ଟୋତ୍ତର ଶତ ନାମ କୀର୍ତ୍ତନ କରିବା ସଙ୍ଗେ ସଙ୍ଗେ ଓଡ଼ିଶାର ଗଜପତି ରାଜା ଓ ତାହାଙ୍କ ମନ୍ତ୍ରୀ ଶ୍ରୀ ରାୟ ରାମାନନ୍ଦଙ୍କୁ ମଧ୍ୟ ସ୍ମରଣ କରିଛନ୍ତି । ଗ୍ରନ୍ଥଟି ଚୈତନ୍ୟ ପନ୍ଥୀ ବୈଷ୍ଣବମାନଙ୍କ ପାଇଁ ଉପାଦେୟ ହେଲେ ମଧ୍ୟ ଏଥିରେ କାବ୍ୟିକ ମାଧୁର୍ଯ୍ୟର ଅଭାବ ପରିଲକ୍ଷିତ ହୁଏ । ବାଣୀବିହାର ପୋଥି ବିଭାଗରେ ଏହାର ଗୋଟିଏ ପାଣ୍ତୁଲିପି ସୁରକ୍ଷିତ ଅବସ୍ଥାରେ ଅଛି ।

ପ୍ରୀତି ଚିଂତାମଣି

କବି ସଦାନନ୍ଦଙ୍କ ବିବୃତି ଅନୁସାରେ ଏ କାବ୍ୟଟି ଅସମ୍ପୂର୍ଣ୍ଣ ରହିଛି । ବହୁ ମିଳନର ବର୍ଣ୍ଣାଢ଼୍ୟ ବର୍ଣ୍ଣନା ଏଥିରେ ନିହିତ । କିନ୍ତୁ ଓଡ଼ିଶା ଷ୍ଟେଟ୍ ମ୍ୟୁଜିଅମ୍‌ରେ ସଂରକ୍ଷିତ ଗୋଟିଏ ପୋଥିରୁ ଜଣାଯାଏ ଯେ, ଏହା ତିନିଗୋଟି ଛାନ୍ଦ ବିଶିଷ୍ଟ ଗୋଟିଏ କ୍ଷୁଦ୍ରକାବ୍ୟ, ଅଭିମନ୍ୟୁ ସାମନ୍ତସିଂହାରଙ୍କ ବିଦଗ୍‌ଧ ଚିନ୍ତାମଣି କାବ୍ୟର ୩୯ ଓ ୪୨ ଛାନ୍ଦ ଦୁଇଟି ଏଥିରେ ପ୍ରଥମ ଓ ଦ୍ଵିତୀୟ ଛାନ୍ଦ ଭାବରେ ବିନ୍ୟସ୍ତ । ପୁଣି ସଦାନନ୍ଦଙ୍କ ଯୁଗଳ ରସାମୃତ ଲହରୀର ରାଧାଙ୍କ ସ୍ଵପ୍ନବିଳାସ କଥା ସମ୍ଵଳିତ ପଞ୍ଚବିଂଶ ଛାନ୍ଦଟି ଏଠାରେ ତୃତୀୟ ଛାନ୍ଦ ଭାବରେ ଉଦ୍ଧାର କରାଯାଇଛି । ପ୍ରଥମ ଦୁଇ ଛାନ୍ଦର ଭଣିତାରେ ଅଭିମନ୍ୟୁଙ୍କ ନାମ ଦେଖିବାକୁ ମିଳେ । ଏଣୁ ଏହା ଗୋଟିଏ ସ୍ଵତନ୍ତ୍ର କାବ୍ୟ ନୁହେ; ଏକତ୍ର ଉପଲବ୍‌ଧ ତିନୋଟି ପ୍ରେମାତ୍ମକ ସୁପ୍ରସିଦ୍ଧ ଛାନ୍ଦର ଗୋଟିଏ କ୍ଷୁଦ୍ର ସଂସ୍କରଣ ମାତ୍ର ।

ନିଷ୍ଠା ନୀଳମଣି

ସଦାନନ୍ଦ ବହୁ ବୈଷ୍ଣବ କାବ୍ୟ ରଚନା କରିଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ନିଷ୍ଠା ନୀଳମଣି ସ୍ଵତନ୍ତ୍ର ମର୍ଯ୍ୟାଦାର ଅଧିକାରୀ । ଏହା ବାରଟି କ୍ଷୁଦ୍ର ଛାନ୍ଦରେ ରଚିତ ହୋଇଥିଲେ ମଧ୍ୟ, ଛାନ୍ଦ କାବ୍ୟଭାବରେ ଗ୍ରହଣୀୟ ହେବା ଉଚିତ ନୁହେ । ଏଥିରେ ଆଖ୍ୟାନଧର୍ମୀ କୌଣସି ବିଷୟ ବର୍ଣ୍ଣିତ ହୋଇ ନାହିଁ କିମ୍ଵା ସାହିତ୍ୟ ସୁଲଭ କୌଣସି ଚଟୁଳ କଳ୍ପନାର ବିଳାସିତା ଏଥିରେ ନାହିଁ । ଏସବୁ ସତ୍ତ୍ଵେ ସମଗ୍ର ଚୈତନ୍ୟପନ୍ଥୀ ଓଡ଼ିଆ ବୈଷ୍ଣବ ସାହିତ୍ୟରେ ଏ ଗ୍ରନ୍ଥର ପ୍ରଭାବ ଓ ପ୍ରାଧାନ୍ୟ ଅନନ୍ୟ ସାଧାରଣ । ଓଡ଼ିଶାରେ ବୈଷ୍ଣବ ସାହିତ୍ୟର ଧାରା ବହୁ ପ୍ରାଚୀନ କାଳରୁ ଅବାରିତ ଭାବେ ପ୍ରବାହିତ ହେଉଥିଲେ ମଧ୍ୟ ସେଗୁଡ଼ିକୁ ନିୟନ୍ତ୍ରିତ କରିବା ପାଇଁ ବିଧିବଦ୍ଧ ଭାବରେ କୌଣସି ଗ୍ରନ୍ଥ ଲେଖାଯାଇ ନ ଥିଲା କହିଲେ ଅତ୍ୟୁକ୍ତି ହେବନାହିଁ । ଷୋଡ଼ଶ ଶତାବ୍ଦୀରେ ମହାପ୍ରଭୁ ଚୈତନ୍ୟଙ୍କ ଦ୍ଵାରା ସହଜ ସ୍ଵଭାବିକ ଭାବରେ ଉତ୍ସାରିତ ଭକ୍ତିଧାରା, ତଦୀୟ ଶିଷ୍ୟବର୍ଗ ବୃନ୍ଦାବନର ରୂପ, ସନାତନ ଓ ଜୀବଗୋସ୍ଵାମୀମାନଙ୍କ ଦ୍ଵାରା ଗୋଟିଏ ନିର୍ଦ୍ଦିଷ୍ଟ ସାଂପ୍ରଦାୟିକ ଭକ୍ତି ସିଦ୍ଧାନ୍ତ ଭାବରେ ପ୍ରତିଷ୍ଠିତ ଓ ପ୍ରଚାରିତ ହେଲା । ସେମାନେ ତଦ୍‌ବିଦ୍ ଧୂରୀଣ ପଣ୍ତିତ ଥିବାରୁ ତତ୍ସମ୍ପର୍କୀୟ ଆଚାର, ବିଚାର, ନିଷ୍ଠା ଓ ନିୟମ ପ୍ରଚାର କରିବା ପାଇଁ ବହୁ ଶାସ୍ତ୍ର ଗ୍ରନ୍ଥ କାବ୍ୟ ଗ୍ରନ୍ଥ ଲେଖିଯାଇଛନ୍ତି । ପ୍ରାମାଣିକ ଗ୍ରନ୍ଥମାନଙ୍କରେ ବହୁ ଶାସ୍ତ୍ରୀୟ ପ୍ରାମାଣ ଓ ଯୁକ୍ତି ବଳରେ ସାଂପ୍ରଦାୟିକ ଧର୍ମସିଦ୍ଧାନ୍ତ ଓ ଧର୍ମାଚାର ପ୍ରତିଷ୍ଠା କରାଯାଇଥିବା ବେଳେ କାବ୍ୟ, ନାଟକ ଓ ଗୀତି କବିତା ଗୁଚ୍ଛରେ ସେହି ସିଦ୍ଧାନ୍ତର ନିପୁଣ ପ୍ରୟୋଗ କରାଯାଇଛି । ସେସବୁ ଗ୍ରନ୍ଥରେ ପ୍ରକାଣ୍ତ ପାଣ୍ତିତ୍ୟ ଓ ସୃଷ୍ଟିଧର୍ମୀ କଳାକୁଶଳତାର ବିକଚ ବିକାଶ ଦେଖିବାକୁ ମିଳେ । ଏହି ଭକ୍ତିଭାବ ଗର୍ଭିତ ସାରସ୍ଵତ ସୃଷ୍ଟିଗୁଡ଼ିକ ଭାରତବର୍ଷରେ ସବୁ ପ୍ରାଦେଶିକ ସାହିତ୍ୟଗୁଡ଼ିକୁ ଶହ ଶହ ବର୍ଷଧରି ଅନୁପ୍ରାଣିତ କରିବା ସଙ୍ଗେ ସଙ୍ଗେ ସୃଷ୍ଟି ମୁଖର ମଧ୍ୟ କରିଥିଲା । ଓଡ଼ିଆ ସାହିତ୍ୟରେ ତାହାର ପ୍ରଭାବ କିଛି କମ୍ ନୁହେ । ବିଶେଷ କରି ଅଷ୍ଟାଦଶ ଶତାବ୍ଦୀର କବି ସଦାନନ୍ଦଙ୍କ ସମୟକୁ ଏହି ସାଂପ୍ରଦାୟିକ ମତବାଦର ବନ୍ୟା ଅବାରିତ ଭାବରେ ଏ ଦେଶକୁ ପ୍ଲାବିତ କରଥିଲା । ସଦାନନ୍ଦ ଏହି ଧାର୍ମିକ ପରମ୍ପରାର ଜଣେ ସର୍ବଶ୍ରେଷ୍ଠ ଦାୟାଦ । ସେ ଏହି ସାଂପ୍ରଦାୟିକ ଧର୍ମଧାରା ପ୍ରଚାର କରିବା ପାଇଁ ଯେଭଳି ଉଦ୍ୟମ କରି ଯାଇଛନ୍ତି ଏବଂ ଯେତେ ଗ୍ରନ୍ଥ ପ୍ରଣୟନ କରିଛନ୍ତି, ଗୁଣାତ୍ମକ ଓ ପରିମାଣାତ୍ମକ ଦୃଷ୍ଟିରୁ ବିଚାର କଲେ, ନିର୍ବିବାଦରେ କୁହାଯାଇ ପାରେ ଯେ, ସେପରି ଆଉ କେହି କରି ନାହାନ୍ତି । କବିଙ୍କ ଏହି ସାମଗ୍ରିକ ପ୍ରଚେଷ୍ଟାର ଫଳଶ୍ରୁତି ସ୍ଵରୂପ ନିଷ୍ଠାନୀଳମଣି ଗ୍ରନ୍ଥଟି ଜନ୍ମଲାଭ କରିଛି । ଗ୍ରନ୍ଥଟି କ୍ଷୁଦ୍ର ହେଲେ ମଧ୍ୟ ଚୈତନ୍ୟପନ୍ଥୀ ବୈଷ୍ଣବ ଚିନ୍ତା, ଚେତନା, ଆଚାର ଓ ବ୍ୟବହାରର ଯଥାର୍ଥ ତାତ୍ତ୍ଵିକ ବିଶ୍ଲେଷଣରେ ଆନ୍ତରିକ ଉଦ୍ୟମର ପଥପ୍ରଦର୍ଶକ ହୋଇପାରିଛି । ବୈଷ୍ଣବ ସାହିତ୍ୟ ଅଧ୍ୟୟନ ଓ ଅଧ୍ୟାପନା କରିବା ସମୟରେ ସାଧାରଣ ପାଠକ ମନରେ ଯେଉଁ ସହଜ ପ୍ରଶ୍ନଗୁଡ଼ିକ ଜାଗ୍ରତ ହୁଏ, ତାହାର ଉତ୍ତର ଏଥିରୁ ମିଳେ । ବିଶେଷ କରି ଓଡ଼ିଆ ବୈଷ୍ଣବ ସାହିତ୍ୟକୁ ଭଲଭାବେ ବୁଝିବା ଓ ହୃଦୟଙ୍ଗମ କରିବା ପାଇଁ ଏ ଗ୍ରନ୍ଥଟିର ଭୂମିକା ଏକାନ୍ତ ଉଲ୍ଲେଖ ଯୋଗ୍ୟ । “ମିତଂ ଚ ସାରଂଚ ବଚୋହି ବାଗ୍ମିତା” ଏହି ନୀତିର ବଶବର୍ତ୍ତୀ ହୋଇ ସେ ଯଥାସମ୍ଭବ କ୍ଷୁଦ୍ର କଳେବର ବିଶିଷ୍ଟ ଗ୍ରନ୍ଥଟିଏ ଲେଖିବାକୁ ଯତ୍ନବାନ୍ ହୋଇଛନ୍ତି ବୋଲି କବି ନିଜେ ସ୍ଵୀକାର କରିଛନ୍ତି । ‘‘ଅଳ୍ପହୋଇ ରୁଚିର ଭକ୍ତିତତ୍ତ୍ଵ ବୋଧ । ଏମନ୍ତ ପ୍ରକାର ହେଲେ କବିତ୍ଵ ବିଶୁଦ୍ଧ” । ଏଥିରେ ଥିବା ସାମ୍ପ୍ରଦାୟିକ ତଥ୍ୟ ଓ ତତ୍ତ୍ଵ ପ୍ରୟୋଗ କରି କବି ଓ ତାହାଙ୍କ ଶିଷ୍ୟ ଅଭିମନ୍ୟୁ ସାମନ୍ତସିଂହାର ବହୁ କାବ୍ୟ ପ୍ରଣୟନ କରି ଅନ୍ୟ କବିମାନଙ୍କ ପଥପଦର୍ଶକ ହୋଇଛନ୍ତି ।

 

ଗ୍ରନ୍ଥଟି ବାରଟି କ୍ଷୁଦ୍ର ଛାନ୍ଦରେ ରଚିତ । ଏଥିରେ ଶ୍ରୋତା ବକ୍ତା କେହି ନାହିଁ । ପ୍ରସଙ୍ଗକ୍ରମେ କବି କେତେବେଳେ କିମିତି ସ୍ଵ ‘ଚିତ୍ତ’ ଓ ‘ମନ’ କୁ ସମ୍ଵୋଧନ କରି ତତ୍ତ୍ଵକଥା ବୁଝାଇବାକୁ ଚେଷ୍ଟା କରଛନ୍ତି । ଆହୁରି ମଧ୍ୟ ସେ କହିଛନ୍ତି ଯେ ‘ସମୟ ଅଭାବ’ ରୁ ଗୌରାଙ୍ଗ ତତ୍ତ୍ଵ ଓ ରାଧାକୃଷ୍ଣ ଲୀଳା ମାଧୁର୍ଯ୍ୟର ସେ ବିସ୍ତୃତ ବିଚାର କରି ପାରି ନାହାନ୍ତି । କବିସୂର୍ଯ୍ୟ ବ୍ରହ୍ମା କିଛି କହିବାକୁ ବ୍ୟାକୁଳ ହେଉଥିବାର ଦେଖି ବାଞ୍ଚ୍ଥାକଳ୍ପତରୁ କୃଷ୍ଣ ଯାହା କହିଲେ କେବଳ ସେତିକି ସେ ବାତୁଳ ପରାଏ ବର୍ଣ୍ଣନ କରିଛନ୍ତି ।

 

ପ୍ରଥମରେ ସରସ୍ଵତୀ ଙ୍କୁ ବନ୍ଦନା କରି ସେ ସମଗ୍ର ସୃଷ୍ଟିକୁ ସ୍ଥାବର, ଜଙ୍ଗମ, କୀଟ ଓ ପତଙ୍ଗ ଏହିପରି ଚାରି ଭାଗରେ ବିଭକ୍ତ କରିଛନ୍ତି । ମାନବ ସମାଜର ସୁଷ୍ଠୁ ପରିଚାଳନା ପାଇଁ ବ୍ରାହ୍ମଣ କ୍ଷତ୍ରିୟ, ବୈଶ୍ୟ ଓ ଶୁଦ୍ର ଏହି ଚାରି ବର୍ଣ୍ଣାଶ୍ରମର ବ୍ୟବସ୍ଥା କରାଯାଇଛି । ସମାଜର ନିୟାମକ ଗ୍ରନ୍ଥ, ବେଦରେ ପ୍ରବୃତ୍ତି ଓ ନିବୃତ୍ତି ମାର୍ଗର ପରିକଳ୍ପନା କରାଯାଇଛି । ଜୀବନ ସମ୍ଭୋଗ ପାଇଁ ପ୍ରବୃତ୍ତି ମାର୍ଗ ପ୍ରଶସ୍ତ ଓ ଜନ୍ମମୃତ୍ୟୁ ହୀନ ମୋକ୍ଷ ପ୍ରାପ୍ତି ପାଇଁ ନିବୃତ୍ତି ମାର୍ଗ ପ୍ରଶସ୍ତତର । ଶୈବ, ଶାକ୍ତ, ଗାଣପତ୍ୟ ଓ ସୌର ସମ୍ପ୍ରଦାୟମାନେ ପ୍ରବୃତ୍ତି ଓ ନିବୃତ୍ତି ମାର୍ଗୀ । କିନ୍ତୁ ବୈଷ୍ଣବ ସମ୍ପ୍ରଦାୟ ଦ୍ଵୈତବାଦୀ ଓ ପ୍ରବୃତ୍ତି ମାର୍ଗରେ ବିଶ୍ଵାସ କରେ । ପଞ୍ଚଦେବୋପାସନାରେ ବିଶ୍ଵାସୀ ମାନଙ୍କୁ ସ୍ମାର୍ତ୍ତ ଏବଂ କେବଳ ବିଷ୍ଣୁ ଉପାସକ ମାନଙ୍କୁ ବୈଷ୍ଣବ କୁହାଯାଏ ।

 

ଦ୍ଵିତୀୟ ଛାନ୍ଦରେ ‘ସମ୍ଵନ୍ଧ ନିଷ୍ଠା’ ଆଲୋଚନା କରିବାକୁ ଯାଇ କବି କହିଛନ୍ତି- ଭଗବାନ ସେବ୍ୟ, ମନୁଷ୍ୟ ସେବକ । ବୈଷ୍ଣବମାନେ ଏହି ସେବ୍ୟ ସେବକ ସମ୍ପର୍କ ରଖି ଚଳନ୍ତି । ‘ସେବା ସେବକ ସମନ୍ଧ ବୈଷ୍ଣବର କୃଷ୍ଣ ପ୍ରଭୁ ଆମ୍ଭେ ଦାସ’ । ଶ୍ରୀ, ବ୍ରହ୍ମ, ରୂଦ୍ର, ଓ ସନକ ଏହିପରି ଚାରୋଟି ବୈଷ୍ଣବ ସମ୍ପ୍ରଦାୟ ଭାରତ ବର୍ଷରେ ବିଖ୍ୟାତ । ଶ୍ରୀ ରାମାନୁଜା ଚାର୍ଯ୍ୟ, ମାଧ୍ଵାଚାର୍ଯ୍ୟ, ବିଷ୍ଣୁସ୍ଵାମୀ, ନିମ୍ଵାର୍କ ଚାର୍ଯ୍ୟ ଯଥାକ୍ରମେ ଏହି ବୌଷ୍ଣବ ସମ୍ପ୍ରଦାୟମାନଙ୍କର ପ୍ରବର୍ତ୍ତକ । ବୈଷ୍ଣବ ସମ୍ପ୍ରଦାୟ ଗୁଡ଼ିକ ଶିଷ୍ୟାନୁଷ୍ୟ କ୍ରମରେ ବିସ୍ତାର ଲାଭ କରୁଥିବା ବେଳେ ସ୍ମାର୍ତ୍ତ ମତ ସ୍ଥିର ଭାବରେ ରହିଛି । ସମ୍ପ୍ରଦାୟ ବିହୀନ ଲୋକର ସବୁ କର୍ମ ବିଫଳ ହୁଏ । ଚାରି ବୈଷ୍ଣବ ସମ୍ପ୍ରଦାୟର ଚାରିଧାମ ନିର୍ଦ୍ଦିଷ୍ଟ । ରାମନାଥ, ସୋମନାଥ, ବଦ୍ରିନାଥ, ଓ ଜଗନ୍ନାଥ (ରାମେଶ୍ଵର, ଦ୍ଵାରକା, ବଦ୍ରିକାଶ୍ରମ ଓ ପୁରୁଷୋତ୍ତମ) । ଚୈତନ୍ୟ ପନ୍ଥୀ ବୈଷ୍ଣବମାନଙ୍କର ନିତ୍ୟଧାମ ବୃନ୍ଦାବନ ଓ ଏମାନେ ମୁକ୍ତିକୁ ଇଚ୍ଛା କରନ୍ତି ନାହିଁ । ନାରଦ, ବ୍ୟାସ, ସନକ, ଶୁକ ଓ ବଶିଷ୍ଟ ଆଦି ଋଷିମାନଙ୍କର ମତକୁ ଅନୁସରଣ ବୈଷ୍ଣବମାନେ ଚଳନ୍ତି ।

 

ତୃତୀୟ ଛାନ୍ଦରେ କବି ସୃଷ୍ଟିସାର ବୈଷ୍ଣବ ମତକୁ ଗ୍ରହଣ କରି ମନୁଷ୍ୟ ଜୀବନକୁ ଚରିତାର୍ଥ କରିବାପାଇଁ ପରାମର୍ଶ ଦେଇଛନ୍ତି ।

 

“ଅନେକ ଶାସ୍ତ୍ର ବହୁତ ବିଦ୍ୟା ଏ ସଂସାରେ

ଅଳ୍ପକାଳେ ବହୁ ବିଘ୍ନ ପଡ଼ଇ ତହିଁରେ ।

ଏଥିରୁ ଯେ ସାର ତାହା ଉପାସନା କର

କ୍ଷୀରରୁ ସାରାଂଶ ଭକ୍ଷେ ହଂସ ଯେ ପ୍ରକାର ।”

 

ବ୍ୟାସଦେବ ଯେତେ ପୁରାଣ ରଚନା କରିଛନ୍ତି, ତନ୍ମଧ୍ୟରେ ଶ୍ରୀମଦ ଭାଗବତ ପୁରାଣ ଶ୍ରେଷ୍ଠ ତା ମଧ୍ୟରେ ରାସପଞ୍ଚାଧ୍ୟାୟୀ ଶ୍ରେଷ୍ଠତମ । ସେଥିରେ କର୍ମ ଓ ଜ୍ଞାନ ଅପେକ୍ଷା ଭକ୍ତିର ମହତ୍ତ୍ଵ ସ୍ଵୀକାର କରା ଯାଇଛି । ଗୋପୀମାନେ ଭକ୍ତି ମୁକ୍ତିକୁ ତୁଚ୍ଛ କରି ଭକ୍ତିକୁ ମୂଳ କରିଛନ୍ତି । ସେମାନଙ୍କର ପ୍ରେମସାର ପୂର୍ଣ୍ଣରାଗ ବ୍ରହ୍ମାଣ୍ତରେ ନାହିଁ । କୃଷ୍ଣ ନିଜେ ସେଥିରେ ବିକ୍ରିତ । ସେହି ଉଜ୍ଜ୍ଵଳରସ ଗୌର ଚନ୍ଦ୍ର ନିଜର ଲୀଳା ମାଧ୍ୟମରେ ପ୍ରକାଶ କରିଛନ୍ତି ତଥା ରୂପ ଓ ସନାତନ ଗୋସ୍ଵାମୀଙ୍କ ଦ୍ଵାରା ତାହା ପ୍ରଚାର କରାଇଛନ୍ତି ।

 

ବହୁଗ୍ରନ୍ଥ ବଳାଭ୍ୟାସ, ବ୍ୟାଖ୍ୟା ବାଦତେଜ

ଶ୍ରୀ ରୂପ ଗୋସ୍ଵାମୀ ଆଜ୍ଞା, ନିଜ ମନେ ହେଜ ।

 

ବୈଷ୍ଣବମାନେ ଗୋସ୍ଵାମୀମାନଙ୍କ ମତକୁ ବେଦବଚନ ଠାରୁ ଗୁରୁତ୍ଵପୂର୍ଣ୍ଣ ମନେକରନ୍ତି ।

 

ଚତୁର୍ଥ ଛାନ୍ଦରେ ‘ଶ୍ରୀଗୁରୁନିଷ୍ଠା’ ବ୍ୟାଖ୍ୟା କରାଯାଇଛି । ଦୀକ୍ଷା ଗ୍ରହଣ ମନୁଷ୍ୟର ପରମ କର୍ତ୍ତବ୍ୟ । ଦିକ୍ଷା ଗ୍ରହଣ ନକଲେ ମଣିଷ ଜନ୍ମ ବୃଥା । ସଦ୍‌ଗୁରୁଙ୍କ ଠାରୁ ଦୀକ୍ଷା ଗ୍ରହଣ କରିବ । କୃଷ୍ଣଭକ୍ତି ନିଷ୍ଣାତ ଶବ୍ବଜ୍ଞାନ ଯୁକ୍ତ ବୈଷ୍ଣବ ବ୍ରାହ୍ମଣ ହେଲେ ଗୁରୁ ହେବା ପାଇଁ ଶ୍ରେଷ୍ଠ । ବିଶୁଦ୍ଧ କୁଳ ସମ୍ଭୂତ ପ୍ରୀତି ବତ୍ସଳ, ସତ୍ୟବାଦୀ କାମ କ୍ରୋଧ ବିବର୍ଜିତ ପ୍ରବୀଣମନୁଷ୍ୟ ଶ୍ରେଷ୍ଠ ଶିଷ୍ୟ ଭାବରେ ଗ୍ରାହ୍ୟ, ଶିଷ୍ୟ ପ୍ରଥମେ ସଦ୍‌ଗୁରୁଙ୍କୁ ପୂଜା କରି ପରେ କୃଷ୍ଣଙ୍କୁ ପୂଜିବ । ଶିଷ୍ୟର ଗୁରୁ, କୃଷ୍ଣ, ବୈଷ୍ଣବଠାରେ ଅଚଳ ଭକ୍ତି ରହିବା ଦରକାର । ନାମ, ରୂପ, ବୟସ, ବେଶ,ନିବାସ, କୁଞ୍ଜ, ଗୁଣନିଷ୍ଠା, ସମ୍ବନ୍ଧ, ଯୁଥ, ପାଲ୍ୟ, ଦାସୀ, ନିବାସ ଏପରି ଏକାଦଶ ବିଧ ସାଧନା କରିବାକୁ ହେବ । ବୈଷ୍ଣବର ନିତ୍ୟାଚାର ବିଷୟରେ କୁହାଯାଇଛି ଯେ, ବୈଷ୍ଣବ ମାତ୍ରେ ରାତ୍ର ତିନିଦଣ୍ତ ଥାଉ ଶଯ୍ୟାତ୍ୟାଗ କରି ଗୁରୁଧ୍ୟାନ, ପ୍ରଭୁସ୍ମରଣ, ରାଧାକୃଷ୍ଣ ନାମକୀର୍ତ୍ତନ, ସ୍ନାନ, ତୁଳସୀପୂଜା, ଶ୍ୟାମାନ୍ଦିନୀ ଓ ନିର୍ମାଲ୍ୟ ସେବନ, ତିଳକ ଧାରଣ, ରାଧାକୃଷ୍ଣ ସ୍ତବନ, ନାମାବଳୀଧାରଣ, ଗୌରଚରଣ ଓ ଭକ୍ତବନ୍ଦନ, ଏକାଦଶ ସାଧନା ସହିତ ମନ୍ତ୍ରଜପ, ହରିନାମ, ଗୋପାଳମନ୍ତ୍ର, ରାଧାମନ୍ତ୍ର, ସ୍ମରଣ କରିବାକୁ ହେବ, ସିଦ୍ଧର କାମ ଗାୟତ୍ରୀ ଓ ସାଧକର ପଞ୍ଚନାମ ମୂଳ । ଗୁରୁ ବୌଷ୍ଣବଙ୍କୁ ଦଣ୍ତବତ କରି ଭାବରେ ଅଧରାମୃତ ପାନ କରିବ । ତାପରେ ଭୋଜନ କରିବ । କୃଷ୍ଣ ଚିନ୍ତନ, ଚରିତ, ପଠନ, ଆରତି ଦର୍ଶନ, ନାମକୀର୍ତ୍ତନ, ଭଜନ, ଏକାଦଶୀ ପାଳନ, ଆତ୍ମସମର୍ପଣ ଆଦି କରି ଦିନନେବ । ଗୁରୁଙ୍କୁ ସାକ୍ଷାତ୍ କୃଷ୍ଣ ଜ୍ଞାନକରି ରାଗାନୁରାଗ ଭକ୍ତି ସାଧନାରେ ମଜ୍ଜିରହିବ । ସଙ୍ଗନିଷ୍ଠା ପର୍ଯ୍ୟାୟରେ କୁହାଯାଇଛି ଯେ ଯେଉଁ ବୈଷ୍ଣବ ଭକ୍ତ ପ୍ରେମବିହ୍ଵଳ ହୋଇ ରାଧାକୃଷ୍ଣଲୀଳା କୀର୍ତ୍ତନ କରୁ କରୁ କ୍ଷଣ କ୍ଷଣକେ ଅଶ୍ରୁ, ପୁଲକ, ବେପଥୁମୟ ସାତ୍ତ୍ଵିକ ଭାବ ଜାଗୃତିରେ ଉନ୍ମତ୍ତ ହେଉଥିବେ ସେହିପରି ଭକ୍ତଙ୍କ ସଙ୍ଗେ ଇଷ୍ଟ ଗୋଷ୍ଠୀ କରିବ । ଜନହିତକାରୀ ଧନବନ୍ତ ଦାତାର ଆଶ୍ରୟରେ ରହିବା ଅପେକ୍ଷା ସ୍ଵାଧୀନ ଭାବରେ ରାଧାକୃଷ୍ଣ ନାମକୀର୍ତ୍ତନକରି ଭିକ୍ଷାଟନ ଦ୍ଵାରା ଜୀବନ ନିର୍ବାହ କରିବା ଅତ୍ୟନ୍ତ ଶ୍ରେୟସ୍କର । ସମ୍ପୂର୍ଣ୍ଣଭାବେ କୃଷ୍ଣଙ୍କ ଠାରେ ଆଶ୍ରୟ ଗ୍ରହଣ କରିବା ଏକାନ୍ତ ଭକ୍ତିନିଷ୍ଠା ।

 

ଗୋଲକ ବୃନ୍ଦାବନ ସ୍ଵଂୟ ଭଗବାନ କୃଷ୍ଣଙ୍କ ନିତ୍ୟ ବିହାର ସ୍ଥଳୀ । ଏହା ବୈକୁଣ୍ଠ ଅପେକ୍ଷା ଶ୍ରେଷ୍ଠ । ଏଠାରେ ପଲକହୀନ ଭାବରେ ରାଧାକୃଷ୍ଣଙ୍କ ନିତ୍ୟଲୀଳା ସଂଘଟିତ । ପରକୀୟା ବ୍ୟାଜରେ ରସବୃଦ୍ଧି ଯେଉଁ ନିତ୍ୟ ବୃନ୍ଦାବନରେ ହୁଏ । ତାହା ବୈଷ୍ଣବମାନଙ୍କର ପରମାରାଧ୍ୟ । ଯୋଗମାୟାଙ୍କ ଆଦେଶ ବିନା କାହାର ହେଲେ ଏଠାରେ ପ୍ରବେଶାଧିକାର ନାହିଁ । ଏହି ନିତ୍ୟ ଗୋଲକରେ ରାଧାକୃଷ୍ଣଙ୍କ ନିତ୍ୟରାସ ଦର୍ଶନ ବୈଷ୍ଣବର ଏକାନ୍ତ କାମ୍ୟ।

 

କୃଷ୍ଣହିଁ ବୈଷ୍ଣବର ଏକମାତ୍ର ଆରାଧ୍ୟ ଦେବତା । ‘ନବନ୍ଦନ ନିନ୍ଦ, ନ୍ୟାୟରେ ଗଣେଷ, ଶିବ, ଦୂର୍ଗା ବ୍ରହ୍ମା, ବିଷ୍ଣୁ ଇତ୍ୟାଦିକୁ ବନ୍ଦନା କରିବ । ଏପରିକି ‘ଦ୍ଵାରକା କୃଷ୍ଣ’ ବୈଷ୍ଣବର ପ୍ରାଣନାଥ ନୁହନ୍ତି । ‘ବ୍ରଜ ବିହାରୀ’ ହିଁ ବୈଷ୍ଣବରଧ୍ୟେୟ । କୃଷ୍ଣଙ୍କ ଦୁଷ୍ଟ ସଂହାରାଦି କାର୍ଯ୍ୟକଳାପ ଐଶ୍ଵର୍ଯ୍ୟ ଲୀଳାର ପ୍ରଖ୍ୟାପକ ସେଥିରେ କୌଣସି ମହତ୍ତ୍ଵ ନାହିଁ । ରାଧାଙ୍କ ସହିତ ପ୍ରେମଲୀଳା ତାଙ୍କର ବିଶେଷ ମହିମା । ଏହି ବ୍ରଜଲୀଳା ପ୍ରସଙ୍ଗରେ ବୈଷ୍ଣବର ମନ ସର୍ବଦା ବୁଡ଼ିରହେ ।

 

ନୂଆଁ ଚାହାଣୀ ନୂଆଁ ନୂଆଁ ଦେଶ

ନୂଆଁ ଚାତୁରି ନୂଆଁ ନୂଆଁ ହାସ

ନୂଆଁ ଇଙ୍ଗିତ ବଚନ ବିଚାର

ଶ୍ରୋତବ୍ୟ ଦ୍ରଷ୍ଟବ୍ୟ ଧନ୍ୟ ସେ ଯାର ।।

 

ଲକ୍ଷ୍ମୀ ନାରାୟଣ, କୃଷ୍ଣ ଅଷ୍ଟ ମହିଷୀ, ରାମ ସୀତା, ହର ପାର୍ବତୀ ଇତ୍ୟାଦିଙ୍କ ବିହାରରେ ପ୍ରୀତି ନାହିଁ, ତାହା କେବଳ ସଂମ୍ଭୋଗ, କିନ୍ତୁ

 

“ଗୋପୀ କୃଷ୍ଣ ଙ୍କ ମଧ୍ୟରେ ରସ, ପାଇ ବିରହାନଳେ ଝାସ ।”

ହେଉଥାଏ ନାନା ବିକାର, ପଶ୍ଚାତେ ମିଷ୍ଟତା ଆପାର ।

ଏ ରୂପ ଭଙ୍ଗୀ ଏହି ଛବି, କାହୁଁ ଲଭିବେ ଦେବଦେବୀ ।”

 

ବ୍ରଜରେ ଚିନ୍ମୟ ଅନଙ୍ଗର ସାମ୍ରାଜ୍ୟ । ବ୍ରଜର ଅପ୍ରାକୃତ ପ୍ରେମଲୀଳାରେ ପ୍ରେମିକ ପ୍ରେମିକାଙ୍କ ମଧ୍ୟରେ ଯେଉଁ ଚେଷ୍ଟା ଓ ବିକାର ଜାତହୁଏ ତାହା ଅଲୌକିକ, ଅନ୍ୟତ୍ର ତାହା ଦୁର୍ଲ୍ଲଭ । ଅଷ୍ଟ ମହିଷୀଙ୍କ ସହିତ କୃଷ୍ଣଙ୍କ ସମ୍ଭୋଗରେ ପ୍ରାକୃତ ଅନଙ୍ଗରାଗ ଥିବାରୁ ବ୍ରଜଲୀଳାର ମାଧୁର୍ଯ୍ୟ ସେଠାରେ କାହୁଁ ମିଳିବ ।

 

ବ୍ରଜଲୀଳାରେ ଗୋପୀମାନେ କୃଷ୍ଣଙ୍କ ପ୍ରତି ଯେଉଁ ପ୍ରେମପୂର୍ଣ୍ଣ ବାଣୀ ପ୍ରୟୋଗ କରନ୍ତି ତାହା ପ୍ରତ୍ୟେକ ବୈଷ୍ଣବର ଅତ୍ୟନ୍ତ ଆଦରର ବସ୍ତୁ । “ମୋ କଣ୍ଠ ଏମନ୍ତ ହୋଇବ, ଏ ବାଣୀ ସଙ୍ଗେ କି ମିଶିବ” କହି ବୈଷ୍ଣବ ମାତ୍ରେ ଲୀଳା ଅସ୍ଵାଦନର ଅତ୍ୟନ୍ତ ଆନ୍ତରିକତାରେ ଆଶାୟୀ ହୋଇ ଉଠନ୍ତି।

 

ଶେଷରେ କବି ଗଣନିଷ୍ଠା କଥା ବିଚାର କରିଛନ୍ତି । ଗୋପୀ, ମହିଷୀ ଓ ଲକ୍ଷ୍ମୀ ଗଣ ଏହି ତିନି କୃଷ୍ଣଙ୍କର ପ୍ରିୟଗଣ, ଏମାନେ ପୁଣି ଦେବକନ୍ୟା ମୁନିକନ୍ୟା ଓ ବେଦକନ୍ୟା ଭାବରେ ତିନି ପ୍ରକାରର । ଏମାନେ ସମସ୍ତେ ସାଧନସିଦ୍ଧ । କିନ୍ତୁ ଗୋପୀକନ୍ୟାମାନେ ନିତ୍ୟ ସିଦ୍ଧା । କୃଷ୍ଣଙ୍କ ମତରେ ଗୋପୀମାନେ ଭକ୍ତ ଶିରୋମଣି । କୃଷ୍ଣଙ୍କ ମାୟାରେ ସମସ୍ତେ ମୋହିତ ହୁଅନ୍ତି । କିନ୍ତୁ ଗୋପୀଙ୍କ ମାୟାରେ ନିଜେ କୃଷ୍ଣ ବିମୋହିତ । ଗୋପୀ ପ୍ରେମରେ କୃଷ୍ଣ ବିକ୍ରୀତ । ଏହି ଗୋପୀମାନଙ୍କ ମଧ୍ୟରେ ଅଷ୍ଟ ଯୁଥେଶ୍ଵରୀ ଶ୍ରେଷ୍ଠ । ସେମାନଙ୍କ ମଧ୍ୟରେ ଚନ୍ଦ୍ରାବଳୀ ଓ ରାଧା ସର୍ବଶ୍ରେଷ୍ଠ । ଏ ଦୁହିଁଙ୍କ ମଧ୍ୟରେ ରାଧା କୃଷ୍ଣଙ୍କର ପ୍ରାଣାଧିକା ଓ କୃଷ୍ଣ ତାଙ୍କ ପ୍ରେମରେ ବନ୍ଧା । ରାଧା ସୌନ୍ଦର୍ଯ୍ୟ, ମାଧୁର୍ଯ୍ୟ, ସୌଭାଗ୍ୟ ଓ ଚାତୁର୍ଯ୍ୟ- ଏହି ଚତୁର୍ବିଧ ମାଧୁର୍ଯ୍ୟର ଆଧାର । ରାଧାଙ୍କ ବିରହ ଜ୍ଵଳାରେ କୃଷ୍ଣ ଧୂଳିରେ ଲୋଟନ୍ତି; ତାଙ୍କର ତିର୍ଯ୍ୟକ୍‌ ଚାହଣୀଟିଏର ଆଶାରେ ଚତୁର୍ଦ୍ଦିଗ ବୁଲୁଥାନ୍ତି । ରାଧା ସବୁବେଳେ ସାତ୍ତ୍ଵିକ ଭାବରେ ବିଭୋର । କେଳିକୁଞ୍ଜରେ ସମ୍ଭୋଗ ବେଳେ ରାଧାକୃଷ୍ଣଙ୍କୁ ଚିହ୍ନିହୁଏ ନାହିଁ । ଉଭୟଙ୍କ ନାରୀ ପୁଂସମତି ପଶୋର ହୋଇଯାଏ । ଏହିପରି ଅଲୌକିକ ତଥା ଅପ୍ରାକୃତ ରାଧାକୃଷ୍ଣ ଯୁଗଳ ଲୀଳା ରସ ଆସ୍ଵାଦନରେ ନିମଗ୍ନ ରହିବା, ଭକ୍ତି ମୁକ୍ତି ଇଚ୍ଛା ବିବର୍ଜିତ ବୈଷ୍ଣବ ସାଧକର ଚରମ ଲକ୍ଷ୍ୟ ।

ତତ୍ତ୍ଵ ତରଙ୍ଗିଣୀ

ତତ୍ତ୍ଵ ତରଙ୍ଗିଣୀ କାବ୍ୟଟି ସଦାନନ୍ଦଙ୍କ ନବମ ରଚନା । ଏଥିରେ ଥିବା ଦ୍ଵାବିଂଶ ତରଙ୍ଗରେ ବୈଷ୍ଣବ ଭକ୍ତି ସିଦ୍ଧାନ୍ତ ସାର କଥା ବର୍ଣ୍ଣନା କରିଛନ୍ତି ବୋଲି କବି ନିଜେ କହିଛନ୍ତି । ପ୍ରସିଦ୍ଧ ପୁରାଣମାନଙ୍କର ଉଦାହରଣ ଦେଇ ଭକ୍ତି ତତ୍ତ୍ଵର ମହତ୍ତ୍ଵ ପ୍ରତିପାଦନ କରିବା ଏ କାବ୍ୟର ମୂଳ ଲକ୍ଷ୍ୟ । ସମଗ୍ର କାବ୍ୟଟି ପୂର୍ବଖଣ୍ତ ଓ ଉତ୍ତର ଖଣ୍ତ ଏପରି ଦୁଇ ଭାଗରେ ବିଭକ୍ତ । ବାଣୀବିହାରସ୍ଥ ପୋଥି ବିଭାଗରେ କେବଳ ଉତ୍ତର ଖଣ୍ତର ଦୁଇଖଣ୍ତ ତାଳପତ୍ର ପୋଥି ସଂରକ୍ଷିତ ହୋଇ ରହିଅଛି । ଉତ୍ତର ଖଣ୍ତଟି ଷୋଡ଼ଶ ତରଙ୍ଗରେ ସମାପ୍ତ ହୋଇଛି । ଏଣୁ ମନେ ହୁଏ ପୁର୍ବ ଖଣ୍ଡରେ ନିଶ୍ଚୟ ଛଅଗୋଟି ତରଙ୍ଗ ଥିବ । ଉପଲବ୍‌ଧ ଷୋଡ଼ଶ ତରଙ୍ଗର କଥାବସ୍ତୁରେ ପ୍ରତିପାଦ୍ୟ ବିଷୟ ଯଥାର୍ଥ ଭାବରେ ବିଶ୍ଳେଷିତ ହୋଇଅଛି ।

 

ପ୍ରଥମ ଲହରୀରେ ଭକ୍ତି, ଦ୍ଵିତୀୟରେ ସାଧନ ଭକ୍ତି, ତୃତୀୟରେ ଭାବାଶୟୀ ଉପାସନା ଭକ୍ତିର ୬୪ ଅଙ୍ଗ ଓ ଚତୁର୍ଥ ତରଙ୍ଗରେ ପ୍ରେମଭକ୍ତିର ଫଳ ନିରୂପିତ ହୋଇଛି । ଏସବୁର ପ୍ରତଷ୍ଠା ପାଇଁ ଲେଖକ ଆଗମ, ନିଗମ, ଭଗବଦ୍‌ଗୀତା, ସ୍କନ୍ଧ ପୁରାଣ ଓ ବ୍ରହ୍ମବୈବର୍ତ୍ତ ପୁରାଣମାନଙ୍କରୁ ବହୁପ୍ରମାଣ ଉଦ୍ଧାର କରିଛନ୍ତି । ଅବଶିଷ୍ଟ ତରଙ୍ଗଗୁଡ଼ିକରେ କବି ବିଦଗ୍‌ଧ, ଚତୁର, ଶତ୍ସଚକ୍ଷୁ, ପ୍ରତିଭାନ୍ଵିତ, ବଦାନ୍ୟ, ଧାର୍ମିକ, କୃତଘ୍ନ ସ୍ଥିର, କ୍ଷମାଶୀଳ, ଗମ୍ଭୀର, ଧୃତିମାନ୍, ସୁଖୀ, ଭକ୍ତ, ସୁହୃଦ, ପ୍ରତାପୀ, କୀର୍ତ୍ତିମାନ୍, ସର୍ବାରାଧ୍ୟ, ଈଶ୍ଵର, ସର୍ବଜ୍ଞ, ସଚ୍ଚିଦାନନ୍ଦ, ବେଣୁମାଧୁର୍ଯ୍ୟ ରୂପମାଧୁର୍ଯ୍ୟ, ଔଦାର୍ଯ୍ୟ, ଆଦିର ସାମାନ୍ୟ ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ବୈଷ୍ଣବଚାର ସମ୍ମତ କୃପାସିଦ୍ଧା, ନିତ୍ୟସିଦ୍ଧ, ଶାନ୍ତ, ଦାସ୍ୟ, ସଖ୍ୟ, ବାତ୍ସଲ୍ୟ, ଭକ୍ତିରସ, ପ୍ରସାଧନ, କ୍ଷେତ୍ର, ବାସ, ଶଯ୍ୟା ଲୀଳାଶ୍ରବଣ ଓ ସାତ୍ତ୍ଵିକଭାବ ଗୁଡ଼ିକର ସ୍ଵରୂପ ବିଶ୍ଲେଷଣ କରିଛନ୍ତି ।

ଶେଷରେ ଶାନ୍ତଭକ୍ତି, ଆଶ୍ରିତଭକ୍ତି, ବ୍ୟଭିଚାର, ପ୍ରେମ, ସ୍ନେହ ଉତ୍କଣ୍ଠା ଓ ସିଦ୍ଧି ବିଷୟରେ ପୁରାଣ ସମ୍ମତ ମତ ଉପସ୍ଥାପିତ କରି କାବ୍ୟ ସମାପ୍ତି କରିଛନ୍ତି–ଏଣୁ ସେ କହିଛନ୍ତି–

“ତତ୍ତ୍ଵତରଙ୍ଗିଣୀ, କହେ କବିସୂର୍ଯ୍ୟ ବ୍ରହ୍ମା ପୁରାଣ ଛାଣି ।”

ପାଟ ରତ୍ନାବଳୀ

ବାଣୀବିହାରସ୍ଥ ପୋଥୀବିଭାଗରେ ଏହାର ଗୋଟିଏ ପାଣ୍ତୁଲିପି ସଂରକ୍ଷିତ । ଦ୍ଵାଦଶ ଅଧ୍ୟାୟ ବିଶିଷ୍ଟ ଏହି କାବ୍ୟଟି ଲେଖକଙ୍କର ତାଲିକା ଅନୁସାରେ ଦଶମ ସ୍ଥାନ ଗ୍ରହଣ କରେ । କବି ଥରେ ନିଜର ଶିଷ୍ୟ ମଣ୍ତଳୀ ହରିଦାସ, ଭଗବାନ ଦାସ, କରୁଣା ଦାସ, ମାଧବ ଦାସଙ୍କ ଦ୍ଵାରା ପରିବେଷ୍ଟିତ ହୋଇ ତୀର୍ଥାଟନରେ ବାହାରିଲେ । ବାରଟି ମୁଖ୍ୟ ଗୌଡ଼ୀୟ ବୈଷ୍ଣବ ପୀଠ-ଶ୍ରୀପାଟ ଦର୍ଶନ ସମୟରେ ଅନ୍ୟ ଚଉଷଠିଟି ବୈଷ୍ଣବମଠ ଓ ମହନ୍ତମାନଙ୍କୁ ମଧ୍ୟ ଦର୍ଶନ କରିଥିଲେ । ବିଭିନ୍ନ ପୀଠାଧିପତିମାନଙ୍କର ଅଲୌକିକ କୃତିତ୍ଵ ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ଚୈତନ୍ୟପନ୍ଥୀ ବୈଷ୍ଣବମାନଙ୍କର ଆଚାର ବିଚାର ଓ ଧର୍ମନିଷ୍ଠା ମଧ୍ୟ କବି ବିଶେଷ ଭାବରେ ବର୍ଣ୍ଣନା କରିଛନ୍ତି । ଏହା ତୀର୍ଥଯାତ୍ରାର ଗୋଟିଏ ପ୍ରତ୍ୟକ୍ଷଦର୍ଶୀ ବିବରଣୀ ହୋଇଥିବାରୁ ଏଥିରେ ବହୁ ଐତିହାସିକ ବ୍ୟକ୍ତି ଓ ଭୌଗୋଳିକ କ୍ଷେତ୍ରରେ ବିଭିନ୍ନ କୌତୁହଳୋଦ୍ଦୀପକ ତଥ୍ୟ ମଧ୍ୟ ସନ୍ନିବେଶିତ ହୋଇଅଛି-

ଶିଷ୍ୟବୃନ୍ଦ ପରିବେଷ୍ଟିତ କବି ସ୍ଵ-ଆଶ୍ରମରୁ ବାହାରି ମହାନଦୀ, ଦେପଡ଼ାଗ୍ରାମ କପିଳାସ ଅତିକ୍ରମ କରିବା ପରେରେମୁଣାସ୍ଥ କ୍ଷୀରଚୋରା ଗୋପିନାଥ ଦର୍ଶନ କରି ଗୋପୀବଲ୍ଲଭ ପୁରରେ ପ୍ରବେଶ ହେଲେ । ପ୍ରସଙ୍ଗକ୍ରମେ କବି ମାଧବେନ୍ଦ୍ରପୁରୀଙ୍କ ଶିଷ୍ୟ ହୃଦୟାନନ୍ଦ, ତାହାଙ୍କ ଶିଷ୍ୟ ଶ୍ୟାମାନନ୍ଦ ଓ ଶ୍ୟାମାନନ୍ଦଙ୍କ ଶିଷ୍ୟ ରସିକାନନ୍ଦ, ତାହାଙ୍କ ପ୍ରଶିଷ୍ୟ ସାଲବେଗ ଇତ୍ୟାଦିଙ୍କୁ ଅଲୌକିକ ଶକ୍ତିମତ୍ତା ବର୍ଣ୍ଣନା କରି ଉତ୍କଳରେ ସେମାନଙ୍କର ଭକ୍ତିଧର୍ମ ପଚାର କଥା ଉଲ୍ଲେଖ କରିଛନ୍ତି । ଅଲୌକିକ ଘଟଣାଗୁଡ଼ିକର ବର୍ଣ୍ଣନାର ଉଦ୍ଦେଶ୍ୟ ହେଉଛି ବୈଷ୍ଣବମାନଙ୍କର ମହତ୍ୱ ବିଶ୍ଳେଷଣ କରି ଜନସାଧାରଣଙ୍କୁ ଭକ୍ତିଧର୍ମ ପ୍ରତି ଆକୃଷ୍ଟ କରିବା । ଏହାପରେ ସଦାନନ୍ଦ ନିଜର ସାଂପ୍ରଦାୟିକ ଧର୍ମାଚାର ଓ ବିଚାର ପଦ୍ଧତି ବିଷୟରେ ସୂଚନା ଦେଇ ଗ୍ରନ୍ଥ ସମାପ୍ତି କରିଛନ୍ତି । ଗୋଟିଏ ସାହିତ୍ୟିକ କୃତିଭାବରେ ପରିଗଣନା କରିବା ପାଇଁ ଏଥିରେ କୌଣସି ଉପାଦାନ ପରିଲକ୍ଷିତ ହୁଏ ନାହିଁ।

କୀର୍ତ୍ତନ ଉଜ୍ୱଳ

ଏହି ଗ୍ରନ୍ଥର ଗୋଟିଏ ପୋଥି ବାଣୀବିହାରସ୍ଥ ପୋଥି ବିଭାଗରେ ସଂରକ୍ଷିତ । ଗ୍ରନ୍ଥଟି ନଅଗୋଟି ପ୍ରଦୀପରେ ସମାପ୍ତ ହୋଇଛି । ଏହା ସଦାନନ୍ଦଙ୍କ ଦୀକ୍ଷାଗୁରୁ ଶ୍ରୀ କିଶୋର ଦାସ କୃତ ସଂସ୍କୃତ ଗ୍ରନ୍ଥ ‘ଶ୍ରବଣ ମଙ୍ଗଳ’ର ବଙ୍ଗାନୁବାଦ । କୀର୍ତ୍ତନ ମାଧ୍ୟମରେ ଶ୍ରୀକୃଷ୍ଣ ଚୈତନ୍ୟଙ୍କ ପ୍ରତି ଭକ୍ତିଭାବନା ଜାଗ୍ରତ କରିବା ଗ୍ରନ୍ଥଟିର ଉଦ୍ଦେଶ୍ୟ । ଗୋଟିଏ ଗୋଟିଏ ପ୍ରଦୀପରେ ଚାରୋଟି ଲେଖାଏ ଗୀତ ଅଛି । ସବୁ ଗୀତଗୁଡ଼ିକ ବୈଷ୍ଣବମାନଙ୍କର ଗାନ ଉଦ୍ଦେଶ୍ୟରେ ଲିଖିତ । ଏହା ସଂପୂର୍ଣ୍ଣଭାବରେ ଗୋଟିଏ ଚୈତନ୍ୟପନ୍ଥୀ ବୈଷ୍ଣବମାନଙ୍କର ସାଂପ୍ରଦାୟିକ ଗୀତ । ସାଧାରଣ ସାହିତ୍ୟିକ ଜିଜ୍ଞାସା ସୃଷ୍ଟିକଲା ଭଳି କୌଣସି ଉପାଦାନ ଏଥିରେ ନାହିଁ ।

ବିଶ୍ଵମ୍ଭର ବିହାର

ଲେଖକଙ୍କ ବିଂଶତିତମ ରଚନାଭାବରେ ବିଶ୍ଵମ୍ଭର ବିହାର ଗ୍ରନ୍ଥର ନାମ ମୋହନଲତା କାବ୍ୟରେ ଦେଖିବାକୁ ମିଳେ । ଗ୍ରନ୍ଥଟି ୩୨ ଛାନ୍ଦରେ ସମାପ୍ତ ହୋଇଛି । ଏହି ଗ୍ରନ୍ଥର ଗୋଟିଏ ଜୀର୍ଣ୍ଣ ପାଣ୍ତୁଲିପି ଓଡ଼ିଶା ଷ୍ଟେଟ୍ ମ୍ୟୂଜିଅମ୍‌ରେ ସଂରକ୍ଷିତ ହୋଇଅଛି । ଏହା ‘ବ’ ଅକ୍ଷର ନିୟମରେ ଲିଖିତ । କବିଙ୍କ ପାଣ୍ତିତ୍ୟ ପୂର୍ଣ୍ଣ ଶବ୍ଦଯୋଜନାରେ ରୀତିକାବ୍ୟ ସୁଲଭ ରଚନା କୌଶଳ ପରିଲକ୍ଷିତ ହୁଏ । ବ୍ରଜପନ୍ଥୀ ବୈଷ୍ଣବମାନଙ୍କ ପାଇଁ ଗ୍ରନ୍ଥଟି ଉପାଦେୟ । ଏଥିରେ ଶ୍ରୀ ଚୈତନ୍ୟ ଓ ତାହାଙ୍କ ପ୍ରିୟସଖା ଗଦାଧର ପଣ୍ତିତଙ୍କୁ କୃଷ୍ଣ ଓ ରାଧାଙ୍କ ଅବତାର ରୂପେ ବର୍ଣ୍ଣନା କରାଯାଇଛି । ଶ୍ରୀ ଚୈତନ୍ୟଙ୍କ ବାଲ୍ୟ, କୈଶୋର, ପୌଗଣ୍ତାବସ୍ଥା ବର୍ଣ୍ଣନା କରି କବି ବିଷ୍ଣୁପ୍ରିୟାଙ୍କ ସହିତ ଚୈତନ୍ୟଙ୍କ ବୈବାହିକ ଜୀବନର ସଂକ୍ଷିପ୍ତ ଚିତ୍ର ଉପସ୍ଥାପିତ କରିଛନ୍ତି । ଶେଷରେ କୃଷ୍ଣ ଭାବରେ ଉନ୍ମତ୍ତ ଚୈତନ୍ୟ ସନ୍ୟାସ ସନ୍ୟାସ ଗ୍ରହଣ କରି ଗୃହତ୍ୟାଗୀ ହେବାରୁ ମାତା ଶଚୀଦେବୀ ଓ ପତ୍ନୀ ବିଷ୍ଣୁପ୍ରିୟାଙ୍କ ମର୍ମନ୍ତୁଦ ମନୋବେଦନା ବର୍ଣ୍ଣନା କରଛନ୍ତି । ଶ୍ରୀ ଚୈତନ୍ୟ ଓ ଗଦାଧର ପଣ୍ତିତଙ୍କୁ କୃଷ୍ଣ ଓ ରାଧାଙ୍କ ଅବତାର ଭାବରେ ପ୍ରତିପାଦନ କରିବାରେ କବି ପଦ୍ମପୁରାଣ, ମତ୍ସ୍ୟ ପୁରାଣ, ନୃସିଂହ ପୁରାଣ, ରାଧାତନ୍ତ୍ର, ଭାଗବତ, ଗୀତା ଓ ବ୍ରହ୍ମବୈବର୍ତ୍ତ ପୁରାଣ, ବ୍ରହ୍ମସଂହିତାଦି ଗ୍ରନ୍ଥକୁ ପ୍ରମାଣ ଭାବରେ ଉଦ୍ଧାର କରି ବହୁ ସଂସ୍କୃତ ଶ୍ଲୋକର ଓଡ଼ିଆ ଅନୁବାଦ ସନ୍ନିବିଷ୍ଟ କରିଛନ୍ତି । କୃଷ୍ଣରୂପୀ ଗୌରାଙ୍ଗଙ୍କ ମହିମାଗାନ କରି ସଦାନନ୍ଦ ଶେଷରେ ଜୈମିନୀ ଭାରତର ଶ୍ଲୋକ ମାଧ୍ୟମରେ ନିଜ ମତର ସାରବତ୍ତା ପଖ୍ୟାପନ କରିଛନ୍ତି ।

 

‘‘ଯସ୍ମିନ୍ ଶାସ୍ତ୍ରେ ପୁରାଣେ ବା ହରିଭକ୍ତିର୍ନ ଦୃଶ୍ୟତେ

ଶ୍ରୋତବ୍ୟଂ ନୈବ ତତ୍ସାସ୍ତ୍ରଂ ଯଦି ବ୍ରହ୍ମା ସ୍ଵୟଂ ବଦେତ୍ ।’’

 

ଚୌର ଚିଂତାମଣି

 

ଏ କାବ୍ୟଟି ଚବିଶଟି ଦୀର୍ଘ ଛାନ୍ଦରେ ରଚିତ । ପ୍ରତ୍ୟେକ ଛାନ୍ଦରେ ରୂପ, ଦେଶ, ଅନୁରାଗ ରାଶି, ଦୂତୀ, ଅଭିସାର ଓ ମିଳନର ବର୍ଣ୍ଣନା ରହିଛି । ଗ୍ରନ୍ଥାରମ୍ଭରେ ନିଜର ଆରାଧ୍ୟ ଦେବତା ନନ୍ଦନନ୍ଦନଙ୍କୁ ବର୍ଣ୍ଣନା କରି ଶ୍ରୀରାଧାଙ୍କୁ ଶ୍ରୀକୃଷ୍ଣଙ୍କ ସ୍ଵ-ଶକ୍ତି ଭାବରେ ପ୍ରତିପାଦନ କରିଛନ୍ତି-। ଏଥିରେ ଗୌରଚନ୍ଦ୍ର ଓ ଗଦାଧର କୃଷ୍ଣ-ରାଧା ଲୀଳା ମାଧୁର୍ଯ୍ୟ ଆସ୍ଵାଦନ କରି କିପରି ତନ୍ମୟ ହୋଇଯାଉ ଥିଲେ ଏବଂ ଚୈତନ୍ୟଙ୍କ ଦେହରେ କିପରି ଅଲୌକିକ ଯୁଗଳ ପ୍ରେମଚେଷ୍ଟା ଜାଗ୍ରତ ହେଉଥିଲା ସେସବୁ ବିସ୍ତୃତ ଭାବେ ଆଲୋଚିତ ହୋଇଛି । ଚୈତନ୍ୟପନ୍ଥୀ ବୈଷ୍ଣବ ସଂପ୍ରଦାୟର ତତ୍ତ୍ଵନିଷ୍ଣାତ ନ ହେଲେ, ଏହାର ମହତ୍ତ୍ଵ ଉପଲବ୍‌ଧି କରିବା ସାଧାରଣ ପାଠକ ପକ୍ଷରେ ସହଜ ସାଧ୍ୟ ନୁହେ । ଏଣୁ କବି ସ୍ପଷ୍ଟ ଭାବରେ ଘୋଷଣା କରିଛନ୍ତି ଯେ ଇଷ୍ଟ ଗୋଷ୍ଠୀର ବ୍ରଜପନ୍ଥୀ ବୈଷ୍ଣବମାନେ ହିଁ ଏହାକୁ ଅଧ୍ୟୟନ ଅଧ୍ୟାପନ ଓ ମନନ କରିବେ । ଅନ୍ୟମାନଙ୍କ ପାଇଁ ଏ ଗ୍ରନ୍ଥର ପଠନ ନିଜେ କବି ନିଷିଦ୍ଧ କରିଛନ୍ତି । ଏହାର ପଠନ ଓ ଅବଧାରଣ ପାଇଁ ‘ଗୁରୁଦତ୍ତ ସିଦ୍ଧଦେହ’ ଦରକାର । କବିଙ୍କ ଭାଷାରେ–

 

“ଗୁରୁଦତ୍ତ ସିଦ୍ଧ ଦେହ ଆରୋପଣେ ରସି

ଶ୍ରବଣ କର ଏ ଗ୍ରନ୍ଥ ହୋଇ ବ୍ରଜବାସା

ବ୍ରଜ ଉପାସକ ବିନା ନ ଶୁଣିବେ ଆନ

ଏ ବିଷୟେ ସର୍ବଦା ହୋଇବ ସାବଧାନ ।।”

 

ଏଥିରେ ଗୌରାଙ୍ଗ ଗଦାଧରଙ୍କ ଯୁଗଳ ପ୍ରେମଚେଷ୍ଟାର ବର୍ଣ୍ଣନା ସଙ୍ଗେ ସଙ୍ଗେ ତତ୍ସମ୍ପର୍କୀୟ ତାତ୍ତ୍ଵିକ ବ୍ୟାଖ୍ୟାର ଅବତାରଣା ମଧ୍ୟ କରାଯାଇଛି । କିନ୍ତୁ ସେସବୁ ସଂପୂର୍ଣ୍ଣ ଭାବେ ଗୋଟିଏ ସାଂପ୍ରଦାୟିକ ଚିନ୍ତା ଧାରା ହୋଇ ଥିବାରୁ ଏବଂ ସାଧାରଣ ପାଠକମାନଙ୍କର ସେଥିରେ ବିଶେଷ ଅଭିନିବେଶ ନ ଥିବାରୁ ଗୋଟିଏ ସାହିତ୍ୟିକ କୃତିଭାବରେ ଏହାର ସମୀକ୍ଷା ଅନାବଶ୍ୟକ ମନେହୁଏ । ଏ କବିକର୍ମରେ ସଦାନନ୍ଦଙ୍କ ସହଜ ସୁଲଭ କବିତ୍ଵର ସ୍ପର୍ଶ ଯନ୍ତ୍ରତନ୍ତ୍ର ଅନୁଭବ କରିହୁଏ-

 

ପ୍ରେମ କଳ୍ପଲତା

 

ସଦାନନ୍ଦଙ୍କ କାବ୍ୟମାନଙ୍କ ମଧ୍ୟରେ ପ୍ରେମ କଳ୍ପଲତାଟି କୃଷ୍ଣଲୀଳାତ୍ମକ ଗୋଟିଏ କ୍ଷୁଦ୍ର କାବ୍ୟ । ଏହା ଷୋଡ଼ଶ ଛାନ୍ଦ ବିଶିଷ୍ଟ ଓ ପ୍ରତ୍ୟେକ ଛାନ୍ଦଟି ଷୋହଳଟି ପଦରେ ସଂପୂର୍ଣ୍ଣ ହୋଇଛି । ରୂପଗୋସ୍ଵାମୀଙ୍କ ‘ଉଦ୍ଧବ ସନ୍ଦେଶ’ ଛାୟାରେ ଏହାର ବିଷୟବସ୍ତୁ ପରିକଳ୍ପିତ । କିନ୍ତୁ କବି, କେଉଁଠି ହେଲେ ଅକଥାର ସୂଚନା ଦେଇ ନାହାନ୍ତି । କବିଙ୍କ ଅନ୍ୟାନ୍ୟ ଅନେକ ଗ୍ରନ୍ଥର ମୂଳ ଉତ୍ସ ବିଷୟରେ ସେ ନିଜେ ସ୍ଫଷ୍ଟ ସୂଚନା ଦେଇଥିଲେ ମଧ୍ୟ ଏଠାରେ ତାହାର ବ୍ୟତିକ୍ରମ ପରିଲକ୍ଷିତ ହୁଏ ।

 

କବି ପ୍ରଥମ ଛାନ୍ଦରେ ମଙ୍ଗଳାଚରଣ କରି ରାମେଶ୍ଵରୀ ଓ ରସରାଜଙ୍କୁ ବନ୍ଦନା କରଛନ୍ତି-। ଏଥିରେ ବର୍ଣ୍ଣିତ ବିଷୟର ମହତ୍ତ୍ଵ ଓ ଗୁରୁତ୍ଵ ପ୍ରତିପାଦନ କରିବାକୁ ଯାଇ ପୁରାଣମାନଙ୍କରେ ଏହାର ନିତ୍ୟ ପ୍ରବାହମାନତାର ସୂଚନା ଦେଇଛନ୍ତି । ନିଜର ଦୀନତା ପ୍ରକାଶ କରି କୃଷ୍ଣଙ୍କୁ ପ୍ରାର୍ଥନା କରି କହିଛନ୍ତି ଯେ ସଂସାର ରୂପକ ବିଷୟ ବିଷ ଗର୍ତ୍ତ ପ୍ରତି ଅହରହ ପ୍ରଧାବିତ ତାଙ୍କର ଚଞ୍ଚଳ ମନକୁ କୃଷ୍ଣଲୀଳା ଆସ୍ଵାଦନରେ ସେ ନିମଜ୍ଜିତ କରନ୍ତୁ । ପରମ୍ପରାକ୍ରମେ ସାଧୁପ୍ରଶଂସା ଓ ଖଳନିନ୍ଦା କରି ରାଧାକୃଷ୍ଣ ଯୁଗଳ ଲୀଳା ଓ ପରକୀୟା ପ୍ରୀତିର ମାହାତ୍ମ୍ୟ କୀର୍ତ୍ତନ କରିଛନ୍ତି । ‘ମହାଜନ ଆଜ୍ଞା ଗ୍ରନ୍ଥ’ ଭାବରେ ଏହାକୁ ଗ୍ରହଣ କରିବା ପାଇଁ ସେ ପାଠକମାନଙ୍କୁ ନିବେଦନ କରଛନ୍ତି । କଥାବସ୍ତୁର ବିକାଶ କ୍ରମରେ ବ୍ରଜବଧୂ ଭାବାମୃତ ଓ ଲୀଳାଧାମର ମହତ୍ତ୍ଵ ପ୍ରତିପାଦନ କରି ସୁଜ୍ଞଜନମାନଙ୍କୁ ଯଜନ ଯାଜନ କ୍ରିୟା ଛାଡ଼ି ହରି କୀର୍ତ୍ତନ କରିବା ପାଇଁ ପ୍ରବର୍ତ୍ତାଇଛନ୍ତି । ତାପରେ କାବ୍ୟ କଥାର ଅୟମାରମ୍ଭ କରାଯାଇଛି ।

 

ଦିନେ ହଠାତ୍ ସମଗ୍ର ଗୋପପୁରରେ ପ୍ରଚାରିତ ହୋଇଗଲା ଯେ, କଂସ ରାଜାର ନିମନ୍ତ୍ରଣ କ୍ରମେ କୃଷ୍ଣ ବଳରାମ ମଥୁରାପୁରକୁ ଯିବେ । ଏକଥା ଶୁଣି ବ୍ରଜଭୂମିର ଆବାଳବୃଦ୍ଧବନିତା ହାହାକାର କରି ଉଠିଲେ । କ୍ରନ୍ଦନ ରୋଳରେ ସାରା ଗୋପନଗର ଶୋକାଚ୍ଛନ୍ନ ହୋଇଗଲା । ପରେ ପରେ ମାତ୍ର ଚାରିଦିନ ପାଇଁ କୃଷ୍ଣ ମଥୁରା ଯିବା ସମ୍ବାଦ ପ୍ରଚାରିତ ହେବାରୁ ଅବସ୍ଥା ଏକପ୍ରକାର ଆୟତ୍ତାଧୀନ ହେଲା । ତଥାପି ଗୋପୀମାନେ କ୍ଷଣକର ବିଚ୍ଛେଦକୁ କୋଟିଏ ଯୁଗର ବିଚ୍ଛେଦ ପରି ମଣିଲେ । ଶୋକାଭିଭୁତ ଗୋପିକାମାନଙ୍କୁ ଓ ରାଧାଙ୍କୁ ନାନା ପ୍ରକାର ଚଟୁଳ ଚାଟୁକଥା କହି କୃଷ୍ଣ ପ୍ରବୋଧନା ଦେଲେ । ରାମକୃଷ୍ଣ ରଥ ଉପରେ ବିଜେ ହେଲେ । ରଥ ଚାଲିଲା, ସେ ଦୃଷ୍ଟି ପଥରୁ ଅନ୍ତର୍ହିତ ହେବାରୁ ଗୋପୀମାନେ କ୍ରନ୍ଦନ କଲେ । ରାଧା କାନ୍ଦି କାନ୍ଦି ଚେତନାହତ ହୋଇ ପଡ଼ିଗଲେ । ପୁଣି ଚେତାପାଇ ବ୍ୟଥାଦଗ୍ଧ ହୃଦୟରେ କ୍ରନ୍ଦନ କଲେ । କୃଷ୍ଣ ଯଥାରୀତି ମଥୁରା ନଗରୀର ଉପକଣରେ ପହଞ୍ଚି ରଜକକୁ ମାରି ମୁକ୍ତି ଦେଲେ । ସୁବସ୍ତ୍ର ପରିଧାନ କଲେ । ବାଟରେ କୁବ୍‌ଜାକୁ ଦିବ୍ୟ ସୁନ୍ଦରୀ ନାରୀରେ ପରିଣତ କଲେ । ଦ୍ଵାରାଦେଶରେ ଥିବା ହାତୀ ସହିତ ମାହୁନ୍ତକୁ ବଧକରି କଂସ ନିକଟକୁ ଅଗ୍ରସର ହେଲେ । ବାଟରେ ବାଧା ସୃଷ୍ଟି କରୁଥିବା ଜଗୁଆଳୀ ମଲ୍ଲମାନଙ୍କୁ ମନ୍ଥନ କରି କଂସ ନିକଟରେ ମଞ୍ଚ ଉପରେ ପହଞ୍ଚିଲେ । “ମାମୁଙ୍କୁ କହିଲେ, ଛାମୁକୁ ଯାଇ, ମୋର କି ଦୋଷ, ପାଶରେ ଦେଖନ୍ତେ ତ୍ରାସରେ ପ୍ରାଣ ତେଜିଲା କଂସ ।’’ ତାପରେ ସେ ଉଗ୍ରସେନଙ୍କୁ ରାଜା କଲେ । ବସୁଦେବ, ଦେବକୀ ଓ ଯାଦବମାନେ ମହା ଆନନ୍ଦରେ କାଳ କାଟିଲେ । କିନ୍ତୁ ମଥୁରାର ରାଜ ଐଶ୍ଵର୍ଯ୍ୟ ମଧ୍ୟରେ କ୍ଷଣେ ସୁଦ୍ଧା କୃଷ୍ଣ ସ୍ଥିର ହୋଇ ରହିପାରିଲେ ନାହିଁ । ତାଙ୍କର ଚିନ୍ତା, ଚୈତନ୍ୟ ଓ ଦୃଷ୍ଟି ସବୁବେଳେ ବୃନ୍ଦାବନରେ ନିବଦ୍ଧ ରହିଲା । ଗୋପୀ ବିରହ ଜନିତ ପ୍ରବଳ ବ୍ୟାଧି ଦିନକୁ ଦିନ ବଳି ପଡ଼ିଲା । ସେ ଏକାନ୍ତରେ ରାଧାନାମ ଘୋଷି ଘୋଷି ବ୍ୟଥିତ ହୃଦୟରେ ସମୟ ଅତିବାହିତ କଲେ । ବୃନ୍ଦାବନରେ ଅତୀତ ଜୀବନର ଦିନ ଦିନକର ସ୍ମୃତି ତାଙ୍କୁ ଉଦ୍‌ବେଳିତ କଲା । କୃଷ୍ଣ ଉଦ୍ଧବଙ୍କୁ ଡାକି ବ୍ରଜକୁ ପଠାଇଲେ ଓ କହିଲେ ଗୋପୀମାନଙ୍କୁ ‘ବ୍ରହ୍ମ ଉପଦେଶ’ ଦେଇ ସେମାନଙ୍କର ବ୍ୟଥିତ ପ୍ରାଣକୁ ଶାନ୍ତ କରିବ । ମୁଁ ବ୍ରହ୍ମ ଅଛି ସବୁ ‘ବିଗ୍ରହରେ’ ଏ କଥା ବୁଝାଇ ଦେବ । ଉଦ୍ଧବ ଗୋପପୁରକୁ ଗଲେ । ନନ୍ଦ ଯଶୋଦା ଓ ଗୋପିକାମାନେ କୃଷ୍ଣଙ୍କ କୁଶଳ ସମାଚାର ପଚାରି ବୁଝିଲେ । ରାଧା ଓ ଗୋପିକାମାନଙ୍କ ଏକାନ୍ତ ଭକ୍ତିଦେଖି ଉଦ୍ଧବ ନିଜକୁ ଖୁବ୍ ଛୋଟ ମନେକଲେ । ତଥାପି ସେ କୃଷ୍ଣଙ୍କ ବ୍ରହ୍ମତ୍ତ୍ଵ ଓ ସକଳ ଘଟରେ ତାଙ୍କର ସ୍ଥିତି କଥା ଗୋପୀମାନଙ୍କୁ ବୁଝାଇଲେ । ସେହି ଶୁଷ୍କ କଥାରେ ଗୋପୀମାନଙ୍କ ମନ ମାନିଲା ନାହିଁ । ସେମାନେ କେବଳ କୃଷ୍ଣଙ୍କୁ ଫେରାଇ ଆଣିବା ପାଇଁ ବାରମ୍ଵାର ଅନୁରୋଧ କଲେ-। ଶାସ୍ତ୍ରାନୁମୋଦିତ ଜ୍ଞାନମାର୍ଗର ତାତ୍ତ୍ଵିକ ବ୍ୟାଖ୍ୟାନ ଦେଇ ଉଦ୍ଧବ ବ୍ରହ୍ମର ଏକତ୍ଵ ପ୍ରତିପାଦନ କଲେ– ‘ବ୍ରହ୍ମ ଏକୈବ ନା ପରଃ’ ସେ ବ୍ରହ୍ମ ହେଉଛନ୍ତି କୃଷ୍ଣ, ଆଉ ସବୁ ମାୟା । ଏହାର ଉତ୍ତରରେ ଗୋପୀମାନେ ପଚାରିଲେ–

 

“ବୋଲ ଯେ ଶାସ୍ତ୍ରେ ଜ୍ଞାନ ଭକ୍ତି ଦୁଇକି ଲେଖିଛି ଏକ କରିବାର

ଗୋପାଳେ ଯେହ୍ନେ ଗୋରସ ସଙ୍ଗେ ଶିଳା ବହଇ ସେ କି ଖାଇବାର ?”

 

ଏହିପରି ନାନା ଯୁକ୍ତି ଛଳରେ ଗୋପୀମାନେ ଜ୍ଞାନ ମାର୍ଗକୁ ଉପହାସ କରି କହିଲେ ଯେ, କୃଷ୍ଣ ରାଜ ଭୋଗ ବିଳାସରେ ବିହ୍ଵଳ ହୋଇ ଗୋପୀମାନଙ୍କୁ ପାଶୋରି ଦେଲେଣି । ତାଙ୍କୁ ଶୀଘ୍ର ଏଠାକୁ ଫେରାଇ ଆଣିବାର ବ୍ୟବସ୍ଥା କର । ଉଦ୍ଧବ ଯେତେ ବୁଝାଇଲେ ମଧ୍ୟ ଗୋପୀମାନଙ୍କର ମନ ବୁଝିଲା ନାହିଁ । ଶେଷରେ ଉଦ୍ଧବ ମଥୁରାକୁ ଫେରି ଆସି ଗୋପୀମାନେ ଜ୍ଞାନ ମାର୍ଗକୁ ‘କଡ଼ାକର’ ମୂଲ୍ୟ ଦେଉ ନ ଥିବା କୃଷ୍ଣଙ୍କୁ କହିଲେ । ଭକ୍ତ ବତ୍ସଳ କୃଷ୍ଣ ରାଧାଙ୍କ କଥା ପଚାରି ବୁଝିଲେ । ଏତିକିରେ କାବ୍ୟର ପରିସମାପ୍ତି ଘଟିଛି ।

 

ଏ କାବ୍ୟରେ କବି ଜ୍ଞାନମାର୍ଗର ଅସାରତା ଓ ଭକ୍ତିମାର୍ଗର ସାରବତ୍ତା ପ୍ରତିଷ୍ଠା କରିବା ପାଇଁ ଚେଷ୍ଟା କରିଛନ୍ତି । ମଥୁରାମଙ୍ଗଳରେ ଉଦ୍ଧବ ଓ ଗୋପିକାମାନଙ୍କ ମଧ୍ୟରେ ଏହିପରି ଆଲୋଚନାର ଧାରା ଦେଖିବାକୁ ମିଳେ । ସେଠାରେ ମଧ୍ୟ ମଥୁରାମଙ୍ଗଳର କବି ସବୁ ଆଲୋଚନା ଶେଷରେ “ଜ୍ଞାନ ଛାଡ଼ି ଭକ୍ତି ପାଦେ ବନ୍ଦେ” ବୋଲି ଘୋଷଣା କରି ଭକ୍ତି ମାର୍ଗର ମହତ୍ତ୍ଵ ପ୍ରତିପାଦିତ କରିଛନ୍ତି । ଜ୍ଞାନମିଶ୍ରା ଭକ୍ତିର ପୀଠ ଉତ୍କଳରେ ଧୀରେ ଧୀରେ କିପରି ଚୈତନ୍ୟପନ୍ଥୀ ପ୍ରେମ ଭକ୍ତିର ଧାରା ପ୍ରବାହିତ ହେବାକୁ ଲାଗିଲା ସେହି ଐତିହାସିକ ବିବର୍ତ୍ତନର ସ୍ଵାକ୍ଷର ଏଥିରେ ସ୍ପଷ୍ଟ ।

 

କ୍ଷୁଦ୍ର କଳେବର ବିଶିଷ୍ଟ ଏହି କାବ୍ୟର ସଂକ୍ଷିପ୍ତ ଛାନ୍ଦଗୁଡ଼ିକ ଅନ୍ୟାନ୍ୟ ଛାନ୍ଦ ତୁଳନାରେ ସୁପରିକଳ୍ପିତ । ଆମୂଳଚୂଳ ବିବିଧ ଅନୁପ୍ରାସ, ଯମକ, ଉପମା ଓ ରୂପକ ପ୍ରଭୃତି ସହଜସିଦ୍ଧ ଅଳଙ୍କାରମାନଙ୍କର ସୁଷମ ସମାବେଶରେ ଛାନ୍ଦଗୁଡ଼ିକ ମଧୁର କୋମଳ ହୋଇ ଉଠିଛି । ଅପେକ୍ଷାକୃତ ଏ କାବ୍ୟର ଭାଷା ମାର୍ଜିତ ଓ ଭାବବ୍ୟଞ୍ଜକ । ସଂସ୍କୃତ ଶବ୍ଦାବଳୀର ଯଥାର୍ଥ ପ୍ରୟୋଗରେ ଛାନ୍ଦଗୁଡ଼ିକ ଗାମ୍ଭୀର୍ଯ୍ୟପୂର୍ଣ୍ଣ ପରିବେଶ ସୃଷ୍ଟି କରୁଛନ୍ତି । ଭଗବତ୍ ପ୍ରାପ୍ତି ପାଇଁ କଠିନ ଜ୍ଞାନମାର୍ଗ ଅପେକ୍ଷା ଭକ୍ତିମାର୍ଗ କିପରି ସୁଲଭ ଓ ସହଜ ସାଧ୍ୟ ତାହା ପ୍ରତିଷ୍ଠା କରିବାରେ କବିଙ୍କର କର୍ମକୁଶଳତାର ଯଥେଷ୍ଟ ପରିଚୟ ଏଥିରୁ ମିଳେ । ଭକ୍ତଭାବ ବିଗଳିତ ହୃଦୟର ଆଲେଖ୍ୟ ଅଙ୍କନରେ କବିଙ୍କ ସିଦ୍ଧହସ୍ତତାର ଏହା ଗୋଟିଏ ନିର୍ଦ୍ଦିଷ୍ଟ ନିଦର୍ଶନ ।

 

ବ୍ରଜଲୀଳାମୃତ ସମୁଦ୍ର

 

ଛପନଟି ଦୀର୍ଘ ଛାନ୍ଦ ବିଶିଷ୍ଟ ବ୍ରଜ ଲୀଳାମୃତ ସମୁଦ୍ର କାବ୍ୟଟି ଲେଖକଙ୍କର ତ୍ରୟୋଦଶ ଗ୍ରନ୍ଥ । ଶ୍ରୀରୂପ ଗୋସ୍ଵାମୀଙ୍କ ‘ବିଦଗ୍‌ଧ ମାଧବ’ ନାମକ ସଂସ୍କୃତ ନାଟକକୁ ବୈଷ୍ଣବ କବି ଯଦୁନନ୍ଦନ ଦାସ ବଙ୍ଗଳାରେ ଛନ୍ଦୋବଦ୍ଧ ଅନୁବାଦ କରଛନ୍ତି । ବଙ୍ଗାନୁବାଦର ଛନ୍ଦୋବଦ୍ଧ ଓଡ଼ିଆ ରୂପାନ୍ତର କରିଛନ୍ତି ସଦାନନ୍ଦ । କବିଙ୍କ ଭାଷାରେ –

 

ଶ୍ରୀରୂପ ଗୋସାଇଁ ମୁଖରୁ ଉଦ୍‌ଭବ ।

ପ୍ରଥମ ଜନ୍ମେ ଏ ବିଦଗ୍‌ଧ ମାଧବ ।।

ପ୍ରାକୃତେ ବଙ୍ଗଳା ଭାଷାରେ ଏ ଦ୍ଵିତୀୟେ ।

ରାଧା କୃଷ୍ଣ ଲୀଳା କଦମ୍ଵ ଏ ।।

ଉତ୍କଳୀ ଛନ୍ଦୋବଦ୍ଧ ତୃତୀୟ ଜନ୍ମେ ।

ବଜଲୀଳାମୃତ ସମୁଦ୍ର ଏ ତେହ୍ନେ ।।

–ବ୍ର.ଲି.ସ. ୧୫ ଛାନ୍ଦ ୩୭-୩୯ ପଦ

 

ଏହା ଗୋଟିଏ ଅନୁଦିତ କାବ୍ୟ ହୋଇଥିବାରୁ କବି କଳ୍ପନାରେ କ୍ଵଚିତ୍ ମୌଳିକତା ଦୃଷ୍ଟିଗୋଚର ହୁଏ । କବିଙ୍କ ପ୍ରତିଭା ଓ ପାଣ୍ତିତ୍ୟ ବିଳାସ ଏଥିରେ ଦେଖିବାକୁ ମିଳେ ନାହିଁ । ଛନ୍ଦୋବଦ୍ଧ ହେଲେ ମଧ୍ୟ ସାଧାରଣତଃ ଏହା ପୁରାଣ ଧର୍ମୀ । ଶ୍ରୀକୃଷ୍ଣଙ୍କର ସମଗ୍ର ବ୍ରଜଲୀଳା ଏଥିରେ ବର୍ଣ୍ଣିତ । କବି ଖୁବ୍ ଅଳ୍ପ ସମୟ ମଧ୍ୟରେ ଏ ଗ୍ରନ୍ଥଟି ଆରମ୍ଭ କରି ସଂପୂର୍ଣ୍ଣ କରିଛନ୍ତି । ବୋଧହୁଏ ବହୁ ଗ୍ରନ୍ଥ ପ୍ରଣୟନ ଅଭିଳାଷ କବିଙ୍କୁ ଗୋଟିଏ ମାସରେ ଏଗ୍ରନ୍ଥ ଶେଷ କରିବା ପାଇଁ ପ୍ରଚୋଦିତ କରିଅଛି । ସେଥିପାଇଁ ସେ ଲେଖିଛନ୍ତି– “ମାସକେ ସଂପୂର୍ଣ୍ଣ କଲି ଉବ୍ଦେଗ ମନରେ” । ଗ୍ରନ୍ଥଟି ବୈଷ୍ଣବମାନଙ୍କର ଗଳାର ହାର ସ୍ଵରୂପ ହୋଇଛି । ରାଧା ଓ କୃଷ୍ଣ ଲୀଳା ପ୍ରତି ପାଠକ ସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରି ସେମାନଙ୍କ ମନରେ ଭକ୍ତିଭାବର ଉଦ୍ରେକ କରିବା ଗ୍ରନ୍ଥଟିର ଏକମାତ୍ର ଉଦ୍ଦେଶ୍ୟ ଏବଂ ତାହା ସମ୍ପାଦନ କରିବାରେ ଏହା ଗୋଟିଏ ସଫଳ କୃତି । ଏହି ଗ୍ରନ୍ଥର ଗୋଟିଏ ପାଣ୍ତୁଲିପି ବାଣୀବିହାରସ୍ଥ ପୋଥିବିଭାଗରେ ସଂରକ୍ଷିତ ।

ଶ୍ରୀମଦ୍ ଭଗବଦ୍‍ଗୀତାନୁବାଦ

ବାଣୀବିହାରସ୍ଥ ପୋଥି ବିଭାଗରେ ଏହାର ଗୋଟିଏ ପାଣ୍ତୁଲିପି ସଂରକ୍ଷିତ ହୋଇଅଛି । କବି ନିଜଭାଷାରେ ଶ୍ରୀମଦ୍ ଭଗବଦ୍ ଗୀତାର ଅନୁବାଦ କରିଛନ୍ତି । କବି ନିଜର ଜାତି ଗୋତ୍ର, ବଂଶ ପିତୃପିତାମହ ଇତ୍ୟାଦିଙ୍କ ନାମ ଉଲ୍ଲେଖ କରି ଅନୁବାଦ ଆରମ୍ଭ କରିଛନ୍ତି । ଭାଷାର ସ୍ଵାଭାବିକତା ଓ ଭାବର ସ୍ଵଚ୍ଛନ୍ଦ ପରିପ୍ରକାଶ ଗ୍ରନ୍ଥଟିର ଏକକ ବୈଶିଷ୍ଟ୍ୟ । ଗୀତାର ଭାବ ସମ୍ଭାରକୁ ଯଥା ସମ୍ଭବ ସରଳ ଭାବରେ ବ୍ୟକ୍ତ କରିବା ଲେଖକଙ୍କର ଉଦ୍ଦେଶ୍ୟ ହୋଇଥିବାରୁ ଏଥିରେ ସ୍ଵକୀୟ କବିତ୍ଵ ବ୍ୟଞ୍ଜନାର କୌଣସି ସୁଯୋଗ କବି ପାଇନାହାନ୍ତି । ସେ ସମୟରେ ସଂସ୍କୃତ ଅନଭିଜ୍ଞ ଧାର୍ମିକ ଓଡ଼ିଆ ପାଠକମାନଙ୍କର ଜିଜ୍ଞାସାକୁ ଚରିତାର୍ଥ କରିବାରେ ଏ ଗ୍ରନ୍ଥର ଉପାଦେୟତା ଅବଶ୍ୟ ସ୍ଵୀକାର୍ଯ୍ୟ ।

ସଙ୍ଗୀତ ସଦାନନ୍ଦ

ସଙ୍ଗୀତ ସଦାନନ୍ଦ ଗ୍ରନ୍ଥଟି ଦଶଟି ଛାନ୍ଦରେ ବିଭକ୍ତ । କବି ସଂସ୍କୃତ ଗ୍ରନ୍ଥମାନଙ୍କରୁ ବିଷୟ ସଂଗ୍ରହ କରି ତୁଳନା ମୂଳକ ଭାବରେ ଏଠାରେ ସେ ସବୁ କଥା ଆଲୋଚନା କରୁଛନ୍ତି ବୋଲି ନିଜେ ଗ୍ରନ୍ଥ ପରିଚୟ ପ୍ରସଙ୍ଗରେ ଉଲ୍ଲେଖ କରିଛନ୍ତି–

ବହୁତ ଗ୍ରନ୍ଥରୁ ଆଣି ତୋଳା କରି ଧୀରେ

ସଙ୍ଗୀତ ସଦାନନ୍ଦ କହିଲେ ଯେ ଛାନ୍ଦରେ ।

ଗୀତ, ବାଦ୍ୟ, ତାଳ, ନୃତ୍ୟ ଇତ୍ୟାଦି ଲକ୍ଷଣ

ଦଶ ଛାନ୍ଦରେ ବର୍ଣ୍ଣନ ପୁରାଣ ପ୍ରମାଣ ।

–ମୋହନ କଳ୍ପଲତା ୪୬।୩୩

ଗ୍ରନ୍ଥର ଆଭିମୁଖ୍ୟ ଓ ଉପଯୋଗିତା ବିଷୟରେ ନିଜର ମତାମତ ଦେବାକୁ ଯାଇ କବି କହିଛନ୍ତି–

“ଗ୍ରନ୍ଥ ଥିଲେ ସର୍ବେ କେହି (କିପରି) ବୁଝିବେ ସଂସ୍କୃତ

ଏଣୁ ପରାକୃତେ କହିବାକୁ ହୋଏ ଚିତ୍ତ ।”

ଉଲ୍ଲିଖିତ କବି ବାଣୀରୁ ଜଣାଯାଏ ଯେ ସଦାନନ୍ଦ ସଙ୍ଗୀତ ବିଷୟରେ ଏଠାରେ କିଛି ମୌଳିକ ତତ୍ତ୍ଵ ବା ତଥ୍ୟ ପରିବେଷଣ କରିନାହାନ୍ତି । କିନ୍ତୁ ସଂସ୍କୃତ ଶାସ୍ତ୍ର ବିଷୟରେ ଜନସାଧାରଣଙ୍କର ଅଜ୍ଞତା ହିଁ ସଙ୍ଗୀତ ପରି ଗୋଟିଏ ସୁକୁମାର ଲଳିତ କଳାଠାରୁ ସେମାନଙ୍କୁ ଦୂରରେ ରଖିଛି । ଏଣୁ କବିଙ୍କର ଏହି ବିନମ୍ର ପ୍ରୟାସ । ଓଡ଼ିଆରେ ଛାନ୍ଦୋବଦ୍ଧ ପଦ୍ଧତିରେ ଲେଖା ହୋଇଥିବା ପ୍ରକାଣ୍ତ ସଂସ୍କୃତ ଗ୍ରନ୍ଥମାନଙ୍କର ସଂକ୍ଷିପ୍ତ ସାର ପଢ଼ି ରସିକ ଭାବୁକମାନେ ସଙ୍ଗୀତର ମାଧୁରୀ ଉପଭୋଗ କରନ୍ତୁ ଏହାହିଁ ବୈଷ୍ଣବ କବି ସଦାନନ୍ଦଙ୍କ ଏକାକ୍ତ କାମନା । ପ୍ରଥମ ଛାନ୍ଦରେ କବି ସଙ୍ଗୀତସାର, ସଙ୍ଗୀତ ପ୍ରକାଶ ଓ ନାରଦ ସଂହିତା ପ୍ରଭୃତି ଗ୍ରନ୍ଥ ଅବଲମ୍ଵନରେ ସ୍ଵରନିରୂପଣତା ଓ ସଙ୍ଗୀତର ଲକ୍ଷଣ ପର୍ଯ୍ୟାଲୋଚନା କରିଛନ୍ତି । ଦ୍ଵିତୀୟ ଛାନ୍ଦରେ ରାଗରାଗିଣୀ ବିଷୟ ଚର୍ଚ୍ଚା କରାଯାଇ ଛଅ ଗୋଟି ରାଗ ଓ ସେମାନଙ୍କର ୩୬ ନାୟିକାକୁ ରାଗିଣୀ ଭାବରେ ଚିତ୍ରଣ କରାଯାଇଛି । କର୍ଣ୍ଣାଟ, ନାଟ, ମହ୍ଲାର, ଦେଶାକ୍ଷ, ମାଳବ ଓ ବସନ୍ତ ହେଲେ ରାଗ । ରାଗିଣୀମାନେ ହେଲେ– ଚନ୍ଦନା, ମାଳଶ୍ରୀ, ସିନ୍ଧୁତା, ବେହ୍ଲାବଳୀ, ପ୍ରବାତି, କାମ୍ଭୋଜି, ନାଟ ଭାଷା, ନାଟିକା, ଗୁଣମଞ୍ଜରୀ, ଚୋଖରୀ, ମୁଖରୀ, ମହ୍ଲାର, ଲଲିତା, ପାଠିନ ମଞ୍ଜରୀ, ମଧୁକରୀ, ଦୁଗ୍‌ଧକାରୀ, ଦେଶୀ, ଗୁଜ୍ଜରୀ, ରାମକେରୀ, ଗୁଣ୍ତକରି, ସୁରହିତା, ଧନାଶ୍ରୀ, ବିରାଡ଼ି, ଶ୍ରୀକେଦାର, ସଂଜ୍ଞା, ମେଘମାଳିନୀ, ବଧୂଚିନ୍ତା, ଭୈରବୀ, ବଙ୍ଗରା, ମେଘ, ପଞ୍ଚମୀ, ଚତୁର୍ଥୀ, ଅମର ତୋଡ଼ି ଇତ୍ୟାଦି ପରବର୍ତ୍ତୀ ଛାନ୍ଦମାନଙ୍କରେ ରାଗମାନଙ୍କର ମୂର୍ତ୍ତି, ଗାୟନ କାଳ, ଏକାଦଶ ତାଳ, ଲକ୍ଷଣ, ଗ୍ରହ, ଲୟ, ମାନ, ଆଳାପ, ଅନିବନ୍ଧ, ନିବନ୍ଧ, ତନ୍ତୁ, ବୀଣା, ମୁରଜ, ଆନନ୍ଦ, ବଂଶୀ, ନାଟ, ନାଟ୍ୟ ଓ ନୃତ୍ୟ ଇତ୍ୟାଦି ବର୍ଣ୍ଣନା କରି ସ୍ଥାନେ ସ୍ଥାନେ ସଂସ୍କୃତ, ବଙ୍ଗଳା ଓ ଓଡ଼ିଆ ଉଦାହରଣ ଦେଇ ବୁଝାଇଛନ୍ତି ।

ଏ ସବୁ କଥା ଲେଖିବା ପାଇଁ ସେ ସଙ୍ଗୀତ ନାରାୟଣ, ସଙ୍ଗୀତ ଦାମୋଦର, ସଙ୍ଗୀତ କଳାଙ୍କୁର, ସଙ୍ଗୀତ ଚନ୍ଦ୍ରିକା, ସଙ୍ଗୀତ ରତ୍ନମାଳା, ନାରଦ ସଂହିତା, ଭରତମୁନିଙ୍କ ନାଟ୍ୟଶାସ୍ତ୍ର, ସଂଗୀତ କୌମୁଦୀ ଇତ୍ୟାଦି ଗ୍ରନ୍ଥର ସାହାଯ୍ୟ ଗ୍ରହଣ କରିଛନ୍ତି । ଉଦ୍ଦେଶ୍ୟ–

“କେବଳ ଗ୍ରାମ ଭାଷାରେ ପ୍ରକାଶିତ ଅଜ୍ଞ ବୁଝିବା ବିଚାରେ ।”

ଭାରତୀୟ ତଥା ଉତ୍କଳୀୟ ବହୁ ଦୁଲ୍ଲଭ ସଂଗୀତ ଶାସ୍ତ୍ରର ସଂକ୍ଷିପ୍ତ ସାର ଏଥିରେ ସୁରକ୍ଷିତ ହୋଇ ଥିବାରୁ ଗ୍ରନ୍ଥଟି ବେଶ୍ ଉପାଦେୟ ।

ବାଳବୋଧିନୀ

ଏହା ଗୋଟିଏ କ୍ଷୁଦ୍ରକାୟ ସଙ୍ଗୀତ ପୁସ୍ତକ । ଏକମାତ୍ର ଛାନ୍ଦ ବିଶିଷ୍ଟ ଗୋଟିଏ ପୋଥି ଓଡ଼ିଶା ଷ୍ଟେଟ୍ ମ୍ୟୁଜିଅମ୍‌ରେ ସୁରକ୍ଷିତ ଅବସ୍ଥାରେ ରହିଅଛି । ବାଳକମାନଙ୍କୁ ‘ରାଗ’ ଚିହ୍ନାଇବା ପାଇଁ କବି ଏଥିରେ ପ୍ରୟାସ କରଛନ୍ତି । ଗୀତମାନଙ୍କର ଅକ୍ଷରବୃତ୍ତ ବା ରାଗ କିପରି ଜଣାଯିବ ସେଥିପାଇଁ ଏଥିରେ ପନ୍ଥା ନିର୍ଦ୍ଦଶିତ ହୋଇଛି । ବାସ୍ତବରେ ଅକ୍ଷର ଗଣନାନୁସାରେ କିପରି ରାଗ ମନେ ରଖିବାକୁ ହେବ ସେ କଥା ଅତି ସହଜ ଭାବରେ ଉଦାହରଣ ସହିତ ଗୋଟିଏ ଗୋଟିଏ ରଚିତ ପଦ ମାଧ୍ୟମରେ ବୁଝାଇ ଦିଆଯାଇଛି । ବାଳକମାନଙ୍କର ମନେ ରଖିବା ପାଇଁ ପଦଗୁଡ଼ିକ ଏକାନ୍ତ ଉପଯୋଗୀ ହୋଇଥିବାରୁ ଏହାର ନାମ ବାଳବୋଧିନୀ ରଖା ଯାଇଛି ।

ଉଦାହରଣ ସହ ରାଗର ଲକ୍ଷଣ–

ରାଗ ମୁଖାରୀ ଦଶାକ୍ଷରେ ।

କୃଷ୍ଣ କହନ୍ତି ମଧୁର ସ୍ଵରେ ।।

ମୁଁ କାଳିଆ ଅତି ଅସୁନ୍ଦର ।

ମୋତେ ରସୁ ବନ୍ଧୁ କି ବିଚାର ।।

ପୁଣି କେଦାର ଚକ୍ରକେଳି ବାଣୀ ।

ଗୋପୀ ଭାଷାଯେ ଶ୍ରୀ ରାଧିକା ଭଣି ।।

ଆହେ ମୋହନ ଏ ଚନ୍ଦ୍ର ବଦନ ।

ଦେଖି ମୋହ ନୋହିବ କେଉଁ ଜନ ।।

କାମୋଦୀ ଅଟ୍ଟାଳି ବାଣୀରେ ଗୋବିନ୍ଦ ।

କହନ୍ତି ରାଧାଙ୍କୁ ହସି ମନ୍ଦ ମନ୍ଦ ।।

କେଦାର କାମୋଦୀ ଯେ ବାର ଅକ୍ଷର ।

ଦୁଇ ପାଦ ପ୍ରାନ୍ତେ ହେ, ଯେ, ଲାଗେ ତାହାର ।।

ଶ୍ରୀ ରାଧିକା କହେ ଆହେ ଗିରିଧର ।

ତୁମ୍ଭଙ୍କୁ ଜିଣିବ କେଉଁ ପ୍ରକାର ହେ ।।

 

ଏହିପରି ଭାବେ ରାଗମାନଙ୍କର ଉଦାହରଣ ସହିତ ଲକ୍ଷଣ ନିର୍ଦ୍ଦେଶ କରି କବି ଛାନ୍ଦଟି ଶେଷ କରିଛନ୍ତି । ଏ ପୁସ୍ତକଟି ଅତ୍ୟନ୍ତ କ୍ଷୁଦ୍ର ହେଲେ ମଧ୍ୟ ଛାନ୍ଦାର୍ଥୀ ବାଳକମାନଙ୍କ ପାଇଁ ବେଶ୍ ଉପଯୋଗୀ । କବି ପିଲାମାନଙ୍କୁ ରାଗ ଚିହ୍ନାଇବା ପାଇଁ କଉତୁକରେ ଏହା ଲେଖିବା କଥା ନିଜେ ସ୍ଵୀକାର କରଛନ୍ତି–

 

ବାଳକେ ରଖିବ ମନେ ବାଳବୋଧିନୀ ଗୀତ,

କବିସୂର୍ଯ୍ୟ ବ୍ରହ୍ମାର ସେ କଉତୁକ କଥିତ ।।

 

ସ୍ମର ଦୀପିକା

 

ସ୍ମର ଦୀପିକା ଗ୍ରନ୍ଥଟି ବାର ଛାନ୍ଦ ବିଶିଷ୍ଟ । ଏହାର ଗୋଟିଏ ପୋଥି ବାଣୀବିହାରସ୍ଥ ପୋଥି ବିଭାବରେ ସୁରକ୍ଷିତ ଭାବେ ରହିଅଛି । କବିଙ୍କର ଏହା ନିଜସ୍ଵ ରଚନା ନୁହେଁ । ସେ ବାତ୍ସ୍ୟାୟନଙ୍କ କାମଶାସ୍ତ୍ର ସହିତ ଅନେକ କାମଶାସ୍ତ୍ର ବିଷୟକ ଗ୍ରନ୍ଥରୁ ସାର ସଂଗ୍ରହ କରି ଓଡ଼ିଆ ଛନ୍ଦୋବଦ୍ଧ ରୀତିରେ ଲେଖିଛନ୍ତି–

 

ସ୍ମରଦୀପିକା ନାମତାର,

ପରାକୃତେ କରି ପୟାର ।।

ଅନେକ ଶାସ୍ତ୍ରମାନଙ୍କର,

ଆଣି କହିବା ତହୁଁ ସାର ।।

 

ଏହି ଗ୍ରନ୍ଥଟି ଲେଖିବାରେ କବି ବିଶେଷ ଭାବେ ଉପେନ୍ଦ୍ର ଭଞ୍ଜଙ୍କ ‘ପଞ୍ଚ ଶାୟକ’ କୁ ଅନୁକରଣ କରିଥିବା ମନେ ହୁଏ । ଏଥିରେ ପୁରୁଷ, ଲିଙ୍ଗ, ନାରୀ, କନ୍ୟା, ଭଗ ଅସମରତି, ସମରତି, ଇତ୍ୟାଦିର ଲକ୍ଷଣ ନିର୍ଦ୍ଦେଶ କରିବା ସଙ୍ଗେ ସଙ୍ଗେ କାମଚାଳନାର ବିଶେଷ ବିବରଣୀ ପ୍ରଦାନ କରଛନ୍ତି । କବି ବିଭିନ୍ନ କାବ୍ୟରେ ରାଧାକୃଷ୍ଣ ପ୍ରେମଲୀଳାର ବହୁ ବିଚିତ୍ର ଅବସ୍ଥା ବର୍ଣ୍ଣନା ପ୍ରସଙ୍ଗରେ ଏହିସବୁ ସମ୍ଭୋଗ କଳାର ସମସ୍ତ କୌଶଳ ସୁଚାରୁରୂପେ ପ୍ରୟୋଗ କରଛନ୍ତି । ତାଙ୍କ କାବ୍ୟମାନଙ୍କୁ ବୁଝିବା ପାଇଁ ଏହା ବୋଧହୁଏ ଉପଯୋଗୀ ହେବ ବୋଲି ଭାବି କବି ବ୍ରହ୍ମଚର୍ଯ୍ୟାଶ୍ରମରେ ଥାଇ ମଧ୍ୟ ଏପରି ଗୋଟିଏ କାବ୍ୟର ପରିକଳ୍ପନା କରିଛନ୍ତି । ଏଥିରେ ସଦାନନ୍ଦଙ୍କ କବିତ୍ଵପୂର୍ଣ୍ଣ ଦକ୍ଷତାର କୌଣସି ସୂଚନା ମିଳେ ନାହିଁ ।

 

ଜଣାଣ

 

ନୂଆଁଗଡ଼ ଲଡ଼ୁକେଶ୍ଵରଙ୍କ ଜଣାଣ

 

ଏହି ଜଣାଣିଟି ୩୪ ପଦ ବିଶିଷ୍ଟ ଓ ପ୍ରତ୍ୟକ ପଦ ଚାରିପାଦ ବିଶିଷ୍ଟ । ନିଜର ଇଷ୍ଟଦେବତା ଲଡ଼ୁକେଶ୍ଵରଙ୍କ ଉଦ୍ଦେଶ୍ୟରେ ଏହା ରଚିତ । ମନେହୁଏ ଲେଖକଙ୍କ ‘ପୂର୍ବାଶ୍ରମ’ର ଏହା ଗୋଟିଏ ପାରମ୍ଭିକ ଲେଖା । ‘କ’ ଠାରୁ ‘କ୍ଷ’ ଅକ୍ଷର ପର୍ଯ୍ୟନ୍ତ ଅକ୍ଷର କ୍ରମରେ ପ୍ରତ୍ୟେକ ଅକ୍ଷର ପାଇଁ ଗୋଟିଏ ଗୋଟିଏ ପଦ ରଚିତ ହୋଇଛି । ‘କ୍ଷ’ ପଦର ଶେଷ ଧାଡ଼ିରେ ଭଣିତାରେ ଲେଖକ ନିଜକୁ ‘ଅରକ୍ଷଦ୍ଵିଜ ସଦାନନ୍ଦ’ ବୋଲି କହିଥିବାରୁ ବୈଷ୍ଣବ ସାଧୁଚରଣ ଦାସ ତଥା କବିସୂର୍ଯ୍ୟ ବ୍ରହ୍ମା ହେବା ପୂର୍ବରୁ କବିଙ୍କ ଲଡ଼ୁବାବା ଭକ୍ତବତ୍ସଳ ମନର ଏହା ଗୋଟିଏ ନିଖୁଣ ଅଭିବ୍ୟକ୍ତି । ସମଗ୍ର ଜଣାଣଟି ଅତ୍ୟନ୍ତ ମର୍ମସ୍ପର୍ଶୀ ହୋଇପାରିଛି । ଓଡ଼ିଆ ଜଣାଣ ସାହିତ୍ୟରେ ଏହା ଯେ ଗୋଟିଏ ଉନ୍ନତ ସ୍ଥାନ ଲାଭ କରିବ ଏଥିରେ ସନ୍ଦେହ ନାହିଁ । ଏହିପରି ନୀଳାନ୍ଦ୍ରିନାଥ ମଣିମା ଜଣାଣ ମଧ୍ୟ କବିଙ୍କର ‘ପୂର୍ବାଶ୍ରମ’ ଗୋଟିଏ ବହୁ ପ୍ରଚାରିତ ସୁପ୍ରସିଦ୍ଧ ଜଣାଣ । ‘ମଣିମା ଶୁଣିମା ହେଉ ଗରିବ ଡାକ’ ଜଣାଣଟି ସ୍ଵରଲହରୀ ସହିତ ଗାନ କଲେ ଭକ୍ତ ହୃଦୟ ବିଗଳିତ ହୋଇଯାଏ ।

 

ସେହିପରି ଚଉଦ ପଦ ବିଶିଷ୍ଟ ‘ଶ୍ରୀଚୈତନ୍ୟ ଜଣାଣ’ କବିଙ୍କର ଶ୍ରୀଚୈତନ୍ୟଙ୍କ ପ୍ରତି ଅତ୍ୟନ୍ତ ଆନୁଗତ୍ୟ ପ୍ରକାଶ କରୁଅଛି । ଏ ଜଣାଣଗୁଡ଼ିକ ପାଣ୍ତୁଲିପି ଆକାରରେ ଓଡ଼ଶା ରାଜ୍ୟ ସଂଗ୍ରହାଳୟରେ ଦେଖିବାକୁ ମିଳେ ।

 

ଚଉତିଶା

 

ବାଣୀବିହାରସ୍ଥ ପୋଥି ସଂଗ୍ରହାଳୟ ଓ ରାଜ୍ୟ ପୋଥି ସଂଗ୍ରହାଳୟରେ କବିଙ୍କ କେତୋଟି ଚଉତିଶା ମଧ୍ୟ ପାଣ୍ତୁଲିପି ଆକାରରେ ଦେଖିବାକୁ ମିଳେ । କୋଇଲି ଚଉତିଶା, ଦୂତୀ ଚଉତିଶା, ସଂଗିନୀ ଚଉତିଶା କବିଙ୍କର ଗୋଟିଏ ଗୋଟିଏ କୃତି । ଏଗୁଡ଼ିକରେ ରାଧାକୃଷ୍ଣଙ୍କ ବିଭିନ୍ନ ଲୀଳା ବର୍ଣ୍ଣିତ ହୋଇଛି । ପ୍ରତ୍ୟେକଟି ୩୪ ଟି ପଦ ବିଶିଷ୍ଟ ରଚନା । ରଚନା ଗୁଡ଼ିକରେ ସ୍ଵାଭାବିକ କବିତ୍ତ୍ଵ ଓ ଭାବ ବିଳାସ ଦେଖିବାକୁ ମିଳେ । ଚଉତିଶାଗୁଡ଼ିକ ଗେୟ, ସୁପାଠ୍ୟ ଓ ଆମୋଦ ଦାୟକ । ଲେଖକଙ୍କର ଏହିପରି ଅନେକ ସୁନ୍ଦର ଚଉପଦୀ ମଧ୍ୟ ଯନ୍ତ୍ରତନ୍ତ୍ର ବିକ୍ଷିପ୍ତ ଭାବରେ ରହିଥିବାର ଜଣାଯାଏ ।

Image

 

Unknown

ତୃତୀୟ ପରିଚ୍ଛେଦ

କବି ପ୍ରତିଭା

କାବ୍ୟାଦର୍ଶ

 

ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା ସେ ସମୟର ଜଣେ ପ୍ରଖ୍ୟାତନାମା କବିଥିଲେ । ସେ ସଂସ୍କୃତ, ଓଡ଼ିଆ, ବଙ୍ଗଳା ଓ ଖରୋଷ୍ଟ୍ରୀ ଭାଷାରେ ରଚିତ କାବ୍ୟ କବିତା ଅଧ୍ୟୟନ କରିଥିଲେ । ସଦାନନ୍ଦଙ୍କ ସ୍ଵାଭାବିକ କବିତ୍ଵ ଶକ୍ତି ବ୍ୟୁତ୍ପତ୍ତି ଓ ଅଭ୍ୟାସ ବଳରେ ଅସାମାନ୍ୟ ପ୍ରତିଭାରେ ପରିଣତ ହୋଇଥିଲା । ସେତେବେଳର ଆଦର୍ଶ ସ୍ଥାନୀୟ ସୁପ୍ରସିଦ୍ଧ ସଂସ୍କୃତ କାବ୍ୟାଦର୍ଶରେ ଅନୁପ୍ରାଣୀତ ତଥା ସମୃଦ୍ଧ ଓଡ଼ିଆ ରୀତିକାବ୍ୟ ପାଠକ ମହଲରେ ବେଶ୍ ଚମକ ସୃଷ୍ଟି କରିଥିଲା । ସଦାନନ୍ଦ ସେହି କାବ୍ୟଧାରାରେ ଅନୁପ୍ରାଣୀତ ହୋଇ ତାଙ୍କର କବି ଜୀବନ ଆରମ୍ଭ କରିଥିଲେ । ସେ ସ୍ଵରଚିତ ‘ମୋହନ କଳ୍ପଲତା’, ‘ଯୁଗଳ ରସାମୃତ ଭଉଁରୀ’ରେ କେତେକ ପ୍ରସିଦ୍ଧ ଓଡ଼ିଆ କାବ୍ୟ ଓ କବିମାନଙ୍କର ଆଲୋଚନା କରଛନ୍ତି । ‘ସୁଦର୍ଶନ ବିହାର’ ସର୍ବାଙ୍ଗ ସୁନ୍ଦରୀ, କାଞ୍ଚନଲତା, ପ୍ରେମଲୀଳା, ଲୀଳାବତୀ ଇତ୍ୟାଦି କାବ୍ୟମାନଙ୍କ ସହ, ଉପେନ୍ଦ୍ର ଭଞ୍ଜ, ଲୋକନାଥ ବିଦ୍ୟାଧର, ଦୀନକୃଷ୍ଣ ଦାସ, ଭୂପତି ପଣ୍ତିତ, ଦୀନବନ୍ଧୁ ରାଜ ଇତ୍ୟାଦି କେତେକ ସ୍ଵନାମଧନ୍ୟ କବିମାନଙ୍କର ନାମୋଲ୍ଲେଖ କରିଛନ୍ତି । ଏହି ଆଲୋଚନାତ୍ମକ ଉଲ୍ଲେଖରୁ ସ୍ପଷ୍ଟ ସୂଚନା ମିଳେ ଯେ, କବି ତଦାନୀନ୍ତନ କବି ଗୋଷ୍ଠୀରେ ସୁପରିଚିତ ଥିଲେ ଏବଂ ସେ ସମୟର ଓଡ଼ିଆ ସାହିତ୍ୟରେ ବିବର୍ତ୍ତନର ଧାରା ସହିତ ତାଳଦେଇ ନିଜର କବି କର୍ମରେ ବ୍ୟାପୃତ ଥିଲେ । ଉପେନ୍ଦ୍ର ଭଞ୍ଜ ଇତ୍ୟାଦି କେତେକ ଶ୍ରେଷ୍ଠ କବିଙ୍କ ଆଲୋଚନା ପରେ ଅନ୍ୟ ସମସ୍ତ କବିଙ୍କୁ ଲକ୍ଷ୍ୟକରି ସଦାନନ୍ଦ କହିଛନ୍ତି–

 

ଆଉ ଯେ ଯହିଁ ଅଛନ୍ତି ଯୋଡ଼ାଯୋଡ଼ି କରିଥାନ୍ତି

ବ୍ରହ୍ମାସଙ୍ଗରେ କୁମ୍ଭାର ବାଦ ପ୍ରକାର ଯେ ।

(ଯୁ. ର. ଭ. ଶେଷଛାନ୍ଦ)

ଏଠାରେ ବେଶ ଚତୁରତାର ସହ ସେ କାବ୍ୟନିର୍ମାଣ କ୍ଷେତ୍ରରେ ନିଜକୁ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ସହିତ ତୁଳନା କରି ଅନ୍ୟାନ୍ୟ କାବ୍ୟସ୍ରଷ୍ଟାମାନଙ୍କୁ ନିଜ ତୁଳନାରେ ଅତ୍ୟନ୍ତ ନ୍ୟୂନସ୍ଥାନ ଦେଇ ସୋନଙ୍କୁ କୁମ୍ଭକାର ସହିତ ତୁଳନା କରିଛନ୍ତି । ଅର୍ଥାତ୍ ଏ ବିରାଟ ବିଶ୍ଵର ସ୍ରଷ୍ଟା ବ୍ରହ୍ମାଙ୍କ ଆଗରେ କେବଳ ମାଟି ମାଠିଆର ସ୍ରଷ୍ଟା କୁମ୍ଭାରର ସ୍ଥାନ ଯାହା, ବିପୁଳକାବ୍ୟ ସମ୍ଭାରର ସ୍ରଷ୍ଟା କବିସୂର୍ଯ୍ୟ ବ୍ରହ୍ମାଙ୍କ ତୁଳନାରେ ଯୋଡ଼ାଯୋଡ଼ି କରି କବିତା ଲେଖୁଥିବା ପ୍ରତିଭାହୀନ ଅବର କବିଙ୍କ ସ୍ଥାନ ତାହା । କବି ଜୀବନର ପ୍ରାକ୍‌କାଳରେ କବିଙ୍କର ଏହି କବିତ୍ଵାଭିମାନ ଭଞ୍ଜୀୟ କାବ୍ୟରୀତିର ସଫଳ ରୂପାୟନରେ ଗଢ଼ି ଉଠିଥିଲା । ଭଞ୍ଜୀୟ କାବ୍ୟାଦର୍ଶ ହିଁ କବିତ୍ଵପୂର୍ଣ୍ଣ ଦକ୍ଷତାର ଶ୍ରେଷ୍ଠ କଷଟି ରୂପେ ସେ ଗ୍ରହଣ କରି ନେଉଥିଲେ । ସଦାନନ୍ଦଙ୍କର ପ୍ରଥମ କାବ୍ୟ ଲଳିତଲୋଚନାର ଆଭିମୁଖ୍ୟ ଘୋଷଣା କରି ସେ ଲେଖିଛନ୍ତି–

ନାଗରୀ ନାରୀ ପ୍ରକାରେ ଏ ଗୀତ ହୋଇବ

ଅଳଙ୍କାରେ ବକ୍ର ଭକ୍ତି ଯେଣୁଥିବ

ରସ ରୀତି କ୍ରିୟା ଗୁପ୍ତି ଉପମା ନିନ୍ଦିବ

ଆଶ୍ରୟରେ କେଉଁଠାରେ ଧ୍ଵନି ପ୍ରକାଶିବ

ଦର୍ଶନେ ଶ୍ରବଣେ ନେତ୍ର କର୍ଣ୍ଣମାନସରେ

ସାରସ ପରାଏ ବାସ କରିବ ସତ୍ଵରେ ।

(୧ ମ ଛାନ୍ଦ)

 

କବିଙ୍କର ଆଉ ଗୋଟିଏ ପ୍ରାଥମିକ କାଳ୍ପନିକ କାବ୍ୟ ମୋହନ କଲ୍ପଲତାରେ ରୀତିଯୁଗୀୟ କାବ୍ୟାଦର୍ଶଟି ଆତ୍ମପ୍ରକାଶ କରିଛି । ଏ କାବ୍ୟର ନାୟିକା ପ୍ରଥମ ଥର କେଳିପୁର ପ୍ରବେଶର ଅବ୍ୟବହିତ ପୂର୍ବରୁ ମନରେ ଯେଉଁ ଦ୍ଵନ୍ଦ୍ୱାତ୍ମକ ପ୍ରତିକ୍ରିୟା ପ୍ରକାଶ କରିଛି, ସେହି ମାନସିକ ପକ୍ରିୟା ସହିତ ତୁଳନା କରି କବି କାବ୍ୟ ସୃଷ୍ଟିରେ ନିବଦ୍ଧ ସ୍ରଷ୍ଟା ମାନସର ଗୋଟିଏ ନିଖୁଣ ଚିତ୍ର ଉପସ୍ଥାପିତ କରଛନ୍ତି । ଯାହା ରୀତିଯୁଗୀୟ କାବ୍ୟାଦର୍ଶର ପୁନରୁକ୍ତି ମାତ୍ର ।

 

“କବି ପ୍ରାୟେ ପଦଶବଦ ଅନୁସନ୍ଧାନେ

ରୂପାଳଙ୍କାର ଲକ୍ଷଣ ଭାବୁଅଛି ମନେ ।”

 

ଏଠାରେ ପ୍ରଣୟୀ ସହିତ ପ୍ରଥମ ସମାଗମ ପୂର୍ବରୁ ପ୍ରତୀକ୍ଷମାଣା ମୁଗ୍ଧା ନାୟିକାର ଭାବନାର ଅନ୍ତନାହିଁ । ମନରେ ଇନ୍ଦ୍ରଧନୁର ରଙ୍ଗ ଓ ପ୍ରଜାପତିର ଡେଣା ଲାଗିଛି । ପ୍ରତ୍ୟେକ ମୁହୂର୍ତ୍ତଟି ଚିତ୍ତ ଚାଞ୍ଚଲ୍ୟରେ ଅସ୍ଥିର ଓ ଉବ୍ଦେଳିତ । ସାମାନ୍ୟ ଟିକିଏ ଶବ୍ଦ ଶୁଣିଲେ ପ୍ରାଣପ୍ରିୟର ପଦଶବ୍ଦ ଭାବି ସେ ଚମକି ଉଠୁଛି । ପ୍ରାଣପ୍ରିୟ ପ୍ରଣୟୀଙ୍କର ହାବ, ଭାବ, ରୂପ, ଅଳଙ୍କାର, ବେଶଭୂଷାର, ଅକଲନୀୟ କଳ୍ପନାରେ ମନ ଓ ଚୈତନ୍ୟ ମୋହଗ୍ରସ୍ତ । ଏହା ସ୍ଵାଭାବିକ କଥା । କିନ୍ତୁ ପଦ ରଚନାରେ ଶ୍ଳେଷାଳଙ୍କାରର ଚାତୁର୍ଯ୍ୟ ପୂର୍ଣ୍ଣ ପ୍ରୟୋଗ ଯୋଗୁଁ ‘ପଦଶବଦ ଅନୁସନ୍ଧାନ’ ଓ ‘ରୂପ ଅଳଙ୍କାର ଭାବନା’ ପରି ଦୁଇଟି ଶବ୍ଦ ମଧ୍ୟରେ ରୀତି ଯୁଗୀୟ କବିକର୍ମର ଆଦର୍ଶଟି ସୁଚାରୁରୂପେ ଅଭିବ୍ୟଞ୍ଜିତ ହୋଇ ଉଠିଛି । ପୁଣି ‘ହେବ ଗ୍ରନ୍ଥ ଅଳଙ୍କାର- ଚନ୍ଦନେ ଭୂଷଣ’ ପରି ଅନେକ ଉଦ୍‍ଘୋଷଣଦ୍ଵାରା କାବ୍ୟରେ ଅଳଙ୍କାର ଯୋଜନା ପ୍ରତି ଯଥେଷ୍ଟ ଗୁରୁତ୍ଵ ଆରୋପ କରାଯାଇଛି । ଶୃଙ୍ଗାରିଳତା ଓ ସମ୍ଭୋଗପ୍ରବଣତା ରୀତିଯୁଗୀୟ କାବ୍ୟର ଆଉ ଗୋଟିଏ ବିଶିଷ୍ଟ ଲକ୍ଷଣ । ସେଥିପାଇଁ ରୀତିକବି ମାନେ ସଂଙ୍ଗୀତ ଶାସ୍ତ୍ର ଓ ରତିଶାସ୍ତ୍ରରେ ଦକ୍ଷତା ଅର୍ଜନ କରିବା ପରମ୍ପରା ପ୍ରଚଳିତ ଗୋଟିଏ ବହୁ ସମ୍ମାନିତ ଆଦର୍ଶ । ଲଳିତଲୋଚନାର ଦ୍ଵିତୀୟ ଛାନ୍ଦରେ କବି ଏହି ଆଦର୍ଶକୁ ସ୍ମରଣ କରି ଲେଖିଛନ୍ତି–

ସଙ୍ଗୀତାଦି ସାହିତ୍ୟ ବିଧିଯେତେ

ରତିଶାସ୍ତ୍ର ସହିତେ ରଖିଚିତ୍ତେ ।

ଦେଖିବାର କଥା ଯେ, କବି ତାଙ୍କୁ କାବ୍ୟର ନାୟକ ଓ ନାୟୀକାମାନଙ୍କୁ ସର୍ବତ୍ର ନାଗର ଓ ନାଗରୀଭାବରେ ଉଲ୍ଲେଖ କରିଛନ୍ତି (୧) । ଏହି ଓ ନାଗର ଶବ୍ଦ ଦୁଇଟି କାମ ଶାସ୍ତ୍ରରେ ବର୍ଣ୍ଣିତ ଅସାଧାରଣ କଳାବିଳାସୀ ପ୍ରେମିକ ଓ ନାଗରୀ ପ୍ରେମିକାଙ୍କ ଉଦ୍ଦେଶ୍ୟରେ ବ୍ୟବହୃତ ଦୁଇଟି ବୈଷୟିକ ଶବ୍ଦ । ଏ ‘ନାଗର’ ଶବ୍ଦଟି ପ୍ରାଚୀନ କାବ୍ୟମାନଙ୍କରେ ତାର ରତିଶାସ୍ତ୍ରମମ୍ମତ ଅର୍ଥରେ ସୁ-ପ୍ରଚଳିତ । ଡକ୍‌ଟର ସୁଶୀଳ କୁମାର ଦେ ତାଙ୍କର Ancient Indian Erotics ଗ୍ରନ୍ଥରେ ଏ ଶବ୍ଦର ବିବରଣୀ ଦେଇ ଲେଖିଛନ୍ତି– “We have a vivid sketch of an ancient proto type of the ‘Nagaraka’ in the Kamasutra or the Sciance of Erotics attributed to Vatsyayana. The well-planned house of the Nagaraka, situated near a river or a tank, is surrounded by a lovely garden; in the garden there is for amusement and repose, a summer house, a bower of creepers with raised parterre and carpeted swing in a shady spot, His living room, balmy with rich perfume, contains, a bed soft, white fragrant and luxuriously furnished with pillows or cushions. There is also a couch, with a kind of stool at the head, on which are placed pigments, perfumes, garland, bark of citron, canvas and a box of paint. A lute hanging from an ivory peg and some books to read are also not for gotten. On the ground there is a spittoon, and not far from the couch a round seat with raised back and a board for dice. The Nagaraka spends his morning in bathing and elaborate toilet, applying ointments and perfumes to his body, collyrium to his eyes, and red paints to his lips, chews betel leaves and bark of ciaon to add fragrance to his mouth and looks at himself in the glass. After breakfast he listens to his parrots, which are kept in a cage outside his room and teaches them new phrases. He delights in ram and cock fights and other diversions which he enjoys with is friends and companions. The usual hangers on, high or low. After a brief midday sleep he dresses again and joins the assembly friends. In the evening there is music followed by joys of love in company with his lady friends. These are the everyday duties or pleasures of the Nagaraka.

୧.

(କ)

ଯୁଗଳ ରସାମୃତ ଲହରୀ ୫୪୨୮ ଓ ୫୬।୨୦

 

 

ଆରତେ କର୍ଣ୍ଣ ଫୁଙ୍କିନବ ନାଗର କରାଇଣ ସଚେତନ

 

 

ସମାଜ ଗୁଣବନ୍ତ ନାଗର

 

(ଖ)

ନାମଚିନ୍ତାମଣି, ୭ମ ଛାନ୍ଦ ପ୍ରଥମ ପଦ

 

 

ହେ ବ୍ରଜ ନାଗର, ନାଗରୀ ଚିତ୍ତ ଚୋର

 

(ଗ)

ଲଳିତଲୋଚନା ପ୍ରଥମ ଛାନ୍ଦ

 

 

ନାଗରୀ ନାରୀ ପ୍ରକାରେ ଏ ଗୀତ ହୋଇବ ।

ବାତ୍ସ୍ୟାୟନଙ୍କ ଓ କାମଶାସ୍ତ୍ରୀୟ ବିଶ୍ଳେଷଣରୁ ସଦାନନ୍ଦଙ୍କ କାବ୍ୟ ନାୟକ ଓ କାବ୍ୟନାୟିକାଙ୍କ ନାଗର ଓ ନାଗରୀ ଭାବରେ ପ୍ରେମମୟ ବିଳାସୀ ଜୀବନର ଗୋଟିଏ ନିଖୁଣ ଚିତ୍ର ଫୁଟି ଉଠେ । ଯାହା ଫଲରେ ଆମେ କବିସୃଷ୍ଟିରେ କେବଳ ପ୍ରେମ ଓ ପ୍ରଣୟର ପ୍ରାଚୁର୍ଯ୍ୟ ଓ ଉଦ୍ଦାମ ଯୌବନର ଅନନ୍ତ ବିଳାସ ହିଁ ଦେଖିବାକୁ ପାଉ । ପ୍ରେମ ହିଁ ଜୀବନର ସର୍ବସ୍ଵ । ପ୍ରେମ ବ୍ୟତିତ ଜୀବନ ବୃଥା । ଏଣୁ ଆଦର୍ଶ ମଣିଷ ଜୀବନର ଚିତ୍ର ଦେବାକୁ ଯାଇ ଉଦାତ୍ତ କଣ୍ଠରେ କବି ଗାଈଛନ୍ତି–

ନାରୀ ଅଙ୍ଗ ସଙ୍ଗ ବିନା ଯେ କରେ ଶୟନ

ତାକୁ କି ମନୁଷ୍ୟ କରି ତୁମ୍ଭେ ମନେ ଘେନ ହେ ।

ନେତ୍ର ବହି ବାଳା ବିବସନ ଯେ ନ ଦେଖେ

ଅନ୍ଧ ବୋଲି ତାହାକୁ ଶୃଙ୍ଗାର ଶାସ୍ତ୍ର ଲେଖେ ।

ରମଣୀରୁ ବଡ଼ ଦ୍ରବ୍ୟ ସଂସାରେ କାହିଁଛି

ବ୍ରହ୍ମାଦି ଦେବଙ୍କର ଯହିଁରେ ଲୋଭ ଅଛି ।

ପ୍ରେମତ ସଂସାର ସାର ବୋଲନ୍ତି ସଜ୍ଜନ

ସେ ପୁଣି ନାଗରୀ ନାରୀ ସଙ୍ଗେଟି ପ୍ରଧାନ ।

(ମୋହନ କଳ୍ପଲତା,ଦ୍ଵାଦଶଛାନ୍ଦ)

ପୁଣି ନାଗରୀ ନାରୀର ନିବିଡ଼ ଆଶ୍ଳେଷରେ ହିଁ ଜୀବନର ଚରମ ସାର୍ଥକତା ନିହିତ–

ନାରୀ ହୋଇଥିବ ଜବବୟସୀ ସହଜେ

କରୁଥିବ ତା ଅଧର ପାନ ଭିଡ଼ି ଭୁଜେ ।

ଭଙ୍ଗୀରେ ସେ ଭାଷୁଥିବ ଛାଡ଼ ନାହିଁ ନାହିଁ

କୋଟି ବ୍ରହ୍ମାପଦ ତେତେବେଳେ ସମ କାହିଁହେ ।

(ମୋ. କ. ୧୨/୨୨-୨୩)

ଏସବୁ ଆଲୋଚନାରୁ ଏକଥା ସ୍ପଷ୍ଟ ଯେ, ସଦାନନ୍ଦଙ୍କ ପୂର୍ବବର୍ତ୍ତୀ ଉପେନ୍ଦ୍ର ଭଞ୍ଜ ଆଦି କବିମାନଙ୍କର କାବ୍ୟାଦର୍ଶ ଯାହାଥିଲା ସଦାନନ୍ଦ ପ୍ରଥମେ ସେଥିରେ ଅନୁପ୍ରାଣୀତ ହୋଇ ସେହି ଧାରାରେ ଦୁଇଟି କାଳ୍ପନିକ କାବ୍ୟ ରଚନା କରିଥିଲେ । ସେଥିରେ ପାଣ୍ତିତ୍ୟ ପ୍ରକର୍ଷ ପ୍ରଦର୍ଶନ ପାଇଁ ଚେଷ୍ଟା, ବହୁପଦରେ ଗୋଟିଏ କଥାର ବିଭିନ୍ନ ଶବ୍ଦ ମାଧ୍ୟମରେ ପୁନରାବୃତ୍ତି, ନାନା ଶବ୍ଦାଳଙ୍କାର ଓ ଅର୍ଥାଳଙ୍କାରର ବୁଦ୍ଧିଦୀପ୍ତ ପରିକଳ୍ପନା । ମିଥ୍ୟା ହେଲେ ମଧ୍ୟ ପାଣ୍ତିତ୍ୟପୂର୍ଣ୍ଣ କୁଟିଳ କଳ୍ପନା ଦ୍ଵାରା ସତ୍ୟପରି ପ୍ରକାଶ କରିବା (୨) ଧ୍ଵନ୍ୟାତ୍ମକ ଦ୍ଵ୍ୟର୍ଥକରୀ ଶବ୍ଦ ପ୍ରୟୋଗ, ସମ୍ଭୋଗ ଓ ବିପ୍ରଲମ୍ଭ ଶୃଙ୍ଗାରର ପ୍ରାଞ୍ଜଳ ବର୍ଣ୍ଣନା, କାମ ଶାସ୍ତ୍ର ସମ୍ମତ ବନ୍ଧ ବିନ୍ୟାସ, ସହଜ ସ୍ୱାଭାବିକ ବସ୍ତୁର ଅସ୍ୱାଭାବିକ ପାଣ୍ଡିତ୍ୟ ପୂର୍ଣ୍ଣ ବର୍ଣ୍ଣନା, ଅକ୍ଷର ନିୟମରେ ସମଗ୍ର କାବ୍ୟ ରଚନା, ସାଙ୍ଗୀତିକତା ଇତ୍ୟାଦିର ସୁନିପୁଣ ପ୍ରୟୋଗରେ କବି ବେଶ୍ କୃତିତ୍ଵ ଲାଭ କରିଛନ୍ତି । ବୋଧହୁଏ ଏଥିରେ ତାଙ୍କର ଚରମ ପରାକାଷ୍ଠା ପ୍ରଦର୍ଶନ ଯୋଗୁଁ ସେ ରାଜଦତ୍ତ ‘କବିସୂର୍ଯ୍ୟ’ ଉପାଧିରେ ମଧ୍ୟ ଭୂଷିତ ହୋଇଛନ୍ତି । କିନ୍ତୁ ଆଲୋଚିତ ଦୁଇଟି କାବ୍ୟ ରଚନା ପରେ କବିଙ୍କ ଜୀବନର ଧାରା ପରିବର୍ତ୍ତିତ ହୋଇଛି । ସେ ଗୃହତ୍ୟାଗୀ ହୋଇ ସନ୍ୟାସ ଗ୍ରହଣ କରି ରାଧାକୃଷ୍ଣଙ୍କର ବ୍ରଜଲୀଳା ଉପାସନାକୁ ଜୀବନର ଏକମାତ୍ର ଲକ୍ଷ୍ୟ ଭାବରେ ଗ୍ରହଣ କରିନେଇଛନ୍ତି । ଏଣୁ ତାଙ୍କର ଅନ୍ୟ ରଚନାମାନଙ୍କରେ କାବ୍ୟର ଆଭିମୁଖ୍ୟ ମଧ୍ୟ ବଦଳି ଯାଇଛି । କବି ବର୍ତ୍ତମାନ ସମ୍ପୂର୍ଣ୍ଣ ସ୍ଵତନ୍ତ୍ର । ସଂସାରର ଭୋଗ ତୃଷ୍ଣା ସମ୍ପୂର୍ଣ୍ଣ ନିର୍ବାପିତ । ରାଧାକୃଷ୍ଣଙ୍କ ଲୀଳାପାନ ଓ ସେ ଲୀଳାର ମାନସ ସାକ୍ଷାତକାରହିଁ ତାଙ୍କର ଏକମାତ୍ର ଧ୍ୟେୟ । ଏଣୁ କବି ଆନ୍ତରିକ କାମନା ବ୍ୟକ୍ତ କରି ଗାଇଛନ୍ତି–

 

କନ୍ଧେ ଅବା ଝୋଲି ଧରି ଭିକ୍ଷାଟନ କରି

ମୁଖେ ସ୍ଫୁରୁ ରାଧା ପ୍ରାଣେଶ୍ଵର,

ସ୍ଵତନ୍ତ୍ରତା ଥିବ ତହିଁ ପରବଶ ନୋହି

କେ ଦେଉ ନଦେଉ କି ବିଚାର

(ନି. ନି. ୬/୨)

 

ପରାମାରାଧ୍ୟା ରାଧାକୃଷ୍ଣଙ୍କ ଠାରେ ଅଖଣ୍ତ ଆସ୍ଥା ସ୍ଥାପନ କରି ସେ କହିଛନ୍ତି–

 

ରାମେଶ୍ଵରୀ ରସକରା ଶରଣ ମୋହର

କବି ସ୍ଵଭାବରୁ କହି ସମସ୍ତ ପ୍ରକାର ଯେ

 

୨.

ସରସ ଯେବେ ମିଥ୍ୟା ହେଲେ, ତା ତେବେ ସତ୍ୟ ମାନନ୍ତି ରସିକେ ପ୍ରେମତରଙ୍ଗୀଣୀ ୨୦ ଶ ଛାନ୍ଦ ।

 

କବି ସୂର୍ଯ୍ୟ ବ୍ରହ୍ମା ବିକି ହୋଇଅଛି ଦାସ

ରାଧାକୃଷ୍ଣ ମିଳନ ମୋ ପ୍ରକୃଷ୍ଟ ଲାଳସ

(ମୋ. କ.୩୮/୬୫)

ଏହି ରାଧାକୃଷ୍ଣ ମିଳନ ବର୍ଣ୍ଣନ, ଶ୍ରବଣ,କୀର୍ତ୍ତନ ଓ ଚିନ୍ତନ ହିଁ କବି ଜୀବନର ଶ୍ରେଷ୍ଠକାମନା, ଏପରିକି ଭକ୍ତି ଇଛାତ ନାହିଁ, ମୁକ୍ତି ଇଚ୍ଛା ମଧ୍ୟ ନାହିଁ । କବି ଚିନି ହେବାକୁ ଚାହାନ୍ତି ନାହିଁ, ଚିନି ଚାଖିବାକୁ ଚାହାନ୍ତି । ମୁକ୍ତି ହେବାପରେ ଲୀଳାରସ ଆସ୍ଵାଦନର ସୁବିଧା ନଥିବାରୁ ମୁକ୍ତି ମଧ୍ୟ କବିଙ୍କ କାମନା ନୁହେଁ । ସେଥିପାଇଁ ସଦାନନ୍ଦ ପୂର୍ବସୂରିମାନଙ୍କ ବିଷୟରେ ସ୍ଵୀୟ ମତାମତ ପ୍ରକାଶ କରିବାକୁ ଯାଇ କୃଷ୍ଣ ଚରିତକୁ ମୁଖ୍ୟ କାବ୍ୟବସ୍ତୁ ରୂପେ ଗ୍ରହଣ କରି ନଥିବା କବିମାନଙ୍କ ପ୍ରତି କଟାକ୍ଷ ପାତ କରି ଲେଖିଛନ୍ତି–

ଉପଇନ୍ଦ୍ର ସୁକବି ନିତ୍ୟରସ ଅନୁଭବୀ

କୃଷ୍ଣ ଉପାସକ ନୋହି କି କାର୍ଯ୍ୟ ଏହି ଯେ ।୫୪।

କୁଞ୍ଜବନ ଆଦି ଠିକ ଦେବୀ ଦେବ ଉପାସକ

ଲୋକନାଥ ବିଦ୍ୟାଧର ସଂସ୍କୃତ ଚୋର ୟେ ।୫୫।

କବି ଭଲ କୃଷ୍ଣଦାସ ନଜାଣଇ କୃଷ୍ଣରସ

ଭୂପତି ରସ ଆବର ମାତ୍ର ଭ୍ରମର ୟେ ।୫୬।

ସୁକବି ଗୁଣ ରତନ ଦୀନବନ୍ଧୁ ରାଜ ଧନ୍ୟ

ବ୍ରଜେନ୍ଦ୍ର କୁମାର ରାଗ ଯା ହୃଦେ ଦାଗ ୟେ ।୫୭।

(ଯୁ. ର. ଭ ଶେଷ ଛାନ୍ଦ)

ଅନ୍ୟମାନେ ଯେତେ ଭଲ କବି ହେଲେ ମଧ୍ୟ ଯେଉଁମାନେ ରାଧାକୃଷ୍ଣ ପ୍ରେମ ବର୍ଣ୍ଣନା କରି ନାହାନ୍ତି, କବିଙ୍କ ମତରେ, ସେମାନଙ୍କ ସମସ୍ତ କବି କର୍ମ ସମ୍ପୂର୍ଣ୍ଣ ନିସ୍ଫଳ ଓ ବୃଥା ।

 

ଦିବାନିଶି କେବଳ ଅପ୍ରାକୃତ ରାଧାକୃଷ୍ଣ ପ୍ରେମରେ ମଜ୍ଜି ରହିବା ତାଙ୍କର ଏକମାତ୍ର ଇଛା-। ସେଥିପାଇଁ ସେ କହିଛନ୍ତି–

 

ଜନ୍ମ ମରଣ ଅଛି ଯେତେକାଳ ସୁଖ ଦୁଃଖ ଦୁଇ ଏହାର ମୂଳ

କୃଷ୍ଣ ପ୍ରାପ୍ତି ହେଲେ ଏସିନା ଯିବ ପରମାନନ୍ଦେ ପୂର୍ଣ୍ଣ ହୋଇଥିବ

ସେହି ଚିର ଅଟେ । ସୁଖ ସାର ଯଦି ଚରଣେ ଲୁଟେ

(ନି.ନି.୭/୩)

 

ଦେଖିବାର କଥା ଯେଉଁ କବି ନାରୀ ଅଙ୍ଗ ସଙ୍ଗ ବିନା ମାନବ ଜନ୍ମକୁ ବୃଥା ମଣୁଥିଲେ, ବାଳା ବିବସନ ଦେଖିନଥିବା ଲୋକକୁ ଆଖି ଥାଉ ଥାଉ ଅନ୍ଧ ମନେ କରଥିଲେ, ରମଣୀ ପ୍ରେମକୁ ସଂସାର ସାର ବସ୍ତୁ ବୋଲି ଧରି ନେଇଥିଲେ ନବ ବୟସୀ ବାଳାର ନିବିଡ଼ ଆଶ୍ଳେଷ ମଧ୍ୟରେ ରହି ଅଧର ପାନ କରିବାକୁ ପରମ ପୁରୁଷାର୍ଥ ମନେ କରୁଥିଲେ, ସେହି କବି ଏ ସମସ୍ତ ଭୋଗ ତୃଷ୍ଣାରୁ ସମ୍ପୂର୍ଣ୍ଣ ମୃକ୍ତ ହୋଇ ଶ୍ରୀକୃଷ୍ଣ ଚୈତନ୍ୟଙ୍କ ଚରଣରେ ଆଶ୍ରୟ କରିଛନ୍ତି ।

 

ଗଉର ଚନ୍ଦ୍ର ଶ୍ରୀଚରଣ, ଆମ୍ଭର ତହିଁରେ ଶରଣ

ମଧୁର ରସର ଆଶ୍ରୟ, ଐଶ୍ଵର୍ଯ୍ୟ ଦେଖି ପାଇଭୟ

(ପାଟରତ୍ନାବଳୀ, ୩ୟ ଅଧ୍ୟାୟ)

 

ଏ ମଧୁର ରସଟି ହେଉଛି–

 

ପର ବଧୂ ପର ପୁତ୍ର ରାଧାକୃଷ୍ଣ ପ୍ରୀତି

ଅନ୍ୟୋନ୍ୟରେ ପ୍ରାପ୍ତି ଲୋଭେ ଝୁରାଝୁରି ନିତି

(ପ୍ରେ. ତ.୮/୨୪)

ପ୍ରେମସାର ପୂର୍ଣ୍ଣରାଗ ସଂଯୋଗ, ଯହିଁରେ

ନାହିଁ ନାହିଁ ନାହିଁ ଏ ସ୍ଵଭାବ ବ୍ରହ୍ମାଣ୍ତରେ

ଯେଉଁ ପ୍ରେମ କୃଷ୍ଣ ବୋଲେ ସୁଝି ନ ପାରିଲେ

ସେ ଭାବରେ ଆଜିଠାରୁ ବିଚିତ୍ର ହୋଇଲି

(ନି. ନି. ୩ୟ ଛାନ୍ଦ)

 

ରସିକ କବି ପରିବର୍ତ୍ତିତ ପରିସ୍ଥିତିରେ ଭକ୍ତ ପାଲଟି ଛନ୍ତି । ଉଦ୍ଦାମ ଯୌବନର ଦେହ ସର୍ବସ୍ଵ ଦୁର୍ବାର ଭୋଗ ତୃଷ୍ଣା ନିର୍ବାପିତ ହୋଇ ଚିନ୍ତନ ମନନରେ ସେ ଭଗବତ୍ ପ୍ରେମ ଜଳରେ ନିତ୍ୟ ନିମଜ୍ଜମାନ । ପ୍ରେମ ଅଛି, ତାହା ଆଉ ପାର୍ଥିବ ନୁହେ, ଅପାର୍ଥିବ । ପାକୃତ ନୁହେ ଅପ୍ରାକୃତ, କ୍ଷଣିକ ନୁହେ ନିତ୍ୟ, ଭୋଗ ସର୍ବସ୍ଵ ନୁହେ, ତ୍ୟାଗ ସର୍ବସ୍ଵ । ଏଣୁ ରସିକ କବିଙ୍କ କବିତାର ଆଭିମୁଖ୍ୟ ବଦଳି ଯାଇଛି । ସ୍ଵଳ୍ପ ସମୟ ମଧ୍ୟରେ ରାଧାକୃଷ୍ଣ ଲୀଳାର ବିଭିନ୍ନ ବିଭାଗ ବର୍ଣ୍ଣନା କରି ସେ ଯଥାସମ୍ଭବ ବହୁ କାବ୍ୟ କବିତା ଲେଖିବା ପାଇଁ ମନସ୍ଥ କରିଛନ୍ତି । ଯଥା ସମ୍ଭବ ସରଳ ତରଳ ଭାଷାରେ ସଂକ୍ଷିପ୍ତ ଛାନ୍ଦ ମାଧ୍ୟମରେ ବ୍ରଜଲୀଳାର ଅନନ୍ତ ମାଧୁର୍ଯ୍ୟ ପ୍ରକାଶ କରିବା ପାଇଁ ଚେଷ୍ଟିତ ହୋଇଛନ୍ତି । ଅଳ୍ପ ସମୟ ମଧ୍ୟରେ ବହୁ କାବ୍ୟ ଲେଖି ସ୍ଵକୀୟ ମତବାଦ ପ୍ରତି ଜନତାର ଦୃଷ୍ଟି ଆକର୍ଷଣ କରିବା ପାଇଁ ସେ ବିଶେଷ କରି ତିନୋଟି ନୂତନ ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସେଗୁଡ଼ିକ ମଧ୍ୟରେ ପ୍ରଥମ ହେଉଛି ବୃନ୍ଦାବନର ଗୋସ୍ଵାମୀମାନଙ୍କର ବିପୁଳ ସାମ୍ପ୍ରଦାୟିକା ସଂସ୍କୃତ ସାହିତ୍ୟ ସମ୍ଭାରରୁ ସାର ଗ୍ରହଣ କରି ଯଥା ସମ୍ଭବ ସ୍ଵଳ୍ପ ସମୟ ମଧ୍ୟରେ ତାହା ଓଡ଼ିଆରେ ରୂପାନ୍ତରିତ କରିବା ଦ୍ଵିତୀୟରେ ଓଡ଼ିଆ ରୀତିକାବ୍ୟର ଆୟାସସାଧ୍ୟ କଷ୍ଟ କଳ୍ପନାଛାଡ଼ି ଯଥାସମ୍ଭବ ସହଜ ଓ ସରଳ ଭାଷାରେ କୃଷ୍ଣଲୀଳାର ବିବିଧ ବୈଚିତ୍ର ଉପସ୍ଥାପନ କରିବା, ତୃତୀୟତଃ ଜୟଦେବଙ୍କ ପନ୍ଥା ଅନୁସରଣ କରି କାବ୍ୟ ଗୁଡ଼ିକ ଏକାଧାରରେ ରସିକ ଓ ଭକ୍ତମାନଙ୍କର ମନୋଗ୍ରାହକରି ଉପସ୍ଥାପିତ କରିବା । ଏହି ଯୋଜନାର ସଫଳ ରୂପାୟନ ମାଧ୍ୟମରେ ସେ ନିଜ ଜୀବନକୁ ସାର୍ଥକ କରିବା ସଙ୍ଗେ ସଙ୍ଗେ ତାହାରି ମାଧ୍ୟମରେ ଅଗଣିତ ମଣିଷ ଜୀବନର ସାର୍ଥକତା ଖୋଜି ପାଇଛନ୍ତି । ପରିବର୍ତ୍ତିତ କାବ୍ୟିକ ଆଭିମୁଖ୍ୟର ପ୍ରଧାନ ଉପଜୀବ୍ୟ ହେଉଛନ୍ତି ଚୈତନ୍ୟଙ୍କ ପଟ୍ଟଶିଷ୍ୟ ବୃନ୍ଦାବନର ଶ୍ରୀ ରୂପଗୋସ୍ଵାମୀ

 

ଶ୍ରୀରୂପ ଗୋସ୍ଵାମୀ ଆଦିଙ୍କର ମତ ଯେହି

ବେଦ ବଚନ ଅଧିକ ଆମ୍ଭେ ମାନୁ ତହିଁ

(ନି. ନି ୩ୟ ଛାନ୍ଦ)

ଶ୍ରୀରୂପ ଗୋସ୍ଵାମୀ ପାଦପଦ୍ମରେଣୁଗଣ

ଶିରେ ଧରି ଗାଇ ଛାନ୍ଦେ କୃଷ୍ଣଲୀଳା ଗୁଣ

ଅନନ୍ତ ସହସ୍ର ମୁଖେ ଗାଏ ନିରବାଧି

ତଥାପି ସେ ଲୀଳାଗୁଣ ନ ପାଏ ଅବଧି

ମୁଁ ଛାର କି କହିବି ମୋହର ବୃଦ୍ଧି କିସ

ହୋଇ ନୋହୁ ବୋଧ କରି ଆପଣା ମାନସ

(ବ୍ରଜଲୀଳାମୃତସମୁଦ୍ର ୪୧ ଛାନ୍ଦ)

ଛନ୍ଦୋବଦ୍ଧ କୃଷ୍ଣଲୀଳା ଗାନ କରିବାରେ ‘ହୋଉ ନୋହୁ’ ବୋଲି ଉଲ୍ଲେଖ କରି କବି କେବଳ ନିଜର ବୈଷ୍ଣବୀୟ ନମ୍ରତା ପ୍ରକାଶ କରିଛନ୍ତି । ସେ ନିରଳସ ଭାବରେ ଗୋଟିଏ ପରେ ଗୋଟିଏ କାବ୍ୟ ନିର୍ମାଣ କରି ଚାଲିଛନ୍ତି । ସେହି ମଧୁମୟ କାବ୍ୟ ସମ୍ଭାର ସର୍ଜନାରେ କବି ମଧୁମକ୍ଷିକାର ଭୂମିକା ଗ୍ରହଣ କରିଛନ୍ତି–

“କବିସୂର୍ଯ୍ୟ ବ୍ରହ୍ମା ଭଣି କହିଲୁ ଜାଣି ନ ଜାଣି

ମଧୁମକ୍ଷି ଯେହ୍ନେ ସର୍ବ ପୁଷ୍ପ ମଧୁ ଏକତ୍ର କରଇ ଆଣି”

(ମୋ କ ୨୮ଶ ଛାନ୍ଦ)

ଏ ମଧୁମକ୍ଷି ବୃତ୍ତି ଯୋଗୁଁ ସେ ଅଳ୍ପ ସମୟ ମଧ୍ୟରେ ବହୁ କୃଷ୍ଣଲୀଳାତ୍ମକ କାବ୍ୟ ରଚନା କରିପାରିଛନ୍ତି । ୫୮ ଛାନ୍ଦ ବିଶିଷ୍ଟ ଯୁଗଳ ରସାମୃତ ଲହରୀ ପରି ଗୋଟିଏ କାବ୍ୟର ପରିକଳ୍ପନା ଓ ରଚନା ଗୋଟିଏ ମାସରେ ହୋଇପାରିଛି । ଚିଟାଉ ଚନ୍ଦ୍ରୋଦୟର ରଚନା ଷୋହଳ ଦିନରେ ସରିଛି-। ବିଭିନ୍ନ ପ୍ରସଙ୍ଗରେ ତାଙ୍କର ଅନେକ କଥା କହିବାର ଥିଲେ ମଧ୍ୟ ସମୟାଭାବରୁ ସେ ସେହି ଲୋଭ ସମ୍ଵରଣ କରି ଯଥା ସମ୍ଭବ ସଂକ୍ଷିପ୍ତ ପରିସର ମଧ୍ୟରେ କାବ୍ୟାନ୍ତର୍ଗତ ଛାନ୍ଦଗୁଡ଼ିକର ସମାପ୍ତି ଘୋଷଣା କରିଛନ୍ତି–

ତାଙ୍କ ସଖୀଗଣ ପାଞ୍ଚ ପ୍ରକାର

କହିବାକୁ ସମୟ ନାହିଁ ମୋର

ଏ କଥା ସିଦ୍ଧାନ୍ତ ପାଇଁ, ଏଠାରେ ସମୟ ନାହିଁ

ନ ବୁଝିବେ ଗୀତ କେହି ହେବେ ନିଷ୍ଠୁର

(ନି. ନି. ୧୨ଶ ଛାନ୍ଦ)

ଦୁର୍ଗତି ପାଏ ପୁଜିବାର ନିଷ୍ଫଳ

ବହୁତ କହିବାକୁ ନାହିଁତ କାଳଯେ

(ନି. ନୀ. ୩ୟ ଛାନ୍ଦ)

ବହୁ ମୂର୍ଦ୍ଧନ୍ୟ ବୈଷ୍ଣବ୍ୟ କାବ୍ୟ କବିତାରୁ ସାରସଂଗ୍ରହ କରି ଯଥାସମ୍ଭବ ସଂକ୍ଷିପ୍ତ ପରିସର ମଧ୍ୟରେ ଓ ଅଳ୍ପ ସମୟରେ ଓଡ଼ିଆରେ ରୂପାୟିତ କରିବାରେ ଭକ୍ତ କବି ଜୀବନର ଶ୍ରେଷ୍ଠ ସାର୍ଥକତା ସେ ଉପଲବ୍‌ଧି କରିଛନ୍ତି । ଏଣୁ କବି ଜୀବନର ପ୍ରାକ୍ କାଳରେ ଯେଉଁ ରୀତିଯୁଗୀୟ କାବ୍ୟାଭିମୁଖ୍ୟ ଗୁଡ଼ିକ କବିଙ୍କୁ ଅନୁପ୍ରାଣିତ କରିଥିଲା ସେହି ଶବ୍ଦ ଗୂଢ଼ ଓ ଅର୍ଥଗୂଢ ପରିକଳ୍ପନା ପ୍ରତି ବର୍ତ୍ତମାନ କବି ସମ୍ପୂର୍ଣ୍ଣ ଉଦାସୀନ, ଜୀବନର ଲକ୍ଷ୍ୟ ପରିବର୍ତ୍ତିତ ହୋଇଥିବାରୁ ତାହାର ସାଧନରେ ମଧ୍ୟ ପ୍ରଭୂତ ପରିବର୍ତ୍ତନ ସାଧିତ ହୋଇଛି । ମହା କବିର ଗୌରବ ଓ ଯଶ ପ୍ରତି ନିରାଶକ୍ତ କବି ନିର୍ଲିପ୍ତ ଭାବରେ ଗାଇ ଉଠିଛନ୍ତି–

ବହୁ ଛନ୍ଦ ବଦ୍ଧ କାବ୍ୟ ପରାକୃତ ମତେ ।

ମୋ ମୁଖେ ପ୍ରକାଶିଲ ସଂସ୍କୃତ ସମ୍ମିଳିତେ ।।

ଅପହ୍ନୁତ୍ୟାଳଂକାରାଦି ସାମଗ୍ରୀ ବହୁତ ।

କବି ସାମର୍ଥ୍ୟ ଯଦ୍ୟପି ତହିଁରେ ପ୍ରତୀତ ।।

ମହା କବି ନାମଖ୍ୟାତି ପ୍ରତିଷ୍ଠାଦି ଯହିଁ ।

ତେବେ ହେଲେ ତହିଁରୁ ମୋ ପ୍ରୟୋଜନ ନାହିଁ ।।

ତହିଁରୁ ନିବୃତ୍ତି ହେଲା ମାନସ ଏଥର ।

ମୋହିତ ହେଲେହେଁ ତହିଁ ବିଦ୍ୟାବନ୍ତନର ।।

କୃଷ୍ଣ ଭକ୍ତ ବୁଝିବେ ମୋ ଶ୍ରମ ସାର୍ଥ ଏହି ।

ଶବ୍ଦ ଗୂଢ଼େ ଅର୍ଥ ଗୂଢ଼େ ପ୍ରୟୋଜନ ନାହିଁ ।।

(ନି. ନୀ. ୧ମ ଛାନ୍ଦ)

ଶବ୍ଦଗୂଢ଼ ଅର୍ଥଗୂଢ଼ ପରିକଳ୍ପନାରେ କବିଙ୍କର ଆଗ ଅଭିରୁଚି ଥିଲା । କିନ୍ତୁ ଏବେ ମନ ସେଥିରୁ ସମ୍ପୂର୍ଣ୍ଣ ନିବୃତ୍ତ । ରୀତି ଯୁଗୀୟ କଷ୍ଟ କଳ୍ପନାରୁ ସମ୍ପୂର୍ଣ୍ଣ ବିରତ କବି ମାନସ ଏବେ “ମିତଂଚ ସାରଂଚ ବଚୋହି ବାଗ୍ମିତା” କୁ କାବ୍ୟ ରଚନାର ଆଭିମୁଖ୍ୟ ଭାବେ ବାଛି ନେଇଛି । କବିଙ୍କର ଏହି ଚିନ୍ତା ଧାରାଟି ବହୁ ବୈଷ୍ଣବୀୟ କାବ୍ୟ କବିତାରେ ଆତ୍ମ ପ୍ରକାଶ କରିଛି ।

ଶୁଣ ସୁବୁଦ୍ଧି ନିୟମାବଧି କଳ୍ପନା ଛାଡ଼ିଲା ମନ

କ୍ଳିଷ୍ଟ ହୋଇବ ବୁଝି ନୋହିବ ନଘେନିବେ ସର୍ବଜନ ।୧।

ଯହିଁ ଯେପରି ରସ ବିଚାରି ନାନା ଜାତିରେ କହିବା

ଯାର ଯେମନ୍ତ ସ୍ଵଭାବ ମତ ସେ ରଙ୍ଗେ ମନ ହରିବା ।୨।

(ପୁ. ର. ଲ. ୩ୟ ଛାନ୍ଦ)

କେବଳ କ୍ଳିଷ୍ଟତା ଓ ଶାର୍ଦ୍ଦିକତା ଛାଡ଼ିଦେଲେ କବିଙ୍କ କବିତା ସର୍ବଜନାଦୃତ ହେବ ନାହିଁ । ସେଥିପାଇଁ ଲୋଡ଼ା ସରଳତା ଓ ସ୍ଵଳ୍ପତା । ଏଣୁ ସେ ବିଶୁଦ୍ଧ କବିତ୍ଵର ନିୟାମକ ଉପାୟ ନିର୍ଣ୍ଣୟ କରି ସ୍ଵୀୟ କାବ୍ୟ କବିତାରେ ତାହା ପ୍ରୟୋଗ କରିଛନ୍ତି–

ଅଳପ ହୋଇ ରୁଚିର ଭକ୍ତି ତତ୍ତ୍ଵ ବୋଧ

ଏମନ୍ତ ପ୍ରକାର ହେଲେ କବିତ୍ଵ ବିଶୁଦ୍ଧ ।

 

ସରଳ ଅଳପ ହେଲେ ହୁଅଇ ରୁଚିର

ଏ ଘେନି ଏ ଛାନ୍ଦ ପୂର୍ଣ୍ଣ କଲଇଁ ଏଥର ।

(ବ୍ର, ଲୀ. ସ. ୨୧ ମ ଛାନ୍ଦ)

ଏହା ବ୍ୟତୀତ କାବ୍ୟ ରଚନାର ଆଭିମୁଖ୍ୟରେ ଆଉ ଗୋଟିଏ ସର୍ବପ୍ରଧାନ ଉଲ୍ଲେଖ ଯୋଗ୍ୟ ପରିବର୍ତ୍ତନ ମଧ୍ୟ କବି ଆନୟନ କରିଛନ୍ତି । ଆଗରୁ ଆଲୋଚନା କରାଯାଇଛି ଯେ, କାଳ୍ପନିକ କାବ୍ୟମାନଙ୍କରେ କବି ପ୍ରାକୃତ ପ୍ରେମର ଶତ ବର୍ଣ୍ଣାଢ଼୍ୟ ବିଭାଗ ପ୍ରକାଶ କରିଛନ୍ତି । କିନ୍ତୁ ଏବେ ତାହା ସମ୍ପୂର୍ଣ୍ଣ ଭାବରେ ଚନ୍ଦ୍ରବଳୀ- କୃଷ୍ଣ ଓ ରାଧା-କୃଷ୍ଣ ପ୍ରେମଲୀଳା ବର୍ଣ୍ଣନାରେ ନିୟୋଜିତ ରାଧାକୃଷ୍ଣ ପ୍ରେମ ବର୍ଣ୍ଣନାରେ ସମ୍ପୂର୍ଣ୍ଣ ପ୍ରାକୃତିକତା ଥିଲେ ମଧ୍ୟ ତାହାକୁ ଅପ୍ରାକୃତ ପ୍ରେମ ଆଖ୍ୟା ଦିଆଯାଇଛି । କାଳ୍ପନିକ କାବ୍ୟରେ ପ୍ରେମଶୀଳା ନାରୀ ସମ୍ଭୋଗ, ଜୀବନର ଚରମ ପୁରୁଷାର୍ଥ ବୋଲି ବିବେଚିତ ହେଉଥିବା ବେଳେ ଏବେ କେବଳ ରାଧାକୃଷ୍ଣଙ୍କ ସମ୍ଭୋଗଲୀଳାର ମାନସ ସାକ୍ଷାତ୍‌କାର ଜୀବନର ଲକ୍ଷ୍ୟ ହୋଇଛି । ସମ୍ଭୋଗ ଲୀଳାର ବର୍ଣ୍ଣନାରେ କୌଣସି ପରିବର୍ତ୍ତନ ହୋଇନି, ହୋଇଛି କେବଳ ପ୍ରାକୃତ, ଅପ୍ରାକୃତ ନାମକରଣରେ । ସାଧାରଣ ନାୟକ ନାୟିକା ସ୍ଥାନରେ ଆସିଛନ୍ତି ରାଧାକୃଷ୍ଣ । ପ୍ରେମଲୀଳା ପ୍ରତି କବିଙ୍କ ପରିବର୍ତ୍ତିତ ଆଭିମୁଖ୍ୟରେ ପାଠକମାନେ ଅନୁପ୍ରାଣିତ ହୁଅନ୍ତୁ, ଏହା କବିଙ୍କ ଏକାନ୍ତ କାମନା । ବିଶ୍ଵ ବିଶୃତ ସଂସ୍କୃତ କବି ଜୟଦେବ ରାଧାକୃଷ୍ଣ ଲୀଳାତ୍ମକ ସ୍ଵୀୟ କାବ୍ୟ ଗୀତଗୋବିନ୍ଦର ଆଭିମୁଖ୍ୟ ବର୍ଣ୍ଣନା କରିବାକୁ ଯାଇ ଲେଖିଛନ୍ତି, “ହେ ମୋର ଅଗଣିତ ପାଠକ ! ହରିନାମ ଏ ପବିତ୍ର ଲୀଳା ସ୍ମରଣ କରି ଯଦି ଜୀବନର ସାର୍ଥକତା ସମ୍ପାଦନରେ ଇଚ୍ଛା ଥାଏ, କିମ୍ଵା ଲଳିତ କଳାତ୍ମକ ସୌନ୍ଦର୍ଯ୍ୟ ଉପଲବ୍‌ଧି କରିବାରେ ଯଦି ଅଭିରୁଚି ଥାଏ, ତେବେ ଲଳିତ କୋମଳ କାନ୍ତ ପଦାବଳୀ ଜୟଦେବ କବି ଭାରତୀ ମନ ଦେଇ ଶୁଣ ।

 

“ଯଦି ହରି ସ୍ମରଣେ ସରସଂ ମନଃ

ଯଦି ବିଳାସ କଳାସୁ କୁତୂହଳଂ

ମଧୁର କୋମଳ କାନ୍ତ ପଦାବଳୀଂ

ଶ୍ରୁଣୁ ତଥା ଜୟଦେବ ସରସ୍ଵତୀମ୍”

 

ଜୟ ଦେବଙ୍କ ପ୍ରଦର୍ଶିତ ପନ୍ଥା ଅନୁସରଣ କରି କବି ତାଙ୍କର ପାଠକ ମାନଙ୍କୁ ଭକ୍ତ, ଗ୍ରାହକ, ରସିକ ଓ ଅନୁଭବୀ ବୋଲି ସମ୍ଵୋଧନ କରି, ‘ଯାହାର ଯେମନ୍ତ ସ୍ଵଭାବ ମତ ସେ ରଙ୍ଗେ ମନ ହରିବା’ ପାଇଁ ସମସ୍ତ ଉପାଦାନ କାବ୍ୟମାନଙ୍କରେ ଖଞ୍ଜିଛନ୍ତି । ଭକ୍ତମାନଙ୍କ ପାଇଁ ରାଧାକୃଷ୍ଣ ଲୀଳାତ୍ମକ ଭକ୍ତି ଧାରା ଯେପରି ସ୍ଵଚ୍ଛନ୍ଦ ଗତିରେ ପ୍ରବାହିତ, କାବ୍ୟରସିକମାନଙ୍କ ପାଇଁ ସେପରି ଶୃଙ୍ଗାର ରସର ବିବିଧ ବୈଚିତ୍ୟ ଓ ସମ୍ଭୋଗ ବିଳାସ ରୂପାୟିତ । କିନ୍ତୁ ସମ୍ପ୍ରଦାୟାନୁ ମୋଦିତ ଧାର୍ମିକ ପ୍ରକ୍ରିୟାରେ ପରବଧୂ ପରପୁତ୍ର ରାଧାକୃଷ୍ଣଙ୍କ ଅନ୍ୟୋନ୍ୟରେ ପ୍ରାପ୍ତିଲୋଭେ ନିତି ଝୁରି ଝୁରି ହେଉଥିବା ପରକୀୟା ପ୍ରୀତିର ବର୍ଣ୍ଣନା ସାମାଜିକ ଶିଷ୍ଟାଚାର ବିବର୍ଜିତ ବୋଲି ସ୍ମାର୍ତ୍ତବ୍ରାହ୍ଣଣମାନେ ବିରୁଦ୍ଧବାଦୀ ସ୍ଵର ଉତ୍ତୋଳନ କରଛନ୍ତି । କବି ରାଧାକୃଷ୍ଣ ପ୍ରମଲୀଳାକୁ ଅପ୍ରାକୃତ ବୋଲି କହି ଜାନ୍ତବ ଦେହକ୍ଷୁଧାର ଯେଉଁ ନିଚ୍ଛକ ବର୍ଣ୍ଣନା କରିଛନ୍ତି ତାହାକୁ ସ୍ଵର୍ଗୀୟ ଓ ନିତ୍ୟ ବୋଲି ଯେତେ ଯୁକ୍ତି ବାଢ଼ିଲେ ମଧ୍ୟ ସେଥିରେ ବହୁ ପାଠକମାନଙ୍କର ମନଃ ପୂର୍ଣ୍ଣ ହୋଇନାହିଁ । କିନ୍ତୁ କବି ସ୍ଵାନୁଭୁତି ସମ୍ପନ୍ନ ପ୍ରେମ ଭକ୍ତିତତ୍ତ୍ଵରେ ଅଟଳ । ନିଜ ମତରେ ତାଙ୍କର ଆତ୍ମବିଶ୍ଵାସ ଓ ଦୃଢ଼ ଆସ୍ଥା ସମସ୍ତ ସାମାଜିକ ବ୍ୟବହାରକୁ ଖାତିର କରିନାହିଁ । ସେ “ଲୋକ ବେଭାର ଭୟ ଛାଡ଼ି, ଆନନ୍ଦେ ପ୍ରେମଜଳେ ବୁଡ଼ି” ରହି ରାଧାକୃଷ୍ଣ ଯୁଗଳ ଲୀଳା ବର୍ଣ୍ଣନା କରି ଚାଲିଛନ୍ତି । ତଥାପି ବିରୋଧୀ ସ୍ଵରପ୍ରତି କବି ମନର ଭୟ ସ୍ଵାଭାବିକ ଭାବେ କେତେବେଳେ କିମିତି ଆତ୍ମପ୍ରକାଶ କରିଛି–

 

କହି ନୋହଇ ସମ୍ପୂର୍ଣ୍ଣରେ ଯାହା

କହିଲେ କେ ବୁଝି ନପାରେ ତାହା

ବୁଝିଲେ ନିନ୍ଦା କରନ୍ତି ପିଶୁନେ

ତାହାଙ୍କ ସମ୍ଭୋଗ ପଶୁ ସମାନେ

ଏହି ଶକାଶୁ ମୁଁ ଡରିହେ

ତଥାପି ବର୍ଣ୍ଣନା ପରିପାଟୀ ଘେନି କହିବା କିଞ୍ଚିତ କରିହେ

(ମୋ. କ. ୪୧ଶ ଛାନ୍ଦ)

ନିଜେ ବୈରାଗୀ ହୋଇ ସମ୍ଭୋଗ ବର୍ଣ୍ଣନା କରୁଥିବାରୁ କବି ନିଜେ ନିଜର କବି ସ୍ଵଭାବକୁ ଦୋଷ ଦେଇଛନ୍ତି ।

ସ୍ଵଭାବ କେବେହେଁତ ଛାଡ଼ ନ ଯାଇ

ବୈରାଗୀ ହୋଇ ମୁଁ ଏହା ବର୍ଣ୍ଣଇ ଯେ

(ମୋ. କ. ୪୪ ଛାନ୍ଦ)

କବିଯେ ବୈଷ୍ଣବ, ଏ ଅଭିମାନ ନେଇ ସେ କାବ୍ୟ ରଚନା କରଛନ୍ତି । ମତାନ୍ତର ପ୍ରତି ତାଙ୍କର କୌଣସି ଭୃକ୍ଷେପ ନାହିଁ–

ବୈଷ୍ଣବ ମତ ଆମ୍ଭର ଏ ଅଭିମାନେ ଯାଉଥାଉ ଦିନ

ପତାନ୍ତର ଲୋକ ସଙ୍ଗ ବିବାଦରୁ ଅଛି କେଉଁ ପ୍ରୟୋଜନ

(ନି. ନୀ ୨ୟ ଛାନ୍ଦ)

 

କବିଙ୍କ ଅନୁଭୂତି ଲବ୍‌ଧ କଥା ନବୁଝି ତାଙ୍କର ଲୀଳା ବର୍ଣ୍ଣନା ପ୍ରତି କେତେକ ଅସହନଶୀଳ ହେଉବାରୁ କବି ଦୁଃଖ ପ୍ରକାଶ କରି ସେମାନଙ୍କର ବ୍ୟବହାର ପ୍ରତି କଟାକ୍ଷ ପାତ କରିଛନ୍ତି–

ଏ କଥା ମାନ କହିବାକୁ ତ ଡରି

ଏବେ ଭିନ୍ନେ ସ୍ଵଭାବ ଭୂବନେ ଯେ ପୁରିଯେ ।।

ଦିଗମ୍ଵର ଗ୍ରାମରେ କି ପୀତାମ୍ଵର

ସର୍ବେ ଦେଖି ବୋଲିବେ ବସନ-ଚୋର ଯେ ।।

(ନି.ନୀ ୩ୟ ଛାନ୍ଦ)

ଏସବୁ ସତ୍ତ୍ଵେ କବି ନିଜର ଅନୁଭୂତିଶୀଳ ପାଠକମାନଙ୍କ ଉପରେ ଦୃଢ଼ ଆସ୍ଥା ସ୍ଥାପନ କରି ସେମାନଙ୍କର ଗୁଣ କୀର୍ତ୍ତନ କରିବା ସଙ୍ଗେ ସଙ୍ଗେ ନିଜର କବିତ୍ଵ ମହିମାର ମର୍ଯ୍ୟାଦା ଉପଲବ୍‌ଧି କରିଛନ୍ତି–

ଶୁଣ ଏ ଛାନ୍ଦ ଅନୁଭବୀମାନେ

ପଣ୍ତିତ ପଛେ ନଶୁଣୁ ଗୁମାନେ

ଚନ୍ଦ୍ର କାନ୍ତ ଚନ୍ଦ୍ର କରେ ତରଳ

ସ୍ଵଗୁଣେ ଦ୍ରବଇଟି ବର୍ଷୋତଳ

ତେମନ୍ତ ସତ ରସିକର ଚିତ୍ତ

ଆଗ୍ରାହକ ଅକରମ ଶିଳାବତ

(ମୋ. କ. ୨୨/୧)

ଏଛାନ୍ଦ ହୋଇଲା ଶେଷ

ଅନୁଭବ ବିନା କେଜାଣେ ରସ ଯେ

ଯେ ହୋଇ ନାହିଁ ସୁନ୍ଦରୀ ଦାସ, ସୁଜନ ହେ ।

କବି ରଚିତ ଦୁଇଟି କାଳ୍ପନିକ ରୀତିକାବ୍ୟ ଓ ଅନ୍ୟ ସମସ୍ତ ରାଧାକୃଷ୍ଣ ପ୍ରେମାଖ୍ୟାନ କାବ୍ୟମାନଙ୍କର ରଚନାରେ ଶିଳ୍ପଧର୍ମୀ ଆଭିମୂଖ୍ୟର ସ୍ଵାତନ୍ତ୍ର୍ୟ ଥିବାରୁ ସେଗୁଡ଼ିକର ଯଥାର୍ଥ ଆଲୋଚନା ପାଇଁ ଯେଉଁ ପୁରୋଦୃଷ୍ଟି ଦରକାର ତାହାର ସଂକ୍ଷିପ୍ତ ସୂଚନା ମାତ୍ର ଏଠାରେ ଦିଆଯାଇଛି । କବି ଜୀବନର ବିକାଶ ଧାରାରେ ପରିବର୍ତ୍ତନ ହେତୁ ବିଭିନ୍ନ ସମୟରେ ରଚିତ କାବ୍ୟ ସମୂହରେ ଜୀବନ ଦର୍ଶନ ଓ ଦୃଷ୍ଟିଭଙ୍ଗୀର ପାର୍ଥକ୍ୟ ରହିବା ସ୍ଵାଭାବିକ । ଏହି ଦୃଷ୍ଟିଭଙ୍ଗୀ ଦ୍ଵାରା କାବ୍ୟ ଗୁଡ଼ିକର ଆଙ୍ଗିକ ଓ ଆତ୍ମିକ ରଚନା ନୈପୁଣ୍ୟ ନିୟନ୍ତ୍ରିତ ହୋଇଥିବାରୁ ସେ ଦୃଷ୍ଟିରୁ ସମସ୍ତ କବି କର୍ମର ସୃଷ୍ଟି କୁଶଳତା ସର୍ବଥା ବିଚାର୍ଯ୍ୟ ।

 

ପ୍ରେମାଦର୍ଶ

 

ବିପୁଳ ବୈଷ୍ଣବ ସାହିତ୍ୟ ଓ ଲୌକିକ ସାହିତ୍ୟରେ ରାଧା ଓ କୃଷ୍ଣଙ୍କ ପ୍ରଣୟ କାହାଣୀ ମୁଖ୍ୟ ଉପଜୀବ୍ୟ ବସ୍ତୁ ରୂପେ ସମଗ୍ର ଭାରତରେ ସଂସ୍କୃତ ଓ ପ୍ରାଦେଶିକ ଭାଷାମାନଙ୍କରେ ଦୀର୍ଘ ପାଞ୍ଚଶହ ବର୍ଷ ଧରି ରୂପାୟିତ ହୋଇ ଆସୁଅଛି । ରାଧା ଓ କୃଷ୍ଣ ପ୍ରେମିକ ଓ ପ୍ରେମିକାର ଦୁଇଟି ମଧୁର ପରିକଳ୍ପନା । ଏହି ଚଟୁଳ କଳ୍ପନାର ଶତ ବର୍ଣ୍ଣାଢ଼୍ୟଚ୍ଛଟା ଅସଂଖ୍ୟ ବୈଷ୍ଣବ କବିଙ୍କ ସାରସ୍ଵତ ସାଧନାରେ ବହୁଳ ଭାବରେ ଆତ୍ମପ୍ରକାଶ କରିଅଛି । ଏହି ସୃଷ୍ଟିଧର୍ମୀ ଗୀତି ମୁଖର କବିତା ଗୁଡ଼ିକ ଇନ୍ଦ୍ରିୟ ଗ୍ରାହ୍ୟ ପ୍ରେମ ମାଧ୍ୟମରେ ଅତିନ୍ଦ୍ରିୟତାର ଆନ୍ତରିକତା ପ୍ରକାଶ କରିବାରେ ସହାୟକ ହୋଇଅଛି । ମର ଦେହରେ ଅମୃତର ସଞ୍ଚାର କରାଯାଇଛି । ଦେହର ମିଳନ ମାଧ୍ୟମରେ ଆତ୍ମା ଓ ପରମାତ୍ମାର ମିଳନ ଅଭିବ୍ୟଞ୍ଜିତ ହୋଇଛି ।

 

ଅନ୍ୟ ପକ୍ଷରେ ମଣିଷ ମନର ଗୋଟିଏ ଅଦମ୍ୟ ସ୍ଵାଭାବିକ ପ୍ରବୃତ୍ତି ଓ ସୂକ୍ଷ୍ମତମ ଅନୁଭୂତି- ଇନ୍ଦ୍ରିୟ ଗ୍ରାହ୍ୟ ପ୍ରେମ’ ର କ୍ରମିକ ବିକାଶ ସାଧନ କରି ପାଠକ ମାନଙ୍କୁ ଅତିନ୍ଦ୍ରିୟ ରାଜ୍ୟରେ ନେଇ ପହଞ୍ଚାଇବା ପାଇଁ ଯେଉଁ ସ୍ଵଭାବ ନିରୀକ୍ଷଣ ପଟୁ ଅନନ୍ୟ ସାଧାରଣ କବିପ୍ରତିଭା ଏକାନ୍ତ ଆବଶ୍ୟକ, ତାହାର ନିତାନ୍ତ ଅଭାବରେ ଅନେକ ଯଶଃ ପ୍ରାର୍ଥୀ ମନ୍ଦକବିଙ୍କ ହାତରେ ପଡ଼ି ଏହି ରାଧାକୃଷ୍ଣଙ୍କ ପ୍ରେମ କାହାଣୀଟି ନିତାନ୍ତ ଅଶ୍ଳୀଳ, ଅନୈତିକ ଓ ଅପାଙ୍‌କ୍ତେୟ ମଧ୍ୟ୍ୟ ହୋଇ ପଡ଼ିଛି । ଏହିପରି ଅନେକ ଅବର କବିଙ୍କ ଲେଖାରେ ଦେହାତୀତ ନାମରେ କେବଳ ଦେହର ବର୍ଣ୍ଣନା ଓ ଅତିନ୍ଦ୍ରିୟ ନାମରେ କେବଳ ଇନ୍ଦ୍ରୟର ବର୍ଣ୍ଣନା ଦେଖିବାକୁ ମିଳେ । ଏ ସବୁ ଛାଡ଼ି ବିପୁଳ ବୈଷ୍ଣବ ସାହିତ୍ୟର ଉତ୍ତମ ସୃଷ୍ଟି ପରିପ୍ରେକ୍ଷୀରେ ବିଚାର କଲେ ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା ଯେଉଁ ସିଦ୍ଧିର ଅଧିକାରୀ ତାହା ଏକାଧାରରେ ବିମଳ ଆନନ୍ଦଦାୟକ ତଥା ମନୋମୁଗ୍‌ଧକର ।

 

ଜନପ୍ରିୟ ଓଡ଼ିଆ ବୈଷ୍ଣବ କବି ଦୀନକୃଷ୍ଣଙ୍କ କବିତାର ଲାଳିତ୍ୟ ସମଗ୍ର ଦେଶରେ ଆଦୃତ ହୋଇ ସାରିବାପରେ ସଦାନନ୍ଦଙ୍କ ପରି ଜଣେ ଅର୍ବାଚୀନ କବି ସେହି ଗୋପୀକୃଷ୍ଣ ପ୍ରଣୟ ବର୍ଣ୍ଣନାରେ ନିଜର ଅସାଧାରଣ କବିପ୍ରତିଭାର ପରିଚୟ ଦେଇ ଏ ଦେଶରେ ଯେ ସର୍ବତ୍ର ଆଦୃତ ତଥା ପ୍ରତିଷ୍ଠିତ ହୋଇ ପାରିଲେ ତାହାହିଁ ବିଶେଷ ଭାବରେ ପ୍ରଣିଧାନ ଯୋଗ୍ୟ । ସଦାନନ୍ଦଙ୍କ ବିଭିନ୍ନ କାବ୍ୟ କବିତାରେ ମାନବିକ ହୃଦ୍‌ସ୍ପନ୍ଦନର ନିଖୁଣ ଅଲେଖ୍ୟ ସହିତ ପ୍ରେମର ଯେଉଁ ବିକଚ ବିକାଶ ଦେଖିବାକୁ ମିଳେ ତାହା ଭାଷାର ସ୍ଵାଭାବିକ କବିତା ଓ ଅନୁଭୂତିର ଗଭୀରତାରେ ଏତେ ସ୍ଵଚ୍ଛନ୍ଦ, ସହଜ ତଥା ସାବଲୀଳ ଯେ ସହୃଦୟ ପାଠକ ମାତ୍ରେ ସେଥିରେ ମଜ୍ଜିଯିବା ସ୍ଵାଭାବିକ କଥା-। ମଣିଷ ମନର ସବୁ ଆନ୍ତରିକ ପ୍ରେମମୂଳକ ସୂକ୍ଷ୍ମ ଅନୁଭୂତି ରାଜିକୁ ରୂପ ଦେବା ପାଇଁ ସଦାନନ୍ଦ ଯେଉଁ ସହଜ ଭାଷା ଓ ଶାଶ୍ଵତ ଭାବର ସମନ୍ଵିତ ଯାଦୁକରୀ ସ୍ପର୍ଶରେ ରାଧାକୃଷ୍ଣଙ୍କ ପ୍ରେମାଖ୍ୟାନକୁ ଅପୂର୍ବ ମହିମା ବିମଣ୍ତିତ କରିଛନ୍ତି ତାହା ବାସ୍ତବରେ ତାଙ୍କର କବିତ୍ଵ ପୂର୍ଣ୍ଣ ଦକ୍ଷତାର ଶ୍ରେଷ୍ଠ ପରିଚାୟକ । ରୀତିଯୁଗୀୟ ଆଙ୍ଗିକ ଆଭିମୁଖ୍ୟର ଆଭାସ ସଦାନନ୍ଦଙ୍କ କାବ୍ୟ କବିତାରେ କ୍ଵଚିତ୍ ପରଦୃଷ୍ଟ ହେଉଥିଲେ ମଧ୍ୟ, ତାହା ପାଣ୍ତିତ୍ୟର ବିଳାସ ଭୂମି ହୋଇ ନାହିଁ । ଅତିଶୟୋକ୍ତିର ବାହୁଲ୍ୟ, ଆଳଙ୍କାରିକତା ଓ ଶବ୍ଦ କସରତର ଅଯଥା ଆତିଶଯ୍ୟ ପ୍ରତି ସେ ଦୃଷ୍ଟି ଦେଇ ନାହାନ୍ତି । ଫଳରେ କବିଙ୍କ ରଚନା ସମୂହ ରବ ପ୍ରଧାନ ନ ହୋଇ ରସ ପ୍ରଧାନ ହୋଇ ପାରିଛି । କିନ୍ତୁ ଗୋଟିଏ ସାଂପ୍ରଦାୟିକ ଧର୍ମ ଚେତନା ପ୍ରତି ସଦାନନ୍ଦଙ୍କ ଏକାନ୍ତ ଆନ୍ତରିକ ଆନୁଗତ୍ୟ ତାଙ୍କର ଅଧିକାଂଶ ସୃଷ୍ଟିସମ୍ଭାରକୁ ଅଯଥା ଭାରାକ୍ରାନ୍ତ କରିଥିବାରୁ ସେଗୁଡ଼ିକର ଗରିମାମୟ ସାହିତ୍ୟିକ ସୃଷ୍ଟି ସାର୍ଥକତା ଅନେକାଂଶରେ ବିଘ୍ନିତ ହୋଇଛି । ଏହିପରି ସ୍ଵକୀୟ ସାଂପ୍ରଦାୟିକ ଧର୍ମାଚାର ସର୍ବସ୍ଵ ବିଧିନିଷେଧ ସଙ୍କୁଳ କେତେକ କାବ୍ୟ କବିତାକୁ ବାଦ ଦେଇ ଚିନ୍ତା କଲେ, ଯେ କୌଣସି ରସିକ ପାଠକ ସଦାନନ୍ଦଙ୍କ ରଚନାରେ ଯେ, ସ୍ଵାଭାବିକ କବିତାର ଦୂର୍ବାର ଆକର୍ଷଣ ଅନୁଭବ କରିବେ, ଏଥିରେ ସନ୍ଦେହର ଲେଶମାତ୍ର ଅବକାଶ ନାହିଁ । ସାହିତ୍ୟାନୁରାଗୀ ବହୁବ୍ୟକ୍ତିଙ୍କ ପକ୍ଷରେ ନିରବଚ୍ଛିନ୍ନ ଭାବେ ଗୋଟିଏ ମାତ୍ର କାବ୍ୟ ବିଦଗ୍‌ଧଚିନ୍ତାମଣି କିମ୍ଵା କୋଟୀବହ୍ମାଣ୍ତସୁନ୍ଦରୀ ଆମୂଳଚୂଳ ଅଧ୍ୟୟନ କରିବା ନିତାନ୍ତ କଷ୍ଟସାଧ୍ୟ ଓ ସାଧନା ସାପେକ୍ଷ । କିନ୍ତୁ ସଦାନନ୍ଦଙ୍କ କୃଷ୍ଣରସାଶ୍ରିତ ଯେ କୌଣସି କାବ୍ୟର ଭାଗ୍ୟରେ ଏ ଦୁର୍ଦ୍ଦଶାର ସମ୍ମୁଖୀନ ହେବା କେବେ ଲେଖାନାହିଁ । ରୀତିଯୁଗୀୟ କାବ୍ୟ ପରମ୍ପରାରେ ଆତ୍ମିକ ସୌନ୍ଦର୍ଯ୍ୟ ଚେତନାକୁ ଗୌଣସ୍ଥାନ ଦେଇ ଶବ୍ଦ ଯୋଜନାରେ ଅପୂର୍ବ କଳାକୁଶଳତା ପ୍ରଦର୍ଶନ କରିବା ପାଇଁ ଚେଷ୍ଟା କରାଯାଇଥିବାରୁ ବିଭିନ୍ନ ଶବ୍ଦ ମାଧ୍ୟମରେ ଗୋଟିଏ ଚିନ୍ତା ବହୁ ବାର ଚିତ୍ରିତ ହୋଇ ଭାବଦାରିଦ୍ର୍ୟ ସୃଷ୍ଟି କରିଛି । କାବ୍ୟ ସୃଷ୍ଟିରେ ପାଣ୍ତିତ୍ୟର ପ୍ରଚଣ୍ତ ବିଳାସ କବିତାର ଜୀବନଧର୍ମୀ ଭାବ ସମ୍ପଦକୁ ନ୍ୟୂନ କରିଦେଇଛି । ଆଙ୍ଗିକରୂପ ସୃଷ୍ଟିରେ କବିତ୍ଵ ଶକ୍ତିର ପୂର୍ଣ୍ଣ ବିନିଯୋଗ ହୋଇଥିବାରୁ ଆତ୍ମିକ ସୌନ୍ଦର୍ଯ୍ୟ ଫିକା ପଡ଼ିଯାଇଛି । ଯେଉଁଠି କବିଙ୍କର ଆକାଶୀ କଳ୍ପନାରେ ଆମେ ସ୍ତମ୍ଭୀଭୂତ, ସେଇଠି କବିତ୍ଵର ଲଳିତ କଳାତ୍ମକ ସୂକ୍ଷ୍ମ ଅନୁଭୂତି ସର୍ବଦା ବିତାଡ଼ିତ । ହୁଏତ ମସ୍ତିସ୍କର ଅମୋଦ ପାଇଁ ସେଠାରେ ପାଥେୟ ମିଳିପାରେ, କିନ୍ତୁ ସ୍ପର୍ଷକାତର ହୃଦୟର ପ୍ରସାରଣ ପାଇଁ ତାହା ନିଷିଦ୍ଧାଞ୍ଚଳ ହୋଇ ରହିଯାଏ । ଏସବୁ ରୀତି ଶିଳ୍ପର ପରିପ୍ରେକ୍ଷୀରେ ତୁଳନାତ୍ମକ ଭାବରେ ସଦାନନ୍ଦଙ୍କ ସୃଷ୍ଟି ସମ୍ଭାର ବିଚାର କଲେ ତାହାଙ୍କ ସୃଷ୍ଟି ଶିଳ୍ପର ମହତ୍ତ୍ଵ ଉପଲବ୍‌ଧି କରି ହେବ ।

 

ସଦାନନ୍ଦୀ କବିତାରେ ନ୍ୟୂନତମ ପଦରେ ଅନନ୍ତ ଆତ୍ମିକ ପ୍ରେମାନୁଭୂତିର ଇଙ୍ଗିତ ନିହିତ ଥିବାରୁ ତାହା ସମସ୍ତଙ୍କପାଇଁ ହୃଦ୍ୟ, ଅନବଦ୍ୟ ତଥା ଆକର୍ଷଣୀୟ ହୋଇ ପାରିଛି । ବିଶେଷ ମଧ୍ୟ ଦେଇ ବିଶ୍ଵଜନୀନ ଅନୁଭୂତିର କଳାତ୍ମକ ପରିପ୍ରକାଶ କବିଙ୍କ କବି ସୂର୍ଯ୍ୟ ଉପାଧିର ଯଥାର୍ଥ ପରିଚାୟକ ।

 

ଏତଦ୍ ବ୍ୟତୀତ ସଦାନନ୍ଦଙ୍କ କାବ୍ୟ ସୃଷ୍ଟିର ଆଉ ଗୋଟିଏ ସ୍ଵାତନ୍ତ୍ର୍ୟ ଯେ କୌଣସି ପାଠକର ଦୃଷ୍ଟି ଆକର୍ଷଣ କରେ । ବୃନ୍ଦାବନବାସୀ ଗୋସ୍ଵାମୀମାନଙ୍କର ଚିନ୍ତା ଓ ଚେତନାର ବିବିଧ ବର୍ଣ୍ଣାଢ଼୍ୟ ପରିପ୍ରକାଶ କାବ୍ୟ କବିତାରେ ସର୍ବତ୍ର ଦୃଷ୍ଟି ଗୋଚର ହେଉଥିଲେ ମଧ୍ୟ ସେଗୁଡ଼ିକର ଚିତ୍ରଣ ଓ ଉପସ୍ଥାପନାରେ ବହୁ ସ୍ଵାତନ୍ତ୍ର୍ୟ ପରିଲକ୍ଷିତ ହୁଏ । ଛନ୍ଦୋବଦ୍ଧ କାବ୍ୟ ଗୁଡ଼ିକର ପଠନ ପାଠନ ଓ ଗାୟନ କଳାରେ ସମ୍ପୂର୍ଣ୍ଣ ଉତ୍କଳୀୟତା ସଂରକ୍ଷିତ ଦେବା ସଙ୍ଗେ ସଙ୍ଗେ ସେଗୁଡ଼ିକର ବର୍ଣ୍ଣନା ରୀତିରେ ଉତ୍କଳୀୟ ଭାବଭଙ୍ଗୀର ଯଥେଷ୍ଟ କଳାତ୍ମକ ପରି ପ୍ରକାଶ ପାଠକ ମାନଙ୍କୁ ମୁଗ୍‌ଧ କରେ । କବିଙ୍କ ଲେଖନୀରେ ତାଙ୍କର ସମାରାଧ୍ୟ ରାଧାକୃଷ୍ଣ ଆଉ ଉତ୍ତର ପ୍ରଦେଶୀୟ ବୃନ୍ଦାବନର କିଶୋର କିଶୋରୀ ହୋଇ ରହିନାହାନ୍ତି, ସେମାନଙ୍କର ଚାଲି ଚଳଣି, ବେଶଭୂଷା, ହାବଭାବ, କଥା ଓ କଳ୍ପନା, ଦୃଷ୍ଟି ଓ କୃଷ୍ଟି, ଭାଷା ଓ ଭାବନା ମଧ୍ୟରେ ଓଡ଼ିଆ ପ୍ରାଣର ଶବ ବର୍ଣ୍ଣାଢ଼୍ୟ ବିଭାଗ ଫୁଟି ଉଠିଛି । ସଖୀମାନଙ୍କ ମୁଖରେ ଯଥୋଚିତ ଭାବେ ଓଡ଼ିଆଣୀ ପ୍ରାଣର ‘ରାଣ’ ଶବ୍ଦଟି ପ୍ରୟୋଗ କରି ସେମାନଙ୍କର ବିଶ୍ରମ୍ଵ ଅଳାପରେ ଅତ୍ୟନ୍ତ ଆନ୍ତରିକତା ଫୁଟାଇଛନ୍ତି । ସ୍ଵୀୟ ବକ୍ତବ୍ୟର ଗୁରୁତ୍ଵ ସତ୍ୟତା ଓ ଦୃଢ଼ତା ପ୍ରକାଶ କରିବା ପାଇଁ ଓଡ଼ିଆଣୀମାନେ ‘ମୋ ରାଣ’ ରୂପକ ଅମୋଘ ଅସ୍ତ୍ର ପ୍ରୟୋଗ କରିଥାନ୍ତି । ଏହିପରି ଅନେକ ଖାଣ୍ଟି ଓଡ଼ିଆ ଶବ୍ଦର ପ୍ରୟୋଗ କୁଶଳତା ସଦାନନ୍ଦଙ୍କ କାବ୍ୟ କଳ୍ପନାର ଗୋଟିଏ ରନ୍ତମଦ୍ଧି ଦିଗ । କାବ୍ୟବର୍ଣ୍ଣିତ ବିଭିନ୍ନ ପରିବେଶ ଓ ପରିସ୍ଥିତିକୁ ସହଜ ଓ ସ୍ଵଭାବିକ ପ୍ରାଣପ୍ରାଚୁର୍ଯ୍ୟରେ ମହିମାନ୍ଵିତ କରିବାର ଏହିପରି ଭାଷା ପ୍ରୟୋଗର ଅବଦାନ ଯେ କେତେ ମର୍ମସ୍ପର୍ଶୀ ତାହା ପାଠକମାନଙ୍କର କେବଳ ଅନୁଭବଯୋଗ୍ୟ । ସୁପ୍ରଚିଳିତ ଓଡ଼ିଆ ଢଗଢ଼ମାଳିର ଯଥୋଚିତ କାବ୍ୟିକ ପ୍ରୟୋଗ ମଧ୍ୟ ଏ କ୍ଷେତ୍ରରେ ଏକାନ୍ତ ଉଲ୍ଲେଖଯୋଗ୍ୟ । ଉଦାହରଣ ସ୍ଵରୂପ, କୃଷ୍ଣଙ୍କ ବିରହରେ ପ୍ରେମପାଗଳିନୀ ରାଧା ଯେତେବେଳେ ପ୍ରାଣାଧିକା ସଖୀ ମାନଙ୍କୁ ନିଜର ମନେବେଦନା ଜଣାଇ ଓ ବିପତ୍ତିରୁ ରକ୍ଷାପାଇବାର ଉପାୟ ଖୋଜି ବହାର କରିବାପାଇଁ ଆକୁଳ ନିବେଦନ କରଛନ୍ତି ସେତେବେଳେ ପରିହାସ ପ୍ରବଣା ସଖୀମାନେ ରାଧାଙ୍କ ଧୈର୍ଯ୍ୟ ପରୀକ୍ଷା କରିବାକୁ ଯାଇ କହିଛନ୍ତି–

 

“ହାତର ଗୁଡ଼ ବୋହି ହେଲା କହୁଣୀ

ଏବେତା ବିଚାରିଲେ ଅଛିକି ପୁଣି ଯେ”

(ନି. ନି. ୪/୧୬)

 

ଲେଡ଼ି ଗୁଡ଼ କହୁଣୀକୁ ବୋହିଯିବା ପରେ ଆଉ ଚିନ୍ତା କରି ଲାଭ କ’ଣ ଏହା ଦୈନନ୍ଦିନ ଓଡ଼ିଆ ଚଳଣୀର ଗୋଟିଏ ସୁପ୍ରଚଳିତ ପ୍ରବଚନ । ଏହି ପ୍ରଚଳିତ ପ୍ରବଚନର ଯଥାର୍ଥ କାବ୍ୟିକ ପ୍ରୟୋଗ ବିଷୟ ବିନ୍ୟାସଗତ, ସହଜ ସ୍ଵାଭାବିକ ଓଡ଼ିଶୀ ପରିବେଶ ସୃଷ୍ଟିରେ ଏକାନ୍ତ ସହାୟକ ହୋଇ ପାରିଛି । ଚରିତ୍ର ଗୁଡ଼ିକର ଅଭ୍ରାନ୍ତ ମାମସିକ ଚିତ୍ର ଉପସ୍ଥାପନ ସହିତ ବିଷୟଗତ ମାଧୁର୍ଯ୍ୟ ପ୍ରତିଷ୍ଠାରେ ଏହିପରି ଭାଷାପ୍ରୟୋଗର କବିତ୍ଵପୂର୍ଣ୍ଣ କୌଶଳ ସଦାନନ୍ଦଙ୍କ କାବ୍ୟକବିତା ଗୁଡ଼ିକୁ ହୃତ୍ୟ ତଥା ଅନବତ୍ୟ ରୂପ ଦେଇ ପାରିଛି । ଫଳରେ ସମସ୍ତ ଓଡ଼ିଆ ପାଠକ ଓ ପାଠିକା ନିଜ ଭିତରେ କୃଷ୍ଣ ଓ ରାଧାଙ୍କ ସକଳ ଭାବସ୍ପନ୍ଦନକୁ ପ୍ରତ୍ୟକ୍ଷ ଭାବରେ ଅନୁଭବ କରନ୍ତି । ଏହି ଅନ୍ତରଙ୍ଗ ଅନୁଭୂତିର ଆତ୍ୟନ୍ତିକ ପରିପ୍ରକାଶ ସମସ୍ତ ଓଡ଼ିଆ ପାଠକଙ୍କ ନିକଟତର ଯେତେ ହୃଦ୍ୟ ଓ ସ୍ଵାଦ୍ୟ ହୋଇ ପାରିଛି, ସେପରି ହାର୍ଦ୍ଦିକତା ସଦାନନ୍ଦୀ କବିତାର ଗୋଟିଏ ଅବଶ୍ୟ ସ୍ଵୀକାର୍ଯ୍ୟ ଦିଗ । ଉତ୍କଳୀୟ କୃଷ୍ଟି ଓ ପରମ୍ପରାରେ ପରିବର୍ଦ୍ଧିତ ତଥା ପ୍ରସାରିତ ସୁପରିଚିତ ଭାବନୁସାରୀ ରାଗରାଗିଣୀର ସମୁଚିତ ଯୋଜନା ଫଳରେ ପ୍ରେମାଖ୍ୟାନ ମୂଳକ ପ୍ରତ୍ୟେକଟି କବିତା ଭାବବ୍ୟଞ୍ଜନାର ଗଭୀରତା ପ୍ରକାଶ କରିବା ସଙ୍ଗେ ସଙ୍ଗେ ଅପୂର୍ବ ସାଙ୍ଗୀତିକ ସ୍ଵର ମୂର୍ଚ୍ଛନା ସୃଷ୍ଟିକରି ପାଠକର ମନ ଓ କର୍ଣ୍ଣକୁ ବିମୁଗ୍‌ଧ କରିଦିଏ । ଗୋଟିଏ କ୍ଷୁଦ୍ର ଓଡ଼ିଆ ଛାନ୍ଦର କେତୋଟି ସରଳ ପଦମଧ୍ୟରେ ମଣିଷର ଚିର ସହଚରଏହି ସହଜ ସୁଲଭ ସାମଗ୍ରିକ ଅନୁଭୂତିଟି ଏକାଧାରାରେ ଯେପରି ପ୍ରତିଭାଦୀପ୍ତ ସେହିପରି ପ୍ରାଣପ୍ରାଚୁର୍ଯ୍ୟର ନିତ୍ୟ ନୂତନ ଉଷ୍ଣତାରେ ଅନୁରଞ୍ଜିତ । ଏହାହିଁ କବିବର୍ଣ୍ଣିତ ସୃଷ୍ଟି-ଶିଳ୍ପର ଶ୍ରେଷ୍ଠ ସାର୍ଥକତା ।

 

ସଦାନନ୍ଦଙ୍କ ଅଧିକାଂଶ କାବ୍ୟାଂଶ ସରସତାର ଗୋଟିଏ ଗୋଟିଏ ଅସରନ୍ତୀ ଉତ୍ସ ରାଧାକୃଷ୍ଣଙ୍କ ପ୍ରଣୟ ବିଳାସର ଅସଂଖ୍ୟ ବର୍ଣ୍ଣନାରେ ନିଜ ଜୀବନର ଜୀବନ୍ତ ଅନୁଭୂତି ପ୍ରକଟିତ । ସ୍ଵୀୟ ହୃଦୟରେ ଲାଖିରହିଥିବା ପ୍ରେମପ୍ରବଣ ମନର ଗୁରୁ ଆଲେଖ୍ୟ ଗୁଡ଼ିକୁ ସେ ଯଥା ସ୍ଥାନରେ ରୂପ ଦେଇଥିବା କଥା ନିଜେ ସ୍ଵୀକାର କରି ଲେଖିଛନ୍ତି- ‘ଅନୁଭବୀ ବୀନୁକେଜାଣେ ଏହା’ । ଏଠାରେ ରାଧାକୃଷ୍ଣଙ୍କ ପ୍ରେମାନୁଭୂତି ନିତାନ୍ତ ଅବାସ୍ତବ ରୀତିରେ ବର୍ଣ୍ଣିତ ହୋଇ ନାହିଁ । କୃଷ୍ଣ ପ୍ରେମ ବିମୋହିତ ରାଧା କଳାଶାଢ଼ୀ ପିନ୍ଧିବା, କଳା କାଇଁଚକୁ ପ୍ରଶଂସା କରିବା କିମ୍ଵା କଜ୍ଜ୍ଵଳରେ ଚିତ୍ରକରି ଚୁମ୍ଵିବାକୁ ମନବଳାଇ ନାହାନ୍ତି । କିନ୍ତୁ ଅନନ୍ତ ଲଜ୍ଜାବତୀ ଅନୂଢ଼ା ପ୍ରେମ କଷାୟିତ ହୃଦୟା ମୁଗ୍‌ଧା କିଶୋରୀମାନଙ୍କର ମନୋବେଦନାର ଶାଶ୍ଵତ ଅନୁଭୂତି ଗୁଡ଼ିକୁ ଗୋଟି ଗୋଟି କରି ପ୍ରାଣାଧିକା ସଖୀ ଆଗରେ ବ୍ୟକ୍ତ କରଛନ୍ତି । ଏ ରାଧାର ସ୍ତମ୍ଭ ସ୍ଵେତ, ରୋମାଞ୍ଚ ଓ ବେପଥୁ ବାସ୍ତବ ଅନୁଭୂତି ବ୍ୟଞ୍ଜକ, କବିଙ୍କ କପୋଳ କଳ୍ପିତ କେବଳ କାବ୍ୟିକ କଳ୍ପନା ନୁହେ । ଏଠାରେ ପ୍ରଣୟାସକ୍ତ ଗୋଟିଏ ରାଧା ଓ ଗୋଟିଏ କୃଷ୍ଣର ହୃଦସ୍ପମନ୍ଦନ ମଧ୍ୟଦେଇ କୋଟିଏ କିଶୋର କିଶୋରୀଙ୍କ ଅନ୍ତର୍ବେଦନା ଜୀବନ୍ତ ରୂପ ପ୍ରକାଶ କରିଛି । ଏହାର କଳ୍ପନା, ଭାଷା ଓ ବର୍ଣ୍ଣନା ଯେତିକି ଉଚ୍ଛଳ ଓ ଉଜ୍ଜ୍ଵଳ ଏହାର ଗତି ଓ ପ୍ରକୃତ ସେତିକି ଉର୍ଜସ୍ଵଳା ପ୍ରାଣ ପ୍ରାଚୁର୍ଯ୍ୟର ଏ ସହଜ ସାମାହାର ଏ ନିବିଡ଼ ନିବେଦନ ଦେଖିବାର କଥା ଓ ଅନୁଭବ କରିବାର କଥା । ନିର୍ମଳ ପ୍ରେମାନୁଭବ କୋଟି ବ୍ରହ୍ମାପଦ ସମନୁହେ । କବିଙ୍କ ଭାଷାରେ–

 

“ନାରୀ ହୋଇଥିବ ନବବୟସୀ ସହଜେ ।

କରୁଥିବ ତା ଅଧର ପାନ ଭିଡ଼ି ଭୁଜେ ।।

ଭଙ୍ଗୀରେ ସେ ଭାଷୁଥିବ ଛାଡ଼ି ନାହିଁ ନାହିଁ ।

କୋଟୀ ବ୍ରହ୍ମାପଦ ତେତେବେଳେ ସମ କାହିଁ ଯେ ।।’’

(ମୋହନ ଲତା)

 

ପ୍ରଣୟଚିତ୍ରର ପାରଦର୍ଶୀ କବି ଗୋପାଳକୃଷ୍ଣଙ୍କ ବାତ୍ସଲ୍ୟ ପ୍ରେମର ସୁମିଷ୍ଟ ସୃଷ୍ଟି ଅବହେଳାର ବିଷୟ ନୁହେ । ପ୍ରତିଭାଶାଳୀ କବିଙ୍କ କାଉଁରୀ ସ୍ପର୍ଶରେ ଜଗତର ଚିରନ୍ତନ ଅବାଧ୍ୟ ଶିଶୁ- କୃଷ୍ଣ ଲାଗି କଲ୍ୟାଣମୟୀ ଚିରନ୍ତନୀ ଜନନୀ ଯଶୋଦାଙ୍କ ବିରକ୍ତ, ସ୍ନେହ ଓ ଆଶଙ୍କା ଅମର ରୂପ ନେଇଛି । ଯାହାର ଅନାବଳି ଜୀବନ ଧର୍ମୀ ମୂର୍ଚ୍ଛନାରେ ପ୍ରତ୍ୟେକ ବାତ୍ସଲ୍ୟ ଭାବନାବିଷ୍ଟ ହୃଦୟ ଭାବଗଦ୍‌ଗଦ୍ ଚିତ୍ତରେ ସ୍ପନ୍ଦିତ ହୁଏ । ଯୁଗଳରସାମୃତ ଲହରୀର ପଞ୍ଚମ ଛାନ୍ଦରେ ଯଶୋଦାଙ୍କ ମାତୃଲାଲସା ଅଭିବ୍ୟକ୍ତ । ଅଲିଅଳ ଶିଶୁ ଶ୍ରୀକୃଷ୍ଣ ସନ୍ଧ୍ୟାବେଳେ ଗୋଗୋଷ୍ଠ ନେଇ ବନରୁ ଫେରୁଛନ୍ତି । ଦିନତମାମ୍ ଗୃହରେ କୃଷ୍ଣଙ୍କ ଅନୁପସ୍ଥିତ, ସ୍ନେହ କାଙ୍ଗାଳିନୀ ଯଶୋଦାଙ୍କୁ ପୁତ୍ର ମୁଖ ଦର୍ଶନ ପାଇଁ ଉଚ୍ଚାଟିତ କରିଛି ।

 

ମୋର କଳା କାଇଁଚ

ଦିଶୁଅଛି କେଡ଼େ ସଞ୍ଚ ଲୋ

ଲବଣୀ ମାଗଇ ଲାଞ୍ଚ ଲୋ ।

ବନେ କଲା କେଉଁ ପାଞ୍ଚ ଲୋ ।

ଯଶୋଦା ଉଭା ଦୁଆରେ

ଦେଖନ୍ତି କୁମର ଗାଈ ପଛରେ, ସେ ଆସୁଅଛି ଧୀରେ ଧୀରେ ଲୋ ।

ବଦରୀ ଫଳ ଆକାର

ଗୋରୁ ଧୂଳି ପଡ଼ି ତନୁ ଧୂସର ସେ, ଝଳି କାଳିଆ ସୁନ୍ଦର ଲୋ ।

ଯାଚିଲେ ନଖାଇ ସର

ଚାଖୁଥିବ ବନଫଳ ନିଜର ସେ ବୋଲୁଥିବ କିମଧୁର ଲୋ ।

କାହୁଁ ଏ ଶିଖିଲା ନାଟ

ଲୋଟଣୀ ପାରୁଆ ପର ଚହଟ ସେ, ନାଚି ଆସେ ଦାଣ୍ତ ହାଟଲୋ

କୋଇଲି ପରା ବୋବାଇ

କୁଉତୁକିଆ ମୋ କଳାକହ୍ନାଇ ସେ, ସଂସାର କରୁଛି ବାଇଲୋ ।।

 

ସମଗ୍ର ଛାନ୍ଦଟିର ଏପରି ମଧୁର ପରିକଳ୍ପନା ବାସ୍ତବରେ ସଦାନନ୍ଦଙ୍କ ଅନ୍ୟାନ୍ୟ ସାଧାରଣ କବିପ୍ରତିଭାର ଗୋଟିଏ ଜ୍ଵଳନ୍ତ ନିଦର୍ଶନ ।

 

ସଦାନନ୍ଦଙ୍କ କବିତାରେ କେବଳ ପ୍ରତୀୟର ଚିତ୍ର ଯେ ଶତ ସ୍ଵାଭାବିକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟର ଚିତ୍ରିତ ହୋଇଅଛି । ତାହା ନୁହେ । ଏ ପ୍ରଣୟ ଚିତ୍ର ମଧ୍ୟରେ ଭକ୍ତ କବିଙ୍କ ଭକ୍ତିମତ୍ତାରେ ସ୍ଵାଭାବିକତା ଅଭିବ୍ୟଞ୍ଜିତ ହୋଇ ଉଠିଛି । ଯଶସ୍ୱୀ କବିଙ୍କ ତ୍ତରାଲ ଲେଖନୀ ଚମତ୍‌କାରିତାର ଚରମ ଦ୍ୟୋତନା ମଧ୍ୟରେ କାମ ଓ ପ୍ରେମର ସୀମାରେଖା ସ୍ପଷ୍ଟ କରି ଦେଇଛି । ଜୈବୀ ପ୍ରବୃତ୍ତି ବିଶିଷ୍ଟ ମଣିଷ ମଧ୍ୟରେ କାମବାସନା ଏ ଦେହ ଭୋଗର ଉଦ୍ଦାମ ଅଭିଳାଷ ଯୌବନର ପ୍ରଥମ ସମାଗମରେ ତରଙ୍ଗ ସୃଷ୍ଟି କରେ । କିନ୍ତୁ ସେହି କାମ ତରଙ୍ଗ ଯେତେବେଳେ ପ୍ରେମତରଙ୍ଗରେ ପରିଣତ ହୁଏ ସେତେବେଳେ ମାନବ ଜୀବନ ସାର୍ଥକ ହୁଏ । ମୁକ୍ତହୁଏ ଏଣୁ ମଣିଷ ସମାଜକୁ ସ୍ଵାଭାବିକ କାମବିଳାସର ଦୁର୍ବାର ଅଭିଳାଷ ମାଧ୍ୟମରେ ଶାଶ୍ଵତ ପ୍ରେମର ସନ୍ଧାନ ଦେବା ବୈଷ୍ଣବ କବିର ଯେଉଁ ମହତ୍ ଲକ୍ଷ୍ୟ ସେହି ଲକ୍ଷ୍ୟ ସାଧନାରେ ସଦାନନ୍ଦ ତାଙ୍କ ରଚନାରେ ଚରମ ସାର୍ଥକତା ଲାଭ କରିଛନ୍ତି । ରୂପ ବ୍ୟତୀତ ଅପରୂପର ସନ୍ଧାନ ମିଳେ ନାହିଁ ଦେହ ବ୍ୟତୀତଦେହୀର ସାକ୍ଷାତ୍‌କାର ଅସମ୍ଭବ, ଇନ୍ଦ୍ରିୟ ଅଭାବରେ ଅତିନ୍ଦ୍ରିୟର କଳ୍ପନା ନିରର୍ଥକ । ଚିନ୍ତା ବ୍ୟତୀତ ଅଚିନ୍ତ୍ୟକୁ ଜାଣିହେବ ନାହିଁ । ଏହାହିଁ ସତ୍ୟ ସନ୍ଧାନୀର ସାଧାରଣ କଥା । ଏଣୁ କାମ ବ୍ୟତୀତ ପ୍ରେମର ସାଧନା ଅସମ୍ଭବ । କାମ ଉପାସନାର କ୍ରମିକ ପରିଣତି ପ୍ରେମରେ । ଏହାହିଁ ମର ଦେହରେ ଅମରତ୍ଵ ପ୍ରାପ୍ତିର ଶ୍ରେଷ୍ଠ ପନ୍ଥା । ବୈଷ୍ଣବର ଦାର୍ଶନିକର ଏହି ବାସ୍ତବ କଳ୍ପନାଟିକୁ କବି ସଦାନନ୍ଦ ତାଙ୍କର କାବ୍ୟଶିଳ୍ପରେ ଯେଉଁ ଚମତ୍‌କାର ରୂପ ପ୍ରଦାନ କରଛନ୍ତି, ତାହା ସମଗ୍ର ଓଡ଼ିଆ ସାହିତ୍ୟରେ ସମ୍ପୂର୍ଣ୍ଣ ନୂତନ ।

 

ରାଧାକୃଷ୍ଣଙ୍କ ପ୍ରେମଗାଥା ବୃନ୍ଦାବନର ଯୌବନ ସ୍ପର୍ଶ କାତର ଦୁଇଟି କେଶୋର କିଶୋରୀ କାମନାମୟ ପ୍ରେମର ସ୍ଵାଭାବିକ ଉନ୍ମେଷଠାରୁ ବାସନାହୀନ ପ୍ରେମର ପୂର୍ଣ୍ଣ ପରିପ୍ରକାଶ ପର୍ଯ୍ୟନ୍ତ ଯେଉଁ ସହଜ ସ୍ଵାଭାବିକ କ୍ରମିକ ବିକାଶ ଦେଇ ଗତି କରିଛି, ତାହା ସମସ୍ତ ମଣିଷର ପ୍ରେମାନୁଭୂତିକୁ ନିବିଡ଼ ଭାବରେ ଅନୁପ୍ରାଣିତ କରେ । ଦୁଇଟି ଆତ୍ମାର ଏ ନାଟକୀୟ ଗତି ଏ ପରିଣତି ପାଠକକୁ ବିମୁଗ୍‌ଧ କରିଦିଏ । ଜୀବନର ସ୍ଵାଭାବିକ ଉଷ୍ମତା ତଥା ଅତିନ୍ଦ୍ରିୟ ପ୍ରେମାନୁଭବର ଏହି ଆବେଗରେ ହୃଦ୍‌ଗତ ଶାଶ୍ଵତ ଭାବରାଜିର ଏହି ନିପୁଣ ପରିପ୍ରକାଶରେ ପାଠକମାନେ ନିମଜ୍ଜିତ ହୁଅନ୍ତି । ଏହା ରସିକ ଭକ୍ତକୁ ଆନ୍ତରିକ ଅନୁଭବର ଅତ୍ୟନ୍ତିକ ନିବିଡ଼ତା ମଧ୍ୟଦେଇ ଅତିନ୍ଦ୍ରିୟ ରାଜ୍ୟରେ ନେଇ ପହଞ୍ଚାଇ ଦିଏ ।

 

ହଠାତ୍ ଦିନେ ଶରତସ୍ନିଗ୍‌ଧ ପ୍ରତ୍ୟୁଷରେ ରସିକ ଶିରୋମଣି କୃଷ୍ଣଙ୍କ ଅନିନ୍ଦ୍ୟ ସୁନ୍ଦର ରୂପଦେଖି ପ୍ରେମମୟୀ ରାଧା ଉନ୍ମନା ହେଲେ । ସଖୀଠାରୁ ମୂରଲୀ ବାଦକ କୃଷ୍ଣଙ୍କ ବୃତ୍ତାନ୍ତ ଓ ପରିଚୟ ପାଇ କୃଷ୍ଣଙ୍କ ଚାକ୍ଷୁପ ଦର୍ଶନ ପାଇଁ ଉତ୍ସୁକ ହେଲେ । ଅପର ପକ୍ଷରେ କୃଷ୍ଣମଧ୍ୟ ରାଧାଙ୍କ ଅନୁପମ ସୌନ୍ଦର୍ଯ୍ୟ ବିଷୟରେ ଅବଗତ ଥିଲେ। ହଠାତ୍ ଦିନେ ଯମୁନା ଯିବା ବାଟରେ ଦୁହିଁଙ୍କ ଚାରିଚକ୍ଷୁ ମିଳନ ହେଲା । ସେମାନେ ପରସ୍ପର ପ୍ରତି ଦୁର୍ନିବାର ଆକର୍ଷଣରେ ଆକୃଷ୍ଟ ହେଲେ । ସଖୀଦ୍ଵାରା ଚିଟାଉ ମାଧ୍ୟମରେ ଭାବର ଆଦାନ ପ୍ରଦାନ ହେଲା । ସମୟକ୍ରମେ ବିବାହିତା ଭୀରୁ ରାଧିକା ଶାଶୁ ନଣନ୍ଦଙ୍କ ଅଲଘଂନୀୟ ବନ୍ଧନ ମଧ୍ୟରେ ଥିଲେ ମଧ୍ୟ କୃଷ୍ଣଙ୍କ ପ୍ରତି ମନର ଦୁର୍ଦ୍ଦମନୀୟ ଆକର୍ଷଣକୁ ବାରଣ କରିପାରିଲେ ନାହିଁ । ଉତ୍କଣ୍ଠା, ଆଶଙ୍କା ଗ୍ଲାନି ଓ ସ୍ଵାଭାବିକ ଭୀରୁତା ମଧ୍ୟଦେଇ ସେ କୃଷ୍ଣଙ୍କ ସହିତ ନିଭୃତ ସଙ୍କେତ କୁଞ୍ଜରେ ମିଳିତ ହେଲେ । ଧୀରେ ଧୀରେ ରାଧାଙ୍କର ସେହି ଭୀରୁତା ଅପସାରିତ ହେଲା, କୃଷ୍ଣ ସାନିଧ୍ୟ୍ୟ ତାଙ୍କ ଜୀବନର ଏକମାତ୍ର ଲକ୍ଷ୍ୟ ହେଲା । କୁଳୀନା ହୋଇ କୁଳଟାର ଅପକୀର୍ତ୍ତିକୁ ସେ ଆଉ ଖାତିର କଲେ ନାହିଁ । ପାପପୁଣ୍ୟ ବିଚାରର ଉର୍ଦ୍ଧ୍ଵରେ ରହି ସେ ସଖୀକୁ ନିର୍ବିକାରେ ଚିତ୍ତରେ କହିଲେ

 

“ଜ୍ଞାନ ଧ୍ୟାନ ସବୁ ମୋରରେ ସଖି

ଗୋବିନ୍ଦ ନନ୍ଦ କିଶୋରରେ

ଗୁପତ କରିମୁଁ କହୁଅଛି ପାପ ପୁଣ୍ୟକୁ ନାହିଁ ଗୋ ଡରରେ”

 

ଅଭିସାରିକା ସାଜି ସେ ଯେପରି ଭାବରେ ଆତ୍ମସମର୍ପଣ କଲେ ସେହି ପ୍ରେମ ବ୍ୟାପାରର ସ୍ଵାଭାବିକ ଓ ଅବଶ୍ୟମ୍ଭାବୀ ପରିଣତିରେ ରାଧା ବାସକ ସଜ୍ଜା, ଖଣ୍ତିତା ଓ କଳହାନ୍ତରିତାର ଭୂମିକାରେ ଅବତରଣ କଲେ । କିନ୍ତୁ ଏସବୁ ଗର୍ବ, ଦମ୍ଭ, ଅଭିମାନ ଅଚିରେ ଧ୍ଵଂସ ହେଲା । ରାଧା ହେଲେ ସମ୍ପୂର୍ଣ୍ଣ ଭାବରେ ପ୍ରେମ ପାଗଳିନୀ । କ୍ଷୁଦ୍ର ମାନବିକ କାମନାର ଚଣ୍ଡି ଭିତରୁ ମୁକ୍ତିପାଇ ବିସ୍ତୃତ ସ୍ୱର୍ଗୀୟ ପ୍ରେମ ରାଜ୍ୟରେ ସେ ବିଚରଣ କରିବାକୁ ଲାଗିଲେ । ଯୁଗ ସହିତ ମାନବିକ ଭୋଗଲିପ୍‌ସା, ସ୍ଵାର୍ଥଭାବ, ନିସ୍ଵାର୍ଥପର ଚିନ୍ତାରେ ପରିଣତ ହେଲା । କ୍ଷୁଦ୍ର ମାନବିକ ସ୍ତରର ଦାବୀ, ଅଧିକାର, ମାନ, ଅଭିମାନ ଓ ଅହମିକା ସବୁ ଭୁଲି ସେ ନିଃଶେଷ ଭାବରେ କୃଷ୍ଣ ପ୍ରେମ ନିକଟରେ ଆତ୍ମ ସମର୍ପଣ କଲେ । ସମ୍ପୂର୍ଣ୍ଣ ଅହଂ ବିନାଶ ରାଧାଙ୍କୁ ପ୍ରେମିକ କୃଷ୍ଣଙ୍କ ବିରାଟତ୍ଵ ଓ ନିଜର କ୍ଷୁଦ୍ରତା ବିଷୟରେ ସଚେତନ କରିଦେଲା । ସେ କୃଷ୍ଣଙ୍କ ସଙ୍ଗେ ତୁଳିତ ହେବା ଦୂରେ ଥାଉ ତାଙ୍କ ପଦଧୂଳିକି ମଧ୍ୟ ସମ ନୋହିବେ ବୋଲି ଅନୁଭବ କଲେ । “ତତ୍ ସୁଖେ ସୁଖିତ୍ଵମ୍” ପ୍ରେମରାଜ୍ୟର ଏହି ଶାଶ୍ଵତ ବାଣୀ ପ୍ରେମିକା ରାଧାଙ୍କ ଚିନ୍ତାରେ ରୂପାୟିତ ହେବାକୁ ଲାଗିଲା । ପୂର୍ଣ୍ଣ ଆତ୍ମ ସମର୍ପଣ ଫଳରେ ପ୍ରେମମୟୀ ରାଧା ଭୟ, ଭ୍ରାନ୍ତି, ମାନ, ଅପମାନ ଓ ନିନ୍ଦାକୁ ଭ୍ରୁକ୍ଷେପ ନକରି ଉଲ୍ଲସିତ ଚିତ୍ତରେ ଉଦାର କଣ୍ଠରେ ପାଇବାକୁ ଲାଗିଲେ–

 

“ଶରଣ ଗଲି ପ୍ରମାଣରେ ସଖି

ଶ୍ୟାମବନ୍ଧୁ ଶ୍ରୀଚରଣରେ

ସେ ଯେବେ ଛାଡ଼ିବେ ମୁଁ ତ ନ ଛାଡ଼ିବି

ତା ବିନା କେ ପରିତ୍ରାଣରେ ।”

 

ପ୍ରେମ ଓ ପ୍ରଣୟର ଏହି ପରିଣତି ଯେତିକି ଚମକପ୍ରଦ ସେତିକି ଅନୁଭୂତି ବ୍ୟଞ୍ଜକ ଓ ଚିନ୍ତାଦ୍ୟୋତକ । ପ୍ରେମ କିପରି ନରତ୍ଵରେ ଦେବତ୍ଵରେ ବିକାଶ କରିବାରେ ତାହାର ସହଜ ସୁଲଭ ମନୋଜ୍ଞ ପରିପ୍ରକାଶ ସଦାନନ୍ଦଙ୍କ ଲେଖନୀରେ ଯେପରି ସମ୍ଭବ ହୋଇଛି ତାହ ତାଙ୍କର ସମଗ୍ର ସୃଷ୍ଟି ସମ୍ଭାରର ଗୋଟିଏ ଅନନ୍ୟ ବିଶେଷତ୍ଵ ଭାବରେ ଏକାନ୍ତ ପ୍ରଣିଧାନ ଯୋଗ୍ୟ ।

 

ଦାର୍ଶିନିକ ଭକ୍ତି ସିଦ୍ଧାନ୍ତର ସରସ ରୂପାୟନରେ ବୋଧହୁଏ ସଦାନନ୍ଦ କବସୂର୍ଯ୍ୟ ବ୍ରହ୍ମା ଜଣେ ଅପ୍ରତିଦ୍ଵନ୍ଦୀ ଓଡ଼ିଆ ବୈଷ୍ଣବ କବି । ଭକ୍ତି ତତ୍ତ୍ଵର ସାଙ୍ଗୋପାଙ୍ଗ ବିଚାର ବିଶ୍ଳେଷଣ ସଦାନନ୍ଦଙ୍କ ପ୍ରାୟ ସମସ୍ତ କାବ୍ୟରେ ପ୍ରଚୁର ମାତ୍ରାରେ ଦେଖିବାକୁ ମିଳେ । ତାହାର ଯଥାର୍ଥ ବିଚାର ଅନ୍ୟ ଗୋଟିଏ ପୂର୍ଣ୍ଣାଙ୍ଗ ଆଲୋଚନାର ଅପେକ୍ଷା ରଖେ ।

 

ପ୍ରଣୟଚିତ୍ର

 

ସପ୍ତଦଶ ଓ ଅଷ୍ଟାଦଶ ଶତାବ୍ଦୀ ଓଡ଼ିଆ ସାହିତ୍ୟର ଗୋଟିଏ ବୈପ୍ଳବିକ ଯୁଗ । ସେତେବେଳେ ପରିମାଣ ଦୃଷ୍ଟିରୁ ଓଡ଼ିଆ ସାହିତ୍ୟ ଯେତିକି ସ୍ଫୀତ ହୋଇଥିଲା, ଗୁଣାତ୍ମକ ଚେତନା ଦୃଷ୍ଟିରୁ ମଧ୍ୟ ସେତିକି ସମୃଦ୍ଧି ଲାଭ କରିଥିଲା । ତଦନୀନ୍ତନ ଅଭିରୁଚି ଅନୁସାରେ ସେ ସମୟର ସ୍ରଷ୍ଟାଗଣ ଗୋଟାଏ ରୁଚିସମ୍ପନ୍ନ ପାଠକ ଗୋଷ୍ଠୀ ଗଠନ କରିବାରେ ସମର୍ଥ ହୋଇଥିଲେ । ଧନଞ୍ଜୟ, ଉପେନ୍ଦ୍ର, ଦୀନକୃଷ୍ଣ, ଲୋକନାଥ, ସଦାନନ୍ଦ ଓ ଅଭିମନ୍ୟୁ ପ୍ରଭୃତି ସ୍ଵକୀୟ ଚିନ୍ତା ଓ ଚେତନାରେ ଅଟଳ ରହି ନିଷ୍ଠାର ସହିତ ସାରସ୍ଵତ ସୃଷ୍ଟି ସାଧନାରେ ଜନଜୀବନକୁ ସମୃଦ୍ଧ କରିଛନ୍ତି-। ରଚନାରେ ଚାତୁର୍ଯ୍ୟ ଓ ଧର୍ମ ଧାରଣାରେ ଅତ୍ୟନ୍ତ ଆନ୍ତରିକତାର ପରିପ୍ରକାଶ ହିଁ ସେ ସାହିତ୍ୟର ଥିଲା ଅନ୍ତଃସ୍ଵର । ଫଳରେ ଏ ଯୁଗର କାବ୍ୟକୃତିରେ ଯଥେଷ୍ଟ ଗତାନୁଗତିକତା ଓ ପରମ୍ପରାପୁଷ୍ଟ ଅତିକଳ୍ପନାର ଅବାରିତ ଧାରା ଦେଖିବାକୁ ମିଳେ । ନାନାବିଧି ରାଗ ରାଗିଣୀରେ କାବ୍ୟଶ୍ରୀ ବିମଣ୍ତନ, ବହୁ ବୈଚିତ୍ର୍ୟ ପୂର୍ଣ୍ଣ ଶବ୍ଦାଳଙ୍କାର ଓ ଅର୍ଥାଳଙ୍କାରର ପରିକଳ୍ପନାରେ କାବ୍ୟ ଶୋଭା ବିବର୍ଦ୍ଧନ, କଷ୍ଟକଳ୍ପନା ଓ ଅତିକଳ୍ପନା ବିଳାସିତା, ବର୍ଣ୍ଣନ । ବାହୁଲ୍ୟ, ବହୁ ଶାସ୍ତ୍ର ସମ୍ଵନ୍ଧିତ ପାଣ୍ତିତ୍ୟ ପ୍ରକାଶ, ବର୍ଣ୍ଣନାରେ ଅତ୍ୟନ୍ତ ଶୃଙ୍ଗାରିକତା, କାବ୍ୟିକ ବିଧିବିଧାନ ଅନୁସରଣ ପ୍ରବଣତା, ଶବ୍ଦ ପ୍ରୟୋଗରେ ଅସାଧାରଣ ଦକ୍ଷତା, ଧର୍ମତତ୍ତ୍ଵ ପ୍ରଚାର ଇତ୍ୟାଦି ଉପରେ କବିମାନେ ଯଥେଷ୍ଟ ଗୁରୁତ୍ଵ ଆରୋପ କରୁଥିଲେ । ବୈଷ୍ଣବ ସାହିତ୍ୟରେ ଧର୍ମସମ୍ମତ ଶୃଙ୍ଗାରଚର୍ଚ୍ଚା ଇହଲୋକ ଅପେକ୍ଷା ପରଲୋକର ଆକର୍ଷଣ, ପୁରୁଷାର୍ଥ ଅପେକ୍ଷା କୃଷ୍ଣଭକ୍ତି ପ୍ରତି ଶ୍ରଦ୍ଧା ସୃଷ୍ଟି କରିବା ସାହିତ୍ୟର ଆଭିମୁଖ୍ୟ ହୋଇଯାଇଥିଲା । ଆଖି ଆଗରେ ଥିବା ସମସ୍ୟା ସଙ୍କୁଳ ସମାଜର ଐହକ ଉନ୍ନତି ପ୍ରତି ସେମାନେ ସଂପୂର୍ଣ୍ଣ ବୀତସ୍ପୃହ ଥିଲେ । ଭଗବଦ୍ ଭକ୍ତି ହିଁ ଜୀବନର ଇହକାଳ ଓ ପରକାଳ ପାଇଁ ଏକମାତ୍ର ଧ୍ୟେୟବସ୍ତୁ ଥିଲା । ପ୍ରତିଷ୍ଠିତ ସଂସ୍କୃତ ଓ ଓଡ଼ିଆ କବିମାନଙ୍କର କାଳ୍ପନାବିଳାସିତା ତଥା ଚୈତନ୍ୟପନ୍ଥୀ ବ୍ରଜବାସୀ ଗୋସ୍ଵାମୀମାନଙ୍କର ଅଲୌକିକ ଭକ୍ତି ଭାବନା ସଦାନନ୍ଦଙ୍କ କବିଜୀବନକୁ ଯଥେଷ୍ଟ ଭାବରେ ପ୍ରଭାବିତ କରିଥିବାରୁ ସେ ସେହି ଧାରାର ତ୍ରିଂଶାଧିକ କାବ୍ୟ ଲେଖିଯାଇଛନ୍ତି । ଏହିସବୁ ମଧ୍ୟଯୁଗୀୟ ସାହିତ୍ୟର ଆଭିମୁଖ୍ୟ ସଦାନନ୍ଦଙ୍କ ରଚନାବଳୀରେ ସର୍ବତ୍ର ଦେଖିବାକୁ ମିଳେ-। ଆଗରୁ କୁହାଯାଇଛି ଯେ ସଦାନନ୍ଦ ଦୁଇଟି ରୀତି ଚେତନାପୁଷ୍ଟ କାଳ୍ପନିକ କାବ୍ୟ ଲେଖିବା ପରେ ନିଜର କାବ୍ୟିକ ଚିନ୍ତାରେ ପରିବର୍ତ୍ତନ କରି ସଂପୂର୍ଣ୍ଣ ଭାବରେ ବୈଷ୍ଣବ ଭକ୍ତ କବି ପାଲଟି ଥିଲେ । ଏଣୁ ପରବର୍ତ୍ତୀ କାବ୍ୟମାନଙ୍କରେ ରୀତିଧର୍ମୀ ପାଣ୍ତିତ୍ୟ ପ୍ରକର୍ଷ ପ୍ରଦର୍ଶନ ଅପେକ୍ଷା, ସେ ସରଳ ଭାବରେ ରାଧାକୃଷ୍ଣ ଯୁଗଳ ଲୀଳାତତ୍ତ୍ଵ ବର୍ଣ୍ଣନା କରି ପାଠକମାନଙ୍କୁ ନିଜର କାବ୍ୟ ସଂସାର ପ୍ରତି ଅନୁରାଗୀ କରାଇବାକୁ ଚେଷ୍ଟା କରିଛନ୍ତି । ଫଳରେ ବିଭିନ୍ନ କାବ୍ୟରେ ବିମଳ କବିତ୍ଵର ଧାରା ପ୍ରବାହିତ ହୋଇଛି । ଚିନ୍ତାଧାରା ଅନୁଭୂତିବ୍ୟଞ୍ଜକ ଓ ଦୃଷ୍ଟିଭଙ୍ଗୀ ଶାଶ୍ଵତ ପ୍ରେମତତ୍ତ୍ଵରେ ଅନୁରଞ୍ଜିତ ହୋଇଥିବାରୁ ରାଧାକୃଷ୍ଣ ପ୍ରେମାଖ୍ୟାନମୂଳକ ସାଧାରଣ କଥାଟି ବିଭିନ୍ନ କାବ୍ୟରେ ତାହାର ବିବିଧ ବୈଚିତ୍ର୍ୟ ପ୍ରକାଶ କରିଛି । ସେଥିରେହିଁ କବିଙ୍କ କୃତିତ୍ଵ ଓ କର୍ମନିଷ୍ଠା ଦେଖିବାର କଥା ଓ ଅନୁସନ୍ଧାନ କରିବାର କଥା ।

 

ସଦାନନ୍ଦଙ୍କ କାଳ୍ପନିକ କାବ୍ୟ ଦୁଇଟିରେ ଭଞ୍ଜୀୟ କାବ୍ୟଭାବନାର ଅନ୍ତଃସ୍ଵରଟି ମଞ୍ଜୁଳ ଭାବରେ ପ୍ରତିଫଳିତ । ବିଷୟବସ୍ତୁ ବିନ୍ୟାସ-କୌଶଳ ଓ ଚରିତ୍ର ଚିତ୍ରଣରେ କୌଣସି ନୂତନତା ନାହିଁ । ନାୟକ ଓ ନାୟିକାମାନଙ୍କର ଜୀବନରେ ପ୍ରେମ ବ୍ୟତିତ ଆଉ କୌଣସି ସମସ୍ୟା ନାହିଁ । ସାର୍ଥକ ପ୍ରେମିକ ଓ ପ୍ରେମିକାଟିଏ ହେବାପାଇଁ ନାୟକ ଓ ନାୟିକାମାନଙ୍କର ଅନୁକ୍ଷଣ ଚିନ୍ତା ଓ ସାଧନା ସେମାନଙ୍କର ଜୀବନର ଚରମ ଲକ୍ଷ୍ୟ । ସେଥିରେହିଁ ଜୀବନର ପରମ ସାର୍ଥକତା । ଉପେନ୍ଦ୍ର ଭଞ୍ଜ କୃଷ୍ଣଉପାସକ ହୋଇନଥିବାରୁ ଯଦ୍ୟପି ସଦାନନ୍ଦ ତାହାଙ୍କ ପ୍ରତି କଟାକ୍ଷପାତ କରିଛନ୍ତି । ତଥାପି ଉପେନ୍ଦ୍ରଙ୍କୁ ନିତ୍ୟରସ ଅନୁଭବୀ ସୁକବି, ବୋଲି ଘୋଷଣା କରି ତାଙ୍କ ପ୍ରତି ଆନୁଗତ୍ୟ ପ୍ରକାଶ କରଛନ୍ତି ।

 

କାଳ୍ପନିକ ପ୍ରେମାଖ୍ୟାନମୂଳକ କାବ୍ୟଦୁଇଟିର କଥାବସ୍ତୁ ଓଡ଼ିଆ ସାହିତ୍ୟର କାବ୍ୟ ପରମ୍ପରାନୁସରଣରେ ପରିକଳ୍ପିତ । ନାୟକ ନାୟିକାଙ୍କ ପୂର୍ବ ଜନ୍ମ ବୃତ୍ତାନ୍ତ, ରାଜପରିବାରରୁ ନାୟକ ନାୟିକା ନିର୍ବାଚନ, ରୂପର ପ୍ରଶଂସା ଶୁଣି ଓ ଚିତ୍ରପଟ ଦେଖି ସେମାନଙ୍କର ପରସ୍ପର ପ୍ରତି ଆକୃଷ୍ଟ ହେବା, ପୂର୍ବରାଗ, ସୂୟଂବର, ବିରହ ମିଳନର ପର୍ବ ଆଧିଭୌତିକ ଘଟଣା ମାଧ୍ୟମରେ ନିର୍ବାହ କରିବା ଇତ୍ୟାଦି ଯଥାରୀତି ଏଥିରେ ସମ୍ପାଦିତ । ଭଞ୍ଜୀୟ ରୀତିରେ ନାୟକମାନଙ୍କର ଏକପତ୍ନୀ ବ୍ରତପ୍ରତି ନିଷ୍ଠା ପ୍ରଦର୍ଶନମଧ୍ୟ ଏ କାବ୍ୟ ଗୁଡ଼ିକର ଆଭିମୁଖ୍ୟ । କବି ପ୍ରଣୟୀ ପ୍ରଣୟିନୀଙ୍କ ମିଳନୋନ୍ମୁଖ ପ୍ରାଣର ଆବେଗ ଚିତ୍ରଣରେ ବାସ୍ତବ ଅନୁଭୂତିର ଓ ବହୁ ରୁଦ୍ଧଦ୍ଵାର ଉଦ୍‌ଘାଟନ କରିଛନ୍ତି । ବର୍ଣ୍ଣନା ଗୁଡ଼ିକର ବାସ୍ତବ ଜୀବନ ସହିତ ନିବିଡ଼ ସମ୍ପର୍କ ଥିବାରୁ ପ୍ରଣୟାନୁଭୂତିର ପ୍ରାବଲ୍ୟରେ ପ୍ରାଣ ଉବ୍ଦେଳିତ ହୁଏ । ଯଦ୍ୟପି ରୀତିଯୁଗୀୟ ଆସ୍ଵାଭାବିକ ତର୍କଣାର ଚିତ୍ର କଦବା କେଉଁଠି ଦୃଷ୍ଟିଗୋଚର ହୁଏ, ତଥାପି ଏପରି ସ୍ଥଳ ଏ କାବ୍ୟମାନଙ୍କର ଏତେ ନଗଣ୍ୟ ଯେ, ତାହା ପାଠକମାନଙ୍କର ରସାସ୍ଵାଦନରେ ବାଧା ସୃଷ୍ଟି କରେ ନାହିଁ । ଭଞ୍ଜୀୟ କାବ୍ୟଚେତନା ପରିପ୍ରେକ୍ଷୀରେ ବିଚାର କଲେ ଏହାହିଁ ହେଉଛି ସଦାନନ୍ଦଙ୍କ ସର୍ବଶ୍ରେଷ୍ଠ ସଫଳତା । ଉପେନ୍ଦ୍ର ଭଞ୍ଜ ଓ ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ଯେ କୌଣସି ବିରହ ଦଶାର ବର୍ଣ୍ଣନା ସହିତ ସଦାନନ୍ଦଙ୍କ ବିରହାନୁଚିନ୍ତା ତୁଳନାତ୍ମକ ଭାବେ ବିଚାର କଲେ ଜଣାଯିବ ଯେ ଅନ୍ୟମାନଙ୍କର ବିରହବ୍ୟଥା ପାଣ୍ତିତ୍ୟପୂର୍ଣ୍ଣ ଓ କେତେକ କଷ୍ଟ କଳ୍ପନାର ସମାହାର ହୋଇଥିବା ବେଳେ ସଦାନନ୍ଦଙ୍କ ସେହି ପ୍ରସଙ୍ଗଟି ଶାଶ୍ଵତ ଅନୁଭୂତିର ତୀବ୍ର ବେଦନାରେ ଅନୁରଞ୍ଜିତ ଏ ବ୍ୟଥା ଏ ବେଦନାରେ କବିପ୍ରତିଭା ପ୍ରସୂତ ଅକଳ୍ପନୀୟ ତାର୍କିକତାର ଘର୍ମାକ୍ତ ବିଳାସ ନାହିଁ, ଅଛି ସର୍ବବ୍ୟାପୀ ପ୍ରଣୟ ଯନ୍ତ୍ରଣାରେ ନିର୍ଯ୍ୟାତିତ ଦେହ, ମନ ଓ ଚୈତନ୍ୟର ନିପୀଡ଼ିତ ଜୀବନ୍ତ ଅଭିବ୍ୟକ୍ତି । ଏହା କେବଳ କଥାର କଥା ନୁହେ, ବାସ୍ତବ ଜୀବନର ଦୁର୍ଲ୍ଲଭ ବ୍ୟଥା । ଯେଉଁ ବ୍ୟଥାର ଅବ୍ୟକ୍ତ ମଧୁର ସ୍ପର୍ଶରେ ମଣିଷ ଜନ୍ମ ସଫଳ ହୁଏ, ଜୀବନ ଧନ୍ୟ ହୁଏ ।

 

ପ୍ରଣୟ ଚିତ୍ରର ବିଭିନ୍ନ ବିଭାଗ ମଧ୍ୟରୁ ଗୋଟିଏ ହେଉଛି ବହୁ ଆକାଙ୍‌କ୍ଷିତା ପ୍ରିୟାର ସାନିଧ୍ୟ ପାଇବା ଆଶାରେ ବିରହ ବିଧୁର ପ୍ରିୟ, ସନ୍ତର୍ପିତ ଚିତ୍ତରେ ପ୍ରିୟା ନିକଟକୁ ଚିଠି ଖଣ୍ତିଏ ଲେଖିଛି । ଚିଠି ଖଣ୍ତିକ ହସ୍ତଗତ ହେବାପରେ ନାୟିକାର କାର୍ଯ୍ୟକଳାପରେ ଚିରନ୍ତନ ପ୍ରେମାତୁର । ନାରୀର ସ୍ଵାଭାବିକ ପ୍ରତିକ୍ରିୟା ଆତ୍ମପ୍ରକାଶ କରିଛି ।

 

“ଧରି ତାହା ଗଣ୍ତେ ମଣ୍ତି ହସ୍ତ

ଏ କପଟେ ଚୁମ୍ଵି ସ୍ନେହଚିତ୍ତ

।।

ପୁଣି କ୍ଷଣ ମାତ୍ର ରଖି ଉରେ

ଭାବେ ଫିଟାଇଲେ ଧୀରେ ଧୀରେ

।।

ଆଗେ ଅକ୍ଷରେ ଦେଉଁ ନୟନ

ବୋଲେ ସର୍ବ ଗୁଣେ ଆହା ସମ୍ପନ୍ନ

।।

ଏତେ ବୋଲି ନ ଶୁଭାଇ ପଢ଼େ

ଧାର ଧାର ନେତ୍ରୁ ଅଶ୍ରୁଗଡ଼େ

।।

ଶେଷ କରି ପୁଣି ଲେଉଟାଇ

ଆଦ୍ୟ ପ୍ରାନ୍ତେ ନୟନ ଫେରାଇ

।।

ମୁଦି ରଖି ଧନ ପ୍ରାୟ କରି

ପୁଣି ଫିଟାଇ ଦେଖନ୍ତି ଗୋରୀ

।।

 

ଚିଠି ଖଣ୍ତିକ ପଢ଼ିବାରେ ନାୟିକାର ଅନୁରାଗ ଯେପରି ବ୍ୟକ୍ତ ହୋଇଛି, ଚିଠି ଲେଖାରେ ବିରହ ବିଧୂର ନାୟକର ମାନସଚିତ୍ର ତତୋଽଧିକ ହୃଦୟସ୍ପର୍ଶୀ ହୋଇପାରିଛି ।

 

“ପ୍ରୀତି ବତ୍ସଳା ଶରଣ ।

ତାହା ଛାମୁକୁ ଜଣାଣ ।

ଚିଟାଉ ଏ ବିରହୀ ଦୀନର

X X X

X X X

 

ବନ୍ଧୁରେ ତୁ ଯେଉଁଦିନୁ, ଆଞ୍ଚଭୁରୁ ସ୍ମରଧନୁ,

ବିନ୍ଧିଗଲୁ କଟାକ୍ଷ ବିଶିଖ ବନ୍ଧୁରେ ସେଦିନୁ ଲକ୍ଷ୍ୟ,

ହେଲାକି ମୋହର ବକ୍ଷ ।

ସେ ଶର ହେଲାବା ଲକ୍ଷ ଲକ୍ଷ

ରେ ଚନ୍ଦ୍ରବଦନା ।

 

ବନ୍ଧୁରେ ଯେତେ ନିରାଶ କଲେ ତୁ ମୋହ ମାନସ

ନିବର୍ତ୍ତି ନୁହଇ ବଢ଼େ ଆଶ

ବନ୍ଧୁରେ ତୋର ନିଗ୍ରହ ମୁଁ ମଣଇ ଅନୁଗ୍ରହ

ପ୍ରଭୁ ନୋହୁ ମୁଁ ହେଲିଣି ଦାସ,

ରେ ଚନ୍ଦ୍ରବଦନା ।

ଛଟ ପଟ ରଜନୀ ଦିବସେ ।

ମାତ୍ର ନଛାଡ଼ୁଛି ଦେହ ପ୍ରାପ୍ତି ଲୋଭ ବଶେରେ ।

 

X X X

ସୁଖୀ ନଜାଣଇ ଦୁଃଖୀ ବେଦନା

ସେ ପ୍ରକାରେ ନୋହିବୁଟି ନବୀନା

ସାଧାରଣ ନୁହେ ବିରହ କଷଣ, ମୋହ ମନ ସାକ୍ଷୀ ସିନାରେ, ସୁନ୍ଦରୀ ।

 

ଏହି ବିରହ ଦୀପ୍ତ ଅନୁରାଗ ଯେତେବେଳେ ମିଳନର ଉଜ୍ଜ୍ଵଳ ସମ୍ଭାବନାରେ ଅନୁରଞ୍ଜିତ ହୋଇ ଉଠିଛି । ସେତେବେଳେ ପ୍ରଣୟୀ ପ୍ରଣୟିନୀଙ୍କ ମନରେ ଭାବୀ ମିଳନର ସୁଖଦ କଳ୍ପନା ତାର ଶାଖା ପ୍ରଶାଖା ମେଲି କେତେ ଯେ ସ୍ଵପ୍ନିଳ କଳ୍ପଲୋକ ସୃଷ୍ଟି କରିଛନ୍ତି, ତାହାର ଇୟତ୍ତା ନାହିଁ । ସେହି ସମ୍ଭାବନାମୟ ଜୀବନତ୍ସ୍ଵାସ କିପରି ପ୍ରାଣବନ୍ତ ହୋଇ ପାରିଛି, ତାହା ଦେଖିବାର କଥା, ଅନୁଭବ କରିବାର କଥା-

 

“ଯେବେ କରିବ ବରଣ ‘ପଶିଲି ଶରଣ’

ତୁନି କରି ମାତ୍ର ଦେବି କହି

ତେତେବେଳକୁ ନାସିକା ଫୁଲାଇ ରସିକା

ମନ୍ଦ ହସି ଚାହିଁ ଯିବ କାହିଁ ।

ଏହା ଶୁଣି ସେ ହସିବ ଲଲାଟେ ଖୋସିବ

ଡୋଳା ଲାଜ ଧୈର୍ଯ୍ୟ ସ୍ନେହତୁଳି ।

ସବୁ ତହିଁକି ବଳିବ, ପ୍ରେମ ଉଚ୍ଛୁଳିବ

ପଡ଼ିବ ପରା ମୋ ହୃଦେ ଢଳି ।”

 

ଲଳିତଲୋଚନା କାବ୍ୟର ତ୍ରିଂଶ ଛାନ୍ଦରେ ଓ ମୋହନ କଳ୍ପଲତାର ସପ୍ତବିଂଶ ଛାନ୍ଦରେ ଆସନ୍ନ ସମ୍ଭୋଗ କଳ୍ପନାବିଷ୍ଟ ଅତ୍ୟଧିକ ଔତ୍ସୁକ୍ୟ ପ୍ରପୀଡ଼ିତ ନାୟକ ମନର ସୂକ୍ଷ୍ମ ବିଶ୍ଳେଷଣ କରାଯାଇଛି । ଏହି ମାନସିକ ଆଲେଖ୍ୟ ଗୁଡ଼ିକ ସଦାନନ୍ଦଙ୍କ ସାର୍ବଜନୀନ କବିତାର ଅମ୍ଳାନ ଗୌରବରେ ଚିର ଦେଦୀପ୍ୟମାନ ହୋଇ ରହିଛନ୍ତି । ନାୟିକା ସହିତ ପ୍ରଥମ ସାକ୍ଷାତକାରର ଅବ୍ୟବହିତ ପୂର୍ବରୁ ନାୟିକାର ସ୍ଵହସ୍ତ ଲିଖିତ ପତ୍ର ଖଣ୍ତିଏ ପାଇ ନାୟକ ଭାବିଛି–

 

ଜନ୍ମ ଅନ୍ଧେ କିବା ନେତ୍ର ପ୍ରଦାନ

ବଧିରେ ହୋଇଲା ଶବଦ ଜ୍ଞାନ ।

ରଙ୍କ ହରାଇଲା ଧନ କି ପାଇ

ନରେଶ ନନ୍ଦମ ତେସନ ହୋଇ

(ମୋ.କ)

 

ମିଳନର ବ୍ୟବଧାନ ଅଚିରେ ଅନ୍ତର୍ହିତ ହୁଅନ୍ତେ, ନାୟକର ପ୍ରଥମ ଦର୍ଶନରେ ନାୟିକାର ଶୃଙ୍ଗାରୋଦ୍ଦୀପକ ଅନୁଭାବ ଚିତ୍ରଣରେ କୌଣସି କୃତ୍ରିମତା ନାହିଁ–

 

ସ୍ଵୟଂ ଦ୍ଵତୀ ବଡ଼ ଚେଷ୍ଟା ହୋଇଲା ପ୍ରକାଶ

ଚାହେଁ ନ ଚାହିଁଲା ପ୍ରାୟେ ମୁଖେ ମନ୍ଦ ହାସ ଯେ ।

ହାଇ ମାରି ଅଳ୍ପ ମୋଡ଼ି ହେଲା ଆୟସରେ

ଭୁଜ ତୋଳି ଅଙ୍ଗୁଷ୍ଠି ଫୁଟାଇଲା ସଧୀରେ ଯେ ।

କର୍ଣ୍ଣ କର୍ଣ୍ଣୁ ଛଳେ ଦେହେ ରୋମାଞ୍ଚ ବହିଲା

ପଦ ମୂର୍ଦ୍ଧାଙ୍ଗୁଷ୍ଠିରେ ଧରାକୁ ଗାର ଦେଲା ସେ ।

(ମୋ. କ .୧୭ଶ ଛାନ୍ଦ)

 

ଦୁହେଁ ଦୁହିଁଙ୍କ ପ୍ରତି ଦୁର୍ବାର ଆକର୍ଷଣରେ ମୁହ୍ୟମାନ । ଦେହ ଓ ମନ ଅଦଶ । ତଥାପି ସେମାନେ ଯେ ମହାକୁଳ ପ୍ରସୂତ ଏ ବିଷୟରେ ସଚେତନ ରହି ଔଚିତ୍ୟାନୌଚିତ୍ୟ ବିଚାରରେ ଲୌକିକ ପରମ୍ପରାକୁ ଲଙ୍ଘନ କରିପାରିନାହାନ୍ତି । କିନ୍ତୁ ଚିତ୍ତ ଚାଞ୍ଚଲ୍ୟର ପ୍ରାବଲ୍ୟରେ ଭାସମାନ ଦୁଇଟି ତରୁଣ ତରୁଣୀଙ୍କ ମନୋଭାବ କି ଏକ ଅବ୍ୟକ୍ତ ଆନନ୍ଦ ମିଶ୍ରିତ ବେଦନାରେ ଉବାଇଟୁବାଇ ହେଉଥିଲା ।

 

ମହାକୁଳ ପ୍ରସୂତ ଲୌକିକ ପରମ୍ପରା

ଲଙ୍ଘନ ତ ଆଶୋଚିତ ଏଣେ ଚିତ୍ତ ହରା ଯେ

ଲାଜ ଧୈର୍ଯ୍ୟ ବେଦନା ତିନି ତ୍ରିବେଣୀ ହୋଇ

ନୃପ ସୂତା ମନ ହେଲା ଉବାଇ ଟୁବାଇ ଯେ ।

 

ଘଟଣାର କ୍ରମବିକାଶରେ ପ୍ରଣୟୀ ଓ ପ୍ରଣୟିନୀଙ୍କ ମିଳନ ପର୍ବର ଶୁଭ ମୁହୂର୍ତ୍ତ ଆସି ପହଞ୍ଚି ଯାଇଛି । ଦୁଇଟି ତୃଷିତପ୍ରାଣର ମହୋତ୍ସବମୟ ମୁହୂର୍ତ୍ତ ଗୁଡ଼ିକୁ ତିଳତିଳ କରି ଉପଭୋଗ କରିବା ପାଇଁ ସେମାନଙ୍କର ଉତ୍କଣ୍ଠିତ ଆବେଗ କମ୍ପିତ ସମ୍ଭୋଗ ପ୍ରବଣତାକୁ ରୂପ ଦେଇ କବି ଗାଇଛନ୍ତି–

 

ବାଳୀ ସର୍ବାଙ୍ଗରେ ପୁଲକ ଜାତ

ନିବୀରେ ପୁରୁଷ ନିବେଶୀ ହସ୍ତ

ନିଷେଧ କରି ନବୀନ କିଶୋରୀ

କରେ କାନ୍ତ କର ଆତୁରେ ଧରି

ଦ୍ରହାସେ ଶିର କମ୍ପାଇ ଯେ

କରଜ ମାରିଣ ତରକେ ପ୍ରବୀଣ, ବସନଇ ଦେଲା ଫେଇ ଯେ

(ମୋ. କ. ୧୨ ଶ ଛାନ୍ଦ)

ମାଂସଳ ନିର୍ଲୋମ ମୃଦୁ ବିସ୍ତାର

ମହା ମନୋଦର ମଦନ ପୁର

ନୃପ କୁମର ତହିଁ କର ଦେଲା

ଇଷି ମଲି ପ୍ରାଣ ରଖ ବୋଇଲା ସେ

ଚମକି ଚନ୍ଦ୍ରମା ମୁହିଁ ଯେ

ଗାଢ଼େ ଭିଡ଼ି କାନ୍ତ ଅଧର ମଧୁକୁ ପାନକଲା ତା ନ ସହି ଯେ ।

(ମୋ. କ. ୪୧/୭)

 

ଏହିପରି ସମ୍ଭୋଗ ଶୃଙ୍ଗାର ପୂର୍ଣ୍ଣ ବିବିଧ ବର୍ଣ୍ଣାଢ଼୍ୟ ଆଲେଖ୍ୟର ପ୍ରାଚୁର୍ଯ୍ୟ ଲଳିତ ଲୋଚନାର ତ୍ରିଂଶ, ସପ୍ତତ୍ରଂଶ ଛାନ୍ଦ ଓ ମୋହନ କଳ୍ପଲତାର ଦ୍ଵାଦଶ, ଏକଚତ୍ଵାରିଂଶ ଓ ଦୁଇ ଚତ୍ୱାରିଂଶ ଛାନ୍ଦମାନଙ୍କରେ ଦେଖିବାକୁ ମିଳେ । ପ୍ରେମ ବ୍ୟାପାରର ଏହି ବିବିଧ ବିସ୍ତାରରେ କୌଣସି ଅଯଥାର୍ଥ ଆକାଶୀକଳ୍ପନା ନାହିଁ କିମ୍ଵା ପାଣ୍ତିତ୍ୟ ପୂର୍ଣ୍ଣ କବିତ୍ଵ ପ୍ରଦର୍ଶନ ପାଇଁ କୌଣସି ଅପଚେଷ୍ଟା ନାହିଁ । ବର୍ଣ୍ଣନା ଗୁଡ଼ିକ ସର୍ବାନ୍ତଃକରଣରେ ନିବିଡ଼ ଅନୁଭୂତି ବ୍ୟଞ୍ଜକ । କାଳୋତ୍ତୀର୍ଣ୍ଣ ସାର୍ବଜନୀନ ହୃଦ୍‌ଗତ ଭାବସମ୍ଭାରରେ ମହିମାନ୍ଵିତ ଏହି କବିତାମାନଙ୍କରେ ଅନୁଭୂତିର ଯେଉଁ ତୀବ୍ର ବ୍ୟଞ୍ଜନା ନିହିତ, ତାହା କଷ୍ଟକଳ୍ପିତ ଶବ୍ଦଜାଲ ମଧ୍ୟରେ ଆବଦ୍ଧ ହୋଇ ନଥିବାରୁ କବିକଳ୍ପିତ ‘ନାଗରୀ ନାରୀପରି’ ତାହା ପାଠକ ମାନଙ୍କୁ ବିମଳ ଆନନ୍ଦ ଦେବାରେ ଚରମ ସଫଳତା ଲାଭ କରିଛି ।

 

କବିଙ୍କ ମତରେ “ସମ୍ଭୋଗ ପୀୟୁଷବତ ପରମ ମଧୁର” ଦାମ୍ପତ୍ୟ ପ୍ରେମହିଁ ମାନବ ଜୀବନର ପରମ ସାଧନା ଓ ଚରମ ଲକ୍ଷ୍ୟ ।

 

ନାରୀ ବିନା ପୁରୁଷ ଶରଣ

ତିନି ପୁରେ ତିନି କାଳେ ନାହିଁଏ ପ୍ରମାଣ ହେ ।

ନାରୀ ତ ସାର ସ୍ଵଭାବ ତହିଁ ଯୁବା ହୋଇଥିବ

ପୁଣି ହୋଇଥିବ ସେ ସୁନ୍ଦରୀ

ଜାଣିଥିବ ଭଙ୍ଗୀରସ ବୁଝିବ ଇଙ୍ଗିତ ଭାଷ

ଚାହୁଁଥିବ ଗ୍ରୀବା ବକ୍ର କରିହେ, ପ୍ରାଣ ମିତ

ଏ ରସ ନକରି ନେତ୍ର ପାନ

ଅମୃତ ପିଅନ୍ତି ଯେହୁ, ଧିକ ସେ ପିଶୁନ ହେ

(ଯୁ. ର. ଲ. ୫୬/୧୮-୧୯)

ନାରୀ ହୋଇଥିବ ନବବୟସୀ ସହଜେ

କରୁଥିବ ତା ଅଧର ପାନ, ଭିଡ଼ି ଭୁଜେ

ଭଙ୍ଗୀରେ ସେ ଭାସୁଥିବ ଛାଡ଼ ନାହିଁ ନାହିଁ

କୋଟି ବ୍ରହ୍ମାପଦ ତେତେବେଳେ ସମ କାହିଁ ହେ

(ମୋ. କ)

ନାରୀ ଅଙ୍ଗ ସଙ୍ଗ ବିନା ଯେ କରେ ଶୟନ

ତାକୁ କି ମନୁଷ୍ୟ କରି ତୁମ୍ଭେ ମନେ ଘେନ ହେ ।।

ନେତ୍ର ବହି ବାଳା ବିବସନ ଯେ ନ ଦେଖେ ।

ଅନ୍ଧ ବୋଲି ତାହାକୁ ଶୃଙ୍ଗାର ଶାସ୍ତ୍ରେ ଲେଖେ ।।

ରମଣୀରୁ ବଡ଼ ଦ୍ରବ୍ୟ ସଂସାରେ କାହିଁ ଛି ।

ବ୍ରହ୍ମାଦି ଦେବଙ୍କର ଯହିଁରେ ଲୋଭ ଅଛି ।।

ପ୍ରେମତ ସଂସାର ସାର ବୋଲନ୍ତି ସଜ୍ଜନ ।

ସେ ପୁଣି ନାଗରୀ ନାରୀ ସଙ୍ଗେ ଟି ପ୍ରଧାନ ହେ ।।

ଏ ସ୍ନେହ ସମୁଦ୍ରରେ ବୁଡ଼ିବା ଜନଙ୍କର ।

ଅନ୍ୟ ଦୁଃଖ ସୂର୍ଯ୍ୟତାପ କି କରେ ତା ଛାର ହେ ।।

(ପ୍ରେ କ. ୧୨ଶ ଛାନ୍ଦ)

ଏଠାରେ ସ୍ମରଣ କରିବାର କଥା ଯେ, ଭାଗବତ ଦ୍ଵିତୀୟ ସ୍କନ୍ଧ ତୃତୀୟ ଅଧ୍ୟ୍ୟାୟରେ ଯେଉଁ ଭଙ୍ଗୀରେ ହରି ଉପାସନାକୁ ମଣିଷର ପରମ ପୁରୁଷାର୍ଥ ବୋଲି ବର୍ଣ୍ଣନା କରା ଯାଇଥିଲା, ଉପେନ୍ଦ୍ର ଭଞ୍ଜ ଚତୁରତାର ସହ ସେହି ଭଙ୍ଗୀ ପ୍ରୟୋଗ କରି ନାରୀ ସମ୍ଭୋଗହିଁ ମଣିଷ ଜୀବନର ଚରମ ଲକ୍ଷ୍ୟ ବୋଲି ପ୍ରତିପାଦନ କରିଛନ୍ତି । ସଦାନନ୍ଦ ଏ କ୍ଷେତ୍ରରେ ଭଞ୍ଜ କବିଙ୍କୁ ଅନୁକରଣ କରିଥିଲେ ମଧ୍ୟ ସ୍ଵୀୟ କବିତାରେ ଯଥେଷ୍ଟ ସ୍ଵାତନ୍ତ୍ର୍ୟ ଫୁଟାଇଛନ୍ତି–

ଲୋଚନ ଯୁଗ ଥାଉଁ ମୁଖେ

ଯେ ହରି ମୂରତି ନ ଦେଖେ

ମୟୂର ପୁଚ୍ଛ ବୋଲି ତାରେ

ସେ ଅନ୍ଧ ସଂସାର ସାଗରେ

(ଭାଗବତ)

ଯେଉଁ ଆଖି ଦେଖି ନାହିଁ ବାଳା ବିବସନ

ଆଖିରେ ନ ଲେଖି ଶିଖି ଚନ୍ଦ୍ରିକା ସମାନ ।

ଯେଉଁ ଦେହ ଲାଗିନାହିଁ ରସବତୀ ଦେହୀ

ଅଗମ୍ୟ ବନରେ ଶୁଷ୍କ ଦାରୁ ପରା ସେହି ।

ଉପେନ୍ଦ୍ର ଭଞ୍ଜ ରସଲେଖା ୮ମ ଛାନ୍ଦ

 

ଏ ନାରୀ ଅଙ୍ଗ ସଙ୍ଗ ଜନିତ ସୁଖେଚ୍ଛା କବିଙ୍କ ଉତ୍ତର ଜୀବନରେ ଆଉ ଧ୍ୟେୟ ହୋଇ ରହିନାହିଁ । ଜୀବନର ଧାରା ବଦଳି ଯାଇଛି, ତା ସହିତ ଜୀବନର ଦର୍ଶନ ମଧ୍ୟ ସେ ପ୍ରାକୃତ ନାରୀର ଅଙ୍ଗ ସଙ୍ଗ କାମନା ନ କରି ଅପ୍ରାକୃତ ପ୍ରେମମୂର୍ତ୍ତି ରାଧାକୃଷ୍ଣଙ୍କ ଅଙ୍ଗ ସଙ୍ଗ ଜନିତ ଲୀଳା କେବଳ ଧ୍ୟାନ ସ୍ତିମିତ ନୟନରେ ଦେଖିବାକୁ ଚାହାନ୍ତି । ପ୍ରେମର ଦେହ ସମ୍ପର୍କ ତୁଟାଇ, ମନୋମୟ ରାଜ୍ୟରେ ବ୍ରଜଲୀଳା ରସର ଦିବ୍ୟୋନ୍ମାଦରେ ସେ ସର୍ବଦା ଉନ୍ନତ୍ତ । ବର୍ତ୍ତମାନ କବିଙ୍କ ମତରେ ପ୍ରେମର ଏ ସ୍ଵଭାବ ବ୍ରହ୍ମାଣ୍ତରେ ଦୁର୍ଲ୍ଲଭ

 

ପ୍ରେମ ସାର ପୂର୍ଣ୍ଣରାଗ ସଂଯୋଗ ଯହିଁରେ

ନାହିଁ ନାହିଁ ନାହିଁ ଏ ସ୍ଵଭାବ ବ୍ରହ୍ମାଣ୍ତରେ

ଯେଉଁ ପ୍ରେମେ କୃଷ୍ଣ ବୋଲେ ଶୁଝି ନ ପାରିଲି

ସେ ଭାବରେ ଆଜଠାରୁ ବିକ୍ରୀତ ହୋଇଲି

(ନି. ନୀ. ୩ୟ ଛାନ୍ଦ)

 

ସଦାନନ୍ଦ ରାଧାକୃଷ୍ଣ ଲୀଳା ବର୍ଣ୍ଣନାକୁ ମୁଖ୍ୟ ସ୍ଥାନ ଦେଇଥିବାରୁ ତାଙ୍କର କାବ୍ୟମାନଙ୍କରେ ନାୟକ ନାୟିକାଙ୍କ ଯୌବନ ସୁଲଭ କାର୍ଯ୍ୟକଳାପର ଭୂୟୋବିକାଶ ସାଧନ କରି ଶୃଙ୍ଗାର ରସର ବନ୍ୟା ଛୁଟାଇଛନ୍ତି । ରାଧାକୃଷ୍ଣଙ୍କ ମିଳନ ଓ ଯୁଗଳ ଲୀଳା କୀର୍ତ୍ତନ ମାଧ୍ୟମରେ ଏହାର ପ୍ରସାର ଓ ପ୍ରାଚୂର୍ଯ୍ୟ ସର୍ବତ୍ର ପରିଲକ୍ଷିତ ହୁଏ । ଚୈତନ୍ୟପନ୍ଥୀ ବୈଷ୍ଣବମାନେ କିନ୍ତୁ ଏହାକୁ ଉଜ୍ଜ୍ଵଳ ବା ମଧୁର ରସ ଭାବରେ ନାମିତ କରି ଅପାର୍ଥିବ ଶୃଙ୍ଗାରର ବ୍ୟାପକ ଚର୍ଚ୍ଚା କରିଥିଲେ । ଏହାକୁ ଉଜ୍ଜ୍ଵଳ ରସ ବୋଲି ନାମିତ କଲେ ମଧ୍ୟ ସମ୍ଭୋଗ ଶୃଙ୍ଗାର ଓ ବିପ୍ରଲମ୍ଭ ଶୃଙ୍ଗାରର ସମସ୍ତ ବିଭାଗ । ଅନୁଭାବ ଓ ସଞ୍ଚାରୀଭାବ ଗୁଡ଼ିକ ଏହି ରାଧାକୃଷ୍ଣ ଲୀଳା ବର୍ଣ୍ଣନାରେ ଯଥେଷ୍ଟ ମାତ୍ରରେ ପ୍ରୟୋଗ କରାଯାଇଛି । ବୈଷ୍ଣବମାନେ ପରକୀୟା ପ୍ରୀତିକୁ ପ୍ରମୁଖ ସ୍ଥାନ ଦେଇଛନ୍ତି । ପରକୀୟା ପ୍ରେମରେ ବିରହର ମହତ୍ତ୍ଵ ଓ ପ୍ରେମୋତ୍‌କର୍ଷ ଅବିସମ୍ଭାବିତ । ନିମ୍ଵାକି ସମ୍ପ୍ରଦାୟରେ ରାଧାକୃଷ୍ଣଙ୍କ ମିଳନ ଉପରେ ଗୁରୁତ୍ଵ ଆରୋପିତ ହୋଇଥିବା ବେଳେ ବଲ୍ଲଭ ସମ୍ପ୍ରଦାୟରେ ଗୋପୀମାନଙ୍କର ବିରହାବସ୍ଥାକୁ ପ୍ରେମର ଚରମୋତ୍କର୍ଷ ଅବସ୍ଥା ବୋଲି ସ୍ଵୀକାର କରାଯାଇଛି ।

 

କବିଙ୍କ ଜୀବନର ଆଭିମୁଖ୍ୟ ବଦଳିଥିଲେ ମଧ୍ୟ ଶୃଙ୍ଗାରଧର୍ମୀ କବିତାର ଆଭିମୁଖ୍ୟ ବଦଳି ନାହିଁ । ସେ କେବଳ ପୂର୍ବର ପ୍ରାକୃତ ପ୍ରେମକୁ ଅପ୍ରାକୃତ ବୋଲି କହିଛନ୍ତି । ଲୌକିକ ନାୟକ ନାୟିକା ସ୍ଥାନରେ ରାଧାକୃଷ୍ଣ ଓ ଚନ୍ଦ୍ରାବଳୀ କୃଷ୍ଣଙ୍କୁ ଗ୍ରହଣ କରିଛନ୍ତି । ସ୍ଵକୀୟା ପ୍ରେମ ପରିବର୍ତ୍ତେ ପରକୀୟା ପ୍ରେମର ଏକନିଷ୍ଠ ସାଧକ ପାଲଟିଛନ୍ତି । କିନ୍ତୁ ପ୍ରେମ ବର୍ଣ୍ଣନାରେ ବିଶେଷ କିଛି ପରିବର୍ତ୍ତନ ଘଟିନି । କାଳ୍ପନିକ କାବ୍ୟର ଶୃଙ୍ଗାର ରସକୁ କେବଳ ମଧୁର ବା ଉଜ୍ଜ୍ଵଳ ରସ ଭାବରେ କୃଷ୍ଣାଶ୍ରୟୀ କାବ୍ୟରେ ବର୍ଣ୍ଣନା କରାଯାଇଛି । ନାମରେ ପରିବର୍ତ୍ତନ ଘଟିଛି କିନ୍ତୁ ସୃଷ୍ଟିଶୀଳ ଚିନ୍ତା ଓ ଚେତନାରେ ବିଶେଷ କିଛି ପାର୍ଥକ୍ୟ ଥିବା ପରି ମନେ ହେଉନାହିଁ । ଲଳିତଲୋଚନା ଓ ମୋହନଲତାର ସମ୍ଭୋଗ ବର୍ଣ୍ଣନା ପରି ଚନ୍ଦ୍ରାବଳୀ ଓ ରାଧା ସମ୍ଭୋଗ ବର୍ଣ୍ଣନାରେ ମଧ୍ୟ ସେହି ନିବୀ ମୋକ୍ଷଣ, ଚୁମ୍ଵନ, ଦନ୍ତକ୍ଷତ, ନକ୍ଷକ୍ଷତ, ଶିତ୍‌କାର, ହୁଙ୍କାର ପ୍ରଭୃତିର ଯଥାଯଥ ଭାବେ ବିନିଯୋଗ ହୋଇଛି । ଏସବୁ ସତ୍ତ୍ଵେ କବି କୃଷ୍ଣଲୀଳାହିଁ ଗାନ କରିବା ପାଇଁ କବିକୁଳକୁ ଆହ୍ୱାନ ଦେଇଛନ୍ତି ।

 

ଶ୍ରୀକୃଷ୍ଣର ଗୁଣ ଯେ କୀର୍ତ୍ତନ ନ କରେ

ଆଉ ଯେତେ କରୁ ବ୍ୟର୍ଥ ହୁଏ ସେ ଶ୍ରମରେ

(ତତ୍ତ୍ଵ ତରଙ୍ଗିଣୀ)

 

ବ୍ରଜଲୀଳାତ୍ମକ ଯୁଗଳ ରସାମୃତ ଲହରୀ ଷୋଡ଼ଶ ଛାନ୍ଦର ବାର ପଦଠାରୁ ଚଉଷଠି ପଦ ପର୍ଯ୍ୟନ୍ତ, ପୁଣି ଚଉବନ ଛାନ୍ଦର ସତାଇଶି ପଦଠାରୁ ତିରିଶି ପଦ ପର୍ଯ୍ୟନ୍ତ, ପ୍ରେମତରଙ୍ଗିଣୀର ୨୦/୫-୧୨ ପଦ ଓ ୩୨/୩-୪ ପଦ, ଯୁଗଳ ରସାମୃତ ଭଉଁରୀର ୩/୨୬-୨୯, ୨୩/୮, ୨୦/୫-୭ ପଦ, ସଙ୍ଗୀତ ସଦାନନ୍ଦ ୬/୮-୧୪ ପଦମାନଙ୍କରେ ଶୃଙ୍ଗାର ବର୍ଣ୍ଣନାର ଧାରାଟି ଦେଖିବାର କଥା । ଏହି ବର୍ଣ୍ଣନାମାନଙ୍କରେ ସେହି ଆବେଗ, ଉତ୍‌କଣ୍ଠା, ଔତ୍ସୁକ୍ୟ ଓ ପ୍ରେମବ୍ୟାପାରର ବିବିଧ ରୂପ ସୁନ୍ଦର ଭାବରେ ଚିତିତ୍ର ହୋଇଛି । ସଦାନନ୍ଦ ଯେ ଜଣେ ପ୍ରେମିକ ରସିକ କବି ଭାବରେ ଜଣେ ପାରଦର୍ଶୀ କଳାକାର ଥିଲେ ଏଥିରେ ସନ୍ଦେହ ନାହିଁ । କଳା କୁଶଳତା ହୀନ ସମ୍ଭୋଗକୁ ସେ ପଶୁକ୍ରିୟା ସହିତ ତୁଳନା କରିଛନ୍ତି । ଚାତୁର୍ଯ୍ୟହୀନ ନାରୀ ମୁଖ ଚାହିଁ ଯେଉଁମାନେ ମଦନବାଣରେ ବଶ ହୁଅନ୍ତି, ସେମାନେ କବିଙ୍କ କଥାରେ ‘କୁତ୍ସିତକର୍ମୀ’, ସେଥିପାଇଁ ସଦାନନ୍ଦ ବାରମ୍ଵାର ନାଗରୀ ନାରୀ ଓ ରସିକ ନାଗର କଥା ସ୍ମରଣ କରାଇ ଦେଇଛନ୍ତି । ରତିଶାସ୍ତ୍ର ସମ୍ମତ କାମକଳାଧୁରୀଣ ପୁରୁଷ ହିଁ ରସିକ ।

 

ଶାସ୍ତ୍ର ଜାଣି ଶୃଙ୍ଗାର ଯାର

ରସିକ ଅଟନ୍ତି ସେ ନର ।

(ପ୍ରେମ ତରଙ୍ଗିଣୀ)

 

ପରକୀୟା ରସର ପାରଦର୍ଶୀକବି, କୃଷ୍ଣଙ୍କୁ “ପରକୀୟା ଇଚ୍ଛାଧରି, ଭକ୍ତିଶାପ ଅଙ୍ଗୀକାରୀ” ବୋଲି ବର୍ଣ୍ଣନା କରି ରାଧାକୃଷ୍ଣ ପ୍ରେମତତ୍ତ୍ଵରେ ପରକୀୟାତ୍ଵ ଦର୍ଶନ କରିଥିଲେ ମଧ୍ୟ ତାହାକୁ ସ୍ଵକୀୟା ଭାବରେ ପ୍ରତିଷ୍ଠା କରିବା ପାଇଁ କମ୍ ପ୍ରଚେଷ୍ଠା କରି ନାହାନ୍ତି । କୃଷ୍ଣଙ୍କ ବିଷୟରେ ରାଧା ସଖୀକି କହୁଛନ୍ତି-

 

ପ୍ରାଣନାଥଙ୍କୁ ବୋଲୁ ପରପୁରୁଷ

ଯେଉଁ ବନ୍ଧୁ ଆମ୍ଭର ଧନି ସର୍ବସ୍ଵ ଲୋ ।

କର ଗ୍ରହଣ ମାତ୍ର ଅଭିମନ୍ୟୁର

କୃଷ୍ଣ କେବଳ ସିନା ମୋ ପ୍ରାଣେଶ୍ଵର ଲୋ ।

ପତି ପୁରୁଷ ହେଲେ ଲାଗନ୍ତା ଦୋଷ

କର୍ମ ନିଷେଧ ନପୁଂସକେ ପ୍ରକାଶ ଲୋ ।

ପୁରୁଷ ସେହି ଏକା ସମସ୍ତେ ଶକ୍ତି

ତେବେ ଉଚିତ ହେଲା ତାରେ ଆଶକ୍ତି ଲୋ ।

 

କବିଙ୍କ ପ୍ରେମପୂର୍ଣ୍ଣ କବିତାଗୁଡ଼ିକ ଧର୍ମ ସାପେକ୍ଷ ହେଉ ଅଥବା ଧର୍ମ ନିରପେକ୍ଷ ହେଉ, ସେଥିରେ ଯେ ପ୍ରୀତିପ୍ରବଣ ମଣିଷ ମନର ପ୍ରେମାବେଗ ଓ ପ୍ରେମାକାଙ୍‌କ୍ଷା ନିପୁଣ ଭାବରେ ଚିତ୍ରିତ, ଏଥିରେ ସନ୍ଦେହର ଅବକାଶ ନାହିଁ । ସତେ ଯେପରି କବି କଣ୍ଠରେ ଉପନିଷଦର ସେହି ଅମର ବାଣୀ ଝଂକୃତ ହେଉଛି-

 

“ପ୍ରେମ ମୂଳାହି ମେଦିନୀ, ପ୍ରେମାଶ୍ରିତା ଜୀବନ ବୃତ୍ତିଃ” । କବିଙ୍କ କବିତାର ଏହି ଅନ୍ତଃସ୍ଵରଟି ନ ବୁଝିଲେ, ତାଙ୍କର ସମସ୍ତ ସୃଷ୍ଟିଶୀଳ ପ୍ରଚେଷ୍ଟା ବ୍ୟର୍ଥତାରେ ପର୍ଯ୍ୟବଶିତ ହେବ । ଏଣୁ ସେ ପାଠକ ସାଧାରଣଙ୍କୁ ଉଦ୍ଦେଶ୍ୟ କରି କହିଛନ୍ତି–

 

“ସମ୍ୟକ ପ୍ରକାରେ କବି ଶ୍ରମ ଯେହ୍ନେ ଆନକୁ ନୁହଇ ଗୋଚର

ସମର୍ଥ ସେ ଦୋଷଗ୍ରାହୀ ମାତର

ସୂକ୍ଷ୍ମ ମନରେ ଯେ ବିଚାରଇ ରସେ, ହୋଇଯାଏ ଜରଜର”

(ଲ;ଲୋ. ୩୨ଶ ଛାନ୍ଦ)

 

ଏଇ ‘ସୂକ୍ଷ୍ମମନ’ଟି ନେଇ ସଦାନନ୍ଦଙ୍କ ସୃଷ୍ଟି ସମୀକ୍ଷା କଲେ, ସ୍ରଷ୍ଟାମାନସର ଦିଗ ବିଦିଗ ଉଦ୍‌ଘାଟିତ ହେବ । ବହୁ ବୈଚିତ୍ର୍ୟମୟ ପ୍ରଣୟ ଚିତ୍ରଟି ତାର ସ୍ଵକୀୟ ମହିମାରେ ଉତ୍ତରୋତ୍ତର ଉଦ୍ଭାସିତ ହେବ ।

 

ବର୍ଣ୍ଣନା ବୈଚିତ୍ର୍ୟ

 

ସୃଷ୍ଟିଶିଳ୍ପର ଉପାଦାନଗୁଡ଼ିକୁ ଯଥାର୍ଥ ଭାବରେ ଉପସ୍ଥାପନ କରିବାରେ କାବ୍ୟର ସାର୍ଥକତା ନିର୍ଭର କରେ । ବସ୍ତୁ ନିରୀକ୍ଷଣପଟୁତା ସଦାନନ୍ଦଙ୍କ ସୃଷ୍ଟି ଧର୍ମର ଗୋଟିଏ ଅବଶ୍ୟ ବିଚାର୍ଯ୍ୟ ବିଷୟ । ଖୁବ୍ ଛୋଟ ଛୋଟ କଥା ମଧ୍ୟ ସଦାନନ୍ଦଙ୍କ ସୂକ୍ଷ୍ମ ପର୍ଯ୍ୟବେକ୍ଷଣ ମଧ୍ୟ ଦେଇ କାଳୋତ୍ତୀର୍ଣ୍ଣ ଶାଶ୍ଵତ ରୂପାନ୍ୱିତ ବସ୍ତୁରେ ପରିଣତ ହୋଇଛି।

 

କୃଷ୍ଣ କୌଳିକ କର୍ମରେ ପ୍ରବୃତ୍ତ ହୋଇ ଗୋଗୋଷ୍ଠ ନେଇ ପ୍ରଥମ କରି ବନ ଗମନ କରୁଛନ୍ତି । ସ୍ନେହ କାଙ୍ଗାଳିନୀ ମା ଯଶୋଦା ତାଙ୍କ ପଛେ ପଛେ କିଛି ଦୂର ପାଛୋଟି ଯାଇ କହୁଛନ୍ତି–

 

ମାତା କହନ୍ତି ଆରେ କହ୍ନାଇ, ଶୀଘ୍ର ଆସଟି ଅଛି ଅନାଇଁ

ମଠ ହୋଇଲେ ଯିବ ମୁଁ ଧାଇଁ, ମୋ ଗଳାମାଳିରେ

ଅନ୍ଧ ଲଉଡ଼ି ଦୁଃଖୀ ସଙ୍ଖାଳି, ଦୁଷ୍ଟପଣେ ସିନା ଖାଉ ଗାଳିରେ

ବାଳକ ସଙ୍ଗେ କରେଟି ଗୋଳ, ଆହେ ସୁବଳ ମଧୁ ମଙ୍ଗଳ

ସହିବ ଦୋଷ ଏ ଯେ ବିଟୋଳ, ନୋହିବ ଚଳି ହେ,

ଶୁଣି ଦ୍ରହାସେ ବଦନ ଢାଳି ବନେ ଚଳିଲେ ଶ୍ରୀ ବନମାଳୀ

ଅଦୃଶ୍ୟ ହେବାଯାଏ ନିରୋଲି ଆସି ବାହୁଡ଼ି ସେ ।

ଯୁ. ର. ଲ. ୩ୟ ଛାନ୍ଦ ।

ପୁଣି ଗୃହ ପ୍ରତ୍ୟାବର୍ତ୍ତନ ଦୃଶ୍ୟଟି କିଛି କମ୍ ହୃଦୟସ୍ପର୍ଶୀ ନୁହେ । ଯଶୋଦାଙ୍କ ହୃଦୟରୁ ଝରି ପଡ଼ିଛି ମାତୃ ଲାଳସା ।

ମୋର କଳା କାଇଁଚ ଦିଶୁଅଛି କେଡ଼େ ସଞ୍ଚଲୋ

ଲବଣୀ ମାଗଇ ଲାଞ୍ଚ ଲୋ ।

ଯଶୋଦା ଉଭା ଦୁଆରେ, ଦେଖନ୍ତି କୁମର ଗାଈ ପଛରେ

ଆସୁଅଛି ଧିରେ ଧିରେ ଲୋ ।

ବଦରୀ ଫଳ ଆକାର ଗୋରୁ ଧୂଳି ପଡ଼ି ତନୁ ଧୂସର ସେ

ଝଳି କାଳିଆ ସୁନ୍ଦର ଲୋ ।

ଯାଚିଲେ ନ ଖାଇ ସର, ଚାଖୁଥିବ ବନ ଫଳ ନିକର ସେ

ବୋଲୁଥିବ କି ମଧୁର ଲୋ ।

(ଯୁ. ର. ଲ. ୫ମ ଛାନ୍ଦ)

ଏହି ସବୁ ବର୍ଣ୍ଣନାରେ ମାତା ଯଶୋଦା ଓ ଅଳିଅଳି ଶିଶୁ କୃଷ୍ଣଙ୍କ ହୃଦୟ ମନ ଓ ଅପଘନର ଯେଉଁ ଚାରୁଚିତ୍ରଟି ପାଠକ ମନରେ ଆଂକି ହୋଇଯାଏ । ତାହା ନିଶ୍ଚିତ ଭାବରେ କାବ୍ୟକଳ୍ପନାର ଗୋଟିଏ ଦୁର୍ଲଭ ବସ୍ତୁ । ଏହିପରି ଯୁଗଳ ରସାମୃତ ଲହରୀର ସମଗ୍ର ପଞ୍ଚମ ଛାନ୍ଦଟି ଯଶୋଦାଙ୍କ ବାତ୍ସଲ୍ୟ ପ୍ରେମରେ ପୂର୍ଣ୍ଣ । କୌଣସି ଗୋଟିଏ ପଦ ଅନ୍ୟପଦଠାରୁ ସୃଷ୍ଟିଶୀଳ କଳାକୁଶଳତାର ଚମତ୍କାରିତାରେ ନ୍ୟୂନ ନୁହେ । ସେହିପରି ବ୍ରଜ ବାଳକମାନଙ୍କର ବନରେ କୌତୁକ କ୍ରୀଡ଼ା ଏକବିଂଶ ଛାନ୍ଦରେ ବର୍ଣ୍ଣିତ ପ୍ରେମକଷାୟିତ ହୃଦୟା ରାଧାଙ୍କ ଆନମନା ଭାବ, ଚତୁର୍ଦ୍ଦଶ ଛାନ୍ଦରେ ବର୍ଣ୍ଣିତ ଉନ୍ମନା ଚନ୍ଦ୍ରାବଳୀଙ୍କ କ୍ରିୟା କଳାପ, ଦ୍ଵାଦଶ ଛାନ୍ଦର ସଖୀ ସତର୍କତା, ତୃତୀୟ ଛାନ୍ଦର ଗୋପୀ ସମ୍ଭ୍ରମ ଗୋଟିଏ ଗୋଟିଏ ଅନବଦ୍ୟ ସୃଷ୍ଟି । ଲଳିତ ଲୋଚନା କାବ୍ୟର ଦ୍ଵାଦଶ ଛାନ୍ଦରେ ବର୍ଣ୍ଣିତ ଶବରମାନଙ୍କ ରୂପ ଓ ଶିକାର ଦୃଶ୍ୟ, ଚବିଶି ଛାନ୍ଦର ଭାଟବର୍ଣ୍ଣନା, ନବମ ଛାନ୍ଦର ଜଙ୍ଗମ ରୂପ ଓ ଚତୁର୍ଦ୍ଦଶ ଛାନ୍ଦରେ ବର୍ଣ୍ଣିତ ଯୁଦ୍ଧ ଦୃଶ୍ୟ ବେଶ୍ ହୃଦ୍ୟ ଓ ମନୋମୁଗ୍‌ଧକର । ଯୁଦ୍ଧ ଦୃଶ୍ୟଟି ଦେଖିବାର କଥା ।

ହୁଁକାର ନାଦ କେଅବା ଘୋଷି କେ ଡେଇଁ ମଧ୍ୟେ ମାରଇ ପଶି

କେ ଭୁଷାଭୁଷି କେ କଷାକଷି କେ ଦିଶାଦିଶି ଯେ ।

କେ ଦଶବିଂଶ ଶର ପ୍ରହାରି ତଦନ୍ତେ ବିହି ବଶରେ ହାରି

ଜୀବନ ମାଗି ନେଲା ଜୁହାରି, ଆସେ ବାହାରି ଯେ ।

କେ ଖଣ୍ତ ଖଣ୍ତ କରିଣ ମୁଣ୍ତ ଭୂଷଣ ହୋଇ ଅଛି ପ୍ରଚଣ୍ତ

କେ ବୋଲେ ଭଣ୍ତ, ଏ ଦିଗେ ଭାଣ୍ତ, ଗଲା ଓହୋରି ଯେ ।

ଖଣ୍ତା ଝଲକ ରଖେ ପଲକ ‘ରହ ବୋଲି କେ ପଳାଏ ଏକ

କେ କରେ ଶୋକ କରି ଆଲୋକ ପିତାର ଅନ୍ତେ ଯେ ।

 

ପୁଣି ଏକତିରିଶି ଛାନ୍ଦରେ ରାଜକୁମାର ଓ ଲଳିତ ଲୋଚନାର ଚାରିଚକ୍ଷୁ ମିଳନର ଦୃଶ୍ୟ, ପଞ୍ଚତିରିଶ ଛାନ୍ଦର ସ୍ଵୟଂବରକାଳୀନ ଦୃଶ୍ୟ ଓ ରତିବାହୁଡ଼ା ଦୃଶ୍ୟ ମଧ୍ୟ ବେଶ୍ ମନୋରମ ଓ ପ୍ରାଣବନ୍ତ ହୋଇ ପାରିଛି । ଏହା ବ୍ୟତୀତ ବିଭିନ୍ନ କାବ୍ୟରେ ବର୍ଣ୍ଣିତ ଚିତ୍ରପଟ, ଗୋପୀ ସମ୍ଭ୍ରମ, କୃଷ୍ଣଙ୍କ ପ୍ରେମଚାପଲ୍ୟ, ବାଲ୍ୟ ଚପଳତା, ଅବଧୂତ, ଶବରଭାଟ, ଜଙ୍ଗମ, ଶୀକାର, ଯୁଦ୍ଧ, କୃଷ୍ଣଙ୍କରୂପ, ରାଧାଙ୍କ ରୂପ, ମୁଗ୍‌ଧା ନାୟିକାର ହାବଭାବ, ଦାମ୍ପତ୍ୟ ପ୍ରୀତି, ନାୟକ ଓ ନାୟିକାର ରୂପ, ସଖୀ ପରିହାସ ମହାନଗ୍ର ଓ ରାଜ୍ୟଶାସନର ବହୁ ଚମକପ୍ରଦ ସ୍ଵାଭାବିକ ବର୍ଣ୍ଣନା କାବ୍ୟ ଗୁଚ୍ଛର ଛତ୍ରେ ଛତ୍ରେ ଦେଖିବାକୁ ମିଳେ । ଗୋଟିଏ ଗୋଟିଏ ସଂପୂର୍ଣ୍ଣ ଛାନ୍ଦରେ ସ୍ଵତନ୍ତ୍ର ରଚନା ଶୈଳୀ ପ୍ରୟୋଗ କରି ଗୋଟିଏ ଗୋଟିଏ ବକ୍ତବ୍ୟର ଯେଉଁ ଚାରୁଚିତ୍ର କବି ଉପସ୍ଥାପିତ କରିଛନ୍ତି, ତାହାଧ୍ଵନି ମାଧୁର୍ଯ୍ୟ ଓ ବର୍ଣ୍ଣନା ବୈଚିତ୍ର୍ୟର ମିଶ୍ରଣରେ ଅପୂର୍ବ କାବ୍ୟବିଭା ସୃଷ୍ଟି କରି ପାରିଛି । ଏ ପ୍ରସଙ୍ଗରେ ନାୟିକା ଲଳିତଲୋଚନାର ରୂପ ଗୁଣ ବର୍ଣ୍ଣନା ଉଲ୍ଲେଖଯୋଗ୍ୟ । ଯଥା-

 

ହସିଲାନି ମୃଦୁ ନାସିକା ଫୁଲାଇ ବସିଲାନି ଆଡ଼ମ୍ଵରେ

ଭାଷିଲାନି ମତ୍ତ ପରଭୃତ ପରି ରୁଷିଲାନି କୁତୁକରେ ।। ୩/୩

 

ବିରୋଧାଭାଷ ଅଳଙ୍କାର ମାଧ୍ୟମରେ ମହାନଗ୍ରର ବର୍ଣ୍ଣନାଟି ମଧ୍ୟ ଯେପରି କାବ୍ୟଧର୍ମ ସମନ୍ଵିତ, ସେହିପରି ଶ୍ରୁତି ସୁଖକର ହୋଇଛି ।

 

ନୀଳକଣ୍ଠ ଯହିଁ ଅଛନ୍ତି ନୀଳକଣ୍ଠ ନାହାନ୍ତି

ମଧୁପ ନାହାନ୍ତି ମଧୁପ ନିରନ୍ତରେ ଭ୍ରମନ୍ତି ।

 

ପ୍ରକୃତି ଚିତ୍ର

 

ମଧ୍ୟଯୁଗୀୟ କବିମାନେ ପ୍ରାୟ ସବୁବେଳେ ପ୍ରକୃତିକୁ ଶୃଙ୍ଗାର ରସର ଉଦ୍ଦୀପନ ବିଭାବ ଭାବରେ ବର୍ଣ୍ଣନା କରିଛନ୍ତି । ସଦାନନ୍ଦଙ୍କ କାବ୍ୟ ସୃଷ୍ଟିରେ ମଧ୍ୟ ଏହାର ବ୍ୟତିକ୍ରମ ହୋଇନାହିଁ । ତେବେ ଏଥିରେ ପ୍ରକୃତ ସ୍ଥାନେ ସ୍ଥାନେ ଶିକ୍ଷାଦାତ୍ରୀର ଭୂମିକା ମଧ୍ୟ ଗ୍ରହଣ କରିଛି । ମୋହନ କଳ୍ପଲତାର ଏକାଦଶ ଛାନ୍ଦରେ ଉପବନକୁ ‘ବନ୍ୟା ନାଗରୀ କନ୍ୟା’ ଭାବରେ ବର୍ଣ୍ଣନା କରାଯାଇଛି–

 

ମନ୍ତ୍ରୀଜ ବୋଲଇ ବିଭୋ ପୁରୁଷବର

ଯେ ବନ୍ୟା ନାଗରୀ କନ୍ୟା ସଙ୍ଗେ ବିହର ।

ଦେଖ ବଧୂଲି ଅଧର ପାଉଛି ଶୋଭା

କୁନ୍ଦକଳି ଦନ୍ତାବଳୀ ଅତି ଦୁଲ୍ଲଭା ।

ଖଞ୍ଜନ ନୟନ ଅତି ଚଞ୍ଚଳ ଚାହିଁ

କୋକିଳ ବାଣୀ ବଚନେ କରିଛ ସ୍ନେହ ।

କେତକୀ କାନ୍ତିରେ ହୋଇଅଛି ବିଭ୍ରାଜ

ତାଳଫଳ ସ୍ତନ ତାର ମାନପେ ହେଜ ।

 

ଲଳିତଲୋଚନାର ୪୧, ୪୨, ୪୩, ୪୪, ୪୫, ୪୬ ଛାନ୍ଦରେ ଯଥାକ୍ରମେ ହିମ, ଶିଶିର, ବସନ୍ତ, ଗ୍ରୀଷ୍ମ ବର୍ଷା ଓ ଶରତ ଋତୁର ବର୍ଣ୍ଣାଢ଼୍ୟ ବର୍ଣ୍ଣନା କରାଯାଇଛି । ମୋହନ କାଳ୍ପଲତାର ଅଷ୍ଟାଦଶ ଓ ବିଂଶ ଛାନ୍ଦରେ ବର୍ଣ୍ଣିତ ବର୍ଷା ଓ ଶରତର ଚିତ୍ର କବି କଳ୍ପନାର ବିଚିତ୍ର ବିଭାରେ ବିମଣ୍ତିତ-। ଏତଦ୍ ବ୍ୟତୀତ ନଦୀ, ପର୍ବତ ଉପବନ, କାନନ (ଲ. ଲୋ ୧୩ଶ ଛାନ୍ଦ) ମଧ୍ୟାହ୍ନ, ସନ୍ଧ୍ୟା (ଲ.ଲୋ.୮ମ,ଯୁ.ଚ.ଲ: ୧୨ଶ, ପ୍ରେମତରଙ୍ଗିଣୀ ୧୫ଶ ଛାନ୍ଦ) ରାତ୍ରି (ଲ. ଲୋ: ୩୬ଶ, ମୋ. କ. ୧୬ଶ ଛାନ୍ଦ) ସରସୀ (ଲ. ଲୋ.୭ମ ଛାନ୍ଦ) ଇତ୍ୟାଦି ପ୍ରକୃତିର ବିଭିନ୍ନ ବିଭାବ ବର୍ଣ୍ଣନାରେ ସଦାନନ୍ଦଙ୍କ କାବ୍ୟ ସମ୍ଭାର ବହୁ ସୁଷମା ସମନ୍ଵିତ ହୋଇଛି ।
 

ସମାଜ ଚିତ୍ର

 

ଯେ କୌଣସି ସାହିତ୍ୟିକ କୃତି ସମାଜର ପ୍ରତିଛବି ବହନ କରିବା ସ୍ଵାଭାବିକ । ସେ ସମୟର ସାମାଜିକ ଜୀବନର ଆଚାର ବ୍ୟବହାର ଓ ଚଳଣି କାବ୍ୟଗୁଡ଼ିକର ଛତ୍ରେ ଛତ୍ରେ ଦେଖିବାକୁ ମିଳେ । ନାନା ସମାଜିକ ବିଧି ବିଧାନ ଦୋଷ ଦୁର୍ବଳତା, ସଂସାର କୁସଂସ୍କାର, ବିବାହୋତ୍ସବ ଜନ୍ମୋତ୍ସବ, ଓଷା, ବ୍ରତ ଓ ପର୍ବପର୍ବାଣୀ, ଅନ୍ଧବିଶ୍ଵାସ ଯଥାଯଥ ଭାବେ ବିଭିନ୍ନ ପ୍ରସଙ୍ଗ କ୍ରମେ ଉଲ୍ଲିଖିତ ହୋଇଛି । ବିବାହୋତ୍ସବରେ ବରକନ୍ୟା ବେଶ, ଶୋଭାଯାତ୍ରା, ବାଣ ରୋଷଣୀ, ପଟୁଆର, ନୃତ୍ୟଗୀତ, ଭୋଜିଭାତ, ଯୌତୁକ, କନ୍ୟାମଙ୍ଗୁଳା, ଅଷ୍ଟମଙ୍ଗଳା,ବରବରଣ, ମଧୁଶଯ୍ୟା, ଚିଟାଉଲେଖନ ନିମନ୍ତ୍ରଣ ଉତ୍ୟାଦିର କବିତ୍ଵ ପୂର୍ଣ୍ଣ ବର୍ଣ୍ଣନା ସର୍ବତ୍ର ଦେଖିବାକୁ ମିଳେ । ହୁଳହୁଳି, ଗ୍ରାମଦେବୀ ପୂଜା, ପୁରୋହିତଙ୍କ ମନ୍ତ୍ରପଠନ, ମୁଦୁସୁଲୀ, ବନ୍ଦାପନା, ଲବଣଚଉଁରୀ ବିଭିନ୍ନ ବାଦ୍ୟମର୍ଦ୍ଦଳ, ପଖାଉଜ, ହାବେଳି, ଚମ୍ପକ, ଯାଇ ଇତ୍ୟାଦି ବିବାହୋତ୍ସବର ସମସ୍ତ ଆନୁସଙ୍ଗିକ ଘଟଣା ମୋହନ କଳ୍ପଲତା କାବ୍ୟର ଷଟ୍‌ତ୍ରିଂଶ ଛନ୍ଦରେ ନିଖୁଣ ଭାବରେ ବର୍ଣ୍ଣିତ ହୋଇଛି । ନାଭିଚ୍ଛେଦନ, ନାମକରଣ, ଏକୋଇଶିଆ ପାଳନ, ଗୋଷ୍ଟାଷ୍ଟମୀ ପାଳନ, କନ୍ୟାପ୍ରାପ୍ତି ଉଦ୍ଦେଶ୍ୟରେ ବ୍ରତ ଉପବାସାଦିର ଅବିକଳ ପାରମ୍ପରିକ ଚିତ୍ର ଯୁଗଳ ରସାମୃତ ଲହରୀର ଚତୁର୍ଥ ଛାନ୍ଦ, ଲଳିତ ଲୋଚନାର ଦ୍ଵିତୀୟ ଛାନ୍ଦ ଓ ମୋହନ କଳ୍ପଲତାର ପଞ୍ଚମ ଛାନ୍ଦରେ ଦେଖିବାକୁ ମିଳେ । ମାଘାସ୍ନାନ ଦୋଳ ଓ ହୋଲି ପର୍ବ, କୁମାର ପୂର୍ଣ୍ଣମୀ ଉତ୍ସବ, କାର୍ତ୍ତିକ ହବିଷ୍ଵବ୍ରତ ଓ ପର୍ବ ପର୍ବାଣୀର ବିଧିବ୍ୟବସ୍ଥା ଗୁଡ଼ିକ ଯଥାର୍ଥ ଭାବରେ ଚିତ୍ରିତ ହୋଇଛି । ପାରିବାରିକ ଜୀବନ, ବିଶେଷ କରି ରାଜପରିବାରର ଶିକ୍ଷା, ଶାସନ, ବେଶ, ଚଳଣି, ଚରିତ୍ର ପ୍ରେମ ସହଚର ଓ ସହଚରୀ, ପ୍ରମୋଦ ବିହାର, ପତ୍ରଲିଖନ, ପଟ୍ଟଚିତ୍ର ଅଙ୍କନ ଇତ୍ୟାଦିରେ କଳାକୁଶଳତା ଅର୍ଜନ ସେ ସମୟରେ ଆଭିଜାତ୍ୟର ଚିହ୍ନଭାବରେ ଗୃହୀତ ହେଉଥିଲା । ଶିକ୍ଷୟିତ୍ରୀ, ବିଦୁଷୀ, ଜ୍ୟୋତିଷୀ, ସଙ୍ଗୀତଜ୍ଞା, ଗାୟିକା, ସାହିତ୍ୟବିଦ୍ୟା ପ୍ରବୀଣା ନାରୀମାନେ ରାଜ ଅନ୍ତଃପୁରରେ ଜେମାମାନଙ୍କୁ ସଙ୍ଗୀତ ସାହିତ୍ୟ ଓ କାମଶାସ୍ତ୍ର ବିଷୟରେ ଶିକ୍ଷାଦାନ କରୁଥିଲେ । ପ୍ରେମିକ ଓ ପ୍ରେମିକାମାନଙ୍କ ମଧ୍ୟରେ ପତ୍ରର ଆଦାନ ପ୍ରଦାନ ହେଉ ଥିବାରୁ ପତ୍ରଲିଖନର ଗୋଟିଏ ଆଭିଜାତ ଶୈଳୀ ଥିଲା । ତାହାର ବିଭିନ୍ନ ଦିଗ ବିଷୟରେ ବିସ୍ତୃତ ଆଲୋଚନା ଓ ବର୍ଣ୍ଣନା ସଦାନନ୍ଦଙ୍କ ପ୍ରାୟ ସମସ୍ତ ପ୍ରେମାଖ୍ୟାନମୂଳକ କାବ୍ୟରେ ଦେଖିବାକୁ ମିଳେ-

 

ରାଜକୁମାରମାନଙ୍କର ଶିକ୍ଷାର ମାନ ନିର୍ଦ୍ଧାରିତ ହେଉଥିଲା । ସାଧାରଣ ଭାବରେ ରାଜକୁମାରମାନେ ପାଞ୍ଚବର୍ଷ ବୟସରୁ ବିଦ୍ୟାରମ୍ଭ କରି ସିଦ୍ଧିରସ୍ତୁ, ଅକ୍ଷରଶିକ୍ଷା, ଗୀତ ଗାନ କ୍ରମେ ସଂସ୍କୃତ ଭାଷା, ଚର୍ଯ୍ୟା, ଅଭିଧାନ, ବ୍ୟାକରଣ, ସନ୍ଧିସନ୍ଧାନ ଓ ପ୍ରୟୋଗ,ଶବ୍ଦସୃଷ୍ଟି, ଆଖ୍ୟାତ, ଭୂତ, ଭବିଷ୍ୟ, ବର୍ତ୍ତମାନାଦି, କାଳ ଜ୍ଞାନ, କାଳ ପ୍ରୟୋଗ, କାରକ, ତଦ୍ଧିତ, ସମାସାଦିର ସାଙ୍ଗୋପାଙ୍ଗ, ଅଧ୍ୟୟନ ଓ ଚର୍ଚ୍ଚା କରୁଥିଲେ । ଶୃଙ୍ଗାର ରସାତ୍ମକ କାବ୍ୟ କବିତା, ଅଳଙ୍କାର ଶାସ୍ତ୍ର, ନାଟ୍ୟଶାସ୍ତ୍ର, ନାଟକ, ନୃତ୍ୟ, ନ୍ୟାୟ ମୀମାଂସା, ଯୋଗ, ସାଂଖ୍ୟ, ବେଦାନ୍ତ ବୈଷୟିକ, ଶ୍ରୁତି ଓ ସ୍ମୃତି, ସଙ୍ଗୀତଶାସ୍ତ୍ର, ବୈଦ୍ୟଶାସ୍ତ୍ର, ଜ୍ୟୋତିଃଶାସ୍ତ୍ର, ଅଶ୍ଵଶାସ୍ତ୍ର, ଶିଳ୍ପୀଶାସ୍ତ୍ର, ଧର୍ମଶାସ୍ତ୍ର, ଭାଗବତ, ଅଶ୍ଵଚାଳନା, ଛାନ୍ଦରଚନା, ଧନୁର୍ବାଣ, ଭାଲ, ଦଣ୍ଡଚାଳନା, ପଟ, ଗୁରୁଦା, ଚକ୍ର, ଫେରି, ଖଣ୍ଡା, ଗଦା, ସାବେଳି ଚାଳନା, ମଲ୍ଲବିଦ୍ୟା ଇତ୍ୟାଦି ରାଜକୁମାରମାନଙ୍କର ଶିକ୍ଷାର ଅନ୍ତର୍ଗତ ଥିଲା ଓ ସେଥିପାଇଁ ବିହିତ ବ୍ୟବସ୍ଥା କରାଯାଇଥିଲା । ଏହା ବ୍ୟତୀତ ଯୁଦ୍ଧରେ ବ୍ୟବହୃତ ହେଉଥିବା ଯୁଦ୍ଧାସ୍ତ୍ର – ଧନୁର୍ବାଣ, କୁନ୍ତ, ଖଡ଼୍‍ଗ, ଗଦା, ବର୍ଚ୍ଛା, ଶାବେଳି, ଗୁରୁଦା,ବିଭିନ୍ନ ଯାନ – ରଥ, ଉଷ୍ଟ୍ର, ହସ୍ତୀ, ଘୋଟକ, ବାଦ୍ୟଯନ୍ତ୍ର – ମହୁରୀ, ମର୍ଦ୍ଦଳ, ଶଙ୍ଖ, ଡିଣ୍ଡିମ, ପଟହ, ଭେରୀ, ସରମଣ୍ଡଳ, ବୀଣା, କର୍ଣ୍ଣାଳ, ବଂଶୀ, କାହାଳୀ, ଯୋଡ଼ା ଶଙ୍ଖ, ଭେରୀ, ତୁରୀ, ଢୋଲ, ଦମା, ତେଲେଙ୍ଗୀ ବାଜା, ପଟରୀ, ଇତ୍ୟାଦି ପରମ୍ପରା କ୍ରମେ ବ୍ୟବହୃତ ହେଉଥିଲା ଏବଂ ପୁରୁଷାଦି କ୍ରମେ ଏସବୁ ଯୁଦ୍ଧ, ବିଦ୍ୟା, ବାଦ୍ୟବିଦ୍ୟାରେ ଦକ୍ଷତା ଅର୍ଜନ କରିବା କେତେକ ଶ୍ରେଣୀର ଲୋକଙ୍କର କୌଳିକ ପ୍ରଥା ଥିଲା । ରାଜକୁମାର ଓ ସେନାପତିମାନେ ରତ୍ନମୁକୁଟ, କୁଣ୍ଡଳ, ପଦକଯୁକ୍ତ ତାର ହାର, ବାଜୁବନ୍ଧ, ଚନ୍ଦ୍ରକ, ହୀରା ଖଚିତ କଙ୍କଣ ଇତ୍ୟାଦି ଅଳଙ୍କାର ଭାବରେ ବ୍ୟବହାର କରୁଥିଲେ । ସମାଜରେ ନାନାପ୍ରକାର ଶୁଭ ଓ ଅଶୁଭ ଶକୁନ ସଂସ୍କାର ଜନ ଜୀବନକୁ ନିୟନ୍ତ୍ରିତ କରୁଥିଲା । ବାମେ ଶବ, ଶିବା, କୁମ୍ଭାଦର୍ଶନ ମଙ୍ଗଳ ସୂଚକ, ଅନୁକୂଳ ଦେଳେ ମତ୍ସ୍ୟ, ଦଧି, ଶଙ୍ଖଧ୍ଵନି, ଦକ୍ଷିଣ ପାର୍ଶ୍ଵରେ ମୃଗ, ଗାଈ ଓ ବ୍ରାହ୍ମଣ, ସମ୍ମୁଖରେ ନକୁଳର ଗତି ଶୁଭ ସୂଚକ ଭାବେ ଗୃହୀତ ହେଉଥିଲେ ।

 

କବିଙ୍କ ସମୟରେ ଚୈତନ୍ୟ ପନ୍ଥୀଙ୍କ ବହୁ ପ୍ରଚାର ସତ୍ତ୍ଵେ ଓଡ଼ିଶାରେ ଜ୍ଞାନମିଶ୍ରା ଭକ୍ତିର ପ୍ରାଧାନ୍ୟ ଥିଲା । ଗୌରାଙ୍ଗ ପ୍ରଚାରିତ ପ୍ରେମଭକ୍ତି ତତ୍ତ୍ଵର ମହତ୍ତ୍ଵ ଲୋକେ ତଥାପି ଉପଲବ୍‍ଧି କରି ନ ଥିଲେ । ସେଥି ପାଇଁ ସେ ଦୁଃଖରେ କହିଛନ୍ତି–

 

ଏବେ ଜ୍ଞାନୀଙ୍କ କର୍ମରେ ଭୁବନ ଭରିଲା

ଗୌରାଙ୍ଗ କି ତତ୍ତ୍ଵ ତା କିଏ ନ ପଚାରିଲା

 

କବି ଶାକ୍ତମାନଙ୍କ ଆଚାର ଓ ବିଚାର ପ୍ରତି କଟାକ୍ଷ ପାତ କରି ପ୍ରଚଳିତ ବଳୀ ପ୍ରଥାର ଘୋର ନିନ୍ଦାଗାନ କରିଛନ୍ତି–

 

ଶାକ୍ତଙ୍କ ପରାଭୁଲି ନ ଭଜିବୁ କହିଲି

ଯାହା ଭାଳି ହସ ମାଡ଼ଇ

ତୁଣ୍ଡେ ବୋଲନ୍ତି ସେତ ତାଙ୍କୁ ଜଗତ ମାତ

ଛାଗ ମହିଁଷ ବଳୀ ଦେଇରେ ଆରେ ମନ ।

ଜଗତରୁ ସେ କି ବାହାର

ସୁତ କି ଭକ୍ଷଣ ମାତାର

(ନି . ନୀ .୯ମ ଛାନ୍ଦ)

ଏଥିରୁ କବିଙ୍କ ପ୍ରେମଭକ୍ତି ପ୍ରତି ପକ୍ଷପାତିତା ଓ ଜନସାଧାରଣଙ୍କର ତତ୍‍କାଳୀନ ଧର୍ମଚାର ବିଷୟରେ ସ୍ପଷ୍ଟ ସୂଚନା ମିଳେ ।

ରାଜପରିବାରରେ ଲୌକିକ ପରମ୍ପରା ପ୍ରତି ବିଶେଷ ସମ୍ମାନ ପ୍ରଦର୍ଶନ କରାଯାଉଥିଲା-। ରାଜାମାନେ ନ୍ୟାୟ ଓ ଧର୍ମ ନିର୍ଦ୍ଦିଷ୍ଟ ପଥରେ ପ୍ରଜାପାଳନ କରୁଥିଲେ । ଗୁଣୀ, ଗାରେଡ଼ି, ଐନ୍ଦ୍ରଜାଲିକ ଓ ବେତାଳ ସାଧକମାନେ ବହୁ ଅସାଧ୍ୟ ସାଧନ କରୁଥିଲେ । ସମାଜରେ ଲୁକ୍‍କାୟିତ ଭାବେ ବ୍ୟଭିଚାର ଓ ଅତିଚାର ମଧ୍ୟ ହେଉଥିଲା । ଧ୍ୱନ୍ୟାତ୍ମକ ରୀତିରେ ଲେଖକ ତାହାର ସୂଚନା ଦେଇଛନ୍ତି ।

କାହାଦ୍ୱାରେ ପଥିକ ବଣିକ

କହେ କିଣିମ ରତ୍ନ ନାୟକ

।।

ପଦକରେ ମଣ୍ଡିଲେ ଉତ୍ତମ

ଶୁଣି ପ୍ରବୀଣା ବାଣୀ ଜନମ

।।

ସୁନାରୀ କି କହି ଥିବେ କାହିଁ

ଆମ୍ଭେ ତହିଁ କି ଗ୍ରାହକନୋହି

।।

ନାରୀ କେଳ ବତ ସେ ରସିକା

ପଛେ ସ୍ୱଚ୍ଛେ ହେଲା ପ୍ରାଣାଧିକା

।।

ଏଠାରେ ପଥିକ, ରତ୍ନନାୟକ, ପଦକ, ସୁନାରୀ, ଶବ୍ଦମାନଙ୍କର ସୁନିପୁଣ ଶ୍ଳିଷ୍ଟ ପ୍ରୟୋଗଦ୍ୱାରା କୌଣସି ଜଣେ ରସିକ ବଣିକ ସହିତ ଜଣେ ପ୍ରବୀଣା କୁଳଟା ଗୃହବଧୂର ଅବୈଧ ଯୌନ ସମ୍ପର୍କ ଧ୍ୱନିତ ହୋଇଛି । ଶବ୍ଦଶିଳ୍ପର ଏ ଧ୍ୱନି ଏ ମାଧୁର୍ଯ୍ୟ କେବଳ ପ୍ରତିଭାଧର କବିମାନଙ୍କର ରଚନାରେ ସମ୍ଭବ ହୋଇଥାଏ । ସଦାନନ୍ଦଙ୍କ ରଚନାର ବହୁସ୍ଥଳରେ ଏପରି କାବ୍ୟିକ ବ୍ୟଞ୍ଜନାର ସୁଚତୁର ବିନ୍ୟାସ ଦେଖିବାକୁ ମିଳେ । ସାହିତ୍ୟରେ ଏହିପରି ଭାବ ବ୍ୟଞ୍ଜନା ଗର୍ହିତ ନୁହେଁ । ସାହିତ୍ୟଶାସ୍ତ୍ରରେ ଏହି କାବ୍ୟକୁ ଉତ୍ତମ କାବ୍ୟ ଆଖ୍ୟା ଦିଆ ଯାଇଛି । ସେ ସମୟରେ ସାହିତ୍ୟ ଓ ସଙ୍ଗୀତପ୍ରତି ସମାଜରେ ଯଥେଷ୍ଟ ଆଦର ଥିଲା, ସଙ୍ଗୀତ ସାହିତ୍ୟ ନାଟକାଦି ଗୁଣୋପେତା ମୋହନ ଲତାର ଗୀତଗାଇବା ବର୍ଣ୍ଣନାଟି ବେଶ୍‍ ଚମତ୍‍କାର ହୋଇଛି–

 

ବିଶାଳ ନୟନା ବୀଣା ବାଦନ କରଇ

ପରିମଳା ଆଳି ଅଳ୍ପ ତାଳକୁ ସୂଚଇ ଯେ ।

ସାରିଗମ ପଧନିସା ସ୍ୱର ମନୋହର

ସାନିଧପ ମଗରିସା ପ୍ରତି ଲୋମ ତାର ଯେ ।

ପ୍ରେମଶୀଳା ଅଳପ ସେ କରଇ ଗୁଜ୍ଜରୀ

ତା ନାନାନା ରିରି ମିଳିଅଛି ଘର ଧରିଯେ ।

(ମୋ.କ. ତମଛାନ୍ଦ)

 

ସେତେବେଳେ ସମାଜରେ ନାରୀମାନଙ୍କ ସ୍ଥାନ ପୁରୁଷମାନଙ୍କ ଅପେକ୍ଷା ନ୍ୟୂନ ଥିଲା । ନାରୀମାନେ ପୁରୁଷର ଏକପ୍ରକାର ବିଳାସ ସାମଗ୍ରୀ ଭାବରେ ବିବେଚିତ ହେଉଥିଲେ । ପତି ଯାହା ହେଲେମଧ୍ୟ ପତ୍ନୀ ପାଇଁ ସେ ସାକ୍ଷାତ ଦେବତା । ସ୍ଵାମୀର ଦୋଷଗୁଣ ବାଛିବା ତାର ଚିନ୍ତାର ବାହାରେ । ପତିବ୍ରତ୍ୟ ପାଳିବାହିଁ ପତ୍ନୀର ସର୍ବଶ୍ରେଷ୍ଠ ଧର୍ମ । ସ୍ଵାମୀ ଚରଣରେ ସର୍ବାନ୍ତଃକରଣରେ ଆତ୍ମନିବେଦନ କରିବାରେ ହିଁ ତା ଜୀବନର ଚରମ ସାର୍ଥକତା ।

 

“ସ୍ଵାମୀଗୁଣ ଦୋଷ । ଦୋଚାରୀ ସିନା ଘେନନ୍ତି ମାନସ ।

ପତ୍ନୀର ପତିବ୍ରତାଧର୍ମ ମୂଳ”

(ନି.ନୀ. ୭/୪)

 

ଏହିପରି ସାମାଜିକ ଜୀବନରେ ବହୁ ଚିତ୍ର ଅବିକଳ ଭାବେ ସଦାନନ୍ଦଙ୍କ ପ୍ରାୟ ସବୁ କାବ୍ୟରେ ଦେଖିବାକୁ ମିଳେ । ଯେଉଁଥିରୁ ସେ ସମୟର ଜନଜୀବନ ବିଷୟରେ ଗୋଟିଏ ସ୍ଥୂଳ ଧାରଣା କରିହୁଏ ।

 

ଅଳଙ୍କାର

 

ପ୍ରଥମେ ସଦାନନ୍ଦ ତାଙ୍କ କାବ୍ୟ ରଚନାର ଆଭିମୁଖ୍ୟ ଘୋଷଣା କରି ଲେଖିଥିଲେ–

 

‘ନାଗରୀ ନାରୀ ପ୍ରକାରେ ଏ ଗୀତ ହୋଇବ

ଅଳଙ୍କାରେ ଯୁକ୍ତ ବକ୍ର ଉକ୍ତି ଯେଣୁଥିବ’

(ଲ. ଲୋ. ୧ମ ଛାନ୍ଦ)

‘ହେବ ଗ୍ରନ୍ଥ ଅଳଙ୍କାର ଚନ୍ଦନେ ଭୂଷଣ’

(ମୋ କ. ୧ମ ଛାନ୍ଦ)

 

ଏଥିରୁ ରୀତିକାବ୍ୟ- ପରମ୍ପରା-ପୁଷ୍ଟ କବିମାନସର ଅଳଙ୍କାର ସଂଯୋଜନା ପ୍ରତି ପକ୍ଷପାତିତା ସ୍ପଷ୍ଟ । କିନ୍ତୁ ପରବର୍ତ୍ତୀ ସମୟରେ କବିଙ୍କ ମନ ‘କଳ୍ପନା ଛାଡ଼ିଛି’ । ଯଦି ନାନା ପ୍ରକାରର କଷ୍ଟ କଳ୍ପିତ ଅଳଙ୍କାରଦ୍ଵାରା ତାହାଙ୍କର କବିତା ସୁନ୍ଦରୀ ଅଳଙ୍କୃତ ହୁଅନ୍ତି, ତେବେ କ୍ଳିଷ୍ଟ ହୋଇବ ବୁଝି ନୋହିବ ନ ଘେନିବେ ସର୍ବଜନ’ ବୋଲି ତାଙ୍କର ହୃଦ୍‌ବୋଧ ହୋଇଛି । ଏଣୁ ଆଳଙ୍କାରିକ ପରିକଳ୍ପନାରେ ଯଦ୍ୟପି କବି ସାମର୍ଥ୍ୟ ପ୍ରତିଷ୍ଠା ଲାଭ କରେ, ‘ମହାକବି’ ଭାବରେ ଖ୍ୟାତି ଲାଭ କରିବାର ଅପୂର୍ବ ସୁଯୋଗ ମିଳେ, ତଥାପି ସମର୍ଥ କବି ସେଥିରେ ସ୍ଵୀୟ ତତ୍କାଳିକ ପ୍ରୟୋଜନର କୌଣସି ସାର୍ଥକତା ନ ଦେଖି ତହିଁରୁ ନିଜ ମାନସକୁ ନିବୃତ୍ତ କରି ଶବ୍ଦଗୂଢ଼ ଅର୍ଥଗୂଢ଼ ପରିକଳ୍ପନା ଛାଡ଼ି ସରଳ କବିତା ରଚନାରେ ମନୋନିବେଶ କରିଛନ୍ତି । କବିଙ୍କ ଭାଷାରେ–

 

“ଅପହ୍ନୁତ୍ୟାଳଙ୍କାରାଦି ସାମଗ୍ରୀ ବହୁତ

କବି ସାମର୍ଥ୍ୟ ଯଦ୍ୟପି ତହିଁରେ ପ୍ରତୀତ

ମହାକବି ନାମ ଖ୍ୟାତ ପ୍ରତିଷ୍ଠାଦି ଯହିଁ

ତେବେ ହେଲେ ତହିଁରେ ମୋ ପ୍ରୟୋଜନ ନାହିଁ

ତହିଁରୁ ନିବୃତ୍ତ ହେଲା ମାନସ ଏଥର

ମୋହିତ ହେଲେହେଁ ତହିଁ ବିଦ୍ୟାବନ୍ତ ନର ।

କୃଷ୍ଣଭକ୍ତ ବୁଝିବେ ମୋ ଶ୍ରମ ସାର୍ଥ ଏହି

ଶବ୍ଦ ଗୂଢ଼େ ଅର୍ଥ ଗୂଢ଼େ ପ୍ରୟୋଜନ ନାହିଁ ।

(ନି. ନୀ ୧ମ ଛାନ୍ଦ)

 

‘ତହିଁରୁ ନିବୃତ୍ତ ହେଲା ମାନସ ଏଥର’ । ଏହି ‘ଏଥର’ ଶବ୍ଦଟି ସ୍ପଷ୍ଟକରି ଦେଉଛି ଯେ, କବି ନିଷ୍ଠାନୀଳ ମଣି ଗ୍ରନ୍ଥ ଲେଖିବା ପୂର୍ବରୁ ଯାହା ଲେଖିଥିଲେ ସେଥିରେ କବି ସାମର୍ଥ୍ୟ ଦ୍ୟୋତକ ବହୁ ଅଳଂକାର, ଶବ୍ଦଗୂଢ଼ ଓ ଅର୍ଥଗୂଢ଼ ପ୍ରୟୋଗ କରିଥିଲେ, କିନ୍ତୁ ଏବେ ସେ ଯାହା ଲେଖିଛନ୍ତି ସେଥିରେ ଏସବୁ କିଛି ନାହିଁ । କାରଣ ବର୍ତ୍ତମାନର କାବ୍ୟାଭିମୁଖ୍ୟ ହେଉଛି-ସରଳ ଅଳପ ହେଲେ ହୁଅଇ ରୁଚିର । ଏସବୁ କବିବାଣୀ ବିଚାରକୁ ନେଇ ପର୍ଯ୍ୟାଲୋଚନା କଲେ ଜଣାଯାଏ ଯେ କବି ପୂର୍ବାଶ୍ରମରେ ଯେଉଁ କାବ୍ୟ ରଚନା କରିଥିଲେ ସେଥିରେ ରୀତି ଯୁଗୀୟ କାବ୍ୟାଦର୍ଶ ଦୃଷ୍ଟିରୁ ବହୁ ଶବ୍ଦାଳଙ୍କାର ଓ ଅର୍ଥାଳଙ୍କାରର ପ୍ରୟୋଗ କରିଛନ୍ତି । ଯୁଗଳ ରସାମୃତ ଭଉଁରୀ କାବ୍ୟର ସତଚାଳିଶି ଛାନ୍ଦରେ ନିରୋଷ୍ଠକ, ସରୋଷ୍ଠକ, ମହାପ୍ରାଣ, ମିଶ୍ରାକ୍ଷର, ତାଲବ୍ୟ ନିୟମ, ମୂର୍ଦ୍ଧନ୍ୟ ନିୟମ, ଦନ୍ତ୍ୟ ନିୟମ, ଅନୁନାସିକ୍ୟ ନିୟମ ଇତ୍ୟାଦି ବହୁ ଶବ୍ଦାଳଙ୍କାରର ସୁନିପୁଣ ବିନ୍ୟାସ ଦେଖିବାକୁ ମିଳେ । ପୁଣି ଆଦ୍ୟାନୁପ୍ରାସ (ଯୁ. ର.ଲ.୨/୧-୨୬) ମଧ୍ୟାନୁପ୍ରାସ, (ଯୁ. ର. ଭ ୩୦/୧-୧୭), ଅନୁପ୍ରାସ (ଲ. ଲୋ, ୩୪/୩୧-୩୩), ଲଟାନୁପ୍ରାସ (ଯୁ. ର. ଭ. ୩୭।୧-୧୨), ଆଦ୍ୟଯମକ- ୧୨।୧-୮, ପ୍ରାନ୍ତଯମକ-୧୪। ୧-୬, ସର୍ବଯମକ-୧୭।୩୦, ମହାଯମକ ଯୁ. ର. ଭ. ୧୯।୨୨-୨୪,ରୂପକ ୨୦।୧-୩ ବିରୋଧାଭାଷ ୪୪।୧-୪, ଅନ୍ତଲିପି ଓ ବହିଲିପି ୪୭।୧୨-୧୬। ପ୍ରତିଲୋମାନୁଲୋମ ୪୮/୨୩-୪୨, ଲୋମ, ପ୍ରତିଲୋମ, ବିଲୋମ, ଯୁ.ର.ଲ.୪୬/୫-, ଏକାକ୍ଷର ନିୟମ ଯୁ.ର.ଭ. ୬।୧-୧୨, ଏକ ଶବ୍ଦର ପୁନରୁକ୍ତି ଯୁ. ର. ଲ. ୭ମ ଛାନ୍ଦ । ଏହିପରି ଚିତ୍ରବନ୍ଧ, ଦତ୍ତ ଚ୍ୟୁତାକ୍ଷର, ଗୋମୁତ୍ରିକା ଶୃଙ୍ଖଳା, ମେଷଯୁଦ୍ଧ, ଛନ୍ଦ, ଶ୍ଲେଷ ଓ ବକ୍ରବାଣୀ (ଲ. ଲୋ. ୧୦ମ ଛାନ୍ଦ) ଇତ୍ୟାଦି ଶବ୍ଦାଳଙ୍କାରମାନଙ୍କର ପରିକଳ୍ପନା ଦେଖିବାକୁ ମିଳେ । କିନ୍ତୁ ବାସ୍ତବରେ ଏହାଦ୍ଵାରା କେବଳ କବି ସମୟ ପ୍ରସିଦ୍ଧି ପ୍ରତି ସମ୍ମାନ ପ୍ରଦର୍ଶନ ବ୍ୟତୀତ ଅନ୍ୟ କୌଣସି କାବ୍ୟିକ ମହତ୍ତ୍ଵ ପ୍ରତିପାଦିତ ହୋଇନାହିଁ । ଏହା ବ୍ୟତୀତ ବହୁ ଅର୍ଥାଳଙ୍କାରର ପ୍ରୟୋଗ ମଧ୍ୟ ଯଥା ସ୍ଥାନରେ କରାଯାଇଛି । କିନ୍ତୁ ଶବ୍ଦାଳଙ୍କାର ଗୁଡ଼ିକର ପରିକଳ୍ପନା ଅପେକ୍ଷା ଅର୍ଥାଳଙ୍କାରଗୁଡ଼ିକର ଧ୍ଵନ୍ୟାତ୍ମକ ପ୍ରୟୋଗ ବେଶ୍ ମନୋଜ୍ଞ ଓ ସୁଖ ପାଠ୍ୟ ହୋଇପାରିଛି ।

 

ଭାଷା ପ୍ରୟୋଗ

 

ଓଡ଼ିଆ ମଧ୍ୟ ଯୁଗୀୟ କବିମାନେ କାବ୍ୟିକ ଭାଷା ପ୍ରୟୋଗରେ ଅତ୍ୟନ୍ତ ସଚେତନ ଥିଲେ । ସେମାନେ ଓଡ଼ିଆରେ ଲେଖିଥିଲେ ମଧ୍ୟ ସଂସ୍କୃତ ଭାଷା ପ୍ରତି ଯେ ସେମାନଙ୍କର ଯଥେଷ୍ଟ ସମ୍ଭ୍ରମତା ଥିଲା, ଏଥିରେ କୌଣସି ସନ୍ଦେହ ନାହିଁ । ଧାର୍ମିକ ସାହିତ୍ୟ ଲୋକ ଭାଷାରେ ହିଁ ଲେଖାଯିବା ଦରକାର । ଏ ବିଷୟରେ ସମସ୍ତେ ସଚେତନ ଥିଲେ ମଧ୍ୟ ସଂସ୍କୃତ ଛାଡ଼ି ଓଡ଼ିଆରେ ଲେଖିବା ସତେ ଯେପରି ଗୋଟାଏ ଅପରାଧ ଭାବରେ ବିବେଚିତ ହେଉଥିଲା । ପ୍ରାକୃତ ଭାଷାର କବିମାନେ ସେଥିପାଇଁ ଅତ୍ୟନ୍ତ ସନ୍ତର୍ପିତ ଚିତ୍ତରେ ଲେଖିଯାଇଛନ୍ତି ଯେ, ମା ଶାରଳା, କୃଷ୍ଣ ଅଥବା ଜଗନ୍ନାଥ ଯାହା କହିଲେ ସେମାନେ କେବଳ ତାହାରେକର୍ଡ଼ କରିଛନ୍ତି, ନିଜେ କିଛି ଲେଖିନାହାନ୍ତି । ଏହିପରି ନିଜର କୃତିତ୍ଵକୁ କୃଷ୍ଣଙ୍କ ନିକଟରେ ସମର୍ପିଦେଇ ତତ୍‌କାଳୀନ ତଥାକଥିତ ପିଶୁନମାନଙ୍କ ସମାଲୋଚନାରୁ ନିଜକୁ ନିରାପଦ ଦୂରତ୍ଵରେ ରଖିବାକୁ ସେମାନେ ପସନ୍ଦ କରୁଥିଲେ । ସଦାନନ୍ଦ ମଧ୍ୟ ଯୁଗଳ ରସାମୃତ ଲହରୀରେ ଲେଖିଛନ୍ତି–

 

ଏ ମୋର କୃତ୍ୟ ବୋଲି ନମଣ, ଏ ସନାତନ ହେ ।

ଏ ସିନ୍ଧୁ ସ୍ଵଇଚ୍ଛା ଏ ଉତପନ୍ନ ହେ ।

କର୍ତ୍ତା ଯେହ୍ନେ ଅନାଗଳ ସ୍ତନ ହେ ।

 

ପ୍ରେମ ପଞ୍ଚାମୃତରେ ଭୂପତି ପଣ୍ତିତ କାବ୍ୟଭାଷା ବିଷୟରେ ଯାହା ବ୍ୟକ୍ତ କରିଛନ୍ତି, ତାହା ସେ ସମୟର ଭାଷା ବିଷୟକ ଚେତାନାର ଯଥାର୍ଥ ପ୍ରତିନିଧିତ୍ଵ କରେ ।

 

ଯେବେ ନ ଥାଇ କୃଷ୍ଣରସ, ସେ ସଂସ୍କୃତେ କାର୍ଯ୍ୟ କିସ ।

ପାଟ ବସନେ ଗୁଞ୍ଜ ଫଳ, ଥିଲେ ନୁହଇ ବହୁମୂଲ୍ୟ ।

ଚିରା କନାରେ ମାଣିକର, ଥିଲେ ନ ତୁଟେ ମୂଲ୍ୟତାର ।

କ୍ଳେଶେ ହୁଅଇ ରସଭୋଗ, ସବୁଙ୍କୁ ନୋହେ ଉପଯୋଗ ।

 

କବିଙ୍କ ମତରେ ସଂସ୍କୃତ ଯେ ‘ପାଟବସନ’ ଓ ଓଡ଼ିଆ ‘ଚିରାକନା’ ଏ କଥାଟି ଅତି ସ୍ପଷ୍ଟ-। ସେଥିପାଇଁ ଓଡ଼ିଆ କାବ୍ୟ କବିତା ଲେଖିବା ବେଳେ କବି ମାନେ ‘କଥା ନୋହେ ଦିବ୍ୟ ଅଦିବ୍ୟ ସମ’, ‘ଦିବ୍ୟ ଅଦିବ୍ୟ ଭାଷାରେ ପଦ ହେବ ସିଦ୍ଧି’ ଇତ୍ୟାଦି ଘୋଷଣା କରିଛନ୍ତି । ସଦାନନ୍ଦ ମଧ୍ୟ ଏକଥା ସହିତ ସମତାଳ ଦେଇ ଲେଖିଛନ୍ତି–

 

“ବହୁ ଛନ୍ଦ ବନ୍ଧ କାବ୍ୟ ପରାକୃତ ମତେ

ମୋ ମୁଖେ ପ୍ରକାଶିତ ସଂସ୍କୃତ ସମ୍ମିଳିତେ ।”

 

କିନ୍ତୁ ଏ ପରାକୃତ (ଓଡ଼ିଆ) ଓ ସଂସ୍କୃତ ସମ୍ମିଳିତ ଭାଷାରେ କେତେ ଖଣ୍ତି କାବ୍ୟ ଲେଖି ସାରିବା ପରେ ସଦାନନ୍ଦଙ୍କ ଭାଷାର ଆଭିମୁଖ୍ୟଟି ବଦଳି ଯାଇଛି । ସେ ପରବର୍ତ୍ତୀ କାଳରେ ‘ଗ୍ରାମ୍ୟ ଶବଦ ନୋହେ ଦୂଷିତ’ ବୋଲି କହି ଯଥାସମ୍ଭବ ସରଳ ଓଡ଼ିଆ ଭାଷାରେ ଗୋଟିକ ପରେ ଗୋଟିଏ ବ୍ରଜଲୀଳାତ୍ମକ କାବ୍ୟ ଲେଖିଛନ୍ତି । ତାଙ୍କ ଦୃଷ୍ଟିରେ ଶବ୍ଦଗୂଢ଼ ଓ ଅର୍ଥଗୂଢ଼ ପରିକଳ୍ପନାର ଆଉ କୌଣସି ପ୍ରୟୋଜନ ନାହିଁ-। ସରଳ ଭାଷାରେ ସଂକ୍ଷିପ୍ତ ଭାବରେ ବିଷୟ ବିନ୍ୟାସ କରି ସେ କାବ୍ୟ ଚାରୁତା ସମ୍ପାଦନ କରିଛନ୍ତି । ‘ସରଳ ଅଳପ ହେଲେ ହୁଅଇ ରୁଚିର, ବୋଲି ଘୋଷଣା କରିବା ସଙ୍ଗେ ସଙ୍ଗେ କାବ୍ୟକଥନର ଆଭିମୁଖ୍ୟ ବିଷୟରେ ସୂଚନା ଦେଇ ଲେଖିଛନ୍ତି–

 

ଯାର ଯେମନ୍ତ ସ୍ଵଭାବ ମତ,

ସେ ରଙ୍ଗେ ମନ ହରିବା’

(ଯ. ର. ଲ. ୩ୟ ଛାନ୍ଦ)

 

ସରଳ ଓ କଠିନ ସଂସ୍କୃତ ନିଷ୍ଠ ଭାଷାରେ ନିପୁଣ ପ୍ରୟୋଗରେ ମୋହନ କଳ୍ପଲତା କାବ୍ୟର ସପ୍ତମ ଛାନ୍ଦଟି ରୁଦ୍ଧିମନ୍ତ । ଯୁଗଳ ରସାମୃତ ଲହରୀର ୪୩ଶ ଛାନ୍ଦରେ ପ୍ରଯୁକ୍ତ କ୍ଲିଷ୍ଟ ଭାଷା ବ୍ୟବହାର ସହିତ ସେହି କାବ୍ୟର ପଞ୍ଚମ ଛାନ୍ଦର ସରଳ ତରଳ ଭାଷା ତୁଳନା କଲେ ଭାବାନୁସାରୀ କାବ୍ୟଭାଷା ପ୍ରୟୋଗରେ କବିଙ୍କ କଳାକୁଶଳତାର ଅପୂର୍ବ ଦକ୍ଷତା ଅନୁଭବ କରିହୁଏ-। ସରଳ ଭାଷାର ସୁଷ୍ଠୁ ପ୍ରୟୋଗ କରି ଯୁଗଳରସାମୃତ ଲହରୀର ଚତୁର୍ଥ ଓ ପଞ୍ଚମ ଛାନ୍ଦରେ ସେ ଯେଉଁ ଭାବମାଧୁର୍ଯ୍ୟ ସୃଷ୍ଟି କରିଛନ୍ତି, ତାହା ଓଡ଼ିଆ ସାହିତ୍ୟର ଗୋଟିଏ ଅମଳିନ ଗର୍ବ ଓ ଗୌରବ ଭାବରେ ସବୁଦିନ ପାଇଁ ଦେବୀପ୍ୟମାନ ହୋଇ ରହିଥିବ ।

Image

 

Unknown

ଚତୁର୍ଥ ପରିଚ୍ଛେଦ

ଧର୍ମ ଚେତନା

 

ରାଧାକୃଷ୍ଣ ଲୀଳା ଓ ପ୍ରେମଭକ୍ତି

 

“ତବଲୀଳାମୃତାଦ୍ଧିକୁ ଲଭୁ ଏ ନିକର”

(ମୋ କ)

–ସଦାନନ୍ଦ

 

ସଦାନନ୍ଦ ବହୁ ସ୍ଥଳରେ ଭଗଦଲ୍ଲୀଳା ଦର୍ଶନ ପାଇଁ ଭକ୍ତି ଗଦ୍‌ଗଦ୍ ଚିତ୍ତରେ ପ୍ରାର୍ଥନା କରିଛନ୍ତି । ପ୍ରଶ୍ନ ହେଉଛି ଲୀଳା କ’ଣ ? ଏହାର ସଂକ୍ଷିପ୍ତ ଉତ୍ତର ଦିଆଯାଇ ପାରେ – ଲୀଳା ଭାରତୀୟ ଭକ୍ତମାନଙ୍କର ଗୋଟିଏ ଅଭାବନୀୟ ଉତ୍ତୁଙ୍ଗ ପରିକଳ୍ପନା । ଏହା ସୁବିଦିତ ଯେ, ଭଗବାନ ଅନନ୍ତ, ଅଗୋଚର, ଅସୀମ ଓ ଅଗମ୍ୟ କିନ୍ତୁ ଏହା ମଧ୍ୟ ଭକ୍ତମାନଙ୍କୁ ଭଲଭାବେ ଜଣା ଯେ, ସେ ଅନୁଭବୈକଗମ୍ୟ । ସାଧକ ତାଙ୍କୁ ଦେଖେ, ଅନୁଭବ କରେ କିନ୍ତୁ କହିପାରେନି । ତେଣୁ ଭଗବାନଙ୍କୁ ଅନିର୍ବଚନୀୟ ‘ଜଡ଼ାର ଗୁଡ଼’ କୁହାଯାଏ । ଜଡ଼ା ଗୁଡ଼ର ସ୍ଵାଦ ଚାଖି ପାରେ କିନ୍ତୁ କହିପାରେନି । ଭଗବାନ ଜ୍ଞାନ ଗମ୍ୟ ନୁହନ୍ତି । କାରଣ ଜ୍ଞାନ ବୁଦ୍ଧିର ବିଷୟ ଓ ବୁଦ୍ଧି ଆମର ସୀମା ବିଷୟରେ ସଚେତନ କରାଇଦେଇ ନିବୃତ୍ତ ହୁଏ । ବୁଦ୍ଧି ଠାରୁ ଆତ୍ମା ବଡ଼ । ‘ବୁଦ୍ଧେରାତ୍ମା ମହାନ ପରଃ’ । ଭଗବାନଙ୍କ ସ୍ଵରୂପ ଆତ୍ମାଦ୍ଵାରା ଜଣାଯାଏ, ଅନୁଭବ କରିହୁଏ । ସେ ସତ୍ ଚିତ୍ ଆନନ୍ଦମୟ। ସେ ସ୍ଵୟଂ ଆନନ୍ଦ ରୂପ ଅମୃତ । ‘ଆନନ୍ଦ ରୂପମମୃତଂ ଯଦ୍ ବିଭାତି’ । ସେ ରସ ସ୍ଵରୂପ । ‘ରସୌବୈସଃ’ । କିନ୍ତୁ ସେ ରସ ପାଇ ଆନନ୍ଦୀ ହୁଅନ୍ତି । ‘ରସହ୍ୟେଦାୟଂ’ ‘ଲବ୍‌ଧ୍ଵାନନ୍ଦୀ ଭବତି’ । କାରଣ, ଏହା ହେଉଛି ଅପୂର୍ବ ଲୀଳାଧରଙ୍କ ଲୀଳା । ଲୀଳାହିଁ ଲୀଳାର କାରଣ, ଲୀଳାହିଁ ଲୀଳାର ଲକ୍ଷ୍ୟ । ଭକ୍ତ ନିକଟରେ କେବଳ ଭଗବତ ସାକ୍ଷାତ୍‌କାର, ଭଗବତ୍ ପ୍ରେମହିଁ ବଡ଼ କଥା । ଭଗବାନଙ୍କ ପ୍ରତି ଏକାନ୍ତ ପ୍ରେମଭକ୍ତି ସେହି ପ୍ରେମର ପ୍ରପଞ୍ଚ । ମାତା, ପିତା, ସଖା, କାନ୍ତା ଭାବରେ ଭକ୍ତ ଭଗବାନଙ୍କ ସହିତ ସମ୍ପର୍କ ସ୍ଥାପନ କରେ । ଏହି ସବୁ ସମ୍ବନ୍ଧ ତାଙ୍କର ପ୍ରେମ ପ୍ରକଟ କରନ୍ତି । ‘ତ୍ଵମେବ ମାତା ଚ ପିତା ତ୍ଵମେବ, ତ୍ଵମେବ ବନ୍ଧୁ ଶ୍ଚ ସଖା ତ୍ଵମେବ ।’ ଭକ୍ତମାନେ ଏହିପରି ନାନା ସମ୍ଵନ୍ଧ କଳ୍ପନା କରି ସେଥିରେ ତନ୍ମୟ ହୋଇ ନିଜ ହୃଦୟରେ ଭଗବାନଙ୍କ ସାକ୍ଷାତକାର କରନ୍ତି । ସମ୍ଵନ୍ଧର ଏକନିଷ୍ଠ ଅଭିମାନ ଯୋଗୁଁ ଭକ୍ତର ଭକ୍ତି ଦୃଷ୍ଟି ପ୍ରୋମାଞ୍ଜନରେ ଅନୁରଞ୍ଜିତ ହୁଏ ଏବଂ ଆଦିପୁରୁଷ କୃଷ୍ଣଙ୍କୁ ନିଜର ମାନସ ଭୂମିରେ ସେହି ଅନୁରଞ୍ଜିତ ରୂପରେ ଦେଖେ ।

 

ଏ ପ୍ରସଙ୍ଗରେ ଚୈତନ୍ୟ ଚରିତାମୃତର ଗୋଟିଏ ସୁନ୍ଦର ଘଟଣା ଉଲ୍ଲେଖ କରାଯାଇ ପାରେ । ଥରେ ଚୈତନ୍ୟ ମହାପ୍ରଭୁ ଦାକ୍ଷିଣାତ୍ୟ ଭ୍ରମଣରେ ଯାଇ ରାଜମାହେନ୍ଦ୍ରୀର ଗଙ୍ଗାକୂଳରେ ପହଞ୍ଚିଲେ । ସେଠାରେ ଉତ୍କଳ ଗଜପତିଙ୍କ ଭାରପ୍ରାପ୍ତ ଶାସକ ଭକ୍ତ ପ୍ରବର ରାୟ ରାମାନନ୍ଦଙ୍କ ସହିତ ତାଙ୍କର ସାକ୍ଷାତ ହେଲା । ଭଗବାନ ଓ ଭକ୍ତର ସମ୍ଵନ୍ଧ ଜିଜ୍ଞସା କରି ଚୈତନ୍ୟ ରାମାନନ୍ଦଙ୍କୁ ପଚାରିଲେ- ଭକ୍ତି କାହାକୁ କହନ୍ତି । ରାୟ ଉତ୍ତର ଦେଲେ ସ୍ଵଧର୍ମୀଚରଣହିଁ ଭକ୍ତି । ପୁଣି ପ୍ରଶ୍ନ ହେଲା- ଏତ ବାହ୍ୟ କଥା, ଭିତିରି କଥା କହ । ଉତ୍ତର- ଶ୍ରୀକୃଷ୍ଣଙ୍କ ଠାରେ ସମସ୍ତ କର୍ମ ଅର୍ପଣ କରି ଦେବାହିଁ ଭକ୍ତି । ଏତ ବାହ୍ୟ କଥା, ଆହୁରି ଭିତିରି କଥା କହ । ସର୍ବ କର୍ମ ପରିତ୍ୟାଗ ପୂର୍ବକ ଭଗବାନଙ୍କ ଠାରେ ଶରଣ ପଶିବାହିଁ ଭକ୍ତି । ଏହା ମଧ୍ୟ ବାହ୍ୟକଥା ପରବର୍ତ୍ତୀ କଥା କହ । ଭଗବାନଙ୍କ ପ୍ରତି ପରମ ପ୍ରେମହିଁ ଭକ୍ତି । ଏହା ମଧ୍ୟ ସ୍ଥୂଳ କଥା । ଆହୁରି ଭିତିର କଥା କହ । ଦାସ୍ୟ ପ୍ରେମହିଁ ଭକ୍ତି । ଏହା ମଧ୍ୟ ସ୍ଥୂଳ କଥା, ଆହୁରି ଗୁଢ଼ କଥା କହ । ସଖ୍ୟ ପ୍ରେମହିଁ ଭକ୍ତି । ଠିକ୍ ତଥାପି ପରବର୍ତ୍ତୀ କଥା କହ । କାନ୍ତାଭାବ ପ୍ରେମହିଁ ଭକ୍ତି । ଅତି ଉତ୍ତମ, କିନ୍ତୁ ଆହୁରି ଭିତିର କଥା କହ । ରାଧାଭାବ ପ୍ରେମହିଁ ପରମଭକ୍ତି । ହଁ ରାଧାଭାବ ହିଁ ଶ୍ରେଷ୍ଠ, କିନ୍ତୁ ଏଥିରେ ପ୍ରମାଣ କ’ଣ ଅଛି-?

 

ଏଇଠି ଲକ୍ଷ୍ୟ କରିବାର କଥା ଯେ ଚୈତନ୍ୟ ମହାପ୍ରଭୁ କେବଳ ଅନ୍ତିମ ଉତ୍ତର ପାଇଁ ପ୍ରମାଣ ଜିଜ୍ଞାସା କରିଥିଲେ । ତା ପୂର୍ବରୁ ସେ ଯେଉଁ ସବୁ ଉତ୍ତର ପାଇଥିଲେ, ସେ ସବୁ ତାଙ୍କର ଜଣା ଶୁଣା କଥା । ଶ୍ରୀମଦ୍ ଭଗବଦ୍ ଗୀତା ଓ ଶ୍ରୀମଦ୍ ଭାଗବତ ମହାପୁରାଣରେ ତାହାର ଭୂରି ଭୂରି ପ୍ରମାଣ ରହିଛି । କିନ୍ତୁ ଗୀତାରେ କିମ୍ଵା ଭାଗବତରେ ରାଧାଭାବ କଥା ନାହିଁ । ବୈଷ୍ଣବମାନଙ୍କ ପାଇଁ ଭଗବତ୍‍ ଦେବବତ୍ ଗ୍ରାହ୍ୟ । ‘ଶାସ୍ତ୍ରଂ ଭାଗବତଂ ପୁରାଣମମଳଂ’ । କିନ୍ତୁ ସେଥିରେ ରାଧାଭାବ ତ ଦୂରର କଥା ରାଧାଙ୍କ ନାମର ମଧ୍ୟ ଉଲ୍ଲେଖ ନାହିଁ । ଭକ୍ତିଶାସ୍ତ୍ର ଭାଗବତରେ ଯାହା ନାହିଁ ତାହା ପୁଣି ସର୍ବଶ୍ରେଷ୍ଠ ଭକ୍ତି କିପରି? ରାୟ ରାମାନନ୍ଦ ଗୀତଗୋବିନନ୍ଦରୁ ପ୍ରମାଣ ଉଦ୍ଧୃତ କରି କହିଲେ-

 

କଂସାରିରପି ସଂସାର ବାସନାବଦ୍ଧ ଶୃଙ୍ଖଳାମ୍

ରାଧାମାଦାୟ ହୃଦୟେ ତତ୍ୟାଜ ବ୍ରଜସୁନ୍ଦରୀଃ

 

ଅର୍ଥାତ୍ ଭଗବାନ୍ କୃଷ୍ଣ ରାଧାଙ୍କୁ ହୃଦୟରେ ଧାରଣ କରି ଅନ୍ୟ ସମସ୍ତ ଗୋପିକାଙ୍କୁ ପରିତ୍ୟାଗ କରିଥିଲେ । ଏଥିରୁ ଏହା ପ୍ରମାଣିତ ହେଉଛି ଯେ କାନ୍ତାଭାବରେ ମଧ୍ୟ ‘ରାଧାଭାବ’ ସର୍ବୋତ୍ତମ । ସାର କଥା ହେଉଛି ଯେ, ଭଗବାନଙ୍କ ଠାରେ ଭକ୍ତ ଯେତେ ପ୍ରକାର ସମ୍ଵନ୍ଧ କଳ୍ପନା କରିପାରେ ତା ମଧ୍ୟରେ କାନ୍ତାଭାବମୟ ପ୍ରେମ ହିଁ ଶ୍ରେଷ୍ଠ । ବୈଷ୍ଣବ ଭକ୍ତ କବିମାନେ ଏହି ସମ୍ଵନ୍ଧକୁ ଏତେ ମାର୍ମିକ ଓ ଜୀବନ୍ତ ଭାବରେ ବର୍ଣ୍ଣନା କରିଛନ୍ତି ଯେ, ସମଗ୍ର ଭାରତୀୟ ସାହିତ୍ୟରେ ଏହି ଅନନ୍ୟ ସାଧାରଣ ଅଲୌକିକ ପ୍ରେମଭକ୍ତିର ଆଉ ପଟାନ୍ତର ନାହିଁ । ଏହାହିଁ ହେଉଛି ଚୈତନ୍ୟପନ୍ଥୀ ବୈଷ୍ଣବ ଭକ୍ତ କବିମାନଙ୍କର ଜୀବନ ବ୍ୟାପୀ ଚରମ ସାଧନାର ମର୍ମକଥା ।

 

ଶ୍ରୀକୃଷ୍ଣ

 

ବୈଷ୍ଣବମାନେ କୃଷ୍ଣଙ୍କ ଉପାସକ । ଭଗବାନଙ୍କ ଅଠତିରିଶଟି ଅବତାର ମଧ୍ୟରୁ କୃଷ୍ଣାବତାର ଗୋଟିଏ ମୁଖ୍ୟ ଅବତାର । ଲୀଳା ବହୁଳତା ଯୋଗୁ ହିଁ କୃଷ୍ଣାବତାରର ପ୍ରାଧାନ୍ୟ ସ୍ଵୀକୃତ ହୋଇଛି । ପ୍ରଥମେ ଶ୍ରୀକୃଷ୍ଣ ଦୁଷ୍ଟ ସଂହାରକ ଓ ଶିଷ୍ଟ ପାଳକ ଭାବରେ ପରିଚିତ ଥିଲେ । କିନ୍ତୁ ଧୀରେ ଧୀରେ ଲୀଳାମୟ ରୂପରେହିଁ ବିଶେଷ ଭାବରେ ପ୍ରତିଷ୍ଠିତ ହେଲେ । ସମଗ୍ର ପୁରାଣ ସାହିତ୍ୟରେ କୃଷ୍ଣଙ୍କର ଦୁଇଟି ରୂପ ଦେଖିବାକୁ ମିଳେ । ପ୍ରଥମେ ସେ ଯଦୁକୁଳ ଶ୍ରେଷ୍ଠ, ବୀର, ରାଜା ଓ କଂସାରି । ଦ୍ଵିତୀୟରେ ସେ ଗୋପାଳ, ଗୋପୀଜନ ବଲ୍ଲଭ, ରାଧାଧର ସୁଧାପାନ ଶାଳୀ ବନମାଳୀ । ପ୍ରଥମ ରୂପଟି ବହୁ ପୁରାତନ ଓ ଦ୍ଵିତୀୟ ରୂପ ଅପେକ୍ଷାକୃତ ନବୀନ । କିନ୍ତୁ ଧୀରେ ଧୀରେ ପୁରାତନ ରୂପର ଗୌଣତା ଓ ନୂତନ ରୂପର ପ୍ରଧାନତା ପ୍ରତିଷ୍ଠିତ ହୋଇଛି । ଅଶ୍ଵଘୋଷ ଓ କାଳିଦାସଙ୍କ ରଚନାରେ ମହାଭାରତ ଓ ହରିବଂଶରେ ଗୋପାଳକୃଷ୍ଣଙ୍କ ବର୍ଣ୍ଣନା ଦେଖିବାକୁ ମିଳେ । ହରିବଂଶରେ ବୃନ୍ଦାବନ ବିହାରୀ କୃଷ୍ଣଙ୍କ ଶକଟ, ପୁତନା, ଧେନୁକ, କେଶୀ ଓ ପ୍ରଳମ୍ଵାସୁର ବଧ ଓ ହଲ୍ଲୀସକ ନୃତ୍ୟ କଥା ବର୍ଣ୍ଣନା କରାଯାଇଛି । ବିଷ୍ଣୁପୁରାଣରେ ମଧ୍ୟ ଏସବୁର ଉଲ୍ଲେଖ ଅଛି । ହରିବଂଶର ହଲ୍ଲୀସକ କ୍ରୀଡ଼ା ଭାଗବତରେ ରାସକ୍ରୀଡ଼ାରେ ପରିଣତ ହୋଇଛି । ଭାଗବତର ରାସପଞ୍ଚାଧ୍ୟାୟୀରେ ବର୍ଣ୍ଣିତ ରାସକ୍ରୀଡ଼ାରେ କବିତ୍ଵ ପୂର୍ଣ୍ଣ ଭକ୍ତିଭାବର ମହତ୍ତ୍ଵ ଯଥେଷ୍ଟ ବେଶୀ, ହରିବଂଶରେ ବର୍ଣ୍ଣିତ ସ୍ଥୂଳ ବିରହଭାବ ଭାଗବତରେ ମାଧୁର୍ଯ୍ୟ ବିମଣ୍ତିତ କଳାତ୍ମକ ରୂପ ପରିଗ୍ରହ କରିଛି । ପରବର୍ତ୍ତୀ ସାହିତ୍ୟରେ ଓ ଚିତ୍ରକଳାରେ ଏହି ବିରହ ମିଳନର ଚିତ୍ରଟି ତାର ଶତ ବର୍ଣ୍ଣାଢ଼୍ୟ ବିଭାରେ ଅନୁରଞ୍ଜିତ ହୋଇ ଉଠିଛି ।

ଦଶମ ଶତାବ୍ଦୀର ଲେଖକ କ୍ଷେମେନ୍ଦ୍ର ଓ ଅନ୍ୟାନ୍ୟଙ୍କ ‘ଦଶାବତାର ଚରିତ’ରେ ଶ୍ରୀକୃଷ୍ଣଙ୍କ ପ୍ରାଧାନ୍ୟ ପ୍ରଣିଧାନ ଯୋଗ୍ୟ । କୃଷ୍ଣ ମନୁଷ୍ୟ ରୂପରେ ଆବିର୍ଭୂତ ହୋଇଥିବାରୁ ଏବଂ ଜନସାଧାରଣଙ୍କୁ ତାଙ୍କର ଲୀଳା ମାଧୁର୍ଯ୍ୟ ପ୍ରଭାବିତ କରିଥିବାରୁ ଏହି ଅବତାରର ପ୍ରାଧାନ୍ୟ ସ୍ଵୀକୃତ ହୋଇଛି । କୃଷ୍ଣଲୀଳାରେ ଅଦ୍‌ଭୁତ ମାନବିକ ଅନୁଭୂତିର ସ୍ପର୍ଶ ରହିଛି । ଏହି ମାନବିକ ଆବେଦନକୁ ପୁଞ୍ଜି କରି ଭକ୍ତ କବିମାନେ କେତେ ଯେ ପ୍ରାଣସ୍ପର୍ଶୀ ଚିତ୍ର ଅଙ୍କନ କରିଛନ୍ତି ତାହାର ଇୟତ୍ତା ନାହିଁ । ମନୁଷ୍ୟର ଅସଂଖ୍ୟ ସଂକୀର୍ଣ୍ଣ ଇଚ୍ଛା, ଆକାଙ୍‌କ୍ଷା, ରାଗ, ଅନୁରାଗ ସବୁ ଭଗବନଙ୍କ ଉଦ୍ଦେଶ୍ୟରେ ପ୍ରେରିତ ହେଲେ, ସେଗୁଡ଼ିକ କ୍ଷୁଦ୍ରତା ପରିହାର କରି ମହାନ୍ ହୋଇ ଉଠନ୍ତି । ଏହି ଚିନ୍ତାରେ ଅନୁପ୍ରାଣିତ ହୋଇ କବିମାନେ ସମସ୍ତ ମାନବିକ ଅନୁରାଗକୁ ଭଗବତ୍ ଉଦ୍ଦେଶ୍ୟରେ ପ୍ରେରିତ କରିବା ପାଇଁ ପ୍ରଜତ୍ନ କରିଛନ୍ତି । ସଂସାରରେ ମନୁଷ୍ୟ ସ୍ତ୍ରୀ, ପୁତ୍ର, ଧନ, ଜନ, ଯଶ କୀର୍ତ୍ତି ଅର୍ଜନ ପାଇଁ ଯାହା କିଛି କରେ, ସେ ସବୁ ସଂକୀର୍ଣ୍ଣ ବୈୟକ୍ତିକ ସୁଖ ସ୍ଵାଚ୍ଛନ୍ଦ୍ୟ ଉଦ୍ଦେଶ୍ୟରେ ଉଦ୍ଦିଷ୍ଟ ଥିବାରୁ ସେଥିରେ କ୍ଷୁଦ୍ରତା ଓ ସଂକୀର୍ଣ୍ଣତା ରହିଯାଏ । କିନ୍ତୁ ଯଦି ତାହା ପୂର୍ଣ୍ଣତମ ଭଗବାନଙ୍କ ଉଦ୍ଦେଶ୍ୟରେ ପ୍ରବୃତ୍ତ ହୁଏ, ତେବେ ସେ ସବୁ ସମସ୍ତ ଜଗତର ମଙ୍ଗଳ ବିଧାୟକ ହୋଇଯାଆନ୍ତି । ସେଥିପାଇଁ ସବୁ ଭକ୍ତ କବିମାନେ ସମସ୍ତ ମାନବିକ ମନୋଭାବ ଗୁଡ଼ିକୁ ଭଗବତ୍ ପରାୟଣ କରିବାରେ ସେମାନଙ୍କର ସମସ୍ତ ଶକ୍ତି ବିନିଯୋଗ କରିଛନ୍ତି । ଭାଗବତରେ ଏହି କଥଟି ଅତି ସୁନ୍ଦର ଭାବରେ ବିଶ୍ଳେଷିତ ହୋଇଛି–

ଯଦ୍ ଯୁଜ୍ୟତେଽସୁବସୁ କର୍ମ ମନୋବଚୋଭି

ର୍ଦେହେନ୍ଦ୍ରିୟା ଦିଷୁନୃଭି ସ୍ତଦସତ୍ ପୃଥକ୍‌ତ୍ଵାତ୍ ।

ତୈରେବ ସଦ୍‌ଭବତି ଚେତ୍ କ୍ରିୟତେଽପୃଥକ୍‌ଭ୍ଵାତ୍

ସର୍ବସ୍ୟ ତଦ୍ ଭବତି ମୂଳ ନିଷେଚନ ଯତ୍ ।

 

ମାନବିକ ଅନୁରାଗମାନଙ୍କ ମଧ୍ୟରେ ସବୁଠାରୁ ପ୍ରବଳ ମନୋରାଗ ହେଉଛି ଦାମ୍ପତ୍ୟ ଓ ବାତ୍ସଲ୍ୟ । ଶ୍ରୀକୃଷ୍ଣଲୀଳାରେ ଏହି ମନୋରାଗର ଉପାଦାନ ପ୍ରଚୁର ମାତ୍ରରେ ଉପଲବ୍‌ଧ । ଭକ୍ତ କବିମାନେ ଏହି ମାନବିକ ରାଗ ଅନୁରାଗ ଗୁଡ଼ିକୁ କୃଷ୍ଣଲୀଳା ଗାନରେ ପ୍ରୟୋଗ କରି ପ୍ରାଣ ପ୍ରାଚୁର୍ଯ୍ୟରେ ପରିପୂର୍ଣ୍ଣ ସୃଷ୍ଟିସମ୍ଭାର ଛାଡ଼ି ଯାଇଛନ୍ତି ।

 

ଶ୍ରୀରାଧା : ସୃଷ୍ଟି, ସ୍ଥିତି ଓ ବ୍ୟାପ୍ତି

 

‘ରାଧା’ ଶବ୍ଦଟି ସାହିତ୍ୟ ଓ ଧର୍ମ ରାଜ୍ୟରେ ଗୋଟିଏ ଅନବଦ୍ୟ ସୃଷ୍ଟି । କେତେ ଯେ ସାହିତ୍ୟରସିକ ଓ ରାଗାନୁଗା ଭକ୍ତି ବିଗତ ଶହଶହ ବର୍ଷ ଧରି ଗୋଟିଏ ରାଧା ଶବ୍ଦର କାଉଁରୀ ସ୍ପର୍ଶରେ ଆଶ୍ଚର୍ଯ୍ୟ-ଚକିତ, ପୁଲକିତ ଓ ବିମୋହିତ ହୋଇଛନ୍ତି, ତାର ଇୟତ୍ତା ନାହିଁ । ରାଧାର ପ୍ରେମମୟ ମଧୁର ରୂପ ପରିକଳ୍ପନା ଓ ରାଧା ଭାବର ସ୍ଵର୍ଗୀୟ ଚେତନା ସୃଷ୍ଟି କରିବାରେ ଏ ଦେଶର ଅଗଣିତ ଯଶସ୍ଵୀ କବି, ସେମାନଙ୍କ ପ୍ରଚଣ୍ତ ପ୍ରତିଭା ପ୍ରସୂତ କବିତ୍ଵ ପୂର୍ଣ୍ଣ ଦକ୍ଷତା ପ୍ରଦର୍ଶନରେ ଯେଉଁ କୃତିତ୍ଵ ଅର୍ଜନ କରିଯାଇଛନ୍ତି । ତାହା ଯୁଗେ ଯୁଗେ ଜନତାର ଧର୍ମଧାରଣା ଓ ସାହିତ୍ୟ ଜିଜ୍ଞସାକୁ ଚରିତାର୍ଥ କରିବାରେ ଅପୂର୍ବ ସଫଳତା ହାସଲ କରି ଆସିଛି ।

 

ଯେଉଁ ରାଧାର ପ୍ରେମମୟ ମୂର୍ତ୍ତି ଆଜି ସର୍ବବିଦିତ ଓ ଯେଉଁ ରାଧାର ଐକାନ୍ତିକ ପ୍ରେମ ନିଷ୍ଠା ପରିପ୍ରକାଶରେ ସମଗ୍ର ଭାରତୀୟ ସାହିତ୍ୟ ମୁଖରିତ, ସେ ରାଧାର ଐତିହ୍ୟ କ’ଣ ଉତ୍‌ପତ୍ତି କେଉଁଠି ଏବଂ କିପରି ସେ ଅମର ଏତେ ଆପଣାର ହୋଇ ଉଠିଲେ, ସେ କଥା ଏବେ ଆଲୋଚକମାନଙ୍କର ଗବେଷଣାର ବିଷୟ । ଆଲୋଚନାର ଅନ୍ତ ନାହିଁ, କିନ୍ତୁ ନିର୍ଦ୍ଦିଷ୍ଟ ସିଦ୍ଧାନ୍ତର ସୂଚନା ମିଳୁନି । ସେଥିପାଇଁ କୃଷ୍ଣକୈନ୍ଦ୍ରିକ ବୈଷ୍ଣବ ଭକ୍ତି ସମ୍ପ୍ରଦାୟ ଗୁଡ଼ିକ ନିଜ ନିଜର ସାମ୍ପ୍ରାଦାୟିକ ଆବଶ୍ୟକତା ଦୃଷ୍ଟିରୁ ରାଧାଙ୍କ ସ୍ଵରୂପ ଓ ଶକ୍ତି ବିଷୟରେ ନିର୍ଦ୍ଦିଷ୍ଟ ନୀତି ନିରୂପଣ କରିଛନ୍ତି । ଏହି ସାମ୍ପ୍ରଦାୟିକ ଧାର୍ମିକ ଚିନ୍ତାରେ ଭକ୍ତମାନେ ଐକାନ୍ତିକ ଭକ୍ତି ପ୍ରକାଶ କରୁଥିଲେ ମଧ୍ୟ, ସାଧାରଣ ଆଲୋଚକ ସେହି ଭକ୍ତିପୃଷ୍ଟ ରାଧାତତ୍ତ୍ଵରେ ଆଦୌ ସନ୍ତୁଷ୍ଟ ନୁହେଁ । ତେଣୁ ସେ ରାଧାଙ୍କୁ ଜଣେ ଅସାମାନ୍ୟ ପ୍ରେମମୟୀ ନାରୀ ଭାବରେ ଦେଖିଛି । ସେଥିରେ ସେ ପାଇଛି ଚିରନ୍ତନ ନାରୀର ଅନନ୍ତ ରୂପପିପାସା, ଓ ଜୀବନ୍ତ ଦେହର ଅସରନ୍ତି କ୍ଷୁଧା । କିନ୍ତୁ ପ୍ରଶ୍ନଉଠେ, ରାଧା ଯଦି ଜଣେ ସାମାନ୍ୟ ନାରୀ ତେବେ ତାଙ୍କର ଜନ୍ମସ୍ଥାନ କେଉଁଠି ? ବଂଶ, ପରିବାର ତଥା ଗୋତ୍ର କ’ଣ ? କେଉଁ ଦେଶରେ ଓ କେତେବେଳେ ସେ ଜନ୍ମ ଗ୍ରହଣ କରଥିଲେ– ଏ ସମସ୍ତ ଐତିହାସିକ ତଥ୍ୟର ଉନ୍ମୋଚନ କରିବା କାହା ପକ୍ଷରେ ହେଲେ ସମ୍ଭବପର ହୋଇନାହିଁ । ଯଦି ରାଧାଙ୍କୁ ଉପାସ୍ୟା- ପ୍ରେମମୟୀ- ଦେବୀ କହିବା, ତେବେ ବି ସାହିତ୍ୟରେ ଓ ଧର୍ମଚେତନାରେ ତାଙ୍କର ଆବିର୍ଭାବ, ଜିଜ୍ଞାସାର ବିଷୟ ହୋଇ ରହିଛି । ନାନା ମୁନିଙ୍କ ନାନାମତ, ବିଷୟଟିକୁ ଆହୁରି ଜଟିଳ କରି ପକାଇଛି ।

 

ଭାରତୀୟ ସାହିତ୍ୟ ଓ ଧର୍ମୀୟ ଚେତନାରେ ରାଧାଙ୍କ ଆଦ୍ୟ ଉନ୍ମେଷ ବିଷୟ ନେଇ ଡକ୍ଟର ଭଣ୍ତାରକର କହନ୍ତି, ସିରିଆରୁ ଆସିଥିବା ଆଭୀର ସଂସ୍କୃତିରେ ପ୍ରଚଳିତ ବାଳକୃଷ୍ଣ ପୂଜା ଓ ପ୍ରେମମୟୀ ରାଧା, କାଳକ୍ରମେ ଆର୍ଯ୍ୟ ଧର୍ମଧାରଣାରେ ପ୍ରବେଶ ଲାଭକରିଛନ୍ତି । (୧) କେତେକଙ୍କ ମତରେ ସାଂଖ୍ୟ ଦର୍ଶନର ପ୍ରକୃତି ପୁରୁଷ ବାଦ (୨) ରାଧାକୃଷ୍ଣ ପରିକଳ୍ପନାର ମୂଳାଧାର । ଶ୍ରୀ ଯୋଗେଶଚନ୍ଦ୍ର ରାୟ କୃଷ୍ଣଳୀଳା ସହିତ ସମ୍ପୃକ୍ତ ସମସ୍ତ ନାମାବଳୀ, ଯଥା- ଅନୁରାଧା, ଜ୍ୟୋଷ୍ଠା, ଚିତ୍ରା, କୃତ୍ତିକା (କୀର୍ତ୍ତିଦା), ରୋହିଣୀ,ରେବତୀ ଇତ୍ୟାଦିର ସମ୍ପର୍କ ଜ୍ୟୋତିଃ, ଶାସ୍ତ୍ର-ଗତ ନକ୍ଷତ୍ର ବିଦ୍ୟାରେ ଉପଲବ୍‌ଧ ହେଉଥିବାରୁ, ରାଧାଙ୍କ ଉତ୍‌ପତ୍ତି ତତ୍ତ୍ଵ ଜ୍ୟୋତିଃ ଶାସ୍ତ୍ରପରକ ବୋଲି କେତେକ ଯୁକ୍ତି ଉପସ୍ଥାପିତ କରିଛନ୍ତି । (୩) କିନ୍ତୁ ଏ ସମସ୍ତ ପରିକଳ୍ପନା ବାସ୍ତବ ସମସ୍ୟାର ସମାଧାନରେ ଯୁକ୍ତିସିଦ୍ଧ ଦିଗ୍‌ଦର୍ଶନ ଦେଇ ପାରିନଥିବାରୁ ଏଗୁଡ଼ିକ ଆଜି ପ୍ରାୟ ପରିତ୍ୟକ୍ତ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । ବିଷୟ ବସ୍ତୁର ବ୍ୟାପକତା ଦୃଷ୍ଟିରୁ ଏତଦ୍‍ ସମ୍ପର୍କୀୟ ସମସ୍ତ ତଥ୍ୟ ଏହି ପ୍ରବନ୍ଧର ସୀମିତ କଳେବର ମଧ୍ୟରେ ଉପସ୍ଥାପିତ କରାଯାଇ ପାରିବନାହିଁ । ଏଣୁ ଅଲୋଚନାର ସୌକର୍ଯ୍ୟ ଦୃଷ୍ଟିରୁ ରାଧାଙ୍କ ବିଷୟ ଆଲୋଚିତ ହୋଇଥିବା ସମଗ୍ର ସଂସ୍କୃତ, ପ୍ରାକୃତ ଓ ପ୍ରାଦେଶିକ ସାହିତ୍ୟକୁ ସମୟାନୁକ୍ରମେ ତିନି ଭାବରେ ବିଭକ୍ତ କରାଯାଇ ପାରେ ।

 

ରାଧା କଥା ଚିନ୍ତା କରିବାକୁ ଗଲେ ସର୍ବପ୍ରଥମେ ଜୟଦେବଙ୍କ ‘ଗୀତଗୋବିନ୍ଦ’ କାବ୍ୟ ମନକୁ ଆସେ । କୃଷ୍ଣାଶ୍ରୟୀ ବୈଷ୍ଣବ ସମ୍ପ୍ରଦାୟର ଭକ୍ତଗଣ ଓ ସାହିତ୍ୟ ରସିକ ପାଠକମାନେ ‘ଗୀତଗୋବିନ୍ଦ’ରେ ପ୍ରେମମୟୀ ମୂର୍ତ୍ତି ରାଧାଙ୍କର ଯେଉଁ ଚମତ୍କାର ତଥା ସର୍ବାଙ୍ଗୀନ ଚିତ୍ର ଦେଖିବାକୁ ପାଆନ୍ତି, ତାହା ତା ପୂର୍ବରୁ କେଉଁଠି ହେଲେ ଚିତ୍ରିତ ହୋଇ ନ ଥିଲା । ଖ୍ରୀଷ୍ଟାବ୍ଦ ୧୦୫୦ବେଳକୁ ଉତ୍କଳର ଗଙ୍ଗରାଜ କାମାର୍ଣ୍ଣବ ଦେବଙ୍କ ସମୟରେ ‘ଗୀତଗୋବିନ୍ଦ’ ରଚିତ ହୋଇଥିବାର ନିର୍ଦ୍ଦିଷ୍ଟ ପ୍ରମାଣ ରହିଛି (୪) । ଅବଶ୍ୟ ତା ପୂର୍ବରୁ ପ୍ରଥମ ଶତାବ୍ଦୀ ଠାରୁ ଦ୍ଵାଦଶ ଶତାବ୍ଦୀ ମଧ୍ୟରେ ଲିଖିତ ଏକୋଇଶିଟି ସଂସ୍କୃତ ଓ ପ୍ରାକୃତ ଗ୍ରନ୍ଥ, ଶିଳାଲେଖ ତଥା ତାମ୍ର ଶାସନରେ ରାଧାଙ୍କ ନାମୋଲ୍ଲେଖ ଦେଖିବାକୁ ମିଳେ (୫) । ଏହି ଗ୍ରନ୍ଥମାନଙ୍କରେ ଥିବା କୌଣସି କୌଣସି ଶ୍ଳୋକର ସାମାନ୍ୟତମ ବର୍ଣ୍ଣନାରୁ ରାଧାଙ୍କ ବିଷୟରେ ଏତିକି ଧାରଣା କରି ହୁଏଯେ ରାଧା ଗୋକୁଳର ଜଣେ ଅପରୂପ ସୁଷମା ବିମଣ୍ତିତା କିଶୋରୀ ଗୋପିକା ଥିଲେ । କାଳନ୍ଦୀ ତୀରର ପ୍ରାକୃତିକ ଶୋଭା ପରିପୂର୍ଣ୍ଣ ପରିବେଶରେ କେଳି କଦମ୍ଵ ଲତା କୁଞ୍ଜରେ ଲୁଚି ଲୁଚି କୃଷ୍ଣଙ୍କ ସହିତ ଅହରହ ପ୍ରେମଲୀଳାରେ ମଗ୍ନ ଥିଲେ । କୃଷ୍ଣ ପର-ପୁରୁଷ ଥିଲେ ଓ ରାଧା ପରକୀୟା ନାରୀ ଥିଲେ । ତଥାପି ପ୍ରେମର ନିବିଡ଼ତା ଓ ପରସ୍ପର ପ୍ରତି ପ୍ରଚଣ୍ତ ଆକର୍ଷଣ ଦ୍ଵାରା ସେମାନେ ସମସ୍ତ ବାଧାବିଘ୍ନ ଅତିକ୍ରମ କରି ବାରମ୍ଵାର ମିଳିତ ହେଉଥିଲେ । ରାଧା ଗୋପୀକାମାନଙ୍କ ମଧ୍ୟରେ ଶ୍ରେଷ୍ଠ ଥିଲେ, ଓ ବେଳେବେଳେ ସେ ଖଣ୍ତିତା ନାୟିକା ଭାବରେ ଆଭିମାନର ଗୁରୁଯନ୍ତ୍ରଣା ପ୍ରକାଶ କରୁଥିଲେ । ରାଧାଙ୍କ ବିଷୟରେ ଦ୍ଵାଦଶ ଶତାବ୍ଦୀ ପର୍ଯ୍ୟନ୍ତ ମିଳୁଥିବ ବିଭିନ୍ନ ସାହିତ୍ୟିକ ସୂଚନା ଓ ଐତିହାସିକ ଶଙ୍କୁ ପର୍ଯ୍ୟାଲୋଚନା କରି ରାଧାଙ୍କର ଯେଉଁ ସାମଗ୍ରିକ ଚିତ୍ରଟି ଉପରେ ଉପସ୍ଥାପିତ କରାଯାଇଛି, ସେଥିରୁ ରାଧାଙ୍କ ଦେବୀତ୍ଵ ଆଦୌ ସୂଚିତ ହେଉନାହିଁ । ସେ ଯେ ଜଣେ କୃଷ୍ଣ ପ୍ରେମ-ପାଗଳିନୀ ନାରୀ ଥିଲେ, ଏହା ନିର୍ଦ୍ଦିଷ୍ଟ ଭାବରେ ନିର୍ଦ୍ଵନ୍ଦ୍ଵରେ ପ୍ରତିପାଦିତ ହେଉଛି ।

 

ଏଠାରେ ମନେରଖିବାର କଥା କେତେକ ଆଲୋଚକ ଅତ୍ୟଧିକ ଉତ୍ସାହର ବଶବର୍ତ୍ତୀ ହୋଇ ବେଦରେ ରାଧାଙ୍କ ଅସ୍ତିତ୍ଵ ପ୍ରତିଷ୍ଠା କରିବା ପାଇଁ ଯଥେଷ୍ଟ ପ୍ରୟାସ କରିଛନ୍ତି । କିନ୍ତୁ ସେମାନଙ୍କର ଏହି ପ୍ରଚେଷ୍ଟା ବ୍ୟର୍ଥତାରେ ପରିଣତ ହୋଇଛି । ଅନ୍ୟ ପକ୍ଷରେ କହିବାକୁ ଗଲେ ବେଦରେ ଶୃଙ୍ଗାରିକ (Passonate) ଭକ୍ତିର ଯଥେଷ୍ଟ ସୂଚନା ମିଳେ । (୬) ଏହି ପରମ୍ପରାର ସମୁଜ୍ଜ୍ଵଳ ନିଦର୍ଶନ ବହୁ ପ୍ରାଚୀନ ତାମିଲ ଭାଷାର ‘ଆଲ ଔର’ ଭକ୍ତଙ୍କ (5th Cent) ଇଶ୍ଵରୀୟ ପ୍ରେମଗୀତିକାରେ ଦେଖିବାକୁ ମିଳେ । (୭) ପରବର୍ତ୍ତୀ ପୁରାଣମାନଙ୍କରେ ଏହି ପରମ୍ପରାର ସଂରକ୍ଷଣ ଓ ଯଥେଷ୍ଟ ଅଭିବୃଦ୍ଧି ସାଧିତ ହୋଇଛି । ଭାଗବତ ପୁରାଣ ଏ କ୍ଷେତ୍ରରେ ସର୍ବଶ୍ରେଷ୍ଠ ଏବଂ ଏହାହିଁ ପରବର୍ତ୍ତୀ ଅସଂଖ୍ୟ କୃଷ୍ଣଲୀଳାତ୍ମକ ସାହିତ୍ୟର ମୂଳ ଉତ୍ସ ଭାବରେ ସ୍ଵୀକୃତ ।

 

ଯଦ୍ୟପି ‘ଆଲଔର’ ଭକ୍ତମାନଙ୍କ କବିତାରେ ସ୍ପଷ୍ଟ ଭାବରେ ‘ରାଧା’ଙ୍କ ନାମୋଲ୍ଲେଖ କରାଯାଇ ନାହିଁ, ତଥାପି ସେମାନଙ୍କ ଦ୍ୱାରା ରତିତ ପ୍ରାୟ ଚାରିହଜାର ପଦରେ ଅନ୍ୟାନ୍ୟ ଗୋପିକାମାନଙ୍କ ସହିତ ଶ୍ରୀକୃଷ୍ଣ ଓ ଗୋଟିଏ ପ୍ରମୁଖ ଗୋପୀର ବର୍ଣ୍ଣନା ଦେଖିବାକୁ ମିଳେ । ଏହି ପ୍ରମୁଖ ଗୋପିକାର ନାମ “ନାପ୍ ପିନାଇ”। ଅନୁମାନ କରାଯାଏ ଏହାର ପରବର୍ତ୍ତୀ ନାମାନ୍ତର ହିଁ ରାଧା । ଏହି ପଦ୍ୟମାଙ୍କରେ ଶ୍ରୀକୃଷ୍ଣହିଁ ଏକମାତ୍ର ପୂଜ୍ୟ ପୁରୁଷ ଭାବେ ଚିତ୍ରିତ । ଭକ୍ତ କବିଗଣ ନିଜକୁ ନାୟିକା (ସ୍ତ୍ରୀ) ଭାବରେ ଗ୍ରହଣ କରି ନିଜ ନିଜର ଐକାନ୍ତିକ ପ୍ରେମ ନିବେଦନ କରିଛନ୍ତି । ତତ୍ ପରବର୍ତ୍ତୀ ଶ୍ରୀମଦ୍ ଭାଗବତରେ ଗୋପୀ କୃଷ୍ଣଲୀଳାର ବିଶଦ ବିସ୍ତାର ଦେଖିବାକୁ ମିଳେ । ଭାଗବତ ନୀତିଗତ ଭାବେ ଗ୍ରହଣ କରିଛି ଯେ, ଗୋପୀମାନେ କୃଷ୍ଣଙ୍କ ପ୍ରତି କେବଳ କାମଭାବ ପ୍ରକାଶ କରି ମୁକ୍ତି ପାଇଲେ । (୮) ଏଥିରେ ଚିତ୍ରିତ ରାସଲୀଳାରେ କୃଷ୍ଣ ଓ ଗୋପିକାମାନଙ୍କ ମଧ୍ୟରେ ଘଟିଥିବା ବହୁ ଦୁର୍ବାର ବାସନାଦୀପ୍ତ ଶୃଙ୍ଗାରିକ ସମ୍ଭୋଗ ବର୍ଣ୍ଣନା ଦେଖିବାକୁ ମିଳେ । ଏଥିରେ ମଧ୍ୟ ଗୋଟିଏ ବିଶିଷ୍ଟ ଗୋପିକାର କୃଷ୍ଣଙ୍କ ପ୍ରତି ଅତ୍ୟନ୍ତ ଅନୁରକ୍ତି ପ୍ରକାଶିତ ହୋଇଅଛି । ସେହି ବିଶିଷ୍ଟ ଗୋପିକାଟି ନିଶ୍ଚିତଭାବେ ‘ରାଧା’ବୋଲି ଆଲୋଚକମାନେ ମନେ କରନ୍ତି । ଏଠାରେ ଦେଖିବାର କଥା ଜୟଦେବଙ୍କ ଆବିର୍ଭାବ କାଳ ଦ୍ଵାଦଶ ଶତାବ୍ଦୀ ସୁଦ୍ଧା ଗୋପୀ ଓ କୃଷ୍ଣଙ୍କ ମଧ୍ୟରେ କାମଲୀଳା ପୂର୍ଣ୍ଣ ଶୃଙ୍ଗାରିକ ଭକ୍ତି ଚେତନାର ଯଥେଷ୍ଟ ବ୍ୟାପ୍ତି ଘଟିଥିଲେ ମଧ୍ୟ ଏ ବର୍ଣ୍ଣନା ପ୍ରବାହରେ ରାଧାଙ୍କ ନାମର ଉଲ୍ଲେଖ ନାହିଁ ।

 

ଅପର ପକ୍ଷରେ ପୂର୍ବରୁ ଆଲୋଚିତ ଏକୋଇଶିଟି ଗ୍ରନ୍ଥର ପ୍ରେମ ବ୍ୟାପାର ବର୍ଣ୍ଣନାରେ କୃଷ୍ଣଙ୍କ ସହିତ ରାଧାଙ୍କ ନାମ ଉଲ୍ଲେଖ ହୋଇଥିଲେ ମଧ୍ୟ ସେଥିରେ ଶୃଙ୍ଗାରିକ ଭକ୍ତି ଚେତନାର କୌଣସି ସୂଚନା ନାହିଁ । ଏତିକିବେଳେ କବି ଜୟଦେବ ଆବିର୍ଭୂତ ହୋଇ ତାଙ୍କର ଯୁଗାନ୍ତକାରୀ ‘ଗୀତଗୋବିନ୍ଦ’ରେ ଏହି ଦୁଇ ତତ୍ତ୍ଵର ମଧୁର ସମନ୍ଵୟ ବିଧାନ କଲେ । ସାହିତ୍ୟ ଓ ଧର୍ମୀୟ ଚେତନାରେ ନତୂନ ଯୁଗ ପ୍ରବର୍ତ୍ତନ କଲେ, ସାହିତ୍ୟ ରାଜ୍ୟର ସୁପ୍ରସିଦ୍ଧ ପ୍ରେମମୟୀ ସାମାନ୍ୟ ନାରୀ ରାଧା, ଦେବୀତ୍ଵ ଗରିମା ଅର୍ଜନ କରିବା ସଙ୍ଗେ ସଙ୍ଗେ ଭକ୍ତମାନଙ୍କ ଦ୍ଵାରା ଆରାଧିକା ହୋଇ ଉଠିଲେ । ମାନବୀ ରାଧାଙ୍କୁ ଦେବୀର ଦୀପ୍ତିରେ ଉଦ୍‌ଭାସିତ କରିବାରେ ଭକ୍ତ କବି ଜୟଦେବଙ୍କ ଅବଦାନ ଅବିସମ୍ବାଦିତ । ସାହିତ୍ୟ ରସିକା ମହଲରେ ଏବଂ ଶୃଙ୍ଗାରୀ ଭକ୍ତ ସମ୍ପ୍ରଦାୟମାନଙ୍କରେ ‘ଗୀତଗୋବିନ୍ଦ’ ର ଯୁଗାନ୍ତକାରୀ ବର୍ଣ୍ଣନାର ବିଷୟ ନୁହେଁ ।

 

ଏଠାରେ ପ୍ରଶ୍ନଉଠେ ଗୀତଗୋବିନ୍ଦର ପ୍ରଣେତା କବି ଜୟଦେବ ହରି ସ୍ମରଣ ତତ୍ପର ଭକ୍ତ ଓ ବିଳାସ କୁତୁହଳୀ ସାଧାରଣ ପାଠକମାନଙ୍କର ତୃପ୍ତି ସାଧନ ପାଇଁ ଯେଉଁ ଅନବଦ୍ୟ କାବ୍ୟ ଖଣ୍ତିକ ସୃଷ୍ଟି କରିଗଲେ, ତାହା କ’ଣ ସ୍ଵଭାବିକ ଭାବେ ଆତ୍ମପ୍ରକାଶ କରିଥିଲା? ନା ରାଧା ଭାବର ଏହି ପରିଣତି ପାଇଁ କିଛି ଅନିବାର୍ଯ୍ୟ ଐତିହାସିକ, ସାମାଜିକ ତଥା ସାଂସ୍କୃତିକ ପରିବେଶ ଦାୟୀ ? ଏ ବିଷୟରେ ସମ୍ୟକ ଆଲୋଚନା ଅନ୍ୟତ୍ର କରାଯାଇଛି । ଏଠାରେ ଏତିକି କହିଲେ ଯଥେଷ୍ଟ ହେବ ଯେ, କେହି କେହି ଜୟଦେବଙ୍କୁ ବୈଷ୍ଣବ ସହଜିଆ ଭାବରେ ଗ୍ରହଣ କରି, ସହଜିଆ ଗୃହ୍ୟ ସାଧନାର ପରିପୋଷକ ତଥା ପ୍ରଚାରକ ଭାବରେ ଗୀତଗୋବିନ୍ଦର ମହତ୍ତ୍ଵ ପ୍ରତିପାଦନ କରନ୍ତି । ବୈଷ୍ଣବ ସହଜିଆ ଧର୍ମରେ ପୁରୁଷତତ୍ତ୍ଵ ଓ ସ୍ତ୍ରୀତତ୍ତ୍ଵର ପ୍ରତିପାଦନ ପ୍ରସଙ୍ଗରେ କୃଷ୍ଣତ୍ଵ ଓ ରାଧାତ୍ଵର ଉଲ୍ଲେଖ ଦେଖିବାକୁ ମିଳେ । ଏଠାରେ କୃଷ୍ଣ ଓ ରାଧ ‘ରସ’ ଓ ‘ରତି’ ଭାବରେ ସ୍ଵୀକୃତ । ଏହି ଗୁହ୍ୟ ସାଧନା ଅନୁସାରେ ପ୍ରତ୍ୟେକ ପୁରୁଷ ଓ ସ୍ତ୍ରୀ ନିଜ ନିଜର ‘ସ୍ଵରୂପ’ ବୋଧ ପାଇଁ ପ୍ରଥମେ ନିଜକୁ କୃଷ୍ଣ ଓ ରାଧା ଭାବରେ ଗ୍ରହଣ କରି ଲୌକିକ ରତିରେ ଲୀଳ ହେବା ଏକାନ୍ତ ଆବଶ୍ୟକ । କ୍ରମଶଃ ଏହି ଲୌକିକ କାମ-ରତି ଅଲୌକିକ ପ୍ରେମରେ ପରିଣତ ହୋଇ ସ୍ଵର୍ଗୀୟ ଆନନ୍ଦ ସୃଷ୍ଟି କରେ । ଏହି ଆନନ୍ଦୋପଲବ୍‍ଧିର ମୁହୂର୍ତ୍ତ ଗୁଡ଼ିକରେ ପୁରୁଷ ‘କୃଷ୍ଣତ୍ଵ’ ଓ ସ୍ତ୍ରୀ ‘ରାଧାତ୍ଵ’ରେ ନିମଜ୍ଜିତ ହୋଇ ସ୍ଵରୂପର ରହସ୍ୟ ହୃଦୟଙ୍ଗମ କରନ୍ତି । (୯) ଏହି ଧାର୍ମିକ ପଦ୍ଧତି, ଲୌକିକ ପରକୀୟା ପ୍ରୀତିରେ କାମଲୀଳାର ପ୍ରାଧାନ୍ୟ ସ୍ଵୀକାର କରି ତାହାରି ମାଧ୍ୟମରେ ଅଲୌକିକ ପ୍ରେମ ପ୍ରାପ୍ତିରେ ବିଶ୍ଵାସ କରୁଥିବାରୁ ‘ଗୀତଗୋବିନ୍ଦ’ ର ଶୃଙ୍ଗାରିକ ଭକ୍ତିମୂଳକ ଭୋଗଲିପ୍‌ସା ସହଜିଆ ଗୁହ୍ୟ ସାଧନାର ଅନୁକୂଳ ପରିକଳ୍ପନା ପରି ମନୋହେବା ସ୍ଵାଭାବିକ । କିନ୍ତୁ ବସ୍ତୁସ୍ଥିତ ବାସ୍ତବରେ ତାହା ନୁହେଁ । ଜୟଦେବଙ୍କ ପରିବର୍ତ୍ତୀ ସହଜିଆ ବୈଷ୍ଣବମାନେ ନିଜ ସାଧନା ପଦ୍ଧତିର ସ୍ଵୀକୃତି ଓ ଲୋକପ୍ରିୟତା ଅର୍ଜନ କରିବା ପାଇଁ ଜୟଦେବଙ୍କୁ “ଆଦିରସିକ” ବୋଲି ପ୍ରଚାର କରିଛନ୍ତି । କିନ୍ତୁ ଏଥିରେ ଐତିହାସିକ ସତ୍ୟତାର ଏକାନ୍ତ ଅଭାବ ପରିଲକ୍ଷିତ ହୁଏ । ଇତିହାସର ଛାତ୍ରମାନେ ଭଲଭାବେ ଜାଣନ୍ତି ଯେ, କିପରି ବୌଦ୍ଧ ସହଜିଆ ମତବାଦ (ଯାହାକୁ ତାନ୍ତ୍ରିକ ବୌଦ୍ଧ ବାଦ ମଧ୍ୟ କୁହାଯାଏ) ଜୟଦେବଙ୍କ ବହୁ ପରବର୍ତ୍ତୀ ସମୟରେ ବୈଷ୍ଣବ ସହଜିଆ ମତବାଦ ଭାବରେ ବିକାଶ ଲାଭ କରିଛି-

 

ଅନ୍ୟ ପକ୍ଷରେ କବି ତାଙ୍କ ‘ଗୀତଗୋବିନ୍ଦ’ରେ କିପରି, କାହିଁକି ଓ କେଉଁ ପରିସ୍ଥିତିରେ ଲୌକିକ ରାଧାଙ୍କୁ ଅଲୌକିକତା ପ୍ରଦାନ କଲେ ଏ ସବୁ ବିଷୟରେ ସତ୍ୟାନୁସନ୍ଧାନ କରିବାକୁ ହେଲେ ଜୟଦେବଙ୍କ ଜନ୍ମସ୍ଥାନ, କର୍ମଭୂମି ସାଧନା ପଦ୍ଧତି ତଥା ଧର୍ମ ବିଶ୍ଵାସ ଉପରେ ଯଥେଷ୍ଟ ଆଲୋକପାତ କରିବାକୁ ହେବ । ତ୍ରିକଳିଙ୍ଗ ଜୟଦେବଙ୍କ ଜନ୍ମସ୍ଥାନ ଓ କର୍ମଭୂମି ଥିଲା– ଏ ବିଷୟରେ ବହୁ ଆଲୋଚନା ହୋଇଯାଇଛି (୧୦) । ଦ୍ଵାଦଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ମହାପରାକ୍ରମୀ ଉତ୍କଳର ରାଜା ଅନଙ୍ଗଭୀମ ଦେବ ଦ୍ଵିତୀୟଙ୍କ ଦ୍ଵାରା ପୁରୀର ଜଗନ୍ନାଥ ମନ୍ଦିର ତିଆରି ହୋଇ ସାରିବା ପରେ ବହୁ ସାମ୍ପ୍ରଦାୟିକ ମତବାଦର ସମ୍ମିଶ୍ରଣରେ ସୁସମୃଦ୍ଧ ଜଗନ୍ନାଥ ଧର୍ମର ପ୍ରତିଷ୍ଠା ଓ ପ୍ରସାର ହେବାକୁ ଲାଗିଲା । ଅନଙ୍ଗଭୀମ ଦେବ ପରମବୈଷ୍ଣବ ଓ ଦୁର୍ଗାଙ୍କ ବରପୁତ୍ର ଥିଲେ । ଏଣୁ ସେ ସମୟରେ ଶ୍ରୀବୈଷ୍ଣବ ଧର୍ମ ତଦାନୀନ୍ତନ ପ୍ରଚଳିତ ଶାକ୍ତ ଓ ବୌଦ୍ଧ ମହାଯାନୀ ଚିନ୍ତାଧାରାକୁ ନିଜର ଅନ୍ତର୍ଗତ କରିନେଇ ଥିଲା । ଜଗନ୍ନାଥ ମନ୍ଦିର ବେଢ଼ାରେ ବିମଳାଙ୍କ ମନ୍ଦିର ପ୍ରତିଷ୍ଠା ଜଗନ୍ନାଥ ଧର୍ମ ଦର୍ଶନରେ ସର୍ବଧର୍ମ ସମନ୍ଵୟର ଏକ ପ୍ରକୃଷ୍ଟ ଉଦାହରଣ । ଚୋଡ଼ଗଙ୍ଗ ଦେବ ଓ ତାଙ୍କ ପୁଅ କାମାର୍ଣ୍ଣବ ଦେବ ଶ୍ରୀବୈଷ୍ଣବ ଧର୍ମ ସମ୍ପ୍ରଦାୟର ପ୍ରବର୍ତ୍ତକ ରାମାନୁଜଙ୍କ ଶିଷ୍ୟ ଥିଲେ । ବର୍ତ୍ତମାନର ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାରେ ଶ୍ରୀକୂର୍ମମ ପ୍ରଥମେ ଶ୍ରୀ ସମ୍ପ୍ରଦାୟର ଓ ବିଶେଷ କରି ସମ୍ମିଳିତ ଜଗନ୍ନାଥ ଧର୍ମର ପ୍ରଧାନ ପୀଠ ଥିଲା । ଗଙ୍ଗରାଜାମାନେ ଏହାର ପୃଷ୍ଠପୋଷକ ଥିଲେ । ବୈଷ୍ଣବ ଗୁରୁମାନେ ଏହି ଆସ୍ଥାନରେ ରହି ଧର୍ମ ପ୍ରଚାର କାର୍ଯ୍ୟରେ ଲୀପ୍ତ ଥିଲେ । କବି ଜୟଦେବ ମଧ୍ୟ ଏହି ପୀଠ ସହିତ ସଂପୃକ୍ତ ଥିଲେ । ଜଗନ୍ନାଥ ଧର୍ମ ମଧ୍ୟରେ ଶୈବ, ଶାକ୍ତ ଓ ବୌଦ୍ଧ ଚିନ୍ତାଧାରାକୁ ଉଦାରଭାବେ ଅନ୍ତର୍ଭୁକ୍ତ କରାଯାଇଥିଲା । ଜୟଦେବ ଜଣେ କୃଷ୍ଣଭକ୍ତ ବୈଷ୍ଣବ କବି ଥିଲେ ଏବଂ କୃଷ୍ଣ ସ୍ଵୟଂ ଜଗନ୍ନାଥ ଭାବେ ଆଗରୁ ସ୍ଵୀକୃତ ହୋଇ ସାରିଥିଲେ । ବୈଷ୍ଣବମାନେ ବିଷ୍ଣୁଙ୍କ ଶକ୍ତି ଭାବରେ ‘ଯୋଗମାୟାଙ୍କୁ’ ପରିକଳ୍ପନା କରିଛନ୍ତ । ପରେ ଶ୍ରୀବୈଷ୍ଣବମାନଙ୍କ ଦ୍ଵାରା ଜଗନ୍ନାଥ ଯେତେବେଳେ ନାରାୟଣ ରୂପରେ ଦେଖା ଦେଲେ ସେତେବେଳେ ଯୋଗମାୟା ଲକ୍ଷ୍ମୀରୂପେ ନାରାୟଣଙ୍କ ଶକ୍ତି ଭାବରେ ସ୍ଵୀକୃତି ହେଲେ । ପୁଣି ପରମ୍ପରା କ୍ରମେ ଜଗନ୍ନାଥଙ୍କୁ କୃଷ୍ଣ ଭାବରେ ଗ୍ରହଣ କରାଗଲେ ମଧ୍ୟ କୃଷ୍ଣଙ୍କ କୌଣସି ଶକ୍ତି ପ୍ରତିଷ୍ଠା କରାଯାଇ ନଥିଲା । ସେତେବେଳେ ଧର୍ମ ଜଗତରେ ଶକ୍ତି ଧାରଣଟି ଏତେ ପ୍ରବଳ ଥିଲା ଯେ ବିନା ଶକ୍ତିରେ ସାହଚର୍ଯ୍ୟରେ ‘ଶକ୍ତିମାନ’ର ପରିକଳ୍ପନା ଅସମ୍ଭବ ଥିଲା । ଏଣୁ କୃଷ୍ଣଭକ୍ତ କବି ଜୟଦେବ ସୁପ୍ରସିଦ୍ଧା କୃଷ୍ଣ ପ୍ରେମିକା- ନାରୀ ରାଧାଙ୍କୁ କୃଷ୍ଣଙ୍କ ଶକ୍ତି ଭାବରେ ପ୍ରତିଷ୍ଠା କରି ଦେବୀର ଗୌରବ ଅର୍ପଣ କଲେ । ଫଳରେ ରାଧା-କୃଷ୍ଣ ଯୁଗଳ ମୂର୍ତ୍ତିର ଆରାଧନା, ଯୋଗମାୟା-ବିଷ୍ଣୁ, ଲକ୍ଷ୍ମୀ-ନାରାୟଣଙ୍କ ପରି ପ୍ରତିଷ୍ଠା ଲାଭ କଲା । ଶ୍ରୀବୈଷ୍ଣବମାନଙ୍କ ସାମ୍ପ୍ରଦାୟକ ଦର୍ଶନରେ ପ୍ରତିଷ୍ଠିତ ‘ଲକ୍ଷ୍ମୀ’ ହିଁ ଜୟଦେବଙ୍କ ‘ଗୀତଗୋବିନ୍ଦ’ର ‘ରାଧା’ ଭାବରେ ଦେଖା ଦେଇଛନ୍ତି । ଏହାର ପ୍ରମାଣ ସ୍ଵରୂପ ରାମାନୁଜଙ୍କ ଶ୍ରୀବୈଷ୍ଣବ ଧର୍ମର ବହୁ ପ୍ରଭାବ ‘ଗୀତଗୋବିନ୍ଦ’ର ଛତ୍ରେ ଛତ୍ରେ ଦେଖିବାକୁ ମିଳେ । ଉଦାହରଣ ସ୍ୱରୂପ ‘ଗୀତଗୋବିନ୍ଦ’ର ଦ୍ଵାଦଶ ସ୍ୱର୍ଗର ଏକବିଂଶତି ଶ୍ଳୋକଟି ଉଦ୍ଧାର କରାଯାଇପାରେ । ସେଥିରେ କୃଷ୍ଣ ରାଧାଙ୍କୁ କହିଛନ୍ତି ଯେ, ସେ (ରାଧାର) ପୂର୍ବ ଜନ୍ମରେ ଲକ୍ଷ୍ମୀ ଥିଲେ । ସମୁଦ୍ର ବେଳାରେ ସେ (ରାଧା) ତାଙ୍କୁ (କୃଷ୍ଣଙ୍କୁ) ସ୍ଵାମୀ ଭାବରେ ବରଣ କରିବାରୁ ଶିବ ମର୍ମାହତ ହୋଇ ବିଷପାନ କରିଥିଲେ । ଏହା ବ୍ୟତୀତ ଗୀତ ଗୋବିନ୍ଦରେ କୃଷ୍ଣଙ୍କ ଉଦ୍ଦେଶ୍ୟରେ ‘ମାଧବ’ ଶବ୍ଦଟିର ବହୁ ପ୍ରଚଳନ ଦେଖାଯାଏ । ‘ମା’ ମାନେ ‘ଲକ୍ଷ୍ମୀ’ ‘ଧବ’ ମାନେ ‘ସ୍ଵାମୀ’ । ମାଧବ (କୃଷ୍ଣ) ଅର୍ଥ ଲକ୍ଷ୍ମୀଙ୍କ ସ୍ଵାମୀ । ଏଠାରେ ‘ଲକ୍ଷ୍ମୀ’ ରାଧାଙ୍କ ବ୍ୟତୀତ ଆଉ କେହି ନୁହନ୍ତି (୧୧) ।

 

ଏଣୁ ‘ଗୀତଗୋବିନ୍ଦ’ର ‘ରାଧାମାଧବ’ଙ୍କୁ ରାମାନୁଜଙ୍କ ‘ଲକ୍ଷ୍ମୀ-ନାରାୟଣ’ଙ୍କ ସହିତ ସହଜରେ ଚିହ୍ନିତ କରାଯାଇପାରେ । ସେତେବେଳେ ଶ୍ରୀବୈଷ୍ଣବମାନଙ୍କ ଧର୍ମପୀଠ ଶ୍ରୀକୂର୍ମ ଠାରୁ ମାଧବ ପୂଜା ପଦ୍ଧତି ଓଡ଼ିଶାର ପୁରୀ ଓ କଟକ ଜିଲ୍ଲାରେ କିପରି ପ୍ରଚାର ପ୍ରତିଷ୍ଠା ଲାଭ କରିଥିଲା ତାର ବହୁ ଐତିହାସିକ ପ୍ରମାଣ ରହିଛି (୧୨) । ଏହିପରି ଭାବେ ଲୌକିକ ସାହିତ୍ୟର କୃଷ୍ଣପ୍ରିୟା ରାଧା ଜୟଦେବଙ୍କ ଦ୍ଵାରା କୃଷ୍ଣପ୍ରିୟା ଦେବୀ ଭାବରେ ଅଧିଷ୍ଠିତା ହୋଇସାରିବା ପରେ ନିମ୍ବାର୍କ, ବିଷ୍ଣୁସ୍ଵାମୀ ଓ ମାଧ୍ଵାଚାର୍ଯ୍ୟ ସେମାନଙ୍କର ଦାର୍ଶନିକ ସିଦ୍ଧାନ୍ତ ମାଧ୍ୟମରେ ‘ରାଧାକୃଷ୍ଣ’ ଚିନ୍ତାଧାରାକୁ ପ୍ରତିଷ୍ଠିତ କରିବା ପାଇଁ ଚେଷ୍ଟା କରିଛନ୍ତି । ଏହା ସତ୍ତ୍ଵେ ବହୁ ଐତିହାସିକ କାରଣ ଯୋଗୁଁ ରାଧା, ଚୈତନ୍ୟଙ୍କ ପୁରୀ ଆଗମନ ଯାଏଁ ସମସ୍ତଙ୍କ ଆଦରର ପାତ୍ରୀ ହୋଇ ପାରି ନଥିଲେ । ଚୈତନ୍ୟଙ୍କ ଆବିର୍ଭାବ [୧୫୦୯ ଖ୍ରୀଷ୍ଟାବ୍ଦ] ରାଧା ଭାବର ଭୁୟୋ ବିକାଶ ଘଟାଇଲା । ତଥାପି ଚୈତନ୍ୟଙ୍କ ‘ଅଚିନ୍ତ୍ୟ ଭେଦାଭେଦ- ବାଦ’ ର ଦାର୍ଶନିକ ସିଦ୍ଧାନ୍ତ ଦୃଷ୍ଟିରୁ ପ୍ରଚଳିତ ପ୍ରସ୍ଥାନ କ୍ରୟୀ ଉପରେ ଭାଷ୍ୟ ଉପସ୍ଥାପିତ କରାଯାଇ ନଥିବାରୁ ସେ ସମୟର ପଣ୍ତିତ ମଣ୍ତଳୀ ଚୈତନ୍ୟଙ୍କ ମତରେ ଗୋଟିଏ ଦାର୍ଶନିକ ସାମ୍ପ୍ରଦାୟିକ ସିଦ୍ଧାନ୍ତ ଭାବେ ଗ୍ରହଣ କରି ନ ଥିଲେ । ୧୭୪୦ ଖ୍ରୀଷ୍ଟାବ୍ଦରେ ରାଜସ୍ଥାନର ଜୟପୁରଠାରେ ଅନୁଷ୍ଠିତ ହୋଇଥିବା ମହାଭାରତୀୟ ଧର୍ମ ସମ୍ମେଳନରେ ଓଡ଼ିଶାର ଚୈତନ୍ୟପନ୍ଥୀ ବୈଷ୍ଣବ ଦାର୍ଶନିକ ଶ୍ରୀବଳଦେବ ବିଦ୍ୟାଭୂଷଣ ଚୈତନ୍ୟ ମତବାଦ ଦୃଷ୍ଟିରୁ ପ୍ରସ୍ଥାନକ୍ରୟୀ ଉପରେ ପାଣ୍ତିତ୍ୟପୂର୍ଣ୍ଣ ‘ଗୋବିନ୍ଦଭାଷ୍ୟ’ ଉପସ୍ଥାପିତ କରି ସାରିବା ପରେ ଏହା ଏକ ସାମ୍ପ୍ରଦାୟିକ ଦର୍ଶନ ଭାବେ ସ୍ଵୀକୃତି ଓ ମର୍ଯ୍ୟାଦା ଲାଭ କରିବାକୁ ସମର୍ଥ ହେଲା । ସେହିଦିନଠାରୁ ବିଶେଷ ଭାବରେ ସର୍ବଭାରତୀୟ ସ୍ତରରେ ରାଧାକୃଷ୍ଣ ଯୁଗଳ ମୂର୍ତ୍ତି ଉପାସନା ସ୍ଵୀକୃତ ହେଲା ଓ ରାଧାକୃଷ୍ଣାଶ୍ରୀତ ଶୃଙ୍ଗାରିକ ଭକ୍ତି ଚେତନାର ବନ୍ୟା ସମଗ୍ର ଭାରତ ବର୍ଷରେ ଏପରି ପ୍ରବାହିତ ହେଲା ଯେ, ଲୌକିକ ତଥା ଭକ୍ତ ସମସ୍ତ କବି ରାଧାକୃଷ୍ଣଙ୍କୁ କେନ୍ଦ୍ରକରି ଅସରନ୍ତି ସାହିତ୍ୟର ଅମୃତ ପ୍ରବାହ ସୃଷ୍ଟି କରିଗଲେ । ସେହିଦିନ ଠାରୁ ପୂଜା ଓ ଆରାଧନା କ୍ଷେତ୍ରରେ ମଧ୍ୟ ରାଧାକୃଷ୍ଣ ଯୁଗଳ ମୂର୍ତ୍ତିର ପ୍ରଚଳନ ଦେଖିବାକୁ ମିଳେ । ଓଡ଼ିଶାରେ ରାଧାଭାବର ଏତେ ଲୋକପ୍ରିୟତା ସତ୍ତ୍ଵେ ୧୭୪୦ ଖ୍ରୀଷ୍ଟାବ୍ଦ ପୂର୍ବରୁ କେଉଁଠି ହେଲେ ଗୋଟିଏ ରାଧାକୃଷ୍ଣ ଯୁଗଳମୂର୍ତ୍ତିର ସନ୍ଧାନ ଆଜି ପର୍ଯ୍ୟନ୍ତ ମିଳିନାହିଁ । ଏହି ରାଧାକୃଷ୍ଣ ଲୀଳାର ଦାର୍ଶନିକ ସ୍ଵୀକୃତି ବହୁ ମୂକ କବିଙ୍କୁ ବାଚାଳ କରିଛି ଓ ଶୃଙ୍ଗାରୀ ମଣିଷର ମନ ଓ ଚୈତନ୍ୟର ଦିଗବିଦିଗ ଉଦ୍‌ଘାଟନ କରି ସେଗୁଡ଼ିକୁ ଲଳିତ-କଳାତ୍ମକ ସଫଳ- ରୂପ ପ୍ରଦାନରେ ଅପୂର୍ବ ସୁଯୋଗ ଦେଇଛି ।

ଉପରୋକ୍ତ ଆଲୋଚନାରୁ ସ୍ପଷ୍ଟ ପ୍ରତୀତ ହେଉଛି ଯେ, ଖ୍ରୀଷ୍ଟୀୟ ଦ୍ଵାଦଶ ଶତାବ୍ଦୀ ପର୍ଯ୍ୟନ୍ତ ‘ରାଧା’ଲୌକିକ ସାହିତ୍ୟର ଜଣେ କୃଷ୍ଣପ୍ରିୟା ନାୟିକା ଥିଲେ । ଖ୍ରୀଷ୍ଟବ୍ଦ ୧୧୫୦ ପରେ ଜୟଦେବ ଓ ଅନ୍ୟାନ୍ୟ ଦାର୍ଶନିକ ସମ୍ପ୍ରଦାୟମାନେ ତାଙ୍କୁ କୃଷ୍ଣବଲ୍ଲଭା ଦେବୀର ଗୌରବ ପ୍ରଦାନ କଲେ । ପୁଣି ୧୭୪୦ ଖ୍ରୀଷ୍ଟାବ୍ଦ ଠାରୁ ସେ ମୂର୍ତ୍ତି ରୂପରେ ମଧ୍ୟ ଭାରତରେ ମନ୍ଦିରମାନଙ୍କରେ କୃଷ୍ଣଙ୍କ ସହିତ ପୂଜିତା ହେଲେ । ତା ପରଠାରୁ ଧର୍ମ ଓ ସାହିତ୍ୟରେ ରାଧାଙ୍କର ଯେଉଁ କମନୀୟ ରୂପଟି ବହୁଧା ଚିତ୍ରିତ ହୋଇଛି ତାହାର ପଟାନ୍ତର ସମଗ୍ର ଭାରତୀୟ ସାହିତ୍ୟରେ ଆଉ ନାହିଁ ।

ଆଜି ସମଗ୍ର ପାଠକ ମହଲରେ ‘ରାଧା’ ଗୋଟିଏ ଚମତ୍କାର ମଧୁର ପରିକଳ୍ପନା, ପ୍ରେମ ପରାକାଷ୍ଠାର ବର୍ଣ୍ଣାଢ଼୍ୟ ବୈଚିତ୍ୟରେ ସେ ଆଜି ଅନନ୍ୟ ସାଧାରଣ କମନୀୟ ସାରସ୍ଵତ ସାଧନାରେ ଜଣେ ସାର୍ଥକ ତଥା ମନୋଜ୍ଞ ଅଭିବ୍ୟକ୍ତି । କବି କଳ୍ପନାର ନିର୍ଝରିଣୀ, ଭାବୁକ ମନର କୁହୁକିନୀ ରସୋତ୍ତୀର୍ଣ୍ଣା ନାରୀ । ମନେହୁଏ ଏହି ଗୋଟିଏ ରାଧାର ଅଭାବରେ କୋଟିଏ ପ୍ରାଣର ବୁକୁଫଟା ଆର୍ତ୍ତନାଦ ଅକୁହା ରହି ଯାଇଥାନ୍ତା । ଦେହ ମଧ୍ୟଦେଇ ବିଦେହର ଅନୁଭୂତି, ରୂପ ମଧ୍ୟ ଦେଇ ଅପରୂପର ଉପଲବ୍‍ଧି ଚିନ୍ତା ମଧ୍ୟ ଦେଇ ଅଚିନ୍ତ୍ୟର ସାକ୍ଷାତକାର କିପରି କରିବାକୁ ହୁଏ ତାହାର ସମୁଜ୍ଜ୍ଵଳ ନିଦର୍ଶନ ଭାବରେ ଏହି ରାଧା ଯୁଗେ ଯୁଗେ ଜଞ୍ଜାଳ-ଜଟିଳ-ମାନବ ସମାଜକୁ ଅନୁପ୍ରାଣୀତ କରୁଥିବ, ଦିଗ୍ ଦର୍ଶନ ଦେଉଥିବ ।

ମଧୁର ରସଚେତନା

କବି ସଦାନନ୍ଦ ତାଙ୍କର ବ୍ରଜଲୀଳାତ୍ମକ ବହୁ କାବ୍ୟର ବିଭିନ୍ନ ସ୍ଥାନରେ ମଧୁର ରସର (୧) ନାମୋଲ୍ଲେଖ କରି କୃଷ୍ଣଚନ୍ଦ୍ରଙ୍କର ମାଧୁର୍ଯ୍ୟ ଲୀଳା (୨) ହିଁ ବୈଷ୍ଣବ ଭକ୍ତମାନଙ୍କର ଏକମାତ୍ର ଧ୍ୟେୟ ବସ୍ତୁ ବୋଲି ଘୋଷଣା କରିବା ସଙ୍ଗେ ସଙ୍ଗେ ଶୃଙ୍ଗାର ରସଠାରୁ ମଧୁର ରସର ସ୍ଵାତନ୍ତ୍ର୍ୟ ବିଷୟରେ ଯଥେଷ୍ଟ ସୂଚନା ଦେଇଛନ୍ତି, ଯଦ୍ୟପି ବର୍ଣ୍ଣନାର ପରିପାଟୀରୁ ସାହିତ୍ୟଶାସ୍ତ୍ର ସମ୍ମତ ଶୃଙ୍ଗାର ରସଠାରୁ ଏହାର କୌଣସି ବିଶେଷ ସାତନ୍ତ୍ର୍ୟ ସାଧାରଣ ରସିକ ପାଠକ ଦୃଷ୍ଟିରେ ଧରାପଡ଼େ ନାହିଁ, ତଥାପି ଚୈତନ୍ୟ ପନ୍ଥୀ ବୈଷ୍ଣବ ସମ୍ପ୍ରଦାୟର ପ୍ରତିଷ୍ଠାତା ଗୋସ୍ଵାମୀମାନଙ୍କ ବିଭିନ୍ନ ଗ୍ରନ୍ଥରେ ଏତଦ୍ ବିସୟକ ବିସ୍ତୃତ ଆଲୋଚନା (୩) ଦେଖିବାକୁ ମିଳେ ।

ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା ତାଙ୍କ କାବ୍ୟ ସମୂହର ବହୁ ସ୍ଥଳରେ ଅତ୍ୟନ୍ତ ଭକ୍ତିର ସହିତ ଶ୍ରୀରୂପଗୋସ୍ଵାମୀଙ୍କ ନାମୋଲ୍ଲେଖ କରିବା ସଙ୍ଗେ ସଙ୍ଗେ ତାହାଙ୍କ ଦ୍ଵାରା ଲିଖିତ ବହୁ ସଂସ୍କୃତ ଗ୍ରନ୍ଥର ସବୁ ବୈଷ୍ଣବୀୟ ତତ୍ତ୍ଵ ଓ ତଥ୍ୟ ସଂଗ୍ରହ କରି ନିଜର ଓଡ଼ିଆ କାବ୍ୟମାନଙ୍କରେ ଉପସ୍ଥାପିତ କରିଥିବା କଥା ମୁକ୍ତ କଣ୍ଠରେ ସ୍ଵୀକାର କରଛନ୍ତି (୪) । ଶ୍ରୀ ରୂପ ଗୋସ୍ଵାମୀ ତାଙ୍କର ଭକ୍ତି ରସାମୃତ ସିନ୍ଧୁ ଗ୍ରନ୍ଥରେ ମଧୁର ରସର ବିଶ୍ଳେଷଣ କରିବାକୁ ଯାଇ ଲେଖିଛନ୍ତି-“ଆତ୍ମୋଚିତ ବିଭାବାଦି ଦ୍ଵାରା ମଧୁରାରତି ଯେତେବେଳେ ସଦାଶୟ ବ୍ୟକ୍ତିମାନଙ୍କ ହୃଦୟରେ ପୁଷ୍ଟ ହୁଏ ସେତେବେଳେ ଏହାକୁ ମଧୁର ନାମକ ଭକ୍ତିରସ କୁହାଯାଏ । ଅତ୍ୟନ୍ତ ଦୁରୂହ ଓ ରହସ୍ୟମୟ ଏହି ରସ ନିବୃତ୍ତ ଚିତ୍ତ ଲୋକମାନଙ୍କ ପାଇଁ ଅନୁପଯୋଗୀ । ଏହା ଅତ୍ୟନ୍ତ ବିଶାଳ ଓ ବିତତାଙ୍କ ହେଲେ ମଧ୍ୟ ଏଠାରେ ସଂକ୍ଷିପ୍ତ ଭାବରେ କୁହାଯାଉଛି” ।

“ଆତ୍ମୋଚିତ ବିଭାବାଦୌ ପୁଷ୍ଟିଂ ନୀତା ସତାଂ ହୃଦି

ମଧୁରାଖ୍ୟୋ ଭବେଦ୍‍ ଭକ୍ତି ରସୋଽସୌ ମଧୁରାରତିଃ

ନିବୃତ୍ତାନୁପଯୋଗିତ୍ଵାଦ୍ ଦୁରୂହବାଦୟଂ ରସଃ

ରହସ୍ୟଉଦ୍‌ବାଚ୍ଚ ସଂକ୍ଷିପ୍ୟ ବିତତାଙ୍ଗୋପି ଲିଖ୍ୟତେ”

 

ଯେଉଁ ସାହିତ୍ୟ ସମାଲୋଚକମାନେ ସାହିତ୍ୟ ଶାସ୍ତ୍ରୀୟ ଶୃଙ୍ଗାର ରସ ନିଷ୍ପତ୍ତିର ଧାରା ବିଷୟରେ ପୂର୍ଣ୍ଣ ସଚେତନ, ସେମାନେ ଜାଣି ରଖିବା ଉଚିତ୍ ଯେ, ଏହି ମଧୁର ନାମକ ଭକ୍ତି ରସରେ କେବଳ ଭଗବତ୍ ବିଷୟକ ରତି ହିଁ ସ୍ଥାୟୀ ଭାବ ହୁଏ । ଭକ୍ତମାନଙ୍କର ସ୍ଵଭାବ ଅନୁସାରେ ଏହି ରତି ପାଞ୍ଚ ପ୍ରକାରର ହୋଇଥାଏ । ଶାନ୍ତ, ଦାସ୍ୟ, ସଖ୍ୟ, ବାତ୍ସଲ୍ୟ ଓ ମଧୁର ସ୍ଵଭାବ ଅନୁସାରେ ଭକ୍ତମାନେ କ୍ରମାନ୍ୱୟରେ ଶାନ୍ତା, ପ୍ରୀତା, ପ୍ରେୟସୀ, ଅନୁକମ୍ପା, ଓ କାନ୍ତା ରତି ଭାବ ଅନୁଭବ କରିଥାନ୍ତି । ଏ ସବୁ ଯଦି ଜଡ଼ ଜଗତର ବିଷୟ ହୁଅନ୍ତି ତେବେ ଏମାନଙ୍କ ମଧ୍ୟରୁ ଶାନ୍ତା ରତି ସବୁଠାରୁ ଶ୍ରେଷ୍ଠ ବୋଲି ବିବେଚିତ ହୁଏ, ଏବଂ ପ୍ରୀତା, ପ୍ରେୟସୀ, ଅନୁକମ୍ପା ଓ କାନ୍ତା କ୍ରମଶଃ ନ୍ୟୂନ ଭାବରେ ଗୃହୀତ ହୁଅନ୍ତି । ଏହିପରି ସବୁଠାରୁ ନ୍ୟୂନ କାନ୍ତା ବିଷୟକ ରତି ଶୃଙ୍ଗାର ନାମ ଗ୍ରହଣ କରେ । ଜଡ଼ ବିଷୟକ ହେଲେ ତାହା (କାନ୍ତା ବିଷୟକ ରତି) ସବୁଠାରୁ ଉତ୍କୃଷ୍ଟ ବୋଲି ବିବେଚିତ ହୁଏ । ସାରକଥା ହେଲା, ଯେଉଁ ଶୃଙ୍ଗାର ରସକୁ ଜଡ଼ ବିଷୟକ ବୋଲି ବୈଷ୍ଣବମାନେ ଅତ୍ୟନ୍ତ ନିକୃଷ୍ଟ ମନେକରନ୍ତି, ସେହି ଶୃଙ୍ଗାର ରସ ଭଗବଦ୍‍ ବିଷୟକ ହୋଇ ସର୍ବଶ୍ରେଷ୍ଠ ମଧୁର ରସରେ ପରିଣତ ହୁଏ । ଯଦ୍ୟପି ବୈଷ୍ଣବ ରସ ଶାସ୍ତ୍ର ଅନୁସାରେ ଏହାକୁ ଶୃଙ୍ଗାର କହିବା ଅନୁଚିତ ତଥାପି କେବଳ ବ୍ରଜସୁନ୍ଦରୀମାନଙ୍କ ପାଇଁ ଶୃଙ୍ଗାର ଓ ମଧୁର ଏକ ଅଭିନ୍ନ ରସ ଭାବରେ ସ୍ଵୀକୃତ । କାରଣ ସେମାନଙ୍କ ପାଇଁ କାମ ଏ ପ୍ରେମ ମଧ୍ୟରେ କୌଣସି ଭେଦଭାବ ନାହିଁ । ଭକ୍ତିରସାମୃତ ସିନ୍ଧୁରେ ରୂପଗୋସ୍ଵାମୀ ସ୍ପଷ୍ଟଭାବେ ଉଲ୍ଲେଖ କରିଛନ୍ତି ଯେ ଗୋପରମଣୀମାନଙ୍କ ‘ପ୍ରେମ’ ହିଁ ‘କାମ’ ପଦବାଚ୍ୟ ।

 

“ପ୍ରେମୈବ ଗୋପରାମାଣଂ କାମ ଇତ୍ୟଗମତ୍ ପ୍ରଥମ୍”

 

ଭକ୍ତି ଶାସ୍ତ୍ରରେ ଜଡ଼ ବିଷୟକ ଅନୁରାଗକୁ ‘କାମ’ ଓ ଭଗବଦ୍ ବିଷୟକ ଅନୁରାଗକୁ ‘ପ୍ରେମ’ କୁହାଯାଏ । ଗୋପୀମାନଙ୍କର ସମସ୍ତ କାମନାର ବିଷୟ ଭଗବାନ୍‍ ଶ୍ରୀକୃଷ୍ଣ ଥିଲେ । ସେଥିପାଇଁ ସେମାନଙ୍କର କାମଭାବନାକୁ କଦାପି ‘ଜଡ଼’ ବିଷୟକ କୁହାଯାଇ ପାରିବ ନାହିଁ । ଗୀତଗୋବିନ୍ଦରେ କୃଷ୍ଣଙ୍କ ବର୍ଣ୍ଣନା ପ୍ରସଙ୍ଗରେ କୁହାଯାଇଛି “ବ୍ରଜସୁନ୍ଦରୀମାନଙ୍କ ଦ୍ଵାରା ସ୍ଵଚ୍ଛନ୍ଦ ଭାବରେ ଯାହାର ପ୍ରତ୍ୟେକ ଅଙ୍ଗ ଆଲିଙ୍ଗିତ ହେଉଅଛି, ସେହି କୃଷ୍ଣ ମୂର୍ତ୍ତିମାନ୍‍ ଶୃଙ୍ଗାର ପରି ମୁଗ୍‌ଧ ହୋଇ ବସନ୍ତ ଋତୁରେ କ୍ରୀଡ଼ା କରୁଛନ୍ତି”।

 

“ସ୍ଵଚ୍ଛନ୍ଦ ବ୍ରଜସୁନ୍ଦରୀଭିରଭିତଃ ପ୍ରତ୍ୟେଙ୍ଗ ମାଲିଙ୍ଗିତଃ

ଶୃଙ୍ଗାରଃ ସଖି ମୂର୍ତ୍ତିମାନିବ ମଧୈ ମୁଗ୍‌ଧୋ ହରିଃକ୍ରୀଡ଼ତି”

 

ସାକ୍ଷାତ୍ ଶୃଙ୍ଗାର ସ୍ଵରୂପ ଭଗବାନ୍ ମଧୁର ରସର ପ୍ରଧାନ ଅବଲମ୍ଵନ । କୃଷ୍ଣଙ୍କ ପ୍ରଣୟତରଙ୍ଗ ଦ୍ଵାରା କଚମ୍ଵିତ ଦେହା ବ୍ରଜସୁନ୍ଦରୀମାନେ ନବନବ ପ୍ରଣୟ ମାଧୁରୀର ଆଧାର ସ୍ଵରୂପା । ସେମାନଙ୍କର ମଧ୍ୟରେ ମଧୁରିମାର ସାକ୍ଷାତ୍ ମଧୁପାତ୍ରୀ ସ୍ଵରୂପା ରାଧା ସର୍ବଶ୍ରେଷ୍ଠା ।

 

ଏଠାରେ ବୈଷ୍ଣବ ରସଶାସ୍ତ୍ର ସମ୍ମତ ଦାର୍ଶନିକ ତତ୍ତ୍ଵ ସମ୍ଵଳିତ ପ୍ରକାଣ୍ତ ଆଲୋଚନାର ଅବତାରଣା ଅସମ୍ଭବ । ସେ ସମସ୍ତ ବ୍ୟାଖ୍ୟା ଓ ବିତର୍କର ନିଷ୍କର୍ଷ ହେଉଛି- ଜଡ଼ ବିଷୟକ ଶୃଙ୍ଗାରାଦି ରସ ସହିତ ଅନିର୍ବଚନୀୟ ମଧୁର ରସର କୌଣସି ତୁଳନା କରାଯାଇପାରେ । ଏମାନଙ୍କ ମଧ୍ୟରେ ଗୋଟିଏ ସୂକ୍ଷ୍ମ ମୌଳିକ ପ୍ରଭେଦ ରହିଛି । ଗୋସ୍ଵାମୀମାନଙ୍କ ମତରେ ଅଳଙ୍କାର ଶାସ୍ତ୍ରମାନଙ୍କରେ ବିଶ୍ଲେଷିତ ଶୃଙ୍ଗାରାଦି ରସ କେବଳ ଜଡ଼ ବିଷୟକ ହେବା ସଙ୍ଗେ ସଙ୍ଗେ ସେଗୁଡ଼ିକର ସ୍ଥାୟୀ ଭାବର ସ୍ଥିତ ମଧ୍ୟ ଜଡ଼ ଜୀବରେହିଁ ହୋଇଥାଏ । ସାହିତ୍ୟ ଶାସ୍ତ୍ରରେ କୁହାଯାଇଛି ଯେ ଶୃଙ୍ଗ ରାଦି ରସର ସ୍ଥାୟୀ ଭାବ ଇତ୍ୟାଦି ସଂସ୍କାର ରୂପରେ ମନ ମଧ୍ୟରେ ରହିଥାଏ । ଏହି ସଂସ୍କାର ପୂର୍ବଜେନ୍ମୋପାର୍ଳିତ ଅଥବା ଇହ ଜନ୍ମରେ ଅର୍ଜିତ ଅନୁଭୂତି ମଧ୍ୟ ହୋଇପାରେ । ପୂର୍ବଜନ୍ମଗତ ସଂସ୍କାର ସୂକ୍ଷ୍ମ ବା ଲିଙ୍ଗ ଶରୀର ଧର୍ମଭାବରେ ପ୍ରତିଷ୍ଠା ଥାଏ । ଏହି ଶରୀର ଜଡ଼ ହୋଇଥିବାରୁ ସେହି ସଂସ୍କାରର ପ୍ରବୃତ୍ତି ଜଡ଼ୋନ୍ମୁଖୀ ହୁଏ । କିନ୍ତୁ ମଧୁରରସ ଆତ୍ମାର ଧର୍ମ । ଏହା ସ୍ଥୂଳ ଜଡ଼ ଜଗତର ବସ୍ତୁ ନୁହେଁ । ଏହାର ବିଭବ, ଅନୁଭାବ ଓ ସଞ୍ଚାରୀଭାବମାନଙ୍କର କେବେହେଲେ ବିଲୟ ହୁଏ ନୀହିଁ । ଏଣୁ ଏହାର ସ୍ଥିତି ବିଷୟରେ ଆଶଙ୍କାର ଅବକାଶ ନାହିଁ । ଏହି ରସ ଆସ୍ଵାଦ୍ୟ ଭେଦରେ ବିଭିନ୍ନ ପ୍ରକାରର ହୋଇଥାଏ । ସବୁଠାରୁ ସ୍ଥୂଳ ଅନ୍ନମୟ କୋଷର ଆସ୍ଵାଦ ରସ, ରସନାଦି ଇନ୍ଦ୍ରିୟମାନଙ୍କଦ୍ଵାରା ଉପଭୋଗ୍ୟ । ଏହି ରସ ଅତ୍ୟନ୍ତ ସ୍ଥୂଳ ଓ ବିକାର-ପ୍ରବଣ ହୋଇଥାଏ । ଏହାଠାରୁ ସୂକ୍ଷ୍ମତମ ମାନସିକ ରସ । ଅର୍ଥାତ୍ ଯାହା ମନନ ଓ ଚିନ୍ତନଦ୍ଵାରା ଆସ୍ୱାଦିତ ହୁଏ । ଏହାଠାରୁ ଆହୁରି ସୂକ୍ଷ୍ମ ହେଉଛି ବିଜ୍ଞାନମୟ ରସ, ଯାହା ବୁଦ୍ଧି ଦ୍ୱାରା ଆସ୍ୱାଦ୍ୟ, କିନ୍ତୁ ସୂକ୍ଷ୍ମତମ ଆନନ୍ଦମୟ ରସ ଆତ୍ମା ଦ୍ୱାରା ଅନୁଭୂତ ହୁଏ । ଏହି ସୂକ୍ଷ୍ମତମ ଆନନ୍ଦମୟ ରସହିଁ ସର୍ବଶ୍ରେଷ୍ଠ ଭକ୍ତି ରସ ଭାବରେ ସ୍ଵୀକୃତ ହୋଇଛି । ବିଭିନ୍ନ ସ୍ଵଭାବସମ୍ପନ୍ନ ଭକ୍ତମାନେ ଏହି ରସକୁ ନାନଭାବରେ ଆସ୍ଵାଦନ କରନ୍ତି । ରସର ଏହି ସର୍ବଶ୍ରେଷ୍ଠ ସ୍ଵରୂପଟି ‘ମଧୁରରସ’ ଭାବରେ ଆଖ୍ୟାତ-। ଉପର୍ଯ୍ୟୁକ୍ତ ଆଲୋଚନାରୁ ଏହା ସ୍ଵଷ୍ମ ହୋଇ ଉଠୁଛି ଯେ, ଇନ୍ଦ୍ରିୟମାନଙ୍କ ଦ୍ଵାରା ଇନ୍ଦ୍ରିୟାତୀତ ଆନନ୍ଦମୟ ରସର ସ୍ଵରୂପ ଉପଲବଧି କରିହେବ ନାହିଁ । ମନ ଓ ବୁଦ୍ଧି ଦ୍ଵାରା ମଧ୍ୟ ଏହା ବୋଧଗମ୍ୟ ନୁହେଁ । ଏଣୁ ଅଲୌକିକ । ଏହି ରସୋପଲବ୍‌ଧି ବହୁ କଠୋର ସାଧନାର ଅପେକ୍ଷା ରଖେ । ଭକ୍ତି ଶାସ୍ତ୍ରମାନଙ୍କରେ ସେହି ସାଧନାର ମାର୍ଗ ବହୁ ଭାବରେ ପ୍ରଦର୍ଶିତ ହୋଇଛି (୫) । ରୂପଗୋସ୍ଵାମୀ ସେଥିପାଇଁ ଏହାକୁ ‘ଦୁରୂହ’ ବୋଲି କହିଛନ୍ତି । ଇନ୍ଦ୍ରିୟ, ମନ ଓ ବୁଦ୍ଧିର ସମ୍ପୂର୍ଣ୍ଣ ନିଗ୍ରହ ଓ ବଶୀକରଣ ହେବା ପରେହିଁ ସୂକ୍ଷ୍ମ ଭକ୍ତି କ୍ଷେତ୍ରରେ ପ୍ରବେଶାଧିକାର ମିଳିଥାଏ । ସେଥିପାଇଁ ଚୈତନ୍ୟ ମହାପ୍ରଭୁ କହିଛନ୍ତି–ତୃଣଠାରୁ ହୀନ ବୃକ୍ଷ ଠାରୁ ଅଧିକ ସହିଷ୍ଣୁ, ସମ୍ପୂର୍ଣ୍ଣ ନିରଭିମାନୀ ଓ ଅନ୍ୟମାନଙ୍କ ପ୍ରତି ସମ୍ମାନଦାତା ହେଲେ ହିଁ ଯେ କୌଣସି ଭକ୍ତ ହରିସେବା ପାଇଁ ଯୋଗ୍ୟ ବିବେଚିତ ହୋଇଥାଏ । ‘ତୃଣାଦପି ସୁନିଚେନ ତରୋରପି ସହିଷ୍ଣୁନା, ଅମାନିନା ମାନଦେନ ସେବିତବ୍ୟୋ ସଦା ହରିଃ’ ।

 

ଯେଉଁଦିନ ପର୍ଯ୍ୟନ୍ତ ଭକ୍ତ ହୃଦୟରେ ସଂସାରର ନାନାପ୍ରକାର ଭୋଗସ୍ପୃହା ଥିବ, ଯେତେବେଳେ ପର୍ଯ୍ୟନ୍ତ ଭକ୍ତ ଭାବନାରେ ପାରତ୍ରିକ ମୁକ୍ତିକାମନା ବିଦ୍ୟମାନ ଥିବ, ସେତେଦିନ ପର୍ଯ୍ୟନ୍ତ ତା ହୃଦୟରେ ଭଗବଦ୍ ପ୍ରେମ ସୁଖର ସାମାନ୍ୟ ଅଙ୍କୁରୋଦଗ୍‌ମ ହେବନାହିଁ ।

 

“ଭକ୍ତି ମୁକ୍ତି ସ୍ପୃହା ଯାବତ୍ ପିଶାଚୀ ହୃଦିବର୍ତ୍ତତେ

ତାବତ୍ ପ୍ରେମ ସୁଖସ୍ୟାତ୍ର କଥମଭ୍ୟୁଦୟୋ ଭବେତ୍ ?”

 

ମଧୁର ରସର ଏହି ସ୍ଵରୂପ ବିଶ୍ଳେଷଣ ସଂପୂର୍ଣ୍ଣ ଭାବରେ ଗୋଟିଏ ସାମ୍ପ୍ରଦାୟିକ ସିଦ୍ଧାନ୍ତ-। ଚୈତନ୍ୟପନ୍ଥୀ ବୈଷ୍ଣବମାନେ ଏହି ସାମ୍ପ୍ରଦାୟିକ ଚିନ୍ତା ଦ୍ଵାରା ନିୟନ୍ତ୍ରିତ ଓ ଅନୁପ୍ରାଣୀତ । ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା ଏହି ସମ୍ପ୍ରଦାୟର ଜଣେ ନିଷ୍ଠାପର ପ୍ରବକ୍ତା ଭାବରେ ଏସବୁ ବୈଷ୍ଣବୀୟ ଆଚାର ପଦ୍ଧତି ଓ ଚିନ୍ତାଧାରାକୁ ସ୍ଵରଚିତ ତ୍ରିଂଶାଧିକ କାବ୍ୟ କବିତାରେ ସାର୍ଥକ ରୂପ ଦେଇଛନ୍ତି । କୃଷ୍ଣଙ୍କର ମାଧୁର୍ଯ୍ୟଲୀଳାରେ ନିବିଷ୍ଟଚିତ୍ତ ସଦାନନ୍ଦ ଐହିକ ଓ ପାରତ୍ରିକ ଭୁକ୍ତି ମୁକ୍ତି କାମନା ପରିତ୍ୟାଗ କରି ମଧୁର ରସ ଆସ୍ଵାଦନରେ ଉନ୍ନତ୍ତ ହୋଇ ଜୀବନ ନିଃଶେଷ କରି ଦେବାକୁ ଏକମାତ୍ର ଇଚ୍ଛା ପ୍ରକାଶ କରିଛନ୍ତି । (୬)

Image

 

ପଞ୍ଚମ ପରିଚ୍ଛେଦ

ଉପସଂହାର

 

ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା ଦୁଇଟି କାଳ୍ପନିକ କାବ୍ୟ ରଚନା କରିଥିଲେ ମଧ୍ୟ ସେ ମୁଖ୍ୟତଃ ଜଣେ ଚୈତନ୍ୟପନ୍ଥୀ ବୈଷ୍ଣବ କବି । ସେ ତାଙ୍କର ତ୍ରିଂଶାଧିକ କାବ୍ୟ କବିତାରେ ବ୍ରଜଲୀଳାର ବିଭିନ୍ନ ବିଭାବ ବର୍ଣ୍ଣନା କରିଛନ୍ତି । ଲୀଳା ଗାନରେ କବି ତନ୍ମୟ । ସେ ରାଧାକୃଷ୍ଣ ଲୀଳା ବର୍ଣ୍ଣନା କଲାବେଳେ ଏପରି ଅନେକ କଥା ଲେଖିଛନ୍ତି, ଯାହା ସାଧାରଣ ସାମାଜିକ ଚଳଣିରେ ଆଦୌ ଗ୍ରହଣ ଯୋଗ୍ୟ ନୁହେ । ଏହା ଯେ କେବଳ ସଦାନନ୍ଦ ହିଁ କରିଛନ୍ତି ତାହା ନୁହେ, ଆମର ବହୁ ସମ୍ମାନିତ, ପ୍ରାୟ ସମସ୍ତ ବୈଷ୍ଣବ କବି ଦେବଦେବୀ ରୂପେ ଉପାସ୍ୟ ରାଧାକୃଷ୍ଣଙ୍କ ଯୁଗଳ ପ୍ରେମଲୀଳା ବ୍ୟାଖ୍ୟାନରେ ପରମ୍ପରା କ୍ରମେ ପ୍ରଚଳିତ ମୂଲ୍ୟବୋଧ ଗୁଡ଼ିକୁ ଦୋହଲାଇ ଦେବାପରି ଅନେକ କଥା ନିର୍ବିକାର ଚିତ୍ତରେ ଏକାନ୍ତ ଭକ୍ତି ମତ୍ତାରେ ସହିତ ଗାନ କରି ଯାଇଛନ୍ତି । ସେଗୁଡ଼ିକୁ ଶହଶହ ବର୍ଷ ଧରି ଆମେ ରସିକ ପାଠକ ଭାବରେ ଅଥବା ଭକ୍ତ ଭାବରେ ଅଧ୍ୟୟନ କରି ତାହାର ଭାବ ମାଧୁର୍ଯ୍ୟରେ ମୁଗ୍‌ଧ ହେଉ । ଏ ସବୁ ସତ୍ତ୍ଵେ ଏଗୁଡ଼ିକୁ ଗର୍ହିତ ପରକୀୟା ପ୍ରେମ ଓ ସାମାଜିକ ଅନାଚାରର ବାର୍ତ୍ତାବହ ବୋଲି କହି ତା ପ୍ରତି ନାସାକୁଞ୍ଚନ ମଧ୍ୟ କରୁ । ମନେ ହୁଏ ଏ ସବୁ ବିଚାର ବିଭ୍ରାଟର ଫଳ ବ୍ୟତୀତ ଅନ୍ୟ କିଛି ନୁହେ ।

 

କେବଳ ଓଡ଼ିଆ ସାହିତ୍ୟରେ ଯେ, ଏ ସମସ୍ୟାଟି ବିଦ୍ୟମାନ, ତାହାନୁହେ । ସମଗ୍ର ଭାରତ ବର୍ଷର ମଧ୍ୟଯୁଗୀୟ ସାହିତ୍ୟ ଏ ସମସ୍ୟାର ସମ୍ମୁଖୀନ ।

 

ମଧ୍ୟଯୁଗୀୟ ଭକ୍ତିକବିମାନଙ୍କୁ ଠିକ୍ ଭାବରେ ବୁଝିବା ପାଇଁ ଆମର ମାନସିକ ପ୍ରସ୍ତୁତି ଦରକାର । ଏ କଥା ସର୍ବବାଦୀ ସମ୍ମତ ଯେ, ଓଡ଼ିଆ ବୈଷ୍ଣବ କବି ଦୀନକୃଷ୍ଣ, ସଦାନନ୍ଦ, ଅଭିମନ୍ୟୁ ସାମନ୍ତ ସିଂହାର, ଗୋପାଳକୃଷ୍ଣ ଓ କବିସୂର୍ଯ୍ୟ ବଳଦେବ ସେମାନଙ୍କର ସାରସ୍ଵତ ସାଧନାରେ ଏ ଜାତିକୁ ପୁଷ୍ପଳ ଆନନ୍ଦ ଦେଇ ଆସିଛନ୍ତି । ତେବେ ସେମାନଙ୍କୁ ଯଥାର୍ଥ ଭାବରେ ବୁଝିବାରେ ଆମର ଅସୁବିଧା କେଉଁଠି ତାହା ଖୋଜିବାକୁ ହେବ ।

 

ଆମେ ଆଜି ଯେଉଁ ପାରିପାର୍ଶ୍ୱିକ ପରିସ୍ଥିତି ଓ ଆଧୁନିକତାର ମଧ୍ୟ ଦେଇ ଶିକ୍ଷିତ ହେଉଛୁ, ତାହା ଆମକୁ ଆମର ସମସ୍ତ ପ୍ରାଚୀନ ପରମ୍ପରା ପୁଷ୍ଟ ଧାରଣା ଓ ମୂଲ୍ୟବୋଧଠାରୁ ପ୍ରାୟ ବିଚ୍ଛିନ୍ନ କରି ଦେଉଛି । ଯଦି ଆମେ ସେ ସବୁ ଧାରଣାଠାରୁ ସମ୍ପୂର୍ଣ୍ଣ ଭାବରେ ବିଚ୍ଛିନ୍ନ ହୋଇ ଯାଆନ୍ତେ ତେବେ ପ୍ରାଚୀନ କଥା ଗୁଡ଼ିକୁ ସମ୍ପୂର୍ଣ୍ଣ ଆଧୁନିକ ଢଙ୍ଗରେ ବିଚାର ବିମର୍ଷ କରିବା ପାଇଁ ଗୋଟିଏ ଦ୍ଵିଧାହୀନ ଅନାବିଳ ଦୃଷ୍ଟିଭଂଗୀର ଅଧିକାରୀ ହୋଇ ପାରନ୍ତେ । କିନ୍ତୁ ବଡ଼ ଦୁର୍ଭାଗ୍ୟର କଥା ଯେ, ଆଜି ଆମେ ଆମର ପ୍ରାଚୀନ ଜୀବନଧର୍ମୀ ଚିନ୍ତାଧାରାଠାରୁ ସମ୍ପୂର୍ଣ୍ଣ ରୂପେ ବିଚ୍ଛିନ୍ନ ହୋଇ ନାହୁଁ, ଏଣେ ସେ ବିଷୟରେ ଆମର କୌଣସି ସ୍ପଷ୍ଟ ଧାରଣା ମଧ୍ୟ ନାହିଁ । ଫଳରେ ଶ୍ରୀକୃଷ୍ଣଙ୍କ ନାମ ଶୁଣିବା ମାତ୍ରେ ଆମ ମନରେ ସର୍ବ ଶକ୍ତିମାନ୍ ପରଂବ୍ରହ୍ମ ସ୍ଵରୂପ, ପରମ ପୁରୁଷ ଶ୍ରୀକୃଷ୍ଣଙ୍କ ମର୍ଯ୍ୟାଦାବନ୍ତ ଗାମ୍ଭୀର୍ଯ୍ୟପୂର୍ଣ୍ଣ ଚିତ୍ରଟିଏ ଆଙ୍କି ହୋଇଯାଏ । କିନ୍ତୁ ପର ମୁହୂର୍ତ୍ତରେ ତାଙ୍କର ଚପଳ ଚଟୁଳ ରାସଲୀଳା କଥାଶୁଣି କିଛି ବୁଝି ହୁଏ ନାହିଁ । ଅର୍ଥାତ୍‍ ଦୁଷ୍ଟଦଳନ ଶିଷ୍ଟ ପାଳନ ରୂପ କର୍ମନିପୁଣ କୃଷ୍ଣଙ୍କ ଅନୁରୂପ କର୍ମ ଭାବରେ ପରନାରୀ ହରଣ ରୂପକ ରାସଲୀଳାକୁ ଗ୍ରହଣ କରିବାକୁ ମନ କୁଣ୍ଠିତ ହୁଏ । ପ୍ରାଚୀନ ଚିନ୍ତାଧାରା ପ୍ରତି ଆମର ଏହି ଆବିଳ ଦୃଷ୍ଟି ଫଳରେ ଆମେ ବୈଷ୍ଣବ କବିଙ୍କ କବିତାକୁ ସମ୍ପୂର୍ଣ୍ଣ ତତ୍ତ୍ଵ ସାପେକ୍ଷ ଭାବରେ ଅଥବା ତତ୍ତ୍ଵବାଦ ନିରପେକ୍ଷ ଭାବରେ ବୁଝି ନପାରି ହଠାତ୍ ପ୍ରତିକ୍ରିୟା ପ୍ରକାଶକରୁ–ଭଗବାନଙ୍କ ନାମରେ କି ବାଜେ କଥା କୁହା ଯାଇଛି-। ରାଧା ଓ କୃଷ୍ଣ ଯଦି ଦୁଷ୍ମନ୍ତ ଓ ଶକୁନ୍ତଳାଙ୍କ ପରି ପ୍ରାକୃତ ନାୟକ ନାୟିକା ହୋଇଥାନ୍ତେ, ତାହା ହେଲେ କିଛି ଚିନ୍ତା ନଥିଲା । କିନ୍ତୁ ରାଧାକୃଷ୍ଣ ପ୍ରାକୃତ ନୁହନ୍ତି କି ସେମାନଙ୍କର ଅପ୍ରାକୃତିକ ସ୍ଵରୂପ ବିଷୟରେ ଆମର କୌଣସି ବାସ୍ତବିକ ନିର୍ମଳ ଧାରଣା ନାହିଁ । ସେଥିପାଇଁ ଆମେ ବୈଷ୍ଣବ କବିତା ଗୁଡ଼ିକୁ ବିଶୁଦ୍ଧ ସାହିତ୍ୟିକ ମାନଦଣ୍ତରେ ମାପିପାରୁ ନାହୁଁକି ବିଶୁଦ୍ଧ ଭକ୍ତି ପୂର୍ଣ୍ଣ କବିତା ଭାବରେ ଗ୍ରହଣ ମଧ୍ୟ କରି ପାରୁନାହୁଁ । ଆମେ ଅଭିମନ୍ୟୁ ସାମନ୍ତ ସିଂହାରଙ୍କୁ ଭକ୍ତ ଶିରୋମଣି କହୁଛୁ । କିନ୍ତୁ ପରମୁହୂର୍ତ୍ତରେ ତାଙ୍କର ବିଦଗ୍‌ଧ ଚିନ୍ତାମଣିରେ ମାନବ ଜୀବନର ବିଭିନ୍ନ ସମସ୍ୟା ଓ ତାର ସମାଧାନ ନଥିବା କଥା ଦର୍ଶାଇ ଦୁଃଖ ପ୍ରକାଶ କରୁଛୁ । ପୁଣି କୃଷ୍ଣଙ୍କ ଚପଳ ଚଟୁଳ ରୂପର ବର୍ଣ୍ଣନାରେ ମୁଗ୍‌ଧ ହୋଇ କବିଙ୍କ ସ୍ଵାଭାବିକ ରୂପ ଚିତ୍ରଣରେ ଅସାଧାରଣ ଶକ୍ତିମତ୍ତାର ଯଥେଷ୍ଟ ପ୍ରଶଂସା ମଧ୍ୟ କରୁଛୁ । ଏଥିରୁ ଆମ ଦୃଷ୍ଟିଭଙ୍ଗୀର ଅନାବଳିତା ସୂଚିତ ହେଉ ନାହିଁ । ଆମେ ବୈଷ୍ଣବ ଭକ୍ତକବିମାନଙ୍କୁ ଭୁଲ ରାସ୍ତାରେ ପରିଚାଳିତ ହୋଇ ଦେଖୁ, ଏବଂ ଅଯଥାର୍ଥ ଭାବେ କେତେବେଳେ ତାଙ୍କର କବିତ୍ଵ ପରାକାଷ୍ଠାରେ ମୁଗ୍‌ଧ ହେଉ ତ କେତେବେଳେ ବିନା କାରଣରେ କବିତାର ଅନ୍ତସ୍ଵରଟି ନବୁଝି ବହୁ ଅସଂଗତ ପ୍ରତିକ୍ରିୟା ପ୍ରକାଶ କରୁ । ଏ ସବୁ, କବିତାର ଭୁଲ ବୁଝାମଣାରୁ ହୁଏ । ରାଧକୃଷ୍ଣ ଲୀଳାତ୍ମକ କବିତା ବୁଝିବାକୁ ହେଲେ ଭକ୍ତିତତ୍ତ୍ଵ ନିଷ୍ଣାତ ଭକ୍ତ କବିଙ୍କ ମାନସ ସାକ୍ଷାତ୍‌କାର କରିବାକୁ ହେବ । ସଂସାରତ୍ୟାଗୀ ବୈରାଗୀର କବିତା ସଂସାର ଅନୁରାଗୀ ବିଷୟାସକ୍ତ ବୁଦ୍ଧିରେ ବିବେଚ୍ୟ ହେବ କିପରି ? ସ୍ରଷ୍ଟା ଓ ସମୀକ୍ଷକର ଦୃଷ୍ଟିରେ ସାମଞ୍ଜସ୍ୟ ପ୍ରତିଷ୍ଠିତ ହେଲେ ସତ୍ୟର ଅନାବିଳ ସ୍ନିଗ୍‌ଧ ରୂପ ପ୍ରକାଶିତ ହେବ । ଏ ଦୃଷ୍ଟିରୁ ବୈଷ୍ଣବ ଭକ୍ତକବି ସଦାନନ୍ଦଙ୍କ ଭକ୍ତି କବିତା ଗୁଡ଼ିକର ଏ ସଂକ୍ଷିପ୍ତ ସମୀକ୍ଷା ପ୍ରସ୍ତୁତ କରିବାରେ ଏ ଲେଖକର ସଫଳତା ସୁଧୀ ପାଠକମାନେ ବିଚାତ କରିବେ ।

Image